କୋଣାର୍କ ସୂର୍ଯ୍ୟ ମନ୍ଦିରର ରେବନ୍ତ

ଏକଦା ବିଶ୍ଵକର୍ମାଙ୍କ କନ୍ୟା ତଥା ସୂର୍ଯ୍ୟ ଦେବଙ୍କର ପତ୍ନୀ ସଂଜ୍ଞା ସୂର୍ଯ୍ୟଙ୍କର ପ୍ରଖର ତେଜକୁ ସହି ନପାରି ସୂର୍ଯ୍ୟଙ୍କର ପତ୍ନୀ ଭାବରେ ନିଜ ସ୍ଥାନରେ ନିଜର ପ୍ରତିରୂପ ଛାୟାଙ୍କୁ ରଖି ତପସ୍ୟା କରିବା ନିମନ୍ତେ ଏକ ଘୋଟିକା ରୂପରେ ବନ ମଧ୍ୟକୁ ପ୍ରସ୍ଥାନ କଲେ । ଏଣେ ସୂର୍ଯ୍ୟ ଯେତେବେଳେ ଜାଣିବାକୁ ପାଇଲେ ଯେ ଛାୟା ପ୍ରକୃତ ସଂଜ୍ଞା ନୁହନ୍ତି ସେତେବେଳେ ସେ ସଂଜ୍ଞାଙ୍କୁ ଖୋଜି ଖୋଜି ତାଙ୍କୁ ଉତ୍ତର କୁରୁ ବନ ମଧ୍ୟରେ ପାଇଲେ । ତତ୍ପରେ ସୂର୍ଯ୍ୟ ଦେବ ଏକ ଘୋଟକ ରୂପରେ ଘୋଟିକା ରୂପୀ ସଜ୍ଞାଙ୍କ ସହ ପ୍ରଣୟରେ ରତ ହେବାରୁ ସେମାନଙ୍କ ମିଳନରୁ ଅଶ୍ୱିନୀ କୁମାର ଦ୍ବୟ ତଥା ରେବନ୍ତ ଜାତ ହେଲେ ।
ସୂର୍ଯ୍ୟ ଦେବ ରେବନ୍ତଙ୍କୁ ଗୁହ୍ୟକ (ଯକ୍ଷ ମାନଙ୍କ ସଦୃଶ କୁବେରଙ୍କ ପରିଚାରକ) ମାନଙ୍କର ମୁଖ୍ୟ ଭାବେ ନିଯୁକ୍ତ କଲେ । ରେବନ୍ତ ସାଧାରଣତଃ ଦକ୍ଷିଣ ହସ୍ତରେ ଏକ ଖଡ୍ଗ ଧରି ଏକ ଶ୍ୱେତ ଅଶ୍ୱ ଉପରେ ବିରାଜମାନ କରିଥିବା ଅବସ୍ଥାରେ ପ୍ରତୀୟମାନ ହୁଅନ୍ତି । ତତ୍ସହିତ ସେ ତାଙ୍କର ପିତା ସୂର୍ଯ୍ୟ ଦେବଙ୍କ ସଦୃଶ ପାଦରେ ଲମ୍ବା ପାଦୁକା ମଧ୍ୟ ପରିଧାନ କରିଥାଆନ୍ତି ।
ସୌର ଉପାସନା ପଦ୍ଧତିରେ ରେବନ୍ତ ଯୋଦ୍ଧା ଏବଂ ଘୋଟକ ମାନଙ୍କର ରକ୍ଷକ ଦେବତା ରୁପେ ଉପାସିତ ହୋଇଥାଆନ୍ତି । ସେ ମଧ୍ୟ ଅରଣ୍ୟର ବିବିଧ ବିପଦରୁ ରକ୍ଷା ପାଇବା ନିମନ୍ତେ ତଥା ଶିକାରର ସଂରକ୍ଷକ ଦେବତା ରୁପେ ଉପାସିତ ହୁଅନ୍ତି ।
ସଂଲଗ୍ନ ଚିତ୍ରଟି (ବାମ ପାର୍ଶ୍ୱସ୍ଥ) ସମ୍ଭବତଃ ରେବନ୍ତଙ୍କର ଯେଉଁଥିରେ କି ସେ ଏକ ଅଶ୍ଵ ପିଠିରେ ଦକ୍ଷିଣ ହସ୍ତରେ ଏକ ଖଡ୍ଗ ଧରି ବିରାଜିତ । ସେ ମଧ୍ୟ ସୂର୍ଯ୍ୟଙ୍କ ସଦୃଶ ପାଦରେ ଲମ୍ବା ପାଦୁକା ପରିଧାନ କରି ଅଛନ୍ତି । ରେବନ୍ତଙ୍କର ଏହି ମୂର୍ତ୍ତିଟି (ଦକ୍ଷିଣ ପାର୍ଶ୍ୱସ୍ଥ ଚିତ୍ରରେ ହଳଦିଆ ଚତୁର୍ଭୁଜ ମଧ୍ୟରେ ସ୍ଥିତ) କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ସ୍ଥାପତ୍ୟ ମଧ୍ୟରେ ଅବସ୍ଥିତ ଯାହାକି ବର୍ତ୍ତମାନ ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ପ୍ରଦର୍ଶିତ । ଏହା ବୋଧହୁଏ କୋଣାର୍କ ସୂର୍ଯ୍ୟ ମନ୍ଦିରର ବିବିଧ ସ୍ଥାପତ୍ୟ ଗୁଡ଼ିକ ମଧ୍ୟରେ ରେବନ୍ତଙ୍କର ଏକମାତ୍ର ଉପଲବ୍ଧ ମୂର୍ତ୍ତି ।
© ଡାଃ କୁମାର ଅରୋଜ୍ୟୋତି

Comments
So empty here ... leave a comment!