ପଣା ସଂକ୍ରାନ୍ତି (ଉତ୍କଳୀୟ ନବବର୍ଷ)

ନବବର୍ଷ କହିଲେ ଆମେ ସାଧାରଣତଃ ଇଂରାଜୀ ନବବର୍ଷ ବା ଜାନୁଆରୀ ୧ ତାରିଖକୁ ବୁଝିଥାଉ । ତେବେ ଆମ ମହାଭାରତୀୟ ସଂସ୍କୃତିରେ ହିନ୍ଦୁ ନବବର୍ଷ, ସୌରମାସ କିମ୍ବା ଚାନ୍ଦ୍ରମାସର ପାରମ୍ପରିକ ଗଣନା ଅନୁସାରେ ପାଳିତ ହୋଇଥାଏ । ଚାନ୍ଦ୍ରମାସର ଗଣନା ଅନୁସାରେ ଏହି ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ‘ଉଗାଦି’ ନାମରେ, ମହାରାଷ୍ଟ୍ରରେ ‘ଗୁଡିପଡ଼ଓ୍ବା’ ନାମରେ, ମଣିପୁରରେ ‘ଚେରାଓବା’ ନାମରେ, କାଶ୍ମୀରରେ ‘ନଭରେହ୍’ ନାମରେ ତଥା ସିନ୍ଧ୍ ସମ୍ପ୍ରଦାୟରେ ‘ଚେଟିଚାନ୍ଦ୍’ ନାମରେ ପାଳିତ ହୋଇଥାଏ । ସେହିପରି ଏହି ହିନ୍ଦୁ ନବବର୍ଷ ବୈଶାଖ ମାସର ପ୍ରଥମ ଦିବସରେ ନେପାଳ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ  ଜାମ୍ମୁର ଡୋଗ୍ରା ହିନ୍ଦୁ ସମ୍ପ୍ରଦାୟରେ ‘ବୈଶାଖୀ’ ନାମରେ ତଥା ପଶ୍ଚିମବଙ୍ଗରେ ‘ପୋଏଲା ବୋଏଶାଖ୍’ ନାମରେ ପାଳିତ ହୋଇଥାଏ  ।

ତେବେ ଏହି ହିନ୍ଦୁ ନବବର୍ଷ ମଧ୍ୟ ସୌରମାସର ଗଣନା ଅନୁସାରେ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଆସାମରେ ‘ରୋଙ୍ଗାଲୀ ବିହୁ’, ତାମିଲ ସମ୍ପ୍ରଦାୟରେ ‘ପୁଥ୍ଥାଣ୍ଡୁ’, କେରଳରେ ‘ବିଷୁ’ ଓ ଓଡ଼ିଶାରେ ‘ପଣା ସଂକ୍ରାନ୍ତି’ ନାମରେ ପାଳିତ ହୋଇଥାଏ । ଆସନ୍ତୁ ଏବେ ଜାଣିବା ଏହି ‘ପଣା ସଂକ୍ରାନ୍ତି’ ଆମ ଓଡ଼ିଶାରେ କିପରି ଭାବରେ ପାଳିତ ହୋଇଥାଏ ।

ଭାରତବର୍ଷରେ ବର୍ଷ ଗଣନା ପଦ୍ଧତି ସାଧାରଣତଃ ସୌରମାସ ଓ ଚାନ୍ଦ୍ରମାସକୁ ଅନୁସରଣ କରି ନିର୍ଣ୍ଣୟ କରାଯାଇଥାଏ । ଚାନ୍ଦ୍ରମାସ ଗଣନା ପଦ୍ଧତି ପୂର୍ଣ୍ଣିମା ଅଥବା ଅମାବାସ୍ୟା ଠାରୁ ଆରମ୍ଭ ହେଉଥିବା ସ୍ଥଳେ ସୌରମାସର ଗଣନା ପଦ୍ଧତି ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ । ବୈଶାଖ ମାସକୁ ବର୍ଷର ପ୍ରଥମ ମାସ ତଥା ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗଣନା କରାଯାଇଥାଏ । ମେଷ ସଂକ୍ରାନ୍ତି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଏହି ଦିନଟି ମହାବିଷୁବ ସଂକ୍ରାନ୍ତି ରୂପେ ନାମିତ । ତେଣୁ ଏହି ଦିନ ଆମ ଓଡ଼ିଶାରେ ନବବର୍ଷ ପାଳନ ସହିତ ନୂତନ ପଞ୍ଜିକା ପ୍ରଚଳନ ହୁଏ । ଏହି ଶୁଭ ନବବର୍ଷ ଦିନ ଅନେକ ବ୍ୟବସାୟୀ ମଧ୍ୟ ନୂତନ ବ୍ୟବସାୟ ଖାତା ଉନ୍ମୋଚନ କରିଥାନ୍ତି ତଥା ଅନେକ ବ୍ୟକ୍ତି ନିଜ ନିଜର କର୍ମ ମଧ୍ୟ ଅନୁକୂଳ କରିଥାନ୍ତି ।

ଆମ ସଂସ୍କୃତିରେ ବୈଶାଖ ମାସକୁ ଏକ ପୁଣ୍ୟ ମାସ ଭାବରେ ଗଣନା କରାଯାଇଥିବାରୁ ଏହି ମାସରେ ଅନେକ ପର୍ବପର୍ବାଣି, ପୂଜା, ଦାନ, ଉତ୍ସବ, ଯାଗଯଜ୍ଞ, ସଂକୀର୍ତ୍ତନ, ମେଳା ମହୋତ୍ସବ ଆଦିର ପରିକଳ୍ପନା କରାଯାଇଛି । ଏହି ଦିନଟିକୁ ସଙ୍କଟମୋଚନ ହନୁମାନଙ୍କର ଜନ୍ମତିଥି ରୂପେ ମଧ୍ୟ ପାଳନ କରାଯାଉଥିବାରୁ ତାଙ୍କ ନିକଟରେ ତଥା ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କର ଆଦି ପଞ୍ଚ ଦେବତାଙ୍କ ନିକଟରେ ଏହି ଦିନ କଦଳୀ, ଛେନା, ସାକର ମିଶ୍ରିତ ପଣା ଭୋଗ ଲାଗେ । ଘରେ ଘରେ ମଧ୍ୟ ଏହି ଦିନଟିରେ ପାଚିଲା ବେଲରୁ ପଣା ପ୍ରସ୍ତୁତ ହୋଇ ବଣ୍ଟାଯାଇଥାଏ  । ତେଣୁ ଏହି ଦିବସଟି ‘ପଣା ସଂକ୍ରାନ୍ତି’ ନାମରେ ନାମିତ । ଭକ୍ତମାନେ ଏହି ଶୀତଳତା ପ୍ରଦାନକାରୀ ପଣା ଗ୍ରହଣ କରି ରୌଦ୍ରତାପରୁ ରକ୍ଷା ପାଇଥାନ୍ତି ।

ଏହି ‘ପଣା ସଂକ୍ରାନ୍ତି’ ଦିନ ତୁଳସୀ ଚଉରା ଉପରେ ଛାୟା ପ୍ରଦାନକାରୀ ଛାମୁଣ୍ଡିଆ ବନ୍ଧାଯାଇଥାଏ । ତତ୍ସହିତ ତୁଳସୀ ଗଛ ଉପରେ ଏକ ସରୁ ରନ୍ଧ୍ର ଥିବା ଘଟି ବା ଠେକି ସ୍ଥାପନ କରାଯାଇଥାଏ । ସେହି ଘଟିର ରନ୍ଧ୍ରରେ କୁଶ ସ୍ଥାପନ କରାଯାଇ ମହାବିଷୁବ ସଂକ୍ରାନ୍ତି ଦିନ ଜଳ ଦିଆଯାଇଥାଏ ଯାହାଦ୍ଵାରା କି ଜଳ କୁଶ ମଧ୍ୟ ଦେଇ ଟୋପା ଟୋପା ହୋଇ ତୁଳସୀ ଗଛ ଉପରେ ପଡ଼ିଥାଏ । ତେଣୁ ଏହି ଦିବସଟିକୁ ‘ଠେକିବସା ସଂକ୍ରାନ୍ତି’ ବୋଲି ମଧ୍ୟ କୁହାଯାଏ । ବିଶ୍ବାସ ରହିଛି ଯେ ତୁଳସୀ ଗଛ ମୂଳରେ ଓ ପତ୍ରରେ ସ୍ୱୟଂ ନାରାୟଣଙ୍କ ସମେତ ସମସ୍ତ ଦେବାଦେବୀ ବାସ କରିଥାନ୍ତି, ତେଣୁ ତୁଳସୀ ଗଛ ଉପରେ ଏହି ଜଳଦାନ କରିବା ଦ୍ୱାରା ତଥା ତୁଳସୀ ଚଉରା ମୂଳରେ ପଣା ଉତ୍ସବ ପାଳନ ପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ସର୍ବ ଦେବାଦେବୀଙ୍କ ପୂଜାଫଳ ପ୍ରାପ୍ତ ହୁଏ । ପୁନଶ୍ଚ ଏହି ଦିନ ମଧ୍ୟ ପଥିକ ମାନଙ୍କର ତୃଷା ନିବାରଣ ପାଇଁ ବାଟେ ଘାଟେ ଜଳଛତ୍ର ମାନ ଖୋଲାଯାଇଥାଏ । ତେଣୁ ଏହି ପଣା ସଂକ୍ରାନ୍ତିର ଅନ୍ୟ ନାମ ମଧ୍ୟ ‘ଜଳ ସଂକ୍ରାନ୍ତି’ ।

ଏହି ଦିନ ଗଞ୍ଜାମ, ନୟାଗଡ଼ ସମେତ ଓଡ଼ିଶାର ଅନ୍ୟ କିଛି ଅଞ୍ଚଳରେ ତେର ଦିନ ଅଥବା ଏକୋଇଶ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଆସୁଥିବା କାମନା ଦଣ୍ଡ ବା ମେରୁ ଯାତ୍ରା ଉଦଯାପିତ ହୁଏ । ତେଣୁ ଏହି ମେଷ ସଂକ୍ରାନ୍ତି ଦିନ ମେରୁ ଯାତ୍ରା ଉଦଯାପିତ ହେଉଥିବାରୁ ଏହାକୁ ‘ମେରୁ ସଂକ୍ରାନ୍ତି’ ବୋଲି ମଧ୍ୟ କୁହାଯାଏ ।

ଏହି ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଶାରେ, ବିଶେଷ କରି ମୟୁରଭଞ୍ଜରେ ଛଉ ନୃତ୍ୟ ପରିବେଷଣ କରାଯାଇଥାଏ । ଏହି ଦିନ ମଧ୍ୟ କାକଟପୁରର ମା’ ମଙ୍ଗଳାଙ୍କ ପୀଠ ସମେତ ଅନ୍ୟାନ୍ୟ ଅଞ୍ଚଳର ଚଣ୍ଡୀ, ଶାରଳା, ମଙ୍ଗଳା, ବିରଜା ଆଦି ଦେବୀ ପୀଠରେ ଝାମୁ ଯାତ୍ରା ବା ପାଟୁଆ ଯାତ୍ରା ଆୟୋଜିତ ହୋଇଥାଏ । ଓଡ଼ିଶାର ବିବିଧ ସହର ଓ ପୁରପଲ୍ଲୀରେ ଏହି ଦିନ ଶିଵ ମନ୍ଦିର, କାଳୀ ମନ୍ଦିର, ଠାକୁରାଣୀ ମନ୍ଦିର, ହନୁମାନ ମନ୍ଦିର ଆଦିରେ ଭକ୍ତମାନେ ଦେବ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହିତ ନାଚ-ଗୀତ-ଉତ୍ସବାଦିରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି ।

ଏହି ଦିନ ମଧ୍ୟ ଅନେକେ ଧର୍ମାର୍ଜନ ପାଇଁ ପଥିକ ତଥା ବ୍ରାହ୍ମଣଙ୍କୁ ଛତ୍ର, ପଙ୍ଖା ଓ ପାଦୁକା ଦାନ କରିଥାନ୍ତି ଓ ପରସ୍ପର ମଧ୍ୟରେ ପଣା ବାଣ୍ଟି ଏହି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ସାମାଜିକ ସୌହାର୍ଦ୍ଦ୍ୟ ଓ ଭାତୃତ୍ୱର ଆଦାନପ୍ରଦାନ ପୂର୍ବକ ସ୍ମରଣୀୟ କରିଥାନ୍ତି ।

ସହାୟକ ପୁସ୍ତିକା ସୂଚୀ :

୧) ଓଡ଼ିଶାର ପୂଜାପାର୍ବଣ (ଶ୍ରୀଯୁକ୍ତ ବଳରାମ ମିଶ୍ର)

୨) ଓଡ଼ିଶାର ପର୍ବପର୍ବାଣି, ଯାନିଯାତ୍ରା ଓ ଓଷାବ୍ରତ (ଡକ୍ତର ସୁରେନ୍ଦ୍ରନାଥ ପାଣିଗ୍ରାହୀ)

୩) ଓଷାବ୍ରତ ଓ ପର୍ବପର୍ବାଣୀ (ଶ୍ରୀ ଲଛ୍ଛମନ ରାଉତ)

୪) ଓଡ଼ିଶାର ପର୍ବପର୍ବାଣି ଓଷା-ବ୍ରତ ଯାନିଯାତ୍ରା (ଉତ୍କଳ ପାଠକ ସଂସଦ)

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar