କୋଣାର୍କର ଶ୍ରୀ ସୂର୍ଯ୍ୟଦେବଙ୍କର ରଥଯାତ୍ରା

ଓଡ଼ିଶାରେ ପ୍ରତିବର୍ଷ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଉତ୍ସବ ଏହାର ଚାରିଗୋଟି ପ୍ରସିଦ୍ଧ ପୌରାଣିକ କ୍ଷେତ୍ରରେ ପ୍ରାୟତଃ ତିନି ମାସ ବ୍ୟବଧାନରେ ଅନୁଷ୍ଠିତ ହୋଇଥାଏ । ଯଥା – ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଭୁବନେଶ୍ୱର ବା ଏକାମ୍ର କ୍ଷେତ୍ର ବା ଚକ୍ର କ୍ଷେତ୍ରରେ ଶ୍ରୀ ଲିଙ୍ଗରାଜ ଦେବଙ୍କର ରଥଯାତ୍ରା, ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ପୁରୀ ବା ପୁରୁଷୋତ୍ତମ କ୍ଷେତ୍ର ବା ଶଙ୍ଖ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା, ଆଶ୍ଵିନ ମାସ ଶୁକ୍ଳପକ୍ଷ ପ୍ରତିପଦାରେ ଯାଜପୁର ବା ବିରଜା କ୍ଷେତ୍ର ବା ଗଦା କ୍ଷେତ୍ରରେ ମା’ ବିରଜାଙ୍କର ରଥଯାତ୍ରା ଏବଂ ପୌଷ ମାସ ଶୁକ୍ଳପକ୍ଷ ଦଶମୀରେ କୋଣାର୍କ ବା ଅର୍କ କ୍ଷେତ୍ର ବା ପଦ୍ମ କ୍ଷେତ୍ରରେ ଶ୍ରୀ ସୁର୍ଯ୍ୟ ଦେବଙ୍କର ରଥଯାତ୍ରା ।

ଶ୍ରୀ ସୂର୍ଯ୍ୟ ଦେବଙ୍କର ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ଅତି ପୁରାତନ ରଥଯାତ୍ରା । ପୂର୍ବର ଏକ ଆଲେଖ୍ୟରେ ଉପସ୍ଥାପିତ ହୋଇଛି ଯେ ଭବିଷ୍ୟ ପୁରାଣର ବର୍ଣ୍ଣନା ଅନୁଯାୟୀ ସୁର୍ଯ୍ୟ ଦେବଙ୍କର ରଥଯାତ୍ରା ଉତ୍ସବ ସପ୍ତମୀ ତିଥିରେ କରାଯିବା ବିଧେୟ । ମାତ୍ର କୋଣାର୍କର ଏହି ସୁର୍ଯ୍ୟ ରଥଯାତ୍ରା ଉତ୍ସବ ସପ୍ତମୀ ତିଥିରେ ଆରମ୍ଭ ନ ହୋଇ ସପ୍ତମୀ ତିଥିରେ ଶେଷ ହୋଇଥାଏ । ଆସନ୍ତୁ ଏବେ ଜାଣିବା କୋଣାର୍କର ଏହି ନିଆରା ସୁର୍ଯ୍ୟ ରଥଯାତ୍ରା ସମ୍ପର୍କରେ ଯେଉଁଥିରେ କି ସୂର୍ଯ୍ୟ ଦେବଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ, ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥି ବା ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟ ରଥରେ ଆରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ମାଘ ମାସର ଶୁକ୍ଳପକ୍ଷ ସପ୍ତମୀ ତିଥିରେ ସ୍ଵସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି ।

ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଏକଦା ଶାପଗ୍ରସ୍ତ ହୋଇ ଦୂରାରୋଗ୍ୟ କୁଷ୍ଠ ବ୍ୟାଧିରେ ପୀଡ଼ିତ ହୋଇଥିଲେ । ତତ୍ପଶ୍ଚାତ୍ ଶ୍ରୀକୃଷ୍ଣ ନିଜର ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗରୁ ମୁକ୍ତ କରିବା ନିମିତ୍ତ ନିଜର ଏକ ଶୁଭେଚ୍ଛୁ ମୈତ୍ରେୟ ମୁନିଙ୍କ ଆଶ୍ରମକୁ ପଠାଇଥିଲେ । ସେତେବେଳେ ମୈତ୍ରେୟ ମୁନିଙ୍କ ଆଶ୍ରମ ମୈତ୍ରାୟାଖ୍ୟ ବନ ବା ଅର୍କକ୍ଷେତ୍ର ବା କୋଣାର୍କରେ ଥିଲା । ମୈତ୍ରେୟ ମୁନିଙ୍କ ଉପଦେଶ କ୍ରମେ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତ ହେବା ନିମନ୍ତେ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରୁଥିବା ସମୟରେ ମିତ୍ରାଦିତ୍ୟ ବା ସୁର୍ଯ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ । ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ତଥା ମାନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ଶ୍ରଦ୍ଧାର ସହିତ ପୂଜା କରୁଥିଲେ । ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ କୁଷ୍ଠ ରୋଗରୁ ମୁକ୍ତ ହୋଇ, ସୂର୍ଯ୍ୟ ରଥଯାତ୍ରା ପ୍ରଚଳିତ କରିଥିବାର ଜନସାଧାରଣଙ୍କ ଦ୍ଵାରା ବିଶ୍ବାସ କରାଯାଏ ।

ଆଧୁନିକ କାଳରେ ମଧ୍ୟ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ସୁର୍ଯ୍ୟ ରଥଯାତ୍ରା ପାଳନର ପରମ୍ପରାକୁ ବଜାୟ ରଖିଥିଲେ ବୋଲି ଅନୁମାନ କରାଯାଏ । ପରବର୍ତ୍ତୀ ସମୟରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦ ହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବାର ସୂଚନା ମାଦଳା ପାଞ୍ଜିରୁ ମିଳିଥାଏ । ପୁନର୍ବାର ୧୯୯୮ ମସିହାରେ ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଆର୍ତ୍ତତ୍ରାଣ ଦାସ ଏହି ରଥଯାତ୍ରାର ପୁନଃପ୍ରଚଳନ କରନ୍ତି । ୧୯୯୮ ମସିହାରୁ ପ୍ରତିବର୍ଷ ଶାମ୍ବ ଦଶମୀରେ ସୌର ବ୍ରାହ୍ମଣ ପରିଷଦ, ଗାୟତ୍ରୀ ପରିବାର ଓ ଅବଧୂତ ମଠ ମହନ୍ତଙ୍କ ଦ୍ୱାରା ଏହି ସୂର୍ଯ୍ୟ ରଥଯାତ୍ରା ଉତ୍ସବ ନିମ୍ନୋକ୍ତ ବିଧିରେ ପାଳିତ ହୋଇଆସୁଅଛି ।

ପରମ୍ପରା ଅନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ପ୍ରଥମେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥାଏ । ପରବର୍ତ୍ତୀ ଦିବସ ସକାଳ ୬ଟା ରୁ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜାର୍ଚ୍ଚନା ଆଦି କରାଯାଇ କୋଣାର୍କ ମନ୍ଦିରର ପୂଜାବିଧାନ ଅନୁଯାୟୀ ରଥର ପାର୍ଶ୍ୱଦେବୀ ଓ ସପ୍ତାଶ୍ୱଙ୍କୁ ପୂଜା କରାଯିବା ପରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କୁ ରଥାରୂଢ଼ କରାଯାଇଥାଏ । ପ୍ରତ୍ୟୁଷରୁ ମଠ ମହନ୍ତ ରଥ ଉପରେ ଛେରାପହଁରା କରିବା ପରେ ଉପସ୍ଥିତ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନିଅନ୍ତି । ସୂର୍ଯ୍ୟରଥ ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକଟରେ ପହଞ୍ଚିଥାଏ । ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ ଦିନ ଧରି ୨୭ଟି ନକ୍ଷତ୍ରରେ ପ୍ରଭୁ ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ଯ୍ୟନ୍ତ ଜାରି ରହେ । ମାଘସପ୍ତମୀ ତିଥିରେ ବାହୁଡା ଯାତ୍ରାରେ ପ୍ରଭୁ ମିତ୍ରାଦିତ୍ୟ, ଜନ୍ମଭୂମି ଅନନ୍ତ ଅବଧୂତ ମଠକୁ ବାହୁଡ଼ି ଆସିଥାଆନ୍ତି ।

କୋଣାର୍କର ଏହି ସୌର ରଥଯାତ୍ରା ଭାରତବର୍ଷରେ ରଥଯାତ୍ରା ସହିତ ସୂର୍ଯ୍ୟ ଦେବଙ୍କ ସଂଶ୍ଲିଷ୍ଟତା ଦୃଷ୍ଟିରୁ ବିରଳ । ଏବଂ ରଥଯାତ୍ରା ଓ ବାହୁଡା଼ ଯାତ୍ରା ମଧ୍ୟରେ ଏତେ ଦିନର ବ୍ୟବଧାନ ମଧ୍ୟ ବୋଧହୁଏ ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନକରି ପ୍ରଭୁ ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି । ତେଣୁ ପୁରାଣ ପ୍ରସିଦ୍ଧ ଏହି ରଥଯାତ୍ରାର ପୁନଃପ୍ରଚଳନ ଭକ୍ତମାନଙ୍କ ନିମନ୍ତେ ଅତି ଆନନ୍ଦଦାୟକ ବିଷୟ ତଥା ଆମ ପ୍ରାଚୀନ ପରମ୍ପରାର ଉଦ୍ଧାର ଦିଗରେ ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar