ଅନନ୍ତ ପ୍ରସାଦ ପଣ୍ଡା

୧୯୦୬ ଜୁଲାଇ ୧୮ରେ ଜନ୍ମ ହୋଇଥିଲେ ଅନନ୍ୟ ସାରସ୍ବତ ସାଧକ ଅନନ୍ତ ପ୍ରସାଦ ପଣ୍ତା। ପିତା ଉମାକାନ୍ତ ଓ ମାତା ଗେହ୍ଲାମଣି ବହୁ ଦିନ ଧରି ନିଃସନ୍ତାନ ଥିଲେ। ‘ଅନନ୍ତ ବ୍ରତ’ ପାଳନ କରି ପୁତ୍ର ସନ୍ତାନ ଲାଭ କରିବାରୁ, ନାମ ରଖାଯାଇଥିଲା ଅନନ୍ତ ପ୍ରସାଦ। ଅନନ୍ତ ପ୍ରସାଦ ଏକଧାରରେ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ, ନାଟ୍ୟକାର ଓ ଅନୁବାଦକ ଥିଲେ ହେଁ ନିଜକୁ ମୁଖ୍ୟତଃ ଗାଳ୍ପିକ ବୋଲାଇବାକୁ ଅଧିକ ଭଲପାଉଥିଲେ। ଏ ସ˚ପର୍କରେ ନିଜେ ଲେଖିଥିଲେ- ‘ମୋ’ର ସାହିତ୍ୟ ସାଧନାକୁ କେବଳ ଗଳ୍ପ, ଉପନ୍ୟାସ ମଧ୍ୟରେ ସୀମାବଦ୍ଧ ନ ରଖି ମୁଁ ଅବଶ୍ୟ ସାହିତ୍ୟର ଅନ୍ୟ ବିଭାଗ, ଯଥା-କବିତା, ସ˚ଗୀତ, ଏକାଙ୍କିକା, ନାଟକ, ପ୍ରବନ୍ଧ, ଭ୍ରମଣ ବୃତ୍ତାନ୍ତ ଓ ଅନୁବାଦରେ ଲେଖନୀ ଚଳାଇଛି; କିନ୍ତୁ, ଗଳ୍ପ ରଚନାରେ ହିଁ ଅଧିକ ସମୟ ବିନିଯୋଗ କରିଛି ଏବ˚ ତାହା ହିଁ ମୋତେ ଦେଇଛି ସବୁଠାରୁ ଅଧିକ ଆନନ୍ଦ।’ ପ୍ରାକ୍-ସ୍ବାଧୀନତା କାଳୀନ ଉତ୍କଳୀୟଙ୍କ ଦୁର୍ଦଶା, ଦ୍ବିତୀୟ ବିଶ୍ବ ଯୁଦ୍ଧ ପରବର୍ତ୍ତୀ କାଳୀନ ଓଡ଼ିଶାର ଅବସ୍ଥା, ସ୍ବାଧୀନତୋତ୍ତର ଭାରତର ସା˚ପ୍ରଦାୟିକ ଦଙ୍ଗା ଆଦିର ବାସ୍ତବ ଚିତ୍ର ତାଙ୍କ ଗଳ୍ପରାଜିରୁ ମିଳେ।
‘ଅନ୍ତିମ ମିଳନ’ ଅନନ୍ତ ପ୍ରସାଦଙ୍କ ପ୍ରଥମ ଗଳ୍ପ। ସେ ରାଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ପୂର୍ବ-ଛାତ୍ରାବାସରେ ‘ଜାଗରଣ’ ନାମକ ହାତ-ଲେଖା ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିଲା। ଗପଟି ସେଥିରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ତାଙ୍କ ଦ୍ବିତୀୟ ଗଳ୍ପ ଥିଲା ‘ଅତୃପ୍ତ ବାସନା’। ଉପେନ୍ଦ୍ର ଦାସଙ୍କ ଦ୍ବାରା ପ୍ରକାଶିତ ‘ବାରୁଣୀ’ ପତ୍ରିକାରେ ପ୍ରକାଶନ ପାଇଁ ସେ ଗପଟି ରଚନା କରିଥିଲେ ହେଁ ଘଟନାକ୍ରମେ ସେଇଟି ବାଗ୍ମୀ ବିଶ୍ବନାଥ କରଙ୍କ ପାଖରେ ପହଞ୍ଚି ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ହୋଇଥିଲା। ଅନନ୍ତ ପ୍ରସାଦ ଆନନ୍ଦିତ ହୋଇ ବ୍ୟକ୍ତିଗତ ଭାବେ ବିଶ୍ବନାଥଙ୍କୁ ଭେଟି ବାହାବା ପାଇଥିଲେ ଏବ˚ ତାଙ୍କର ତୃତୀୟ ଗପ ‘ବାସନା ତୃପ୍ତି’ ଉକ୍ତ ପତ୍ରିକାକୁ ହିଁ ଦେଇଥିଲେ। ତାଙ୍କର ସମସ୍ତ ଗଳ୍ପ ସାତଟି ସ˚କଳନରେ ସନ୍ନିବିଷ୍ଟ। ସେଗୁଡ଼ିକ ହେଉଛି- ‘ତୃଣଗୁଚ୍ଛ’, ‘ସଭ୍ୟତାର ତଳେ’, ‘ମନର ଭୂତ’, ‘ବାରମଜା’, ‘ନୈଶ୍ୟ ସୁନ୍ଦରୀ’, ‘ଯୁଗ ରହସ୍ୟ’ ଓ ‘ଚଳନ୍ତି କାହାଣୀ’। ‘ଶଗଡ଼’, ‘ଛାଡ଼ଖାଇ’, ‘ସଭ୍ୟତାର ତଳେ’, ‘ଗାଉଁଲି’, ‘ପହିଲି ଭୋଗ’, ‘ଟିଟିଇ’, ‘ଦୁନିଆ ବିଚାର’, ‘କଙ୍କାଳର ସ୍ବପ୍ନ’, ‘ଚଣାଚୂର’, ‘ମାଳତୀଗଡ଼ର ଦୀପ’ ଆଦି ତାଙ୍କର କେତେକ ଶ୍ରେଷ୍ଠ ଗଳ୍ପ।
‘ପ୍ରାର୍ଥନା’ ତାଙ୍କର ଏକ ସୁନ୍ଦର କବିତା। ‘ହେ ମୋର ଭଗବାନ୍, ବିଶ୍ବସାରା ବ୍ୟାପ୍ତ ତବ ମହିମା ସୁମହାନ୍, ଗଗନେ ଦେଖେ ମୁଁ ତୁମରି ଅଙ୍ଗ, ପବନେ ଲଭେ ମୁଁ ତୁମରି ସଙ୍ଗ, ଯେଉଁ ଦିଗେ ଚାହେଁ ସେ ଦିଗେ ରହିଛ, ତୁମେ ହିଁ ମୂର୍ତ୍ତିମାନ୍।’ କବିତାର ଏହି ପ˚କ୍ତିଟିକୁ ସେ ପ୍ରତି ଦିନ ଆବୃତ୍ତି କରୁଥିବା, ତାଙ୍କ ଆତ୍ମ-ଚରିତ ‘ମୋ ଜୀବନ ସ୍ମୃତି’ରେ ଉଲ୍ଲେଖିତ। ଏଥିରେ ତାଙ୍କ ଅନୁଭୂତିଗୁଡ଼ିକ ଲିପିବଦ୍ଧ। ସେ ଲେଖିଛନ୍ତି: ‘ପ୍ରଥମେ ମୁଁ ସୂଚାଇଦେବାକୁ ଚାହେଁ ଯେ, ମୋର ଜୀବନ ଅବଶ୍ୟ ବେଶି ଘଟନାବହୁଳ ନୁହେଁ, କିନ୍ତୁ, ଅନୁଭୂତିବହୁଳ।’ ଉଲ୍ଲେଖଯୋଗ୍ୟ ଯେ, ଅନନ୍ତ ପ୍ରସାଦଙ୍କ ସାହିତ୍ୟିକ ଜୀବନ କୈଶୋରରେ କବିତାରୁ ଆରମ୍ଭ ହୋଇଥିଲା। ବାଲେଶ୍ବର ଜିଲ୍ଲା ସ୍କୁଲ୍ରେ ପଢ଼ୁଥିବା ବେଳେ ସେ କବିତା ଲେଖିବା ଆରମ୍ଭ କରିଥିଲେ। ତାଙ୍କ ଉଦ୍ୟମରେ ସ୍କୁଲ୍ରୁ ‘ପାରିଜାତ’ ନାମକ ହାତ-ଲେଖା ସାହିତ୍ୟ ପତ୍ରିକା ବାହାରିଥିଲା। ସେଥିରେ ସେ ଲେଖିଥିଲେ: ‘ସ୍ବର୍ଗୀୟ କୁସୁମ ଆରେ ପାରିଜାତ; ତୋ’ ସଙ୍ଗେ ସରି କେ ହେବ କହ ତ।’
କୋଡ଼ିଏ ବର୍ଷ ବୟସରେ ସବ୍-ଡେପୁଟି କଲେକ୍ଟର୍ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା। ଚାକିରି ପାଇଁ ସାକ୍ଷାତ୍କାର ବେଳେ ବୟସ କମ୍ ଥିବାରୁ ଅପେକ୍ଷା କରିବା ଲାଗି ରାଜସ୍ବ ପରିଷଦ ସଭାପତି ହାମଣ୍ତ୍ ସାହେବ ପରାମର୍ଶ ଦେଇଥିଲେ। ଉତ୍ତରରେ ଅନନ୍ତ ପ୍ରସାଦ କହିଥିଲେ- ପିଟ୍ ଦ ୟଙ୍ଗ୍ ଅଳ୍ପ ବୟସରେ ଇ˚ଲଣ୍ତ୍ର ପ୍ରଧାନ ମନ୍ତ୍ରୀ ହୋଇ, ନିଜ ଦକ୍ଷତା ପ୍ରମାଣିତ କରିଥିବା ବେଳେ, ତାଙ୍କୁ କାହିଁକି ବୟସ କାରଣରୁ ବାଦ୍ ଦିଆଯିବ? ତାଙ୍କ ଉତ୍ତର ସମସ୍ତଙ୍କୁ ଛୁଇଁଥିଲା ଏବ˚ ସେ ଚାକିରିରେ ଯୋଗଦେଇଥିଲେ। ଅନନ୍ତ ପ୍ରସାଦଙ୍କ ବାଲ୍ୟ-ଜୀବନ ସୋରୋ ବାହାନଗା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ କଟିଥିଲା। ପିଲାଦିନେ ପାଣିରେ ପଶି କଇଁ ଫୁଲ ତୋଳିବାକୁ ସେ ଭଲପାଉଥିଲେ। ପିଲାଦିନେ ଥିଲେ ମୋଟା। ଅବଧାନ କହୁଥିଲେ ସାକ୍ଷାତ୍ ଗଣେଶ ପ୍ରତିମା। ଅବସର ପରେ ସେ କଟକରେ ସ୍ଥାୟୀ ଭାବେ ବସବାସ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଯଶସ୍ବୀ ସାହିତ୍ୟିକ-ସଂପାଦକ ସୁରେନ୍ଦ୍ର ମହାନ୍ତି ଥିଲେ ତାଙ୍କର ପଡ଼ୋଶୀ। ୧୯୮୯ ଡିସେମ୍ବର୍ ୧୫ ତାରିଖରେ ଅନନ୍ତ ପ୍ରସାଦଙ୍କ ଦେହାନ୍ତ ହୋଇଥିଲା।

Comments
So empty here ... leave a comment!