ଓଡ଼ିଶାର ପ୍ରାଚୀନ ନୌ-ପରମ୍ପରା ଓ କୋଣାର୍କ

ପ୍ରାଚୀନ ଓଡ଼ିଶା ଏହାର ନୌବାଣିଜ୍ୟ ନିମନ୍ତେ ବିଶ୍ୱ ପ୍ରସିଦ୍ଧ ଥିଲା । ଓଡ଼ିଶାର ସାଧବପୁଅ ମାନେ ଅତୀତରେ ସୁଦୂର ଜାଭା, ସୁମାତ୍ରା, ବାଲି ଦ୍ଵୀପ ଆଦି ସ୍ଥାନକୁ ସମୁଦ୍ର ପଥରେ ଯାଇ, ବାଣିଜ୍ୟ କରି, ଧନରତ୍ନ ଧରି ପୁନଶ୍ଚ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଓଡ଼ିଶାର ପ୍ରାଚୀନ ମନ୍ଦିର ମାନଙ୍କରେ ତଥା ରାଜ୍ୟ ସଂଗ୍ରହାଳୟରେ ଏ ସମ୍ବନ୍ଧିତ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ଓଡ଼ିଆ ଶିଳ୍ପକଳାର ଉତ୍କୃଷ୍ଟତାର ପ୍ରତୀକ – କୋଣାର୍କର ସୂର୍ଯ୍ୟ ମନ୍ଦିରରେ ଏ ସମ୍ବନ୍ଧିତ ମୂର୍ତ୍ତି ଅଛି କି ନାହିଁ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ । ଆପଣମାନେ ଜାଣିଲେ ଖୁସି ହେବେ ଯେ କୋଣାର୍କ ମନ୍ଦିରର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଏ ସମ୍ବନ୍ଧିତ ମୂର୍ତ୍ତିଟିଏ ଅଛି ।
କୋଣାର୍କ ମନ୍ଦିରର ମୁଖଶାଳାର ଉପରି ଭାଗରେ ଭୈରବ ଙ୍କର ମୂର୍ତ୍ତିଟିଏ ଅଛି (ସଂଲଗ୍ନ ଚିତ୍ରଟିକୁ ଦେଖନ୍ତୁ) । ସାଧାରଣତଃ ଏହାକୁ ମାର୍ତ୍ତଣ୍ଡ ଭୈରବ ବୋଲି କୁହାଯାଉଥିଲେ ହେଁ ପଣ୍ଡିତ ସଦାଶିବ ରଥଶର୍ମା (ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ) ଏହାକୁ ଘଣ୍ଟକର୍ଣ୍ଣ ଭୈରବ ରୂପେ ଚିହ୍ନଟ କରିଛନ୍ତି । ତେବେ ଯାହାହେଉ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଭୈରବ ଙ୍କର ମୂର୍ତ୍ତିଟି ଏକ ନାବ ଉପରେ ବିରାଜିତ ଯାହା କାତ କିମ୍ବା ଆହୁଲା ଚାଳନା କରୁଥିବା ଦୁଇ ଜଣ ନାବିକଙ୍କ ଦ୍ଵାରା ଚାଳିତ (ଜଣେ ବସିଛନ୍ତି ଓ ଜଣେ ଦଣ୍ଡାୟମାନ, ଲୋହିତ ରଙ୍ଗର ବୃତ୍ତ ମଧ୍ୟରେ ସ୍ଥିତ, ଚିତ୍ରଟିକୁ କ୍ଲିକ୍ କରନ୍ତୁ) । ଏଥିରୁ ତତ୍କାଳୀନ ସମୃଦ୍ଧ ଉତ୍କଳୀୟ ନୌ-ପରମ୍ପରା ସମ୍ୱନ୍ଧରେ ସମ୍ୟକ୍ ଧାରଣା ଉପଲବ୍ଧ ହୁଏ । ଆଉ ଏହା ମଧ୍ୟ ଆମକୁ ବିସ୍ମିତ କରେ ଯେ ଉତ୍କଳୀୟ ଶିଳ୍ପୀ ଏକ ନୌକାରେ କେବଳ ମନୁଷ୍ୟ ନୁହେଁ, ଭୈରବଙ୍କ ପରି ଘୋର ଦେବଙ୍କୁ ମଧ୍ୟ ସ୍ଥାନିତ କରିପାରେ । ଏହା ଆମ ନୌ-ପରମ୍ପରାର ଉତ୍କୃଷ୍ଟତାର ପ୍ରତୀକ ନୁହେଁ କି ?
© ଡ଼ାକ୍ତର କୁମାର ଅରୋଜ୍ୟୋତି
[ଚିତ୍ର ସୌଜନ୍ୟ Archeological Survey of India ଏବଂ Ravichandran KP ]

Comments
So empty here ... leave a comment!