ଗୋପବନ୍ଧୁ ଚୌଧୁରୀ

ପ୍ରାକ୍‌-ସ୍ବାଧୀନତା କାଳରେ କଟକକୁ ପଢ଼ିବାକୁ ଆସୁଥିବା ଗରିବ ପିଲାମାନେ ‘ରାମକୃଷ୍ଣ କୁଟିର’ ଛାତ୍ରାବାସରେ ରହୁଥିଲେ। ଛାତ୍ରାବାସର ନିୟମାନୁଯାୟୀ ଛୁଟି ଦିନରେ ଛାତ୍ରମାନଙ୍କୁ ଘର ଘର ବୁଲି ଭିକ୍ଷା ସ˚ଗ୍ରହ କରିବାକୁ ପଡ଼ୁଥିଲା। କେହି ଦେଉଥିଲେ, କେହି ଘଉଡ଼ାଇଦେଉଥିଲେ। ଦିନକର କଥା। ଉକ୍ତ ଛାତ୍ରାବାସର ଅନ୍ତେବାସୀ ଗୋଦାବରୀଶ ମିଶ୍ର ଭିକ୍ଷା ସ˚ଗ୍ରହ କରିବାକୁ ବାହାରିଲେ। ଚାରିଆଡ଼ୁ ନିରାଶ ହୋଇ ଶେଷରେ ପହଞ୍ଚିଲେ କାଠଯୋଡ଼ି ନଦୀ ତୀରସ୍ଥ ଏକ ପ୍ରାସାଦ ନିକଟରେ। ତିରସ୍କାରର ଭୟ ସତ୍ତ୍ବେ ଭାଗ୍ୟକୁ ଆଦରି ଫାଟକ ଖୋଲି ଭିତରେ ପଶିଲେ। ତାଙ୍କୁ ଦେଖୁଦେଖୁ ସେହି ଦିନ ଘର ଭିତରୁ ବାହାରିଆସିଥିଲେ ଜଣେ ଦୟାଳୁ ବାଳକ। ହାତରେ ଦୁଇ-ଚାରି ସେର ସଫା ସରୁ ଚାଉଳ। ଚାଉଳତକ ଗୋଦାବରୀଶଙ୍କ ମୁଣିରେ ଢାଳିଦେଇଥିଲେ। ଦୁଇ ଜଣ ମହାନ୍‌ ଓଡ଼ିଆଙ୍କ ମଧ୍ୟରେ ପ୍ରଥମ ପରିଚୟ ଏହି ପରି ହୋଇଥିଲା। ଯେଉଁ ପ୍ରାସାଦରେ ଗୋଦାବରୀଶ ଭିକ୍ଷା ପାଇଥିଲେ, ତାହା ଏବର ‘ସ୍ବରାଜ ଆଶ୍ରମ’ ଏବ˚ ଭିକ୍ଷା ଦେଇଥିଲେ ଗୋପବନ୍ଧୁ ଚୌଧୁରୀ।

ଆଜୀବନ ଜନସେବାକୁ ପ୍ରାଧାନ୍ୟ ଦେଇଥିବା ଓଡ଼ିଆ ନେତାଙ୍କ ମଧ୍ୟରେ ଗୋପବନ୍ଧୁ ଅନ୍ୟତମ। ଭାରତ ସ୍ବାଧୀନ ହେବା ପରେ ଏହି ମହାନ୍‌ ସ୍ବାଧୀନତା ସ˚ଗ୍ରାମୀ ଅନ୍ୟ କେତେକଙ୍କ ଭଳି ସକ୍ରିୟ ରାଜନୀତିରେ ନ ମାତି, ଜନସେବାରେ ବ୍ରତୀ ହୋଇଥିଲେ। ସୁଦୂର କୋରାପୁଟରେ ଜନଜାତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ବିନୋବାଙ୍କ ଭୂଦାନ ଆନ୍ଦୋଳନର ପ୍ରଚାର-ପ୍ରସାରକୁ ପୂର୍ଣ୍ଣ ସମୟ ଦେଇଥିଲେ। ଗୋପବନ୍ଧୁଙ୍କ ପିତା ଗୋକୁଳାନନ୍ଦ ଥିଲେ ଧନୀ ଜମିଦାର, ବଡ଼ ଓକିଲ ତଥା ଉତ୍କଳ ଗୌରବ ମଧୁସୂଦନଙ୍କ ସହଯୋଗୀ। ତେଣୁ, ଶୈଶବରୁ ଅଭାବ କ’ଣ ଗୋପବନ୍ଧୁଙ୍କୁ ଜଣା ନ ଥିଲା। ହେଲେ, ଚାକ-ଚକ୍ୟ, ମଉଜ-ମଜଲିସରୁ ସେ ଆନନ୍ଦ ପାଉ ନ ଥିଲେ। ଦେଶ-ଜାତି-ଗରିବଙ୍କ ପାଇଁ ସର୍ବଦା କାନ୍ଦୁଥିଲା ତାଙ୍କ ହୃଦୟ। ପୁଣି, ସେ ଥିଲେ ଧୀର, ଶାନ୍ତ, ସରଳ ଓ ବିନୟୀ। ଗର୍ବ, ଅଭିମାନ ନ ଥିଲା। ଅନ୍ୟକୁ ସାହାଯ୍ୟ କରିବା ଗୁଣ ତାଙ୍କର ଜନ୍ମଗତ ଥିଲା।

ସପରିବାର ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ଝାସଦେଇଥିବା ଦେଶପ୍ରେମୀ-ଜାତିପ୍ରେମୀ ଓଡ଼ିଆଙ୍କ କଥା ପଡ଼ିଲେ ସର୍ବ-ପ୍ରଥମେ ମନେପଡ଼ନ୍ତି ‘ଲୋକବନ୍ଧୁ’ ଗୋପବନ୍ଧୁ। ଲୋକମୁଖରେ ସେ ‘ଓଡ଼ିଶାର ଗାନ୍ଧୀ’। କାରଣ ସେ ଥିଲେ ଗାନ୍ଧୀବାଦୀ ସତ୍ୟାଗ୍ରହୀ। ମହାତ୍ମା ପ୍ରଦର୍ଶିତ ମାର୍ଗରେ ଆଜୀବନ ଚାଲିଥିଲେ ଏବ˚ ଏ ଭଳି କୌଣସି ଗାନ୍ଧୀକାମ ନ ଥିଲା, ଯେଉଁଥିରେ ସେ ସାମିଲ ନ ଥିଲେ। ‘ଉତ୍କଳଗୌରବ’ ମଧୁସୂଦନ ଦାସଙ୍କ ସାନ ଭାଇ ଗୋପାଳବଲ୍ଲଭଙ୍କ କନ୍ୟା ରମାଦେବୀଙ୍କୁ ସେ ବିବାହ କରିଥିଲେ। ସେମାନଙ୍କ ଦୁଇ ସନ୍ତାନ- ମନମୋହନ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ଚୌଧୁରୀ (ମହାରଣା)। ଗୋପବନ୍ଧୁଙ୍କ ସାନ ଭାଇ ନବକୃଷ୍ଣ ଓ ଭ୍ରାତା-ବଧୂ ମାଳତୀ ଚୌଧୁରୀ ଏ ସମସ୍ତେ ସ୍ବାଧୀନତା ସ˚ଗ୍ରାମରେ ଯୋଗଦେଇଥିଲେ, ଯାହା ଏକ ବିରଳ ଦୃଷ୍ଟାନ୍ତ। ଜଗତ୍‌ସି˚ହପୁର ନିକଟବର୍ତ୍ତୀ ଖେରସର ମୂଳ ବାସିନ୍ଦା ଗୋପବନ୍ଧୁଙ୍କ ଜନ୍ମ ୮ ମେ ୧୮୯୫ରେ କଟକରେ ଏକ ଭଡ଼ାଘରେ ହୋଇଥିଲା। କାରଣ, ତାଙ୍କ ପିତା ଜମିଦାର ଗୋକୁଳାନନ୍ଦ ଚୌଧୁରୀ କଟକରେ ରହି ଓକିଲାତି କରୁଥିଲେ। ଯେଉଁ ଘରେ ଗୋପବନ୍ଧୁ ଜନ୍ମ ହୋଇଥିଲେ, ସେହି ଘର ପରେ ‘ସ୍ବରାଜ ଆଶ୍ରମ’ରେ ପରିଣତ ହୋଇଥିଲା। ତାଙ୍କର ଶିକ୍ଷା ଗ୍ରାମରେ ଆରମ୍ଭ ହୋଇ ସରିଥିଲା କଲକାତାରେ। ରାଭେନ୍‌ସା କଲିଜିଏଟ୍‌ ସ୍କୁଲ୍‌ରୁ ରାଭେନ୍‌ସା କଲେଜ୍‌; ତାହା ପରେ ପ୍ରେସିଡେନ୍‌ସି କଲେଜ୍‌। କଲକାତାରେ ସ୍ନାତକୋତ୍ତର ଶିକ୍ଷା ସାରି ଆଇନ ପଢ଼ିବା ବେଳେ ପିତାଙ୍କ ଦେହାନ୍ତ ହୋଇଥିଲା। ତେଣୁ, ଆଇନ ଶିକ୍ଷା ଅସମାପ୍ତ ରଖି ଫେରିଥିଲେ ଓଡ଼ିଶା। ୧୯୧୭ରେ କଟକରେ ଡେପୁଟି ମାଜିଷ୍ଟ୍ରେଟ୍‌ ଚାକିରିରେ ଯୋଗଦେଇଥିଲେ। ତେବେ, ଦେଶପ୍ରେମ ବାଧାଦେଲା। ମାତ୍ର ବର୍ଷ ଚାରିଟି ପରେ ଚାକିରିରୁ ଇସ୍ତଫା ଦେଇଥିଲେ।

ତାହା ପରେ ସତ୍ୟବାଦୀ ଯାଇ ବନିଥିଲେ ‘ଉତ୍କଳମଣି’ ଗୋପବନ୍ଧୁଙ୍କ ଶିଷ୍ୟ। କ˚ଗ୍ରେସ୍‌ରେ ଯୋଗଦାନ, ଗାନ୍ଧୀ ନୀତି ଅନୁସରଣ, ଖଦଡ଼ ବସ୍ତ୍ର ଧାରଣ, ଆଶ୍ରମ ଗଠନ, ଦରିଦ୍ରଙ୍କ ସେବା ଆଦି ତାଙ୍କୁ ପରିଣତ କରିଥିଲା ଏକ ସ˚ପୂର୍ଣ୍ଣ ଭିନ୍ନ ମଣିଷରେ। ୧୯୨୧ରେ ଅଳକା ନଦୀ କୂଳରେ ଏକ ଶିକ୍ଷାନୁଷ୍ଠାନ ଏବ˚ ପର ବର୍ଷ ପ୍ରତିଷ୍ଠା କରିଥିଲେ ଅଳକାଶ୍ରମ। ଗାନ୍ଧୀଙ୍କ ପ୍ରତ୍ୟେକ ପ୍ରୟୋଗକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବାରେ ଗୋପବନ୍ଧୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସ୍ବାଧୀନତା ପରେ ସନ୍ଥ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ, ପଦଯାତ୍ରା କରିଥିଲେ। ଶେଷ ଜୀବନ କଟିଥିଲା କଟକ ଥୋରିଆ ସାହି ସ୍ଥିତ ଭୂଦାନ କାର୍ଯ୍ୟାଳୟରେ। ମଦ ଦୋକାନ ସ˚ଖ୍ୟା ବଢ଼ୁଥିବା ଦେଖି ଦୁଃଖିତ ହେଉଥିଲେ। ଦେଶର ଅବସ୍ଥା ତାଙ୍କୁ ବ୍ୟଥିତ କରୁଥିଲା। ୨୯ ଏପ୍ରିଲ୍‌ ୧୯୫୮ରେ ତାଙ୍କର ପରଲୋକ ହୋଇଥିଲା। ଗୋପୀନାଥ ମହାନ୍ତି ରଚିତ ‘ଧୂଳିମାଟିର ସନ୍ଥ’ ତାଙ୍କର ପ୍ରସିଦ୍ଧ ଜୀବନୀ ପୁସ୍ତକ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar