ପ୍ରାଜ୍ଞଗୁରୁ ବିଧୁଭୂଷଣ

ଆମ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ବିଧୁଭୂଷଣ ଦାସ ଅନ୍ୟତମ। ତାଙ୍କର ମୁଖ୍ୟ କର୍ମକ୍ଷେତ୍ର ଥିଲା ଓଡ଼ିଶା, ଯଦିଓ ସେ ଭାରତ ବାହାରେ ମଧ୍ୟ ଅନେକ ବର୍ଷ ଶିକ୍ଷାଦାନ କରିଥିଲେ। ୧୯୪୪ରେ ରାଭେନ୍‌ସା କଲେଜ୍‌ର ଇ˚ରେଜୀ ବିଭାଗୀୟ ଅଧ୍ୟାପକ ଭାବେ ଆରମ୍ଭ ହୋଇଥିଲା, ତାଙ୍କର କର୍ମମୟ ଜୀବନ। ୧୯୫୨ରେ ସେ ପ୍ରଫେସର‌୍‌ ପଦକୁ ଉନ୍ନୀତ ହୋଇଥିଲେ। ସେ ଆମେରିକାର ପ୍ରସିଦ୍ଧ କଲମ୍ବିୟା ବିଶ୍ବବିଦ୍ୟାଳୟ ଓ ଇ˚ଲଣ୍ତ୍‌ର ଅକ୍‌ସଫୋର୍ଡ‌୍‌ରେ ଉଚ୍ଚ ଶିକ୍ଷା ଲାଭ ସହ ଗବେଷଣା କରିଥିଲେ। ଅକ୍‌ସଫୋର୍ଡ‌୍‌ରୁ ଡିଲିଟ୍‌ ସାରି ସ୍ବଦେଶ ଫେରିଥିଲେ। ପାଶ୍ଚାତ୍ୟରୁ ତାଙ୍କ ସହ ଆସିଥିଲା, ଆଧୁନିକ ଚେତନାର ଆଧୁନିକ ସାହିତ୍ୟିକ ବିଚାର, ବିଶ୍ଳେଷଣର ସ୍ରୋତ ଓ ନବ ସମାଲୋଚନାର ଧାରା।

ତାଙ୍କ ଜ୍ଞାନର ବ୍ୟାପକତା, ବୌଦ୍ଧିକତା ଓ ପ୍ରଭାବଶାଳୀ ଭାଷା ଦ୍ବାରା ଶିକ୍ଷାର୍ଥୀମାନେ ବିଶେଷ ଭାବେ ଆକର୍ଷିତ ହୋଇଥିଲେ। ତାଙ୍କର ଅଧ୍ୟାପନା ଶୈଳୀ ଥିଲା ଅତ୍ୟନ୍ତ ଉଚ୍ଚକୋଟିର। ବିଧୁଭୂଷଣଙ୍କ ଉଦ୍ୟମରେ ବହୁ ଓଡ଼ିଆ ଛାତ୍ର ବୃତ୍ତି ଲାଭକରି ବିଦେଶରେ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇଥିଲେ। ୧୯୫୯ରେ ସେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଦ୍ବାରା କୋଲ˚ବୋ ଯୋଜନାରେ ନେପାଲର ‘ତ୍ରିଭୁବନ ବିଶ୍ବବିଦ୍ୟାଳୟ’ରେ ପ୍ରଫେସର‌୍‌ ଭାବେ ଯୋଗଦେଇଥିଲେ। ତାଙ୍କ କାର୍ଯ୍ୟକାଳରେ ସେହି ବିଶ୍ବବିଦ୍ୟାଳୟର ତ୍ବରିତ ବିକାଶ ହୋଇଥିଲା। ନିଜ ଦୀର୍ଘ କର୍ମମୟ ଜୀବନରେ ସେ ବହୁ ପଦ-ପଦବି (ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି, ରାଭେନ୍‌ସା ମହାବିଦ୍ୟାଳୟର ଅଧ୍ୟକ୍ଷ, ଡିପିଆଇ, ରାଁଁଚୀ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ୟୁନିଭର୍ସିଟି କଲେଜ୍‌ର ଅଧ୍ୟକ୍ଷ ଆଦି) ଅଳ˚କୃତ କରିଥିଲେ। ‘ନର୍ଥ‌୍‌ ଇଷ୍ଟର୍ନ‌୍‌ ହିଲ୍‌ ୟୁନିଭର୍ସିଟି’ରେ କିଛି କାଳ ଅଧ୍ୟାପନା କରିଥିଲେ। ୧୯୮୫-୮୭ରେ ନାଗାଲାଣ୍ତ ସରକାରଙ୍କ ଶିକ୍ଷା ପରାମର୍ଶଦାତା ଥିଲେ। ଭୁବନେଶ୍ବରସ୍ଥିତ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍‌ସ’ର ପ୍ରତିଷ୍ଠା, ତାଙ୍କର ଅବଦାନ।

୧୯୨୨ ଏପ୍ରିଲ୍‌ ୧୧ରେ ଜନ୍ମ ହୋଇଥିଲେ ପ୍ରାଜ୍ଞଗୁରୁ ବିଧୁଭୂଷଣ। ତାଙ୍କ ପିତା ରାୟ ବାହାଦୁର ଦୁର୍ଗାଚରଣ ଦାସ ଥିଲେ, ବ୍ରିଟିସ୍‌ ଶାସନ କାଳର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସ୍ବାଧୀନତା ପରେ ମଧ୍ୟ ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କିଛି କାଳ କାର୍ଯ୍ୟ କରିଥିଲେ। ତାଙ୍କ ନିଜ ଘର ଯାଜପୁର ଅନ୍ତର୍ଗତ କମାଗଡ଼। ମାତା ନିର୍ମଳା ଦେବୀ ଥିଲେ କବୀ। ନିର୍ମଳାଙ୍କ ଭଉଣୀ ଅର୍ଥାତ୍‌ ବିଧୁଭୂଷଣଙ୍କ ମାଉସୀ ଥିଲେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସୁଲେଖିକା ସରଳା ଦେବୀ, ଯିଏ ଓଡ଼ିଶାର ପ୍ରଥମ ବିଧାୟିକା ଏବଂ ପ୍ରଥମ ମହିଳା ବାଚସ୍ପତି। ଜୱାହରଲାଲ ନେହରୁଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ କେନ୍ଦ୍ର କାବିନେଟ୍‌ରେ ସ୍ଥାନ ପାଇଥିବା ଏବଂ ପରେ ଗୁଜରାତ ଓ ବିହାରର ରାଜ୍ୟପାଳ ହୋଇଥିବା ନିତ୍ୟାନନ୍ଦ କାନୁନଗୋ, ତାଙ୍କର ମାମୁ। ବିଧୁଭୂଷଣଙ୍କ ପତ୍ନୀ ପ୍ରଭାତ ନଳିନୀ ଦାସ ମଧ୍ୟ ଥିଲେ ଇଂରେଜୀ ଭାଷା-ସାହିତ୍ୟର ପ୍ରଫେସର୍‌। କନ୍ୟା ପ୍ରଜ୍ଞା ପାରମିତା ଓଡ଼ିଶାର ପ୍ରଥମ ମହିଳା ଆଇଏଫ୍‌ଏସ୍‌ ଓ ଆଇଏଏସ୍‌। ଦ୍ବିତୀୟ କନ୍ୟା ଉପାଳୀ ଅପରାଜିତା ପ୍ରବୀଣା ଓଡ଼ିଶୀ ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ। ବିଧୁଭୂଷଣ, ପତ୍ନୀ ଓ କନ୍ୟା ଉପାଳୀଙ୍କ ସହ ମିଳିତ ଭାବେ ଗୋପୀନାଥ ମହାନ୍ତିଙ୍କ ‘ଅମୃତର ସନ୍ତାନ’ ଉପନ୍ୟାସର ଇଂରେଜୀ ଅନୁବାଦ କରିଥି‌ଲେ। ‘ଦ ଡାଇନାସ୍‌ଟି ଅଫ୍‌ ଇମୋର୍ଟାଲ୍‌ସ’ ଭାବେ ସେଇଟି ପ୍ରକାଶିତ। ୨ ଜୁନ୍‌ ୧୯୯୯ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar