ଭୈରବ ମହାନ୍ତି

ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ଓଡ଼ିଶାର କ୍ରୀଡ଼ା ଜଗତ୍ର ‘ଧର୍ମପିତା’ କହାଯାଏ। ଆମ ରାଜ୍ୟର ଖେଳ ଦୁନିଆରେ ତାଙ୍କୁ ଜଣେ ବ୍ୟକ୍ତି ନୁହେଁ, ଅନୁଷ୍ଠାନ ରୂପେ ବିଚାର କରାଯାଏ। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସେ ଆନ୍ତରିକ ଭାବେ ଉଦ୍ୟମ କରିଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ବଳରେ କ୍ରୀଡ଼ାର ଉନ୍ନତି ଓ ଅଗ୍ରଗତି ହୋଇଥିଲା। ସେ ଥିଲେ ଏକଧାରରେ ରାଜନୀତିଜ୍ଞ, ସାମ୍ବାଦିକ, ଖେଳାଳି ଓ ଖେଳ ସ˚ଗଠକ। ଆଜୀବନ ଖେଳର ବିକାଶ ଓ ପ୍ରଚାର-ପ୍ରସାର ପାଇଁ କାର୍ଯ୍ୟ କରିଥିଲେ। ସେ ‘ପ୍ରଜାତନ୍ତ୍ର’ ତଥା ‘ଇଷ୍ଟର୍ନ୍ ଟାଇମ୍ସ’ର ପ୍ରଥମ ସ˚ପାଦକ।
୧୯୪୯ ମସିହାରେ କଲକାତାର ଭବାନୀପୁର କ୍ଲବ୍ ଓ କଟକ ଏକାଦଶ ମଧ୍ୟରେ କଟକ କିଲା ପଡ଼ିଆରେ ତାଟି ଘେରା ମଧ୍ୟରେ ଫୁଟ୍ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସେତେ ବେଳେ ଆମ ରାଜ୍ୟରେ ଷ୍ଟାଡିଅମ୍ ନ ଥିଲା। ତାଟି-ଘେର ଭିତରେ ହଜାର ହଜାର ଦର୍ଶକ ଛିଡ଼ାହୋଇ ବଡ଼ କଷ୍ଟରେ ଖେଳ ଦେଖୁଥିଲେ। ତାଟି ବାହାରେ ମଧ୍ୟ ହଜାର ହଜାର ଦର୍ଶକ। ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ। ଦର୍ଶକଙ୍କ ଦୁର୍ଦଶା ଦେଖି ଅତ୍ୟାଧୁନିକ ଷ୍ଟାଡିଅମ୍ ନିର୍ମାଣ ପାଇଁ ସେହି ଦିନ ହିଁ ସେ ଘୋଷଣା କରିଥିଲେ। ଏହା ମଧ୍ୟ ଥିଲା ଭୈରବଙ୍କ ସ୍ବପ୍ନ। ଡ. ମହତାବ, ଭିତ୍ତିଭୂମି ବିକାଶର ଦାୟିତ୍ବ ତାଙ୍କୁ ଦେଇଥିଲେ। ପର ବର୍ଷ ଭିତ୍ତି ପଡ଼ିଥିଲା। ଷ୍ଟାଡିଅମ୍କୁ ‘ବାରବାଟୀ’ ନାମ ଦେଇଥିଲେ ସ୍ବୟ˚ ଭୈରବ। ଓଡ଼ିଶାର ଗୌରବମୟ ଦୁର୍ଗ ବାରବାଟୀର ସ୍ମୃତିକୁ ଯୁଗ ଯୁଗ ଅଭୁଲା ରଖିବା ଥିଲା ଏହାର ଅଭିପ୍ରାୟ। ସେ ସର୍ବଦା ଦଳଗତ କାର୍ଯ୍ୟରେ ବିଶ୍ବାସ କରୁଥିଲେ। ଷ୍ଟାଡିଅମ୍ ନିର୍ମାଣ ବେଳେ ଜେଏଫ୍ ହାଇଡ୍, ଶୈଲେନ ରାୟ, ଡା. ଜର୍ଜ୍ ପଟ୍ଟନାୟକ, ସୁବୋଧ କୁମାର ବିଶ୍ବାସ, ମିହିର କୁମାର ରାଓ ପ୍ରମୁଖଙ୍କ ସହଯୋଗ ନେଇଥିଲେ। ପୁଣି ଷ୍ଟାଡିଅମ୍ ନିର୍ମାଣରେ ସର୍ବସାଧାରଣଙ୍କ ସ˚ପୃକ୍ତି ପାଇଁ ବାରବାଟୀ ରାଫଲ୍ ଜରିଆରେ ଅର୍ଥ ସ˚ଗ୍ରହ କରାଇଥିଲେ। ପ୍ରତିଟି ରାଫଲ୍ ଏକ ଟଙ୍କାରେ ବିକ୍ରି ହୋଇଥିଲା। ଫଳରେ ଆମ ଟଙ୍କାରେ ହିଁ ଷ୍ଟାଡିଅମ୍ ତିଆରି ହେଉଛି ଭଳି ଧାରଣା ଜନତା ମଧ୍ୟରେ ସୃଷ୍ଟି ହୋଇଥିଲା। ଭୈରବଙ୍କ ମାନସ ସନ୍ତାନ ରୂପେ ସଗର୍ବେ ଛିଡ଼ାହୋଇଛି ‘ବାରବାଟୀ ଷ୍ଟାଡିଅମ୍’ ଏବ˚ ତାଙ୍କ ସ୍ମୃତି ବହନ କରିଚାଲିଛି। ତେବେ, ଦୁର୍ଭାଗ୍ୟର ବିଷୟ ଏହିକିଯେ, ଏହି ଷ୍ଟାଡିଅମ୍ ଆଉ ସାଧାରଣ ଜନତାର ହୋଇରହିନାହିଁ। କିଛି ଲୋକଙ୍କର ଅବୈଧ ବ୍ୟକ୍ତିଗତ ସ˚ପତ୍ତିରେ ପରିଣତ ହୋଇଛି।
ଭୈରବ ଶୈଶବରୁ ଥିଲେ କ୍ରୀଡ଼ାପ୍ରିୟ। ଫୁଟ୍ବଲ୍, କ୍ରିକେଟ୍, ହକି ଆଦି ଖେଳରେ ତାଙ୍କର ଦକ୍ଷତା ଥିଲା। ପକେଟ୍ରେ ସବୁ ବେଳେ କ୍ରିକେଟ୍ ବଲ୍ଟିଏ ରଖୁଥିଲେ। ସର୍ବଦା ଖେଳୁଆଡ଼ ମନୋବୃତ୍ତି ରଖି ଖେଳୁଥିଲେ। ତାଙ୍କ ଜୀବନ ଦର୍ଶନ ଥିଲା- ‘ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ; ସୁସ୍ଥ ମନ ହିଁ ଦେଶକୁ ସୁସ୍ଥ-ସବଳ ନାଗରିକ ଦେଇପାରିବ। ଆଉ ଖେଳ ଶରୀରକୁ ସୁସ୍ଥ ରଖିବାର ଏକ ମାଧ୍ୟମ।’ ତାଙ୍କର ଏହି ଦୃଷ୍ଟିଭଙ୍ଗୀ ଓଡ଼ିଆଙ୍କୁ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲା। ଓଡ଼ିଶାର କ୍ରୀଡ଼ା ଜଗତ୍ରେ ଭୈରବ ମହାନ୍ତି ଜଣେ ବ୍ୟକ୍ତି ନୁହନ୍ତି, ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଶାରେ କ୍ରୀଡ଼ାର ଯାହା ବିକାଶ ହୋଇଛି, ତାହା, ତାଙ୍କର ଐକାନ୍ତିକ ପ୍ରଚେଷ୍ଟା ଓ ସାଙ୍ଗଠନିକ ଉଦ୍ୟମର ଫଳ। ଉଲ୍ଲେଖଯୋଗ୍ୟ ଯେ, ହକିର ବିକାଶ ପାଇଁ ସେ ଧ୍ୟାନଚନ୍ଦଙ୍କ ପରି ପ୍ରସିଦ୍ଧ ଖେଳାଳିଙ୍କୁ କଟକ ଆଣି ବାରବାଟୀରେ ଦୁଇ ବର୍ଷ ରଖାଇଥିଲେ। ୧୯୫୮ ଓ ୧୯୭୦ରେ ଭୈରବଙ୍କ ପ୍ରଚେଷ୍ଟାରେ ବାରବାଟୀ ଷ୍ଟାଡିଅମ୍ରେ ଜାତୀୟ କ୍ରୀଡ଼ା ଶାନ୍ତି-ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା। ସେ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଜାତୀୟ କ୍ରୀଡ଼ା ସୁଚାରୁ ଭାବେ ପରିଚାଳନା କରିଥିଲେ। ସେ ଓଡ଼ିଶାରେ ପ୍ରଥମ ମାରାଥନ୍ର ଆୟୋଜନ କରାଇଥିଲେ। ଫୁଟ୍ବଲ୍ଠାରୁ ଆରମ୍ଭ କରି କ୍ରିକେଟ୍ ପର୍ଯ୍ୟନ୍ତ ଅନେକ ଖେଳ ତାଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ବାରବାଟୀରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସହ ସଂପୃକ୍ତ ଥିଲେ। ୧୯୫୪ରେ ମାନିଲାରେ ଅନୁଷ୍ଠିତ ଦ୍ବିତୀୟ ଏସୀୟ କ୍ରୀଡ଼ା ବେଳେ ଭାରତୀୟ ଫୁଟ୍ବଲ୍ ଦଳର ମାନେଜର୍ ଥିଲେ।
୧୯୧୩ ଜୁଲାଇ ୧୩ରେ ବାଲିସୁକୁରୀ ଗ୍ରାମରେ ଜନ୍ମ ହୋଇଥିଲେ କ୍ରୀଡ଼ା ଦୁନିଆର ଏହି ମଉଡ଼ମଣି। ସ୍ନାତକ ଶିକ୍ଷା ସାରି, ବ୍ରିଟିସ୍ ସରକାରରେ କିରାଣି ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଭୈରବ। ପରେ ଇସ୍ତଫା ଦେଇ, କଂଗ୍ରେସ୍ରେ ଯୋଗଦେଇଥିଲେ। ସ୍ବାଧୀନତା ସ˚ଗ୍ରାମ ଲଢ଼ିଥିଲେ; ପ୍ରାୟ ଚାରି ବର୍ଷ କାରାଦଣ୍ଡ ଭୋଗିଥିଲେ। ଏକାଧିକ ବାର ବିଧାନ ସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ। ୧୯୮୦ ଜୁଲାଇ ୨୩ରେ କଟକରେ ତାଙ୍କର ପରଲୋକ ହୋଇଥିଲା।

Comments
So empty here ... leave a comment!