ସ୍କନ୍ଦ ପୁରାଣୋକ୍ତ ଶ୍ରୀଜଗନ୍ନାଥଙ୍କର ଆଦର୍ଶ ରଥଯାତ୍ରା ପାଳନ ବିଧି

ସମଗ୍ର ସଂସାରରେ ବିଭିନ୍ନ ଦେବାଦେବୀଙ୍କର ଯେତେସବୁ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ତନ୍ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଓ ସର୍ବଜନାଦୃତ । ସମଗ୍ର ବିଶ୍ୱର ଜନସାଧାରଣ ଏହି ରଥଯାତ୍ରା ଉତ୍ସବରେ ଭକ୍ତିଭାଵ ସହକାରେ ସାମିଲ ହୋଇ ଶ୍ରୀଜୀଉମାନଙ୍କର କୃପା ଲାଭ କରିବା ନିମିତ୍ତ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି । କାରଣ ବିଶ୍ବାସ ରହିଛି ଯେ –

“ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ ।
ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ ॥”

ଅର୍ଥାତ୍ – ମହାପ୍ରଭୁଙ୍କୁ ଦୋଳଯାତ୍ରାରେ ଦୋଳଗୋବିନ୍ଦ ଭାବରେ, ଚନ୍ଦନଯାତ୍ରା ବା ଚାପରେ ମଧୁସୂଦନ ଭାବରେ ଏବଂ ରଥଯାତ୍ରାରେ ବାମନ ରୂପରେ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ସର୍ବପ୍ରଥମେ ପ୍ରତିଷ୍ଠିତ ହେବା ପରେ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ତାଙ୍କୁ, ଶ୍ରୀ ବଳଭଦ୍ରଙ୍କୁ ଓ ଦେବୀ ସୁଭଦ୍ରାଙ୍କୁ ରଥ ଉପରେ ବିରାଜିତ କରାଇ ସେମାନଙ୍କୁ ମହାନ ଉତ୍ସବ ପୂର୍ବକ ଅନେକ ବ୍ରାହ୍ମଣଙ୍କୁ ତୃପ୍ତ କରାଇବା ପରେ ଗୁଣ୍ଡିଚା ମଣ୍ଡପ ନାମକ ସ୍ଥାନକୁ ନେବା ଉଚିତ, ଯେଉଁଠାରେ କି ସେମାନେ ପ୍ରଥମେ ପ୍ରକଟ ହୋଇଥିଲେ । ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ସେତେବେଳେ ସେହି ସ୍ଥାନରେ ଥିଲା । ତେଣୁ ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ସେହିଦିନଠାରୁ ରଥଯାତ୍ରା ଉତ୍ସବ ପାଳିତ ହୋଇ ଆସୁଅଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ପାଳନ ସମ୍ପର୍କରେ ସବିଶେଷ ବିବରଣୀ ସ୍କନ୍ଦ ପୁରାଣରେ ଦେଖିବାକୁ ମିଳିଥାଏ । ଆସନ୍ତୁ ଏବେ ଜାଣିବା ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ କିପରି ଭାବରେ ପାଳନ କରିବା ନିମିତ୍ତ ଉଲ୍ଲେଖ ରହିଛି ଏବଂ ଆଜିର ସମୟରେ ଆମ୍ଭେମାନେ ସେହିପରି ବିଧିରେ ରଥଯାତ୍ରା ଉତ୍ସବ ପାଳନ କରୁଅଛୁ କି ନାହିଁ । ସ୍କନ୍ଦ ପୁରାଣରେ ରଥଯାତ୍ରା ଉତ୍ସବ ନିମ୍ନ ପ୍ରକାରରେ ପାଳନ କରାଯିବାର ଉଲ୍ଲେଖ ରହିଛି । ଯଥା –

ପ୍ରଥମେ ରାଜା ପବିତ୍ର ଭାବରେ ସଂକଳ୍ପ ପୂର୍ବକ ଏକ ଆଚାର୍ଯ୍ୟଙ୍କୁ ରୋହିଣୀ ନକ୍ଷତ୍ର ଯୁକ୍ତ ବୈଶାଖ ମାସ ଶୁକ୍ଳପକ୍ଷ (ପାପନାଶିନୀ) ତୃତୀୟା ତିଥିରେ ବରଣ କରିବା ଉଚିତ । ତତ୍ପଶ୍ଚାତ୍ ଶ୍ରୀଜୀଉମାନଙ୍କର ତିନୋଟି ରଥର ନିର୍ମାଣ, ଏକ ବା ତିନିଜଣ ମହାରଣାଙ୍କ ତତ୍ୱାବଧାନରେ କରିବା ଉଚିତ ଯେଉଁମାନେ କି ରଥ ନିର୍ମାଣ ପ୍ରତ୍ୟକ୍ଷ ରୂପେ ଦେଖିଥିବେ ତଥା ରଥ ନିର୍ମାଣ କଳାରେ ମଧ୍ଯ ସିଦ୍ଧହସ୍ତ ଥିବେ । ସେହି ରଥ ଗୁଡିକରେ ଶ୍ରୀଜୀଉମାନଙ୍କ ନିମିତ୍ତ ସୁନ୍ଦର ତଥା କାରୁକାର୍ଯ୍ୟ ପୂର୍ଣ୍ଣ ବିଜେସ୍ଥଳୀର ନିର୍ମାଣ କରାଯିବା ଉଚିତ । ରଥ ଗୁଡିକର ନିର୍ମାଣ ଶେଷ ହୋଇଯିବା ପରେ ରାଜା ଶାସ୍ତ୍ରୋକ୍ତ ବିଧିରେ ମନ୍ତ୍ର ଅନୁସାରେ ସେଗୁଡିକର ପ୍ରତିଷ୍ଠା କରାଇବା ଉଚିତ ।

ଏହାପରେ ରଥଗୁଡିକୁ ମାର୍ଗରେ ଟାଣିବା ନିମନ୍ତେ ପ୍ରଥମେ ମାର୍ଗର ସଂସ୍କାର ଭଲ ଭାବରେ କରିବା ଉଚିତ । ମାର୍ଗର ଉଭୟ ପାର୍ଶ୍ୱକୁ ପୁଷ୍ପଗୁଚ୍ଛ, ମାଲ୍ୟ, ସୁନ୍ଦର ବସ୍ତ୍ର, ଚାମର, ଗୁଳ୍ମଲତା ଓ ପୁଷ୍ପାଦି ଦ୍ୱାରା ଏପରି ସଜାଇବା ଆବଶ୍ୟକ ଯେପରିକି ତାହା ଏକ ସୁନ୍ଦର ପୁଷ୍ପ ଦ୍ୱାରା ସୁଶୋଭିତ ବନ ସଦୃଶ ପ୍ରତୀୟମାନ ହେବ । ମାର୍ଗକୁ ସମ୍ପୂର୍ଣ୍ଣ ସମତଳ କରିବା ଉଚିତ ତଥା ସେଥିରେ ଯେପରି କାଦୁଅ ନ ରହେ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଯଦ୍ୱାରା କି ତାହା ଉପରେ ରଥଗୁଡିକ ସୁରୁଖୁରୁରେ ଗଡି ପାରିବେ । ମାର୍ଗର ଉଭୟ ପାର୍ଶ୍ୱରେ ସ୍ଥାନେ ସ୍ଥାନେ ସୁଗନ୍ଧିତ ଧୂପପାତ୍ର ରହିବା ଆବଶ୍ୟକ । ମାର୍ଗକୁ ଚନ୍ଦନ ଜଳରେ ସିଞ୍ଚନ କରିବା ଆବଶ୍ୟକ । ଯାତ୍ରା ସମୟରେ ଢୋଲ ନାଗରା ଆଦି ବାଦ୍ୟଯନ୍ତ୍ର ବାଜିବା ଉଚିତ । ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ପତାକା ଯୁକ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ଧ୍ୱଜସ୍ତମ୍ଭ ଆଦି ମାର୍ଗରେ ଶୋଭା ପାଇବା ଉଚିତ । ତତ୍ସହିତ ସମ୍ପୂର୍ଣ୍ଣ ମାର୍ଗ ସୁସଜ୍ଜିତ ଗଜ ଓ ଅଶ୍ୱ ଦ୍ୱାରା ପରିପୂର୍ଣ୍ଣ ତଥା ବୈଜୟନ୍ତ ମାଳାରେ ଆଚ୍ଛାଦିତ ହେବା ଆବଶ୍ୟକ । ଏହିପରି ଭାବରେ ରାଜା ଉତ୍ତମ ଭକ୍ତିଯୁକ୍ତ ହୋଇ ଏହି ମହାନ ଉତ୍ସବର ପ୍ରାରମ୍ଭ କରିବା ଉଚିତ ।

ତତ୍ପଶ୍ଚାତ୍ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜୀଉମାନଙ୍କୁ ପ୍ରଭାତରେ ପୂଜାର୍ଚ୍ଚନା କରି ସେମାନଙ୍କୁ ବ୍ରାହ୍ମଣ, ବୈଷ୍ଣବ, ତପସ୍ୱୀ ତଥା ଯତି ମାନଙ୍କ ସହିତ ମହାରାଜା ସ୍ୱୟଂ ଏହି ରଥଯାତ୍ରା ପ୍ରାରମ୍ଭ କରିବା ନିମନ୍ତେ ଯୋଡହସ୍ତ ହୋଇ ଏହିପରି ଭାବରେ ପ୍ରାର୍ଥନା କରିବା ଆବଶ୍ୟକ –

“ପ୍ରଭୋ ! ଆପଣ ପୂର୍ବ କାଳରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହି ଅନୁସାରେ ରଥ ଦ୍ୱାରା ଗୁଣ୍ଡିଚା ମଣ୍ଡପ ପ୍ରତି ବିଜୟ ଯାତ୍ରା ପ୍ରାରମ୍ଭ କରିବା ହୁଅନ୍ତୁ । ଆପଣଙ୍କର କୃପା-କଟାକ୍ଷପୂର୍ଣ୍ଣ ଦୃଷ୍ଟିରେ ଦଶ ଦିଶା ପବିତ୍ର ହେଉ ତଥା ସ୍ଥାବର ଜାଙ୍ଗମାଦି ସମସ୍ତ ପ୍ରାଣୀଗଣ କଲ୍ୟାଣକୁ ପ୍ରାପ୍ତ ହୁଅନ୍ତୁ । ଆପଣ ଏହି ଅବତାର ଲୋକମାନଙ୍କ ପ୍ରତି ଦୟା କରିବା ନିମିତ୍ତ ଗ୍ରହଣ କରିଅଛନ୍ତି । ସେଥିପାଇଁ ହେ ମହାପ୍ରଭୁ ! ଆପଣ ପ୍ରସନ୍ନତା ପୂର୍ବକ ପୃଥିବୀରେ ଚରଣ ରଖି ଏହି ଯାତ୍ରା ପ୍ରାରମ୍ଭ କରନ୍ତୁ ।”

ଏହାପରେ କିଛି ବ୍ୟକ୍ତି ମଙ୍ଗଳଗୀତିର ଗାନ କରିବା ଉଚିତ ଓ କିଛି ବ୍ୟକ୍ତି ‘ଜିତଂ ତେ ପୁଣ୍ଡରୀକାକ୍ଷ…’ ଆଦି ମନ୍ତ୍ରର ଉଚ୍ଚ ସ୍ୱରରେ ଜପ ସହିତ ପ୍ରଭୁଙ୍କର ଜୟଜୟକାର ଧ୍ୱନି କରିବା ଆବଶ୍ୟକ । ଏଥିସହିତ ଭଗବାନଙ୍କର ପବିତ୍ର ଯଶଗାନ ମଧ୍ୟ କରିବା ଆବଶ୍ୟକ । ଶ୍ରୀଜୀଉମାନଙ୍କର ଉଭୟ ପାର୍ଶ୍ୱରେ ସୁବର୍ଣ୍ଣମୟ ଦଣ୍ଡରେ ସୁଶୋଭିତ ପଙ୍ଖା ରହିବା ଉଚିତ । କୃଷ୍ଣ ଅଗରୁର ସୁଗନ୍ଧିତ ଧୂପରେ ସମ୍ପୂର୍ଣ୍ଣ ଦିଶା ଗୁଡିକ ତଥା ସେଠାକାର ଆକାଶ ମଧ୍ୟ ସୁବାସିତ ହେବା ଉଚିତ । ଝାଞ୍ଜ, କରତାଳ, ବେଣୁ, ବୀଣା, ମାଧୁରିକା ଆଦି ବାଦ୍ୟ ପ୍ରଭୁ ଗୋବିନ୍ଦଙ୍କର ଏହି ବିଜୟ ଯାତ୍ରା ସମୟରେ ମଧୁର ସ୍ୱରରେ ବାଜିବା ଆବଶ୍ୟକ । ଏହି ପ୍ରକାର ଉତ୍ସବ ଆରମ୍ଭ ହେବା ମାତ୍ରେ ଶ୍ରୀଜୀଉମାନଙ୍କୁ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମାନେ ପହଣ୍ଡିରେ ନେବା ଉଚିତ ।

ପହଣ୍ଡି ମଝିରେ ମଝିରେ ତୁଳାଗଦି ଉପରେ ସେମାନଙ୍କୁ ବିଶ୍ରାମ କରାଇବା ସହିତ ସେମାନଙ୍କୁ ସୁନ୍ଦର ଚାନ୍ଦୁଆ ଯୁକ୍ତ ମଣ୍ଡପ ଦ୍ୱାରା ସୁଶୋଭିତ ରଥ ଉପରେ ବିଜେ କରାଇବା ଆବଶ୍ୟକ । ସେମାନଙ୍କୁ ନିଜ ନିଜର ବିଜେସ୍ଥଳୀରେ ତୁଳାର କୋମଳ ଗଦି ଉପରେ ଉପବେଶୀତ କରାଇବା ପରେ ଭକ୍ତି ପୂର୍ବକ ବିଭିନ୍ନ ପ୍ରକାରର ବସ୍ତ୍ର, ଆଭୂଷଣ ଓ ମାଳା ଦ୍ୱାରା ବିଭୂଷିତ କରାଇବା ଆବଶ୍ୟକ । ତତ୍ପରେ ସେମାନଙ୍କୁ ନାନା ପ୍ରକାରର ଉପଚାରରେ ପୂଜା କରିବା ପରେ ରଥ ଟଣା ପ୍ରାରମ୍ଭ କରିବା ଉଚିତ । ଏହି ସମୟରେ ରଥ ଉପରେ ବିରାଜମାନ ହୋଇ ଯାତ୍ରା କରୁଥିବା ଶ୍ରୀଜଗନ୍ନାଥଙ୍କୁ ଯେଉଁମାନେ ଭକ୍ତିପୂର୍ବକ ଦର୍ଶନ କରନ୍ତି, ସେମାନଙ୍କର ବୈକୁଣ୍ଠ ପ୍ରାପ୍ତି ହୁଏ ।

ଏହାପରେ ଶ୍ରୀଜୀଉମାନଙ୍କୁ ଗୁଣ୍ଡିଚା ମଣ୍ଡପରେ ବିଜେ କରାଇବା ଉଚିତ । ଗୁଣ୍ଡିଚା ମଣ୍ଡପରେ ଶ୍ରୀଜୀଉମାନଙ୍କର ସାତ ଦିନର ରହଣୀ ସମୟରେ ରଥ ଗୁଡିକର ଭଲ ଭାବେ ରକ୍ଷା କରିବା ଉଚିତ ଏବଂ ତାର ପରଦିନ ରଥଗୁଡିକୁ ପୁନଃ ଦକ୍ଷିଣାଭିମୁଖ କରିବା ସହିତ ସେଗୁଡ଼ିକୁ ପୁନଃ ବସ୍ତ୍ର, ମାଳା, ପତାକା ତଥା ଚାମର ଆଦିରେ ସୁସଜ୍ଜିତ କରାଇବା ଆବଶ୍ୟକ । ଏହାପରେ ଶ୍ରୀଜୀଉମାନଙ୍କୁ ରଥ ଉପରେ ପୁନଃ ବିରାଜମାନ କରାଇ ଦକ୍ଷିଣାଭିମୁଖ ଯାତ୍ରା ପ୍ରାରମ୍ଭ କରିବା ଆବଶ୍ୟକ । ଏହି ଦକ୍ଷିଣାଭିମୁଖ ଯାତ୍ରା ମଧ୍ୟ ପ୍ରାରମ୍ଭିକ ରଥଯାତ୍ରା ପରି ଅତି ଦୁର୍ଲ୍ଲଭ । ଏହି ଦୁଇଟି ଯାକ ଯାତ୍ରା ମୋକ୍ଷଦାୟିନୀ ।

ଯାତ୍ରା, ଗୁଣ୍ଡିଚା ମଣ୍ଡପ ବିଜେ ତଥା ମନ୍ଦିର ପ୍ରବେଶ – ଏହି ତିନୋଟି ଅଙ୍ଗଯୁକ୍ତ ଏହି ‘ମହାବେଦୀ ମହୋତ୍ସବ’ ସମ୍ପୂର୍ଣ୍ଣ ଫଳଦାୟିନୀ, ଯାହାର କୀର୍ତ୍ତନ ମାତ୍ରକେ ମନୁଷ୍ୟ ନିର୍ମଳ ହୋଇଥାଏ । ଯେ ପ୍ରତିଦିନ ପ୍ରାତଃକାଳରେ ଉଠି ସ୍କନ୍ଦ ପୁରାଣର ଏହି ନବଦୀନାତ୍ମକ ରଥଯାତ୍ରା ସମ୍ପର୍କିତ ପ୍ରସଙ୍ଗକୁ ପାଠ କରିଥାଏ, ଅଥବା ଶୁଣିଥାଏ, ଅଥବା ଭଗବଦ୍ ପ୍ରତିମାଙ୍କର ଚିତ୍ର ନେଇ ସେମାନଙ୍କୁ ରଥ ଉପରେ ବିରାଜିତ କରି ଭକ୍ତି ଭାବରେ ଏହି ରଥଯାତ୍ରା ଉତ୍ସବକୁ ସଂପନ୍ନ କରିଥାଏ, ସେ ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପାରୁ ଗୁଣ୍ଡିଚା ମହୋତ୍ସବର ଫଳସ୍ୱରୂପ ବୈକୁଣ୍ଠ ଧାମରେ ନିବାସ କରିଥାଏ ।

ସ୍କନ୍ଦ ପୁରାଣୋକ୍ତ ଏହି ଆଦର୍ଶ ରଥଯାତ୍ରା ପାଳନ ବିଧିକୁ ଅନୁଶୀଳନ କଲେ ଜଣାଯାଏ ଯେ ରଥଯାତ୍ରାର ତିନୋଟି ମୁଖ୍ୟ ଅଙ୍ଗ ରହିଛି, ତାହା ହେଉଛି – ରଥ, ପଥ ଏବଂ ଶ୍ରୀଜଗନ୍ନାଥ । ଆଜିର ସମୟରେ ଆମେ ରଥ ଏବଂ ଶ୍ରୀଜଗନ୍ନାଥଙ୍କୁ ସ୍କନ୍ଦ ପୁରାଣୋକ୍ତ ବିଧିରେ ସୁଶୋଭିତ, ସୁସଜ୍ଜିତ ଏବଂ ଦିବ୍ୟ ଅର୍ଚ୍ଚନା ଆଦି କରୁଛେ, ମାତ୍ର ଏହି ରଥଯାତ୍ରା ଉତ୍ସବର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ – ପଥ ବା ମାର୍ଗ ବା ବଡଦାଣ୍ଡକୁ ସଂସ୍କାରିତ, ସୁସଜ୍ଜିତ ତଥା ସୁଶୋଭିତ କରିବାରେ ଅବହେଳା ପ୍ରକାଶ କରୁଛେ । ଏପରିକି ଅନେକ ସମୟରେ ଏହି ବଡଦାଣ୍ଡକୁ ଅପରିଷ୍କାର କରିବାକୁ ମଧ୍ୟ ଆମେମାନେ ତିଳେମାତ୍ର ସଙ୍କୋଚ ବୋଧ କରୁନାହେଁ । ଏଣୁ ବିନୀତ ନିବେଦନ, ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନ ତଥା ଜନସାଧାରଣ ରଥଯାତ୍ରା ସମୟରେ ବଡଦାଣ୍ଡକୁ ନିର୍ମଳ ତଥା ପବିତ୍ର ରଖିବା ସହିତ ଏହାକୁ ଯଥାସମ୍ଭବ ସଂସ୍କାରିତ,ସୁସଜ୍ଜିତ ଓ ସୁଶୋଭିତ କରି ମହାପ୍ରଭୁଙ୍କ କୃପା ଲାଭ କରିବା ହୁଅନ୍ତୁ ।

ଜୟ ଜଗନ୍ନାଥ !

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar