‘କର୍ମବୀର’ ଗୌରୀଶଙ୍କର

‘କର୍ମବୀର’ ଭାବେ ଖ୍ୟାତ ଗୌରୀଶଙ୍କର ରାୟ ହେଉଛନ୍ତି, ଓଡ଼ିଆ ସାମ୍ବାଦିକତାର ଜନକ। ତାଙ୍କ ଦ୍ବାରା ପ୍ରକାଶିତ-ସ˚ପାଦିତ ‘ଉତ୍କଳ ଦୀପିକା’ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର। ଗୌରୀଶଙ୍କର ପ୍ରାୟ ବାଉନ ବର୍ଷ ଏହାର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ଏହା ସତୁରି ବର୍ଷ ଧରି ଥିଲା, ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର। ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ବ ଦେଇଥିଲା। ଏହା ଥିଲା ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ। ଭାଷା ସୁରକ୍ଷା ଆନ୍ଦୋଳନ କାଳରେ ‘ଉତ୍କଳ ଦୀପିକା’ ମାଧ୍ୟମରେ କର୍ମବୀର ଗୌରୀଶଙ୍କର ରାୟ ଯେଉଁ ଭଳି ଭାବେ ଓଡ଼ିଆ ବିରୋଧୀ ଶକ୍ତିମାନଙ୍କର ମୁକାବିଲା କରିଥିଲେ, ଯେକୌଣସି ଜାତିର ଇତିହାସରେ ତାହାର ପଟାନ୍ତର ନାହିଁ। ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ହେଁ ସେ ଓଡ଼ିଆକୁ ମାତୃଭାଷା ରୂପେ ଗ୍ରହଣ କରିଥିଲେ ଏବ˚ ଏହି ଭାଷାର ଉନ୍ନତି ପାଇଁ ଆଜୀବନ କାର୍ଯ୍ୟ କରିଥିଲେ। ତାଙ୍କ ସ˚ପର୍କରେ ଗୋପାଳ ଚନ୍ଦ୍ର ପ୍ରହରାଜ କହିଥିଲେ- ‘‘ଗୌରୀଶଙ୍କର ସ˚ପାଦକ ରୂପେ ଅବତୀର୍ଣ୍ଣ ହେବା ପୂର୍ବରୁ ଉତ୍କଳର ଗୋଟିଏ ସାଧାରଣ ଭାଷା ନ ଥିଲା। ଉତ୍କଳ ଭାଷା ପ୍ରାଦେଶିକତାରେ ପୂର୍ଣ୍ଣ ଥିଲା। ଏମନ୍ତ କି ଗୋଟିଏ ଅଞ୍ଚଳରେ ବ୍ୟବହୃତ ହେଉଥିବା ଭାଷାକୁ ଅନ୍ୟ ଅଞ୍ଚଳର ଲୋକେ ବୁଝିପାରୁ ନ ଥିଲେ। ଭାଷାରୁ ପ୍ରାଦେଶିକତା ଦୂରକରି ସମଗ୍ର ଉତ୍କଳରେ ଗୋଟିଏ ସାଧାରଣ ଭାଷା ପ୍ରବର୍ତ୍ତନରେ ‘ଉତ୍କଳ ଦୀପିକା’ ଯେଉଁ କାର୍ଯ୍ୟ କରିଅଛି, ତାହାର ମୂଲ୍ୟ ନିରୂପଣ କରିବା ସହଜ ନୁହେଁ।’’

ଗୌରୀଶଙ୍କର ଏବ˚ ତାଙ୍କର ଅ˚ଶୀଦାର ବନ୍ଧୁ ବିଚିତ୍ରାନନ୍ଦ ଦାସ ଓ ଲାଲା ଜଗମୋହନ ରାୟ ମିଳିତ ଭାବେ ୧୮୬୫ରେ ଆରମ୍ଭ କରିଥିଲେ ‘କଟକ ପ୍ରିଣ୍ଟି˚ କ˚ପାନି’। ଏହାର ପରିଚାଳକ ଥିଲେ ଗୌରୀଶଙ୍କର। ମୁଦ୍ରଣ ବ୍ୟବସାୟରେ ସେ ସଫଳ ହୋଇଥିଲେ। ସେ କାଳରେ ବ୍ୟବସାୟରୁ ଲାଭ କରି ଦୁଇ ଅ˚ଶୀଦାରଙ୍କୁ ଦେଇଥିଲେ ପଞ୍ଚାବନ ହଜାର ଟଙ୍କା। ଏଠାରୁ ହିଁ ୧୮୬୬ ଜୁନ୍‌ ପହିଲାରେ ଜନ୍ମ ନେଇଥିଲା ‘ଉତ୍କଳ ଦୀପିକା’। ଏହା ଥିଲା ପ୍ରକୃତରେ ‘ଉତ୍କଳର ଦୀପଶିଖା’। ଏହା ଓଡ଼ିଶାରେ ଏକ ନବ ଯୁଗର ପ୍ରବର୍ତ୍ତକ ଥିଲା। ଏହାର ବିକାଶ ପାଇଁ ଗୌରୀଶଙ୍କର ସରକାରୀ ଚାକିରି ଛାଡ଼ିଥିଲେ। ଏହା ସମାଜ ସ˚ସ୍କାରଠାରୁ ଆରମ୍ଭ କରି ଦେଶ ମିଶ୍ରଣ ପର୍ଯ୍ୟନ୍ତ ବହୁ ଗୁରୁ ଦାୟିତ୍ବ ତୁଲାଇଥିଲା। ଗୌରୀଶଙ୍କର ମଧ୍ୟ ଓଡ଼ିଆ ସାହିତ୍ୟକୁ ଆଧୁନିକ ଓ ଶକ୍ତିଶାଳୀ କରିବା ଦିଗରେ ନିରବଚ୍ଛିନ୍ନ ସାଧନା କରିଥିଲେ। ଆଲୋଚକ ରବୀନ୍ଦ୍ରମୋହନ ସେନାପତିଙ୍କ ଭାଷାରେ: ‘ଏହା ଥିଲା ଉତ୍କଳର ଦୀପଶିଖା, ଅନ୍ଧାରରେ ଦୀପଶିଖା। ଦୁର୍ଦିନରେ ଜଳିଉଠିଥିଲା ଛୋଟ ଦୀପଟିଏ। ଏହା ଓଡ଼ିଶାକୁ ଆଣିଲା ନବଯୁଗର ଆଲୋକ, ଗଣଚେତନା। ଓଡ଼ିଆଙ୍କ ଭିତରେ ଜାତୀୟ ଚେତନା ଜାଗ୍ରତ ଓ ସମ୍ବାଦ ବିତରଣରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।’ ୧୮୯୨ ଯାଏ ଗୌରୀଶଙ୍କର ଚାକିରି କରିଥିଲେ। ଏହି ବର୍ଷ ଚାକିରି ଛାଡ଼ି, ‘ଉତ୍କଳ ଦୀପିକା’କୁ ପୂର୍ଣ୍ଣ ସମୟ ଦେଇଥିଲେ। ସେ ଥିଲେ ସାହିତ୍ୟରସିକ, କଳା ଓ ସ˚ଗୀତପ୍ରିୟ। ‘ଉତ୍କଳ ସାହିତ୍ୟ ସମାଜ’ର ଉଦ୍ୟୋକ୍ତା ଥିଲେ। କିଛି କାଳ ‘ଉତ୍କଳ ସଭା’ର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ତେବେ, ବିଶେଷ ଆସକ୍ତି ଥିଲା ପ୍ରେସ୍‌ ଓ ଦୀପିକା ପ୍ରତି। ଏପରିକି ବେଳେବେଳେ ଦିନ-ରାତି କଟୁଥିଲା ପ୍ରେସ୍‌ରେ।

୧୮୩୮ ଜୁଲାଇ ୧୩ରେ ଗୌରୀଶଙ୍କର ଜନ୍ମ ହୋଇଥିଲେ ଅସୁରେଶ୍ବର ନିକଟସ୍ଥ ଦୀକ୍ଷିତପଡ଼ାରେ। କଟକ ଇ˚ରେଜୀ ସ୍କୁଲ୍‌ ପରେ ହୁଗଲୀ କଲେଜ୍‌ରେ ଦୁଇ ବର୍ଷ ପଢ଼ି ସେ ବାଲେଶ୍ବରରେ ବିଦ୍ୟାଳୟ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ତାହା ପରେ କଟକରେ କିରାଣି ଚାକିରି, ଅଦାଲତରେ ଅନୁବାଦକ। ଚାକିରି କାଳରେ ସେ ଥିଲେ ସ୍ବାଧୀନଚେତା। ମନିଅର୍ଡର‌୍‌ ଏଜେଣ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଡାକଘରର ନୀତି-ନିୟମ ପାଳନ ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ। ଦିନେ ତତ୍‌କାଳୀନ ଜଏଣ୍ଟ୍‌ ମାଜିଷ୍ଟ୍ରେଟ୍‌ ଆର୍ମ‌୍‌ଷ୍ଟ୍ରଙ୍ଗ୍‌ ସାହେବ ଅପରାହ୍‌ଣ ତିନିଟା ପରେ ମନିଅର୍ଡର‌୍‌ କରିବା ପାଇଁ ଟଙ୍କା ପଠାଇଥିଲେ। ସମୟ ଅତିକ୍ରାନ୍ତ ହୋଇସାରିଥିବାରୁ ଗୌରୀଶଙ୍କର ତାହା ଫେରାଇଦେଇ, ସାହେବଙ୍କ ବିଷଦୃଷ୍ଟିରେ ପଡ଼ିଥିଲେ। ସାହେବ ଡାକଘରକୁ ଆସି ନିଜ ହାତରେ ରସିଦ କାଟିବା ଭଳି ବେଆଇନ କାମ କରିବା ସହ ଆଦେଶ ଅମାନ୍ୟ ଦୋଷ, ଗୌରୀଶଙ୍କରଙ୍କ ଉପରେ ଲଦିଥିଲେ। ହେଲେ, ଦବିଯାଇ ନ ଥିଲେ କର୍ମବୀର। ଆଇନ ଦୃଷ୍ଟିରୁ ମାଜିଷ୍ଟ୍ରେଟ୍‌ ଓ ସାଧାରଣ ଲୋକଙ୍କ ଭିତରେ କୌଣସି ଫରକ ଦେଖନ୍ତିନାହିଁ ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଜଣାଇଥିଲେ। ଶେଷରେ ଆର୍ମ‌୍‌ଷ୍ଟ୍ରଙ୍ଗ୍‌ଙ୍କୁ ହିଁ ଦୋଷ ସ୍ବୀକାର କରିବାକୁ ପଡ଼ିଥିଲା। ତାଙ୍କର ସଚ୍ଚୋଟତାପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ସେ ଏପରିକି ବ୍ରିଟିସ୍‌ କର୍ମମକର୍ତ୍ତାଙ୍କର ମଧ୍ୟ ପ୍ରିୟଭାଜନ ହୋଇପାରିଥିଲେ। ସେ ଥିଲେ ଅତିମାତ୍ରାରେ ସ୍ବାଧୀନମନା। ଚାକିରି କରୁଥିବା ବେଳେ ମଧ୍ୟ ଅବସର ସମୟରେ ଦେଶ-ସେବା, ସମାଜ-ସ˚ସ୍କାର ଆଦିରେ ବ୍ରତୀ ହୋଇଥିଲେ। ତାଙ୍କ ଉଦ୍ୟମରେ ମୁଣ୍ତ ଟେକିଥିଲା ‘ଓଡ଼ିଶା ସଭା’, ‘ଉତ୍କଳ ସାହିତ୍ୟ ସମାଜ’, ‘କାୟସ୍ଥ ଛାତ୍ରାବାସ’, ‘କଟକ ଟାଉନ୍‌ ହଲ୍‌’ ଭଳି ଅନୁଷ୍ଠାନ। ନିଜ ସମୟର ଜନ-ଜୀବନ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ।

ବ୍ୟକ୍ତିଗତ ଜୀବନରେ ଗୌରୀଶଙ୍କର ଥିଲେ ଉଦାରବାଦୀ। ଜୀବନର ମଧ୍ୟାହ୍ନରେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ। ତାଙ୍କର ଦେହର ରଙ୍ଗ ଥିଲା ତୋଫା ଗୋରା। ମୋଟା ନିଶ ରଖୁଥିଲେ। ଦୈନିକ ଦଣ୍ତ-ବଇଠକ, କୁସ୍ତି-କସରତ କରୁଥିଲେ; କାଠଯୋଡ଼ି ନଦୀରେ ସନ୍ତରଣ କରୁଥିଲେ। କାନ୍ଧରେ ସର୍ବଦା ପଡ଼ୁଥିଲା ଉତ୍ତରୀୟ। ଶୃଙ୍ଖଳା ଓ ନିୟମାନୁବର୍ତ୍ତିତା ଥିଲା ତାଙ୍କର ଅନ୍ୟ ବିଶେଷ ଗୁଣ। ତାଙ୍କ ସ˚ପର୍କରେ ‘ଭକ୍ତକବି’ ମଧୁସୂଦନ ଲେଖିଥିଲେ- ‘ଶ୍ରୀ ବିଚିତ୍ରାନନ୍ଦ ଶ୍ରୀ ଜଗମୋହନ ନାମ ସଙ୍ଗେ ତବ ନାମ ଯୁକ୍ତ ହେ ସୁଜନ, ମଣିକାଞ୍ଚନର ଯୋଗେ ରହିବ ଉତ୍କଳେ ଯଶଃର ମନ୍ଦିର ମଧ୍ୟେ ପୁଣ୍ୟ ଭାଗ୍ୟ ବଳେ, ନବୁଯୁଗ ଉଷା ପ୍ରଭା ଦୀପିକା ପ୍ରକାଶି ଧନ୍ୟ ତୁମ୍ଭେ ଏ ଉତ୍କଳେ ସ୍ବୀକୃତ ବିଳାସୀ।’ ୧୯୧୭ ମାର୍ଚ‌୍‌ ୭ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar