ସାମନ୍ତ ଚନ୍ଦ୍ରଶେଖର

ଆଧୁନିକ ଶିକ୍ଷା ତଥା ଯନ୍ତ୍ର-ପାତି ବିନା ସୂକ୍ଷ୍ମ ବୈଜ୍ଞାନିକ ତଥ୍ୟ ପ୍ରଦାନ କରି ସମଗ୍ର ବିଶ୍ବକୁ ଚମତ୍କୃତ କରିଥିବା ବିଜ୍ଞାନୀ ହେଉଛନ୍ତି ସାମନ୍ତ ଚନ୍ଦ୍ରଶେଖର (ଅନ୍ୟ ନାମ ପଠାଣି ସାମନ୍ତ)। ଶିବଙ୍କ ପ୍ରସାଦରୁ ଜନ୍ମ ହୋଇଥିବାରୁ, ନାମ ରଖାଯାଇଥିଲା ଚନ୍ଦ୍ରଶେଖର। ଜନ୍ମ ପରେ ତାଙ୍କୁ ଜଣେ ପଠାଣଙ୍କୁ ବିକିଦିଆଯାଇଥିଲା। ସେତେ ବେଳେ ଅନ୍ୟ ଜାତିରେ ବିକିଦେଲେ ଯମ ଛୁଅନ୍ତିନାହିଁ ବୋଲି ବିଶ୍ବାସ ପ୍ରଚଳିତ ଥିଲା। ତେଣୁ, ତାଙ୍କୁ ଡକାଗଲା ପଠାଣି; ଏବ˚ ପଠାଣିରୁ ପଠାଣି ସାମନ୍ତ।

ସେ ଆଧୁନିକ ବିଜ୍ଞାନ ଜଗତ୍‌ର ଅନ୍ୟତମ ବିସ୍ମୟ। ଶୈଶବରୁ ଜ୍ୟୋତିଷ ଶାସ୍ତ୍ର ପ୍ରତି ଆକର୍ଷିତ ହୋଇଥିଲେ। ପଢ଼ିଥିଲେ ‘ଜାତିକାଳଙ୍କାର’, ‘ଜ୍ୟୋତିଷ ଚନ୍ଦ୍ରୋଦୟ’, ‘ସିଦ୍ଧାର୍ଥ ଚିନ୍ତାମଣି’, ‘ବୃହଜ୍ଜାତକ’ ଆଦି ଜ୍ୟୋତିଷ ଗ୍ରନ୍ଥ। ଚଉଦ ବର୍ଷର ହେବା ବେଳକୁ ତାଙ୍କର ଜ୍ୟୋତିଷ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଗ୍ରହ-ନକ୍ଷତ୍ର ଦେଖିବା ପାଇଁ ପଠାଣି ସାମନ୍ତ ନିଜସ୍ବ ଉପକରଣ ବ୍ୟବହାର କରୁଥିଲେ। ତାଳ ପତ୍ର, ବାଉଁଶ ଆଦିରେ ତିଆରିକରୁଥିଲେ ଯନ୍ତ୍ର-ପାତି। ‘ଗୋଳଯନ୍ତ୍ର’ ସାହାଯ୍ୟରେ ଆକାଶକୁ ଚାହୁଁଥିଲେ। ‘ଉଲ୍ଲମିଯନ୍ତ୍ର’ ସାହାଯ୍ୟରେ ସମୟ ଜାଣୁଥିଲେ। ‘ସିଦ୍ଧାନ୍ତ ଦର୍ପଣ’ ପ୍ରଣୟନ ପାଇଁ ସେ କୋଡ଼ିଏ ବର୍ଷ କାଳ କଠିନ ପରିଶ୍ରମ କରିଥିଲେ। ଏହି ଗ୍ରନ୍ଥର ଶ୍ଳୋକ ସ˚ଖ୍ୟା ୨୫୦୦। ତନ୍ମଧ୍ୟରୁ ୨୨୮୪ଟି ତାଙ୍କର ନିଜସ୍ବ; ଅବଶିଷ୍ଟ ଅନ୍ୟ ଗ୍ରନ୍ଥମାନଙ୍କରୁ ଉଦ୍ଧୃତ। ‘ଉତ୍କଳମଣି’ ଗୋପବନ୍ଧୁ ଦାସଙ୍କ ଭାଷାରେ ଏହି ଗ୍ରନ୍ଥ ‘ଉତ୍କଳର କୋଷ୍ଠୀ’। ସେ ଲେଖିଛନ୍ତି- ‘ସିଦ୍ଧାନ୍ତ ଦର୍ପଣ ସ୍ବଦେଶର କୋଷ୍ଠୀ ଦେଖିକରି ଏକ ଲୟ।’ ‘କବିବର’ ରାଧାନାଥ ରାୟଙ୍କ ଭାଷାରେ ପଠାଣି ସାମନ୍ତ ‘ଭାରତର ଦ୍ବିତୀୟ ଭାସ୍କରାଚାର୍ଯ୍ୟ’। କବିଙ୍କ ଭାଷାରେ- ‘ଏକାମ୍ର କୋଣାର୍କେ ଯାକୀର୍ତ୍ତି ଭାସ୍ବର, ଯୋଗ୍ୟ ପୁତ୍ର ତୁମେ ସେହି ଉତ୍କଳର; ଉତ୍କଳ ଉଦୟ ଅଚଳେ ଭାସ୍ବର, ହେଲ ଭାରତର ଦ୍ବିତୀୟ ଭାସ୍କର।’ ‘ଦର୍ପଣସାର’ ଓ ‘ଦର୍ପ ଦୀପିକା’ ପଠାଣି ସାମନ୍ତ ରଚିତ ଆଉ ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ। ସେ ଓଡ଼ିଆରେ ପ୍ରଥମ ବିଶୁଦ୍ଧ ଓ ନିର୍ଭୁଲ୍‌ ପ˚ଜିକା ପ୍ରଣୟନ କରିଥିଲେ।

ଇ˚ରେଜ ସରକାର ତାଙ୍କୁ ‘ମହାମହୋପାଧ୍ୟାୟ’ ଏବ˚ ପୁରୀର ଗଜପତି ମହାରାଜା ‘ହରିଚନ୍ଦନ ମହାପାତ୍ର’ ଉପାଧିରେ ସମ୍ମାନିତ କରିଥିଲେ। ସ୍ବରାଜ୍ୟ ଖଣ୍ତପଡ଼ାର ତତ୍‌କାଳୀନ ପ୍ରଜା ପ୍ରପୀଡ଼କ ରାଜା ନଟବର ସି˚ହ, ତାଙ୍କ ପ୍ରତିଭାକୁ ଈର୍ଷା କରୁଥିଲେ। ତେଣୁ, ସେ ରାଜାନୁଗ୍ରହରୁ ବଞ୍ଚିତ ହୋଇ ଅଭାବ-ଅନଟନ ମଧ୍ୟରେ ଚଳୁଥିଲେ। ଏହା ସତ୍ତ୍ବେ ବୁଝାମଣା କରୁ ନ ଥିଲେ। ସେ ଥିଲେ ସ୍ପଷ୍ଟବାଦୀ ଓ ପରିହାସପ୍ରିୟ। ପାଲା, ନାଟ ଆଦି ଦେଖିବାକୁ ସୁଖ ପାଉଥିଲେ। ୧୮୩୫ ପୌଷ କୃଷ୍ଣ ପକ୍ଷ ଅଷ୍ଟମୀରେ ଖଣ୍ତପଡ଼ାରେ ତାଙ୍କର ଜନ୍ମ ହୋଇଥିଲା (ଇଂ‌ରେଜୀ ପଂଜିକା ଅନୁଯାୟୀ ୧୩ ଡିସେମ୍ବର୍‌ ୧୮୩୫)। ଇଂ‌ରେଜୀ ପଂଜିକା ଅନୁଯାୟୀ ତାଙ୍କର ପବିତ୍ର ତିରୋଧାନ ଦିବସ ୧୧ ଜୁନ୍ ୧୯୦୪ ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar