ପ୍ରସିଦ୍ଧ ଓଡ଼ିଆ ଟୀକାକାର ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ

ଯୁଗେ ଯୁଗେ ଅଲୌକିକତାରେ ପରିପୂର୍ଣ୍ଣ ଭାରତବର୍ଷର କାହାଣୀ । ଏପରି ଏକ କାହାଣୀ ସଂଗଠିତ ହୁଏ ବିଦ୍ୟାନଗରୀ କାଶୀରେ, ଚତୁର୍ଦ୍ଦଶ ଶତାବ୍ଦୀରେ । ତତ୍କାଳୀନ କାଶୀ ରାଜା ପ୍ରଜାମାନଙ୍କ ମଧ୍ୟରେ ଗୀତାଜ୍ଞାନ ପ୍ରଚାର ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବଦ୍ ଗୀତାର ଏକ ସରଳ ତଥା ସୁବୋଧ୍ୟ ଟୀକାର ପ୍ରଣୟନ ନିମନ୍ତେ ଏକ ପଣ୍ଡିତ ସମ୍ମିଳନୀର ଅୟୋଜନ କରିଥାଆନ୍ତି । ଏହି ସମ୍ମିଳନୀରେ ବିଭିନ୍ନ ଅଞ୍ଚଳରୁ ଅନେକ ପଣ୍ଡିତବର୍ଗ ଯୋଗଦାନ କରି ନିଜ ନିଜର ଟୀକା ଉପସ୍ଥାପନ କରିବାରେ ମନୋନିବେଶ କରିଥାଆନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଯୁବ ପଣ୍ଡିତ ଶ୍ରୀଧର ଯେ କି ନିଜର ସୁବୋଧିନୀ ଟୀକା ସହିତ ସେଠାରେ ଉପସ୍ଥିତ ଥାଆନ୍ତି ।
ଯଥା ସମୟରେ ପଣ୍ଡିତମାନେ ନିଜ ନିଜର ଟୀକା ଗୁଡ଼ିକୁ ରାଜାଙ୍କ ସମ୍ମୁଖରେ ଉପସ୍ଥାପନ କଲେ । ରାଜା ସ୍ଵୟଂ ଜଣେ ପଣ୍ଡିତ ହୋଇଥିଲେ ହେଁ ସେ ସମସ୍ତ ଟୀକା ଅଧ୍ୟୟନ କରି ତାହାର ମାନ ନିର୍ଦ୍ଧାରଣ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିବାରୁ ପଣ୍ଡିତମାନଙ୍କ ମଧ୍ୟରେ ନିଜ ନିଜର ଟୀକାର ଶ୍ରେଷ୍ଠତାକୁ ନେଇ ବାଦାନୁବାଦ ଆରମ୍ଭ ହେଲା । ଏହାର ସମାଧାନ ନିମିତ୍ତ ପରିଶେଷରେ ରାଜା ପ୍ରସ୍ତାବ ଦେଲେ ଯେ – ସମସ୍ତ ଟୀକା ପ୍ରଭୁ ବିଶ୍ୱେଶ୍ୱରଙ୍କ ନିକଟରେ (କେତେକଙ୍କ ମତେ ପ୍ରଭୁ ବିନ୍ଦୁମାଧବଙ୍କ ନିକଟରେ) ଉପସ୍ଥାପନ କରାଯିବ ଓ ଯେଉଁ ଟୀକା ତାଙ୍କ ଦ୍ଵାରା ଗୃହୀତ ହେବ ତାହାହିଁ ସର୍ବଶ୍ରେଷ୍ଠ ଟୀକା ବୋଲି ଘୋଷଣା କରାଯିବ ।
ତଦନୁସାରେ ସାନ୍ଧ୍ୟ ଆରାଧନା ପରେ ଟୀକା ଗୁଡ଼ିକୁ ମନ୍ଦିର ମଧ୍ୟରେ ରଖି ତାଲା ପକାଇ ସେଥିରେ ଜଉ ମୁଦ ଦିଆଗଲା । ଏହା ପରେ ଠାକୁର ସ୍ୱପ୍ନରେ ଆବିର୍ଭୁତ ହୋଇ ମୁଖ୍ୟ ପୁରୋହିତଙ୍କୁ ଆଦେଶ ଦେଲେ –
“ବ୍ୟାସୋ ବେତ୍ତି ଶୁକୋ ବେତ୍ତି ରାଜା ବେତ୍ତି ନ ବେତ୍ତି ବା ।
ତତ୍ସର୍ଵଂ ଶ୍ରୀଧରୋ ବେତ୍ତି ଶ୍ରୀନୃସିଂହ ପ୍ରସାଦତଃ ।।”
ଅର୍ଥାତ୍ – (ଗୀତାର ରହସ୍ୟକୁ) ବ୍ୟାସ ଜାଣନ୍ତି, ଶୁକ ଜାଣନ୍ତି, ରାଜା ଜାଣନ୍ତି ଅଥବା ନ ଜାଣନ୍ତି । ସେ ସବୁକୁ ଶ୍ରୀଧର ଜାଣନ୍ତି ଶ୍ରୀନୃସିଂହଙ୍କ ପ୍ରସାଦରୁ ।।
ପରଦିନ ପ୍ରଭାତ ସମୟରେ ରାଜା ନିଜର ପାରିଷଦ ବର୍ଗଙ୍କ ସହ ମନ୍ଦିର କବାଟ ଖୋଲି ଦେଖିଲେ ଯେ ଶ୍ରୀଧରଙ୍କ ରଚିତ ଟୀକା ଠାକୁରଙ୍କ ସମୀପରେ ସ୍ଥାନ ପାଇଛି । ସେହିଦିନ ଠାରୁ ଶ୍ରୀଧର କାଶୀ କ୍ଷେତ୍ରରେ ଜଣେ ବିଶିଷ୍ଟ ପଣ୍ଡିତ ଭାବରେ ପରିଚିତ ଓ ସମ୍ମାନିତ ହେବାକୁ ଲାଗିଲେ ।
ତେବେ କିଏ ଥିଲେ ଏହି ଯୁବ ପଣ୍ଡିତ ଶ୍ରୀଧର ଯାହାଙ୍କ ପାଣ୍ଡିତ୍ୟରେ ସ୍ଵୟଂ ଭଗବାନ ପ୍ରସନ୍ନ ହୋଇଥିଲେ ? ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମ ଓଡ଼ିଶାର ବରପୁତ୍ର – ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ ।
ଆଚାର୍ଯ୍ୟ ଶ୍ରୀଧର ସ୍ବାମୀଙ୍କ ମୂଳ ନାମ ଥିଲା ଶ୍ରୀଧର ପତି । ତାଙ୍କ ପିତାଙ୍କ ନାମ ଥିଲା ହରିହର ପତି । ସେ ୧୩୨୫ ଖ୍ରୀଷ୍ଟାବ୍ଦ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥୀରେ ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟସ୍ଥ ମରେଇ ଗ୍ରାମ (ମୟୂର ଗ୍ରାମ) ରେ ଜନ୍ମଗ୍ରହଣ କରିଥିଲେ । ରେମୁଣା ସେତେବେଳେ ଉତ୍ତର ଓ ଦକ୍ଷିଣ ଭାରତର ସଂଯୋଗକାରୀ ରାସ୍ତା (ଜଗନ୍ନାଥ ସଡ଼କ) ପ୍ରାନ୍ତରେ ଅବସ୍ଥିତ ଥିବା ହେତୁ ସଂସ୍କୃତ ଭାଷା ଶିକ୍ଷାର ଏକ ମୁଖ୍ୟ ପୀଠ ଥିଲା । ଇଷ୍ଟଦେବ ଶ୍ରୀନୃସିଂହଙ୍କ କୃପାରୁ ଶ୍ରୀଧର ନିଜର ପ୍ରାଥମିକ ଦୀକ୍ଷା ଶ୍ରୀ ପରମାନନ୍ଦ ପୁରୀଙ୍କ ଠାରୁ ଗ୍ରହଣ କରିଥିଲେ ଯେତେବେଳେ ଶ୍ରୀ ପୁରୀ କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନରେ ଆସି ରେମୁଣାରେ ଅବସ୍ଥାନ କରୁଥିଲେ । ଦୀକ୍ଷା ପରେ ଶ୍ରୀ ପୁରୀ ଶ୍ରୀଧରଙ୍କୁ ନିଜ ସହିତ ନବଦ୍ଵୀପ ନେଇ ଯାଇଥିଲେ । ସେଠାରେ ଅଧ୍ୟୟନ କରି ଶ୍ରୀଧର ସଂସ୍କୃତ ଭାଷା ଓ ବୈଦିକ ଜ୍ଞାନରେ ପ୍ରଗାଢ଼ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ।
ପରବର୍ତ୍ତୀ ସମୟରେ ଶ୍ରୀଧର ସ୍ବାମୀ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ପଦ (୧୦ମ ଶଙ୍କରାଚାର୍ଯ୍ୟ) ତଥା ଶଙ୍କରାନନ୍ଦ ମଠର ମଠାଧୀଶ ପଦ ମଧ୍ୟ ଅଳଙ୍କୃତ କରିଥିଲେ । ସମ୍ଭବତଃ ଗାରିମାମୟ ଶଙ୍କରାଚାର୍ଯ୍ୟ ପଦ ଅଳଙ୍କୃତ କରିବାରେ ସେ ପ୍ରଥମ ଓଡ଼ିଆ ଥିଲେ ।
ଏକ ସମୟରେ ଭାରତରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଅଦ୍ଵୈତ ବାଦ, ଆଚାର୍ଯ୍ୟ ରାମାନୁଜଙ୍କ ବିଶିଷ୍ଟାଦ୍ବୈତ ବାଦ, ମଧ୍ୱାଚାର୍ଯ୍ୟଙ୍କ ଦ୍ବୈତ ବାଦ ଓ ନିମ୍ବକାଚାର୍ଯ୍ୟଙ୍କ ଦ୍ବୈତାଦ୍ବୈତ ବାଦ ସମନ୍ୱିତ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ମତଭେଦ ଥିଲା । ଏମାନଙ୍କ ମଧ୍ୟରେ ଧାର୍ମିକ ସଂଘର୍ଷ ଘଟି ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା । ଏହି ସମୟରେ ଆଚାର୍ଯ୍ୟ ଶ୍ରୀଧର ସ୍ବାମୀଙ୍କ ଆବିର୍ଭାବ ଏକ ପ୍ରକାର ବରଦାନ ଥିଲା, କାରଣ ସେ ଉଭୟ ଭକ୍ତି ଓ ଜ୍ଞାନ ସମୀକରଣରେ ସମସ୍ତ ଗୋଷ୍ଠୀ ତଥା ହିନ୍ଦୁ ସମାଜରେ ସମନ୍ଵୟ ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ ।
ଶ୍ରୀଧର ସ୍ବାମୀ ସନାତନ ଧର୍ମର ବିବିଧ ପ୍ରସିଦ୍ଧ ଟୀକା ମାନ ରଚନା କରିଥିଲେ । ସେଗୁଡ଼ିକ ହେଲା –
୧. ଶ୍ରୀମଦ୍ ଭଗବଦ୍ ଗୀତାର ସୁବୋଧିନୀ ଟୀକା
୨. ଶ୍ରୀମଦ୍ ଭାଗବତର ଭାବାର୍ଥ ଦୀପିକା ଟୀକା
୩. ଶ୍ରୀ ବିଷ୍ଣୁ ପୁରାଣର ଆତ୍ମ ପ୍ରକାଶିକା ଟୀକା
୪. ଗୀତା ସାରର ବ୍ରହ୍ମ ସମ୍ବୋଧିନୀ ଟୀକା
୫. ଭାଗବତ ପୁରାଣ ବିଷୟକ ଦେବସ୍ମୃତି ଟୀକା
୬. ପଦାର୍ଥ ପ୍ରକାଶିକା ପୁରାଣ ଟୀକା
ଏତଦବ୍ୟତୀତ ବ୍ରଜ ବିହାର କାବ୍ୟ ଓ ଶ୍ରୀ ପଦ୍ୟାବଳୀର ମଧ୍ୟ ସେ ରଚୟିତା ଥିଲେ ।
ତାଙ୍କ ରଚନା ମଧ୍ୟରୁ ଅନ୍ୟତମ ହେଉଛି ଉତ୍କଳର ପୁରପଲ୍ଲୀରେ ଉଚ୍ଚାରିତ ପ୍ରସିଦ୍ଧ ଧ୍ୟାନ ମନ୍ତ୍ର –
“ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍ ।।”
ଶ୍ରୀଧର ସ୍ବାମୀ ତାଙ୍କର ଶ୍ରୀମଦ୍ ଭାଗବତର ଭାବାର୍ଥ ଦୀପିକା ଟୀକାରେ ଜ୍ଞାନ ଓ ଭକ୍ତିର ଅପୂର୍ବ ସମନ୍ଵୟ ଆଣି ପାରିଥିଲେ । ସେଥିପାଇଁ ସେ ତତ୍କାଳିନ ଭାରତବର୍ଷର ମହାନ୍ ପଣ୍ଡିତମାନଙ୍କର ଦୃଷ୍ଟି ଆକର୍ଷଣ କରି ହିନ୍ଦୁ ସମାଜରେ ଆଚାର୍ଯ୍ୟ ରୂପେ ଭୂଷିତ ହୋଇଥିଲେ । ତେବେ ତାଙ୍କର ଅଦ୍ଵୈତ ଜ୍ଞାନ ମିଶ୍ରିତ ଭକ୍ତିକୁ ଶ୍ରୀକ୍ଷେତ୍ରର ଅନେକ ପଣ୍ଡିତ ସହଜରେ ଗ୍ରହଣ କରି ପାରିଲେ ନାହିଁ । ଏଣୁ ଏ ନେଇ ଅନେକ ଶାସ୍ତ୍ରାର୍ଥ ଓ ବିତର୍କ ଚାଲିଲା । ଶେଷରେ ଶ୍ରୀକ୍ଷେତ୍ରର ପଣ୍ଡିତ ସଭା ନିଷ୍ପତ୍ତି ନେଲା ଯେ ଭାବାର୍ଥ ଦୀପିକାର ଶ୍ରେଷ୍ଠତାର ପ୍ରମାଣ ସ୍ଵୟଂ ଶ୍ରୀ ଜଗନ୍ନାଥଙ୍କ ଉପରେ ଛାଡ଼ି ଦିଆଯାଉ ।
ଏହାପରେ ଭାଗବତ ଉପରେ ରଚିତ ସମସ୍ତ ଟୀକା ଶ୍ରୀ ଜଗନ୍ନାଥଙ୍କ ନିକଟରେ ରଖି ପହଡ଼ ପକାଗଲା । ପହଡ଼ ଖୋଲିବା ପରେ ଦେଖାଗଲା ଯେ ଭାଗବତ ଉପରେ ରଚିତ ଅନ୍ୟ ସମସ୍ତ ଟୀକା ମନ୍ଦିରର ଏକ କୋଣରେ ରହିଥିବା ସ୍ଥଳେ ଶ୍ରୀଧର ସ୍ବାମୀଙ୍କ ରଚିତ ଟୀକା ସ୍ଵୟଂ ଶ୍ରୀ ଜଗନ୍ନାଥଙ୍କ ରତ୍ନ ସିଂହାସନରେ ବିରାଜମାନ କରୁଥିଲା । ଏହାପରେ ଜୟ ଜଗନ୍ନାଥ ଧ୍ୱନୀରେ ଶ୍ରୀ ମନ୍ଦିର ପ୍ରକମ୍ପିତ ହେବାକୁ ଲାଗିଲା । ଶ୍ରୀଧର ସ୍ବାମୀଙ୍କ ରଚିତ ଟୀକା ଯେ ଶ୍ରୀ ଜଗନ୍ନାଥଙ୍କ ଏକାନ୍ତ ପ୍ରିୟ, ତାହା ସର୍ବସମକ୍ଷରେ ପ୍ରମାଣିତ ହୋଇଗଲା ।
କୁହାଯାଏ ଯେ ଶ୍ରୀଧରଙ୍କ ଟୀକାର ଅଧ୍ୟୟନ ପରେ ଅତିବଡ଼ି ଜଗନ୍ନାଥ ଦାସ ଭାଗବତକୁ ଓଡ଼ିଆରେ ଅନୁବାଦ କରିବାକୁ ପ୍ରେରଣା ପାଇଥିଲେ । ଶ୍ରୀଧର ସ୍ବାମୀଙ୍କ ଭାବାର୍ଥ ଦୀପିକା ଟୀକାର ମଙ୍ଗଳାଚରଣ ହେଉଛି –
ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସମ୍ବିତ୍ତଂ ନୃସିଂହମହଂ ଭଜେ ।।
ଏହାର ଅନୁକରଣରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ପ୍ରାରମ୍ଭରେ ଲେଖିଛନ୍ତି –
ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ ।
ଲୀଳା ବିଧୃତ କଳେବର, ଦେବ ମାନବେ ଅଗୋଚର ।।
ଜଗନ୍ନାଥ ଦାସ ସ୍ଵୟଂ ମଧ୍ୟ ସ୍ବୀକାର କରିଛନ୍ତି –
ଶ୍ରୀଭାଗବତ ଯେ ପୁରାଣ, ଅଷ୍ଟାଦଶ ସସ୍ର ଶ୍ଳୋକେଣ ।
ତା’ ଟୀକା ଚଉବିଂଶ ସସ୍ର, କରଇ ଶ୍ରୀଧର ପ୍ରକାଶ ।।
ପରବର୍ତ୍ତୀ କାଳରେ ଶ୍ରୀ ଚୈତନ୍ୟ ମଧ୍ୟ ଶ୍ରୀଧର ସ୍ବାମୀଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରି ନିଜର ଗୁରୁ ରୂପେ ଗ୍ରହଣ କରିଥିଲେ । ତାଙ୍କ ରଚନାରେ ସେ କହିଛନ୍ତି –
“ଶ୍ରୀଧର ସ୍ବାମୀ ପ୍ରସାଦେ ଭାଗବତ ଜାନି,
ଜଗଦ୍ଗୁରୁ ଶ୍ରୀଧର ସ୍ବାମୀ ଗୁରୁ କରି ମାନି ।।”
[ଶ୍ରୀ ଚୈତନ୍ୟ ଚରିତାମୃତ, ଅନ୍ତ୍ୟଲୀଳା, ୧୨୮/୧୨୯]
ହିନ୍ଦୁ ସମାଜର ଅନ୍ୟତମ ଶ୍ରେଷ୍ଠ ଆଚାର୍ଯ୍ୟ ଶ୍ରୀଧର ସ୍ବାମୀ କପିଳାସର ବ୍ରହ୍ମଚାରୀ ମଠରେ ନିଜର ଶେଷ ଜୀବନ ଅତିବାହିତ କରି ଏହିଠାରେ ନିଜ ଜନ୍ମ ତିଥୀ ମାଘ ସପ୍ତମୀରେ ୧୦୮ ବର୍ଷ ବୟସରେ ମହା ସମାଧିରେ ପ୍ରବେଶ କରିଥିଲେ । ଏହି ମଠରେ ତାଙ୍କର ସମାଧି ସ୍ତୁପ ଅଦ୍ୟାବଧି ରହିଅଛି । ତେବେ ବିଡ଼ମ୍ବନାର ବିଷୟ ଏହିକି ଯେ ଶ୍ରୀଧର ସ୍ବାମୀ ଆଜି ମଧ୍ୟ ଅନେକ ଓଡ଼ିଆଙ୍କ ପାଇଁ ଅଜଣା । ଏପରିକି ତାଙ୍କର ବାସସ୍ଥାନ ଗୁଜରାଟ ବୋଲି ଅନେକ ସ୍ଥାନରେ ଲିଖିତ ହୋଇଥିବାର ଦେଖିବାକୁ ମିଳୁଛି । ସମୟ ଆସିଛି ଆମ ଓଡ଼ିଶାର ବରପୁତ୍ର ମାନଙ୍କୁ ଆମର ଉତ୍ତର ପୀଢ଼ିଙ୍କୁ ଚିହ୍ନେଇ ଦେବା ପାଇଁ, ସେମାନଙ୍କୁ ଭଲ ଭାବରେ ଜାଣି ସେମାନଙ୍କର ସ୍ତୁତିଗାନ କରିବା ପାଇଁ । ନଚେତ୍ କୌଣସି ଏକ ଦିନ ଆମର ଗୌରବମୟ ଅତୀତ ହୁଏତ କାଳର କରାଳ ଗର୍ଭରେ ସବୁ ଦିନ ପାଇଁ ବିସ୍ମୃତ ହୋଇଯିବ ।
ସହାୟକ ଉତ୍ସ :
‘ଶ୍ରୀଶଙ୍କରାନନ୍ଦ ମଠର ଐତିହ୍ୟ’ ପୁସ୍ତକ (ପ୍ରଫେସର ଡ଼ା ବିଷ୍ଣୁ ଚରଣ ମିଶ୍ର ଓ ପଣ୍ଡିତ ଡକ୍ତର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଆଲେଖ୍ୟ ଉପରେ ଆଧାରିତ)
[ଶ୍ରୀଧର ସ୍ବାମୀଙ୍କ ଚିତ୍ର ସୌଜନ୍ୟ Hari Parshad Das]

Comments
So empty here ... leave a comment!