ପ୍ରଫେସର୍ ହୃଦାନନ୍ଦ ରାୟ

ଏକ ଭିନ୍ନ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଶିକ୍ଷକ, ଦାର୍ଶନିକ, ବାଗ୍ମୀ ପ୍ରଫେସର୍ ହୃଦାନନ୍ଦ ରାୟ। ଜଣେ ପ୍ରତିଭାସ˚ପନ୍ନ ବ୍ୟକ୍ତି ଭାବେ ସେ ଦେଶ-ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ। ୧୯୩୦ ମେ ୧୦ରେ ଜଗତ୍ସି˚ହପୁର ଅନ୍ତର୍ଗତ ବାଲିକୁଦାର ଗୋବିନ୍ଦତୋଟା ଗ୍ରାମରେ ସେ ଜନ୍ମ ହୋଇଥିଲେ। ପିତା ଓ ମାତାଙ୍କ ନାମ ଥିଲା- ଭୋଳାନାଥ ରାୟ ଏବ˚ କ୍ଷେତ୍ରମଣୀ ଦେବୀ। ପିତା ଆଇନଜୀବୀ ଥିଲେ। ସେ ଚାହୁଁଥିଲେ, ହୃଦାନନ୍ଦ ଆଇନ ପଢ଼ି, ବାରିଷ୍ଟର୍ ହୁଅନ୍ତୁ। ତେବେ, ତାଙ୍କ ଅନ୍ତର ପିତାଙ୍କ ଇଚ୍ଛାକୁ ଗ୍ରହଣ କରିପାରି ନ ଥିଲା। ରାଭେନ୍ସା କଲେଜିଏଟ୍ ସ୍କୁଲ୍ରେ ପଢ଼ୁଥିବା ବେଳେ ସ୍ବପ୍ନ ଦେଖିଥିଲେ, ଦିନେ ନା ଦିନେ ଦର୍ଶନଶାସ୍ତ୍ରକୁ ଭେଟିବେ। ଆଉ ଭେଟିଥିଲେ, ରାଭେନ୍ସା ମହାବିଦ୍ୟାଳୟର ଆଠ ନମ୍ବର୍ ପ୍ରକୋଷ୍ଠରେ। ପରେ କାଶୀରେ ଦର୍ଶନଶାସ୍ତ୍ରରେ ଉଚ୍ଚ-ଶିକ୍ଷା ଲାଭକରିଥିଲେ। ୧୯୫୨ରେ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିିଥିଲେ। ସର୍ବଭାରତୀୟ ସ୍ତରରେ ‘ଗାୟକୱାଡ଼ ଫେଲୋସିପ୍’ ଲାଭକରିଥିଲେ। ୧୯୫୮ରେ ରାଭେନ୍ସା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା, ତାଙ୍କର କର୍ମମୟ ଜୀବନ। ଦୀର୍ଘ କର୍ମମୟ ଜୀବନରେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପ-ନିର୍ଦେଶକ ହୋଇଥିଲେ। ରାଭେନ୍ସା ସାନ୍ଧ୍ୟ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ।
ଜୀବନର ଏକ ସମୟରେ କବିତା ଲିଖନ ପ୍ରତି ଆକର୍ଷିତ ହୋଇଥିଲେ। ତେବେ, ଦର୍ଶନ ପ୍ରତି ଅତ୍ୟାଗ୍ରହ, କ୍ରମେ ତାଙ୍କୁ କବିତା ଲିଖନରୁ ଦୂରେଇନେଇଥିଲା। ତାଙ୍କ ନିଜ ଭାଷାରେ- ‘କବିତା ଚାହୁଁଥିଲା କଳ୍ପନାବିଳାସ, ହୃଦୟର ମନ୍ଥନ ଓ ଭାବର ରୋମନ୍ଥନ। କିନ୍ତୁ, ଦର୍ଶନ ଚାହିଁଲା କଳ୍ପନା ବିରହିତ ଶାଣିତ ଯୁକ୍ତିର ପଦ୍ଧତି। ମୁଁ ନିଜକୁ କଳ୍ପନାପ୍ରବଣ ନ କରି ବର˚ କଳ୍ପନାକୁ ଡରି, ଦର୍ଶନ ଚିନ୍ତାରେ ମନୋନିବେଶ କରିଚାଲିଲି।’ ସେ ଥିଲେ ନିଜକୁ କବି ଭାବୁଥିବା ଦାର୍ଶନିକ। ତେଣୁ, ଧାରା ଶ୍ରାବଣ ପରି ଅନର୍ଗଳ କବିତା ବାହାରୁଥିଲା, ତାଙ୍କ ତୁଣ୍ତରୁ। କବିତା ମାଧ୍ୟମରେ ସେ ନିଜକୁ ପ୍ରକାଶ କରିବାକୁ ଭଲପାଉଥିଲେ। ତେବେ, ତାଙ୍କୁ ସମ୍ମୋହିତ କରିରଖିଥିଲା ଦର୍ଶନଶାସ୍ତ୍ର।
ସେ ଥିଲେ ଜାତିପ୍ରାଣ ବ୍ୟକ୍ତିତ୍ବ। ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ସର୍ବଦା ଉଦ୍ୟମ କରିଥିଲେ। ‘କଳିଙ୍ଗ ଭାରତୀ’ ଅନୁଷ୍ଠାନ ଓ ଏହାର ପ୍ରତିଷ୍ଠାତା ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ସ˚ସ୍ପର୍ଶରେ ଆସି ଜାତୀୟ ଜୀବନର ବିକାଶରେ ନିଜକୁ ଉତ୍ସର୍ଜିତ କରିଥିଲେ। ଏହି ଅନୁଷ୍ଠାନର ସା˚ସ୍କୃତିକ ଆନ୍ଦୋଳନରେ ସେ ଥିଲେ ଅନ୍ୟତମ ପୁରୋଧା। ଗୁରୁ ବିଚ୍ଛନ୍ଦଚରଣଙ୍କର ବାର୍ତ୍ତାର ପ୍ରସାର କରିଥିଲେ। ଜାତି ନନ୍ଦିଘୋଷକୁ ଜାତୀୟ ପାରମ୍ପରିକ ଚେତନାରେ ଉଦ୍ବୁଦ୍ଧ କରି, ଓଡିଶୀ ସ˚ଗୀତ, ନୃତ୍ୟ, ସାହିତ୍ୟ ଆଦି ପ୍ରତି ଓଡ଼ିଆମାନଙ୍କୁୁ ଆକର୍ଷିତ କରିବାରେ ପ୍ରଫେସର୍ ହୃଦାନନ୍ଦଙ୍କର ଅବଦାନ ଅବିସ୍ମରଣୀୟ। ସକାରାତ୍ମକ ଦୃଷ୍ଟିଭଙ୍ଗୀ ଓ ଗଠନମୂଳକ ବିଚାରଧାରା ଥିଲା ତାଙ୍କର ପରିଚୟ। ସ୍ବାଧୀନତା ଓ ମୁକ୍ତ ଜୀବନକୁ ସେ ବିଶ୍ବାସ କରୁଥିଲେ। ସ˚ସାରରେ ରହି ସେ ସନ୍ନ୍ୟାସୀର ଜୀବନ ଯାପନ କରୁଥିଲେ। ଏହା ଥିଲା ତାଙ୍କ ଜୀବନର ବୈଚିତ୍ର୍ୟ। ସେ ଲେଖିଛନ୍ତି- ଯଦି ମୁଁ ଜୀବନରେ ଆଦି ଶଙ୍କରାଚାର୍ଯ୍ୟ କି˚ବା ଶ୍ରୀଚୈତନ୍ୟ ମହାପ୍ରଭୁ କି˚ବା ନିଗମାନନ୍ଦ ସରସ୍ବତୀଙ୍କୁ ଭେଟିଥାଆନ୍ତି, ତେବେ ମୁଁ ନିଶ୍ଚୟ ସନ୍ନ୍ୟାସୀ ପାଲଟିଯାଇଥା’ନ୍ତି। ଦାନ ଓ ଧ୍ୟାନରେ ତାଙ୍କର ଜୀବନ ବିତିଥିଲା। ଅନ୍ୟର ଆନନ୍ଦରେ ଆନନ୍ଦିତ ହେଉଥିଲେ। ସବୁ ବର୍ଗର ମଣିଷଙ୍କ ସହ ସ˚ପର୍କ ରଖିଥିଲେ।
ସେ ଥିଲେ ସୁବକ୍ତା, ସୁଲେଖକ, ପ୍ରାବନ୍ଧିକ ଓ ଦାର୍ଶନିକ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ଓଡିଆ ସାରସ୍ବତ ଜଗତ୍ର ଅମୂଲ୍ୟ ସମ୍ପଦ। ‘ଶ୍ରୀ ଜଗନ୍ନାଥ ତତ୍ତ୍ବ ରହସ୍ୟ’, ‘ଆମେରିକା: ଯେତିକି ଦେଖିଛି, ଯେତିକି ବୁଝିଛି’, ‘ଭାଗବତ ସମୀକ୍ଷା’, ‘ଅଦ୍ବୈତ ବେଦାନ୍ତ ପରଚୟ’, ‘ଭଞ୍ଜ ଭାଗବତ’, ‘ପାଶ୍ଚାତ୍ୟ ଦର୍ଶନର ଇତିହାସ’, ‘ନବଜାତକ ତତ୍ତ୍ବାର୍ଥଖଣ୍ତ’, ‘ପତ୍ରେ ପୁଷ୍ପେ’, ‘ଆଚାର୍ଯ୍ୟ ଶଙ୍କର’ ଆଦି ତାଙ୍କ ଦ୍ବାରା ଲିଖିତ କେତେକ ପ୍ରସିଦ୍ଧ ଗ୍ରନ୍ଥ। ତାଙ୍କ ଆତ୍ମଚରିତ ‘ଜାଣେ ଅନୁଭବୀ ଅନୁଭବରେ’, ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲା। ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାର ଧାରା ବିବରଣୀ ‘ଆକାଶବାଣୀ’ ଓ ‘ଦୂରଦର୍ଶନ’ ଆଦିରେ ପରିବେଷଣ କରି ସେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ। ୨୭ ଜୁଲାଇ ୨୦୧୫ରେ କଟକରେ ତାଙ୍କର ପରଲୋକ ହୋଇଥିଲା।

Comments
So empty here ... leave a comment!