ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଶ୍ରୀକ୍ଷେତ୍ରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହୋଇଥାଏ ଏବଂ ବିଭିନ୍ନ ସ୍ଥାନରେ ଗଣେଶଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୁରୀର ଗଣେଶ ମୂର୍ତ୍ତିଙ୍କ ବିଶେଷତ୍ଵ ହେଉଛି, ପୂଜା ନିମିତ୍ତ ସମ୍ପୂର୍ଣ୍ଣ ଉତ୍କଳୀୟ ମୂର୍ତ୍ତିକଳାକୁ ଅନୁସରଣ କରି ବିଗ୍ରହ ସବୁର ନିର୍ମାଣ କରାଯାଇଥାଏ ।

କେତେକ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଭୁଜ ସୁରୂପରେ ପର୍ଶୁ, ଲଡ଼ୁ, ଭଗ୍ନ ଦନ୍ତ, ଜପାମାଳି ଧାରଣ କରି ଦଣ୍ଡାୟମାନ ପୂର୍ବକ ପୂଜା ପାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଭୁଜ ସୁରୂପରେ ପର୍ଶୁ, ଅଙ୍କୁଶ, ଲଡ଼ୁ, ଭଗ୍ନ ଦନ୍ତ ଧାରଣ କରି ଉପବେଶନ ପୂର୍ବକ ପୂଜା ପାଉଥାଆନ୍ତି ।

କେତେକ ସ୍ଥାନରେ ଶ୍ରୀ ଗଣେଶ ନିଜର ଦଶ ହସ୍ତରେ ଚକ୍ର, ଶଙ୍ଖ, ପର୍ଶୁ, ଅଙ୍କୁଶ, ଧନୁ, ତୀର, ଜପାମାଳି, ଘଣ୍ଟି, ଭଗ୍ନ ଦନ୍ତ ଓ ଲଡୁ ଧାରଣ ପୂର୍ବକ ସିଂହାସନରେ ବିରାଜମାନ କରିଥାଆନ୍ତି । ଦେବୀ ସିଦ୍ଧି ପ୍ରଭୁ ଗଣେଶଙ୍କ କୋଳରେ ବିରାଜିତ ପୂର୍ବକ ତାମ୍ବୁଳ (ପାନ) ପ୍ରଭୁଙ୍କୁ ସମର୍ପଣ କରୁଥାଆନ୍ତି ତ ଅନ୍ୟ କେତେକ ସ୍ଥାନରେ ଶ୍ରୀ ଗଣେଶ ଅଷ୍ଟଭୁଜ; ପ୍ରଥମ ଦୁଇ ଭୁଜରେ ସର୍ପ ଧାରଣ କରିଥିବା ବେଳେ ଅନ୍ୟ ଭୁଜରେ ପର୍ଶୁ, ଅଙ୍କୁଶ, ଜପାମାଳି, ଘଣ୍ଟି, ଭଗ୍ନ ଦନ୍ତ ଓ ଲଡୁ ଧାରଣ ପୂର୍ବକ ନୃତ୍ୟରତ ମୁଦ୍ରାରେ କମନୀୟ ରୂପରେ ବିରାଜମାନ କରିଥାଆନ୍ତି ।

ସବୁଠାରୁ ଅନନ୍ୟ ପଞ୍ଚମୁଖୀ ଶ୍ରୀ ଗଣେଶ (ହେରମ୍ବ ଗଣେଶ) ନିଜର ଦଶ ହସ୍ତରେ ଚକ୍ର, ଶଙ୍ଖ, ଗଦା, ପଦ୍ମ, ଧନୁ, ତୀର, ଜପାମାଳି, ଘଣ୍ଟି, ଭଗ୍ନ ଦନ୍ତ ଓ ଲଡୁ ଧାରଣ ପୂର୍ବକ ସିଂହାସନରେ ବିରାଜମାନ କରିଥାଆନ୍ତି । ପ୍ରଭୁ ଗଣେଶଙ୍କ କୋଳରେ ଦେବୀ ସିଦ୍ଧି ବିରାଜିତ ପୂର୍ବକ ତାମ୍ବୁଳ (ପାନ) ପ୍ରଭୁଙ୍କୁ ସମର୍ପଣ କରୁଥାଆନ୍ତି ।

ପୂଜାର ୩ୟ , ୫ମ ଅଥବା ୭ମ ଦିନରେ ଶ୍ରୀ ଗଣେଶଙ୍କ ଭସାଣୀ ବା ବିସର୍ଜନ କରାଯାଇଥାଏ । ୭ମ ବିସର୍ଜନ ଦିନ ଶ୍ରୀକ୍ଷେତ୍ରର ପ୍ରାୟ ଅନେକ ଗଣେଶ ଶ୍ରୀ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଏକାଠି ହୋଇ କିଛି ସମୟ ଅବସ୍ଥାନ କରି ବିସର୍ଜନ ନିମନ୍ତେ ବାହାରିଥାଆନ୍ତି ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar