କିପରି ଥିଲା କୋଣାର୍କ ମନ୍ଦିରର ମୁଖ୍ୟ ବିଗ୍ରହଙ୍କ ରୂପରେଖ ?

ବରିଷ୍ଠ ତଥା ଅଗ୍ରଗଣ୍ୟ କବି ଶୈଳଜ ରବିଙ୍କ ଭାଷାରେ –
“କୋଣାର୍କ କହିଲେ କଣ
ବୁଝାଯାଏ ଖାଲି
ଶୃଙ୍ଗାର ଓ ରତି
କାମନା ଅଭିପ୍ସା !
× × × × × ×
ଯେଉଁଠି ଇନ୍ଦ୍ରିୟ ଦେଇ
ସବୁ ବୁଝି ହୁଏ
ହେଲେ, ସବୁକିଛି
ନିର୍ବେଦ, ନିଶ୍ଚଳ
× × × × × ×
କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ତଥା ସୋନ୍ଦର୍ଯ୍ୟକୁ ଆକଳନ କରିବାକୁ ହେଲେ ଚର୍ମ ଚକ୍ଷୁ ତଥା ଇନ୍ଦ୍ରିୟ ସମୂହର ସାହାଯ୍ୟ ନେବାକୁ ହୁଏ, ହେଲେ ଏହାର ଅଜଣା ରହସ୍ୟ ସବୁକୁ ଭେଦ କରିବା ନିମିତ୍ତ ଇନ୍ଦ୍ରୀୟାତୀତ ହେବାକୁ ହୁଏ । ଖୋଲିବାକୁ ହୁଏ ନିଜର ଜ୍ଞାନ ଚକ୍ଷୁ, ତେବେ ଯାଇ ବୁଝିହୁଏ କୋଣାର୍କକୁ । ଆମେ ସମସ୍ତେ କେବେ ନା କେବେ କୋଣାର୍କକୁ ଦେଖିଛେ ଅତି ନିକଟରୁ । ହେଲେ କେବେ କଳ୍ପନା କରି ପାରିଛେ କି ସଦ୍ୟ ନିର୍ମିତ କୋଣାର୍କ କିପରି ଥିଲା ଦେଖିବାକୁ ? କିପରି ଥିଲା ଗର୍ଭ ଗୃହର ରତ୍ନ ସିଂହାସନରେ ବିରାଜିତ ପ୍ରଭୁ ସୂର୍ଯ୍ୟ ଦେବଙ୍କର ମୁଖ୍ୟ ବିଗ୍ରହଙ୍କ ରୂପରେଖ ? ଏବଂ ଆଜି ସେ ବିଗ୍ରହ କେଉଁଠି ?
ଆସନ୍ତୁ ଜାଣିବା ସେ ସମ୍ପର୍କରେ …
ଆମ ଆଗରେ ଏ ସମ୍ପର୍କିତ ତିନୋଟି ବିନ୍ଦୁ ରହିଛି ଆଲୋଚନା ନିମନ୍ତେ । ସେଗୁଡ଼ିକ ହେଲା –
୧) କୋଣାର୍କ ଅଧା ଗଢା ଥିଲା, ଏଣୁ ମୁଖ୍ୟ ବିଗ୍ରହ ପ୍ରତିଷ୍ଠା ହିଁ ହୋଇ ନଥିଲେ ।
୨) ମୁଖ୍ୟ ବିଗ୍ରହ କଳାପାହାଡ଼ ଓ ଅନ୍ୟ ବିଧର୍ମୀଙ୍କ ଆକ୍ରମଣରେ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇଥିଲେ, ଏଣୁ ସେ ଅନୁପଲବ୍ଧ ।
୩) କୋଣାର୍କ ଧ୍ବସ୍ତ ହେବା ପରେ ମୁଖ୍ୟ ବିଗ୍ରହ ସ୍ଥାନାନ୍ତରିତ ହୋଇ ଅନ୍ୟତ୍ର ବିଦ୍ୟମାନ ।
ପ୍ରଥମ ବିନ୍ଦୁ ଅନୁସାରେ ଅନେକ ବିଶ୍ଵାସ କରନ୍ତି ଯେ କୋଣାର୍କ ଅଧାଗଢା ବା ଅସମ୍ପୂର୍ଣ୍ଣ ଥିଲା । ତେଣୁ ଏହାର ମୁଖ୍ୟ ବିଗ୍ରହ ଆଦୌ ସ୍ଥାପିତ ହିଁ ହୋଇ ନଥିଲେ । ତେବେ ଏହି ବିଶ୍ୱାସ ଭୁଲ ପ୍ରମାଣିତ ହୁଏ ସେତେବେଳେ, ଯେତେବେଳେ ଆମେ କୋଣାର୍କ ମନ୍ଦିରର ଗର୍ଭ ଗୃହରେ ଥିବା ରତ୍ନ ସିଂହାସନର ଏଠାରେ ସଂଲଗ୍ନ ଫୋଟୋକୁ ଦେଖୁ । ଏଥିରେ ମୁଖ୍ୟ ବିଗ୍ରହ ବିସ୍ଥାପିତ ହୋଇଥିବାର ଚିହ୍ନ ସ୍ପଷ୍ଟ ଭାବରେ ପ୍ରତୀୟମାନ ହୁଏ ରତ୍ନ ସିଂହାସନରେ । ଆଉ ମଧ୍ୟ ଏଥିରେ ଦୈନନ୍ଦିନ ଉପାସନାର ପ୍ରମାଣ ସ୍ୱରୂପ କିଛି ଚିହ୍ନ ମଧ୍ୟ ଦୃଷ୍ଟି ଆକର୍ଷଣ କରେ ଯାହା ପ୍ରମାଣ ଦିଏ ଯେ କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ହେବା ପରେ ଏଠାରେ ମୁଖ୍ୟ ବିଗ୍ରହଙ୍କ ଉପାସନା ବେଶ୍ କିଛି କାଳ ପର୍ଯ୍ୟନ୍ତ ଚାଲିଥିଲା । ଅତଏବ ମୁଖ୍ୟ ବିଗ୍ରହ ନିଶ୍ଚିତ ଭାବରେ ଗର୍ଭ ଗୃହରେ ବିରାଜମାନ କରିଥିଲେ । ତେବେ ପ୍ରଶ୍ନ ଉଠେ ଏବେ ସେ କେଉଁଠି ?

ଆଲୋଚନାର ଦ୍ଵିତୀୟ ବିନ୍ଦୁ ଅନୁସାରେ ଏକଦା କୋଣାର୍କ କାହିଁକି ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିର ଓ ଏହାର ଦେବାଦେବୀ କଳାପାହାଡ଼ ଏବଂ ବିଧର୍ମୀ ମାନଙ୍କ ଆକ୍ରମଣରେ ଭଗ୍ନ ଅଥବା ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲେ । ଏଣୁ ସମ୍ଭବତଃ କୋଣାର୍କର ମୁଖ୍ୟ ବିଗ୍ରହ ମଧ୍ୟ ଏହି ଆକ୍ରମଣ ଦ୍ଵାରା ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇଥିଲେ । ଯଦି ଏହି ବିଗ୍ରହ ଅଧୁନା ଅନୁପଲବ୍ଧ ତେବେ ହୋଇପାରେ ଯେ ତାହା ସେହି ନିଷ୍ଠୁର ଆକ୍ରମଣରେ ସମ୍ପୂର୍ଣ୍ଣ ବିଧ୍ବସ୍ତ ହୋଇଥିଲେ, ଅଥବା ଆଂଶିକ ଭାବେ ଧ୍ବସ୍ତ ହୋଇ କୋଣାର୍କର ଭଗ୍ନ ସ୍ତୁପ ମଧ୍ୟରେ ବହୁକାଳ ପଡ଼ିରହି ପରବର୍ତ୍ତୀ ପର୍ଯ୍ୟାୟରେ ଚୋରା ମୂର୍ତ୍ତି ବେପାରୀଙ୍କ ଦ୍ବାରା ବିଦେଶୀ ଧନୀକଙ୍କ ହାତକୁ ଯାଇଥିଲେ ଏବଂ ହୋଇପାରେ ଆଜି ମଧ୍ୟ ସେ କେଉଁ ଅଜଣା ଧନୀ ବିଦେଶୀଙ୍କ ବୈଠକଖାନାର ପ୍ରଦର୍ଶିତ ବିଷୟବସ୍ତୁ ଯାହାଙ୍କର ମୂଳ ପରିଚିତି ସେହି ଧନୀକଙ୍କୁ ହୁଏତ ଅଜଣା !
ଆଲୋଚନାର ତୃତୀୟ ବିନ୍ଦୁ ଅନୁସାରେ କୋଣାର୍କ ଭଗ୍ନ ହେବା ପରେ ମୁଖ୍ୟ ବିଗ୍ରହ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ । ଏହାର ସମ୍ଭାବନା ଏଇଥିପାଇଁ ରହିଛି କାହିଁକି ନା କୋଣାର୍କର ଅନେକ ମୂର୍ତ୍ତି ଆଜି ବିବିଧ ମନ୍ଦିର ତଥା ମ୍ୟୁଜିୟମରେ ସ୍ଥାନିତ । ଯେପରିକି କୋଣାର୍କର ନବଗ୍ରହ ଶିଳା ବ୍ରିଟିଶ ମ୍ୟୁଜିୟମରେ ଅଧୁନା ପ୍ରଦର୍ଶିତ ତଥା ଅନ୍ୟ ଦୁଇଟି ନବଗ୍ରହ ଶିଳା କୋଣାର୍କ ମନ୍ଦିର ନିକଟସ୍ଥ ନବଗ୍ରହ ମନ୍ଦିର ଓ ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସ୍ଥାପିତ । କୋଣାର୍କର ଅନେକ ଛୋଟ ବଡ଼ ମୂର୍ତ୍ତି ମଧ୍ୟ ପୁରୀର ସିଦ୍ଧ ମହାବୀର ମନ୍ଦିରରେ ପୂଜିତ ତଥା ଦେଶ ବିଦେଶର ମ୍ୟୁଜିୟମ ମାନଙ୍କରେ ପ୍ରଦର୍ଶିତ ଯେପରିକି ବ୍ରିଟିଶ ମ୍ୟୁଜିୟମ, ଫିଲାଡେଲ୍ଫିଆ ମ୍ୟୁଜିୟମ ଅଫ୍ ଆର୍ଟ, ମ୍ୟୁଜିୟମ ଅଫ୍ ଫାଇନ୍ ଆର୍ଟସ୍ (ବୋଷ୍ଟନ୍), ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମ (ଲଣ୍ଡନ), ଜାତୀୟ ସଂଗ୍ରହାଳୟ (ନୂଆ ଦିଲ୍ଲୀ), ଇଣ୍ଡିଆନ୍ ମ୍ୟୁଜିୟମ (କଲିକତା), କୋଣାର୍କ ଏ.ଏସ୍.ଆଇ. ମ୍ୟୁଜିୟମ ଇତ୍ୟାଦି ।
ଏବେ ପ୍ରଶ୍ନ ଉଠେ, ଯଦି ମୁଖ୍ୟ ବିଗ୍ରହ ସ୍ଥାନାନ୍ତରିତ ହୋଇଥିଲେ, ତେବେ ସେ ଏବେ କେଉଁଠି ?
ପ୍ରଥମ ଉତ୍ତର ହେବ ଏବେ ସେ ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ପ୍ରଦର୍ଶିତ (ମୂଳରେ ପ୍ରଦତ୍ତ ସଂଲଗ୍ନ ଚିତ୍ରଟିକୁ ଦେଖନ୍ତୁ) । ଏ.ଏସ୍.ଆଇ. ର ଆକଳନ ଅନୁସାରେ ଏହି ବିଗ୍ରହ ହିଁ ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭ ଗୃହରେ ପୂଜା ପାଉଥିଲେ । ବ୍ରିଟିଶ ଶାସନ ସମୟରେ ୧୯୦୫ ମସିହାରେ ବାଲିରେ ପୋତି ହୋଇଯାଇଥିବା କୋଣାର୍କର ନାଟ ମଣ୍ଡପର ଖନନ ସମୟରେ ସେଠାରୁ ଏହାଙ୍କୁ ଉଦ୍ଧାର କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ସ୍ଥାନିତ କରାଯାଇଥିଲା । ସୋନ୍ଦର୍ଯ୍ୟ ତଥା ସୂକ୍ଷ୍ମ କାରିଗରୀ ଦୃଷ୍ଟିରୁ ଏହା ନିଶ୍ଚିତ ଭାବେ ଏକ ଅତୁଳନୀୟ ପ୍ରତିମା । ତେବେ କୋଣାର୍କ ମନ୍ଦିରର ତିନି ଗୋଟି ପାର୍ଶ୍ଵ ଦେବତାଙ୍କର ମୂର୍ତ୍ତି ସହିତ ଏହାକୁ ତୁଳନା କଲେ କିଛିଟା ଅସାମଞ୍ଜସ୍ୟ ଦେଖା ଦିଏ । ଯେପରିକି ତିନି ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତି ସହିତ ସୂର୍ଯ୍ୟ ଦେବଙ୍କର ଚାରିଗୋଟି ପତ୍ନୀ (ରାଜ୍ଞୀ, ରିକ୍ଷ୍ୟୁଭା, ଛାୟା ଓ ସୁବର୍ଚସା/ବିଷ୍ଣୁ ଧର୍ମୋତ୍ତର ପୁରାଣର ବର୍ଣ୍ଣନା ଅନୁସାରେ) ଉପସ୍ଥିତ ଥିବା ବେଳେ ଏହି ବିଗ୍ରହରେ ତାଙ୍କର କୌଣସି ପତ୍ନୀ ଉପସ୍ଥିତ ନ ଥାଇ କେବଳ ଦୁଇ ପାର୍ଶ୍ୱରେ ଜଣେ ଜଣେ ଚାମର ଧାରିଣୀ (ପରିଚାରିକା) ଉପସ୍ଥିତ ଅଛନ୍ତି । ପୁନଶ୍ଚ ତିନି ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତିରେ ସୂର୍ଯ୍ୟ ଦେବଙ୍କର ଉଭୟ ପାର୍ଶ୍ଵରେ ବ୍ରହ୍ମା ଓ ବିଷ୍ଣୁ ଥିବା ବେଳେ ଏଥିରେ ସେପରି କେହି ନାହାନ୍ତି । ଏଣୁ ମୁଖ୍ୟ ବିଗ୍ରହଙ୍କ କ୍ଷେତ୍ରରେ ବ୍ରହ୍ମା, ବିଷ୍ଣୁ ଏବଂ ସୂର୍ଯ୍ୟ ପତ୍ନୀଙ୍କ ଅନୁପସ୍ଥିତି ଏହା ଦର୍ଶାଉଛି ଯେ ଏହା ହୁଏତ ପୁରାତନ ସୂର୍ଯ୍ୟ ମନ୍ଦିର (ଯାହାକୁ ବର୍ତ୍ତମାନ ଛାୟା ଦେବୀ ବା ମାୟା ଦେବୀ ମନ୍ଦିର ବୋଲି କୁହାଯାଉଛି) ର ଏକ ଅନୁପଲବ୍ଧ ପାର୍ଶ୍ଵ ବିଗ୍ରହ ଅଥବା ମୁଖ୍ୟ ବିଗ୍ରହ । ଏବଂ ପୁରାତନ ସୂର୍ଯ୍ୟ ମନ୍ଦିରର ଦୁଇଟି ଉପଲବ୍ଧ ପାର୍ଶ୍ଵ ବିଗ୍ରହଙ୍କର ରୂପରେଖ ସହିତ ମଧ୍ୟ ଏହାର ସମ୍ପୂର୍ଣ୍ଣ ମେଳ ରହୁଛି । ଅତଏବ ଏହା କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭ ଗୃହରେ ପୂଜିତ ମୁଖ୍ୟ ବିଗ୍ରହ ହୋଇ ନ ପାରିଥାଏ ।

ଏବେ ଯଦି ଆମେ ଦ୍ଵିତୀୟ ଉତ୍ତରକୁ ଯିବା ତେବେ ଅନେକ ବିଶ୍ୱାସ କରନ୍ତି ଯେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ଲକ୍ଷ୍ମୀ ମନ୍ଦିର ନିକଟରେ ସ୍ଥିତ ସୂର୍ଯ୍ୟ ମନ୍ଦିରରେ କୋଣାର୍କ ମନ୍ଦିରର ଭଗ୍ନ ମୁଖ୍ୟ ବିଗ୍ରହ ସମ୍ପ୍ରତି ସ୍ଥାନିତ (ଏଠାରେ ପ୍ରଦତ୍ତ ତତ୍ସମ୍ପର୍କିତ ଏକ କାଳ୍ପନିକ ଚିତ୍ର) । ଏହି ସୂର୍ଯ୍ୟ ମନ୍ଦିରର ଗର୍ଭ ଗୃହରେ ଏକ ବିଶାଳ ଶିଳାର ପଶ୍ଚାଦ ଭାଗରେ ଏହା ଅଧୁନା ସ୍ଥାନିତ । ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ଦିବ୍ୟସିଂହ ଦେବ ୨ୟଙ୍କ ରାଜତ୍ଵ ସମୟରେ ମରହଟ୍ଟାଙ୍କ ଗୁରୁ ବାବା ବ୍ରହ୍ମଚାରୀ (ପାଠାନ୍ତରରେ ବ୍ରହ୍ମଚାରୀ ଗୋସାଇଁ) କୋଣାର୍କ ମନ୍ଦିରର ଭଗ୍ନ ସ୍ତୁପ ମଧ୍ୟରୁ ଅନେକ ଛୋଟ ବଡ଼ ମୂର୍ତ୍ତି ଉଦ୍ଧାର କରି ପୁରୀକୁ ଆଣିଥିଲେ ଯାହା ଶ୍ରୀମନ୍ଦିର ଓ ସିଦ୍ଧ ମହାବୀର ମନ୍ଦିରରେ ସ୍ଥାନିତ ହୋଇଥିଲା । ତାଙ୍କ ଦ୍ବାରା ମଧ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସମ୍ମୁଖରେ ମୂଳତଃ ସ୍ଥାପିତ ଅରୁଣ ସ୍ତମ୍ଭକୁ ପୁରୀ ଅଣାଯାଇ ଶ୍ରୀ ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଥିଲା । ଯେଉଁ ଛୋଟ ବଡ଼ ମୂର୍ତ୍ତି ସେ ଉଦ୍ଧାର କରିଥିଲେ ତନ୍ମଧ୍ୟରୁ ଅନ୍ୟତମ ଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ଧାତବ ଚଳନ୍ତି ପ୍ରତିମା ଦ୍ବୟ (ଉତ୍ତରାୟଣ ଓ ଦକ୍ଷିଣାୟନ ସୂର୍ଯ୍ୟ ବିଗ୍ରହ) ତଥା ଭଗ୍ନ ସୂର୍ଯ୍ୟ ଦେବଙ୍କର ମୁଖ୍ୟ ବିଗ୍ରହ । ତଥାକଥିତ ଏହି ଭଗ୍ନ ସୂର୍ଯ୍ୟ ଦେବଙ୍କର ମୁଖ୍ୟ ବିଗ୍ରହଙ୍କ ରୂପରେଖ କିପରି ଆସନ୍ତୁ ଏବେ ଜାଣିବା ।
ଶ୍ରୀ ମନ୍ଦିର ପରିସରରେ ଥିବା ସୂର୍ଯ୍ୟ ମନ୍ଦିରର ଗର୍ଭ ଗୃହର ମଧ୍ୟ ଭାଗରେ ଏକ ପ୍ରାଚୀନ କୃଷ୍ଣକାୟ ଶିଳାରେ ଖୋଦିତ ମୂର୍ତ୍ତି ଅଧୁନା ପୂଜିତ । ଏହି ମନ୍ଦିରର ସେବକଙ୍କ କହିବା ଅନୁଯାୟୀ ଏହା ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଦ୍ଵାରା ପୂଜିତ ମୂର୍ତ୍ତି ଯାହାକୁ କୋଣାର୍କରୁ ଅଣା ଯାଇଥିଲା । ଏହି ମୂର୍ତ୍ତି ଦେଖିବାକୁ ଅତି ପ୍ରାଚୀନ ତଥା ଏହାର ପାଦ ଦେଶରେ ଖୋଦିତ ସପ୍ତ ଅଶ୍ୱ ଚିତ୍ରରୁ ଜଣା ଯାଏ ଯେ ଏହା ଏକ ସୂର୍ଯ୍ୟ ମୂର୍ତ୍ତି । ଏହି ମୂର୍ତ୍ତିର ଉଭୟ ପାର୍ଶ୍ଵରେ କୋଣାର୍କରୁ ଆନୀତ ଉତ୍ତରାୟଣ ଓ ଦକ୍ଷିଣାୟନ ଧାତବ ସୂର୍ଯ୍ୟ ବିଗ୍ରହ ଦ୍ବୟ ବିଦ୍ୟମାନ ଯାହାକି କୋଣାର୍କ ସୂର୍ଯ୍ୟ ମନ୍ଦିରର ଚଳନ୍ତି ପ୍ରତିମା । ଏହି ବିଗ୍ରହ ଦ୍ବୟ ଦଣ୍ଡାୟମାନ ରୂପରେ ନିର୍ମିତ ତଥା ଉଭୟ ହସ୍ତରେ ପଦ୍ମ ଧାରଣ କରିଛନ୍ତି । ଏହି ମୂର୍ତ୍ତି ତ୍ରୟର ଠିକ୍ ପଛ ପଟେ ଏକ ଶିଳା ରହିଛି ଯାହାର ପଛ ପଟେ ଏକ ଭଗ୍ନ ମୂର୍ତ୍ତି ଅବସ୍ଥିତ । ଏହି ମୂର୍ତ୍ତିକୁ କୁହାଯାଏ ଯେ ଏହା କୋଣାର୍କରୁ ଆନୀତ ସୂର୍ଯ୍ୟ ଦେବଙ୍କର ମୁଖ୍ୟ ବିଗ୍ରହ । ଏହା କୃଷ୍ଣ ଶିଳାରେ ନିର୍ମିତ । ମୂର୍ତ୍ତି ଦଣ୍ଡାୟମାନ ନୁହନ୍ତି, ବରଂ ଲଳିତାସନ ମୁଦ୍ରାରେ ସ୍ଥିତ (ଗୋଟିଏ ଗୋଡ଼ ମୁଦ୍ରିତ ଓ ଅନ୍ୟଟି ତଳକୁ ଝୁଲି ରହିଛି) । ଏହାଙ୍କର ଦୁଇଟି ହସ୍ତ ଭଗ୍ନ । ଏହାଙ୍କର ଉଭୟ ପାର୍ଶ୍ଵରେ ଜଣେ ଜଣେ ଚାମର ଧାରିଣୀ ଓ କିଛି ନାରୀ ପରିଚାରିକା ରହିଛନ୍ତି । ମସ୍ତକରେ ମୁକୁଟ ଓ ଏହା ଉପରେ ଛତ୍ର ରହିଛି । ଶରୀର ମାଳା ଦ୍ଵାରା ଶୋଭିତ । ପାଦ ଦ୍ବୟ ଉନ୍ମୁକ୍ତ ଏବଂ ଏହାର ତଳ ଅଂଶ ଦୃଷ୍ଟି ଗୋଚର ହେଉନାହିଁ । ତେବେ ସ୍ଵତଃ ମନରେ ପ୍ରଶ୍ନ ଉଠେ ଯେ ଏହା ସୂର୍ଯ୍ୟ ଦେବଙ୍କର ମୂର୍ତ୍ତି ହୋଇପାରେ କି ?
ଉତ୍ତରରେ ଏତିକି କୁହାଯାଇପାରେ ଯେ ସୂର୍ଯ୍ୟ ଦେବଙ୍କର ମୁଖ୍ୟ ଚିହ୍ନ ହେଉଛି ଉଭୟ ହସ୍ତରେ ଧାରଣ କରାଯାଇଥିବା ପଦ୍ମ । ଯେହେତୁ ଏହି ମୂର୍ତ୍ତିଙ୍କର ହସ୍ତ ଦ୍ବୟ ଭଗ୍ନ ତେଣୁ ପଦ୍ମ ଦ୍ବୟ ଦୃଷ୍ଟି ଗୋଚର ହେଉନାହିଁ । ମାତ୍ର ଏହି ମୂର୍ତ୍ତିଟିର ଗୋଟିଏ ପାର୍ଶ୍ୱରେ ସମ୍ଭବତଃ ପଦ୍ମ ରହିଥିବା ଭଗ୍ନ ସ୍ଥାନଟିଏ ଦେଖିବାକୁ ମିଳୁଥିବା ସମୟରେ ଅନ୍ୟ ପାର୍ଶ୍ବରେ ଭଗ୍ନ ପଦ୍ମର କୌଣସି ଚିହ୍ନ ନାହିଁ । ତେଣୁ ସମ୍ଭବତଃ ମୂର୍ତ୍ତିଟି ମୂଳତଃ ଗୋଟିଏ ହାତରେ ପଦ୍ମ ଧରିଥିଲେ । ବିଷ୍ଣୁ ଧର୍ମୋତ୍ତର ପୁରାଣର ବର୍ଣ୍ଣନା ଅନୁସାରେ ସୂର୍ଯ୍ୟ ମୂର୍ତ୍ତିଙ୍କର ଏକ ସ୍ୱରୂପ ମଧ୍ୟ ହେଉଛି –
ସେ ଦକ୍ଷିଣ ହସ୍ତରେ ପଦ୍ମ ତଥା ବାମ ହସ୍ତରେ ତାଙ୍କର ସପ୍ତାଶ୍ୱର ଲଗାମ ଧରିଥିବେ ।
ଏଣୁ ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ ଏହା ସୂର୍ଯ୍ୟଙ୍କର ଏକ ବିରଳ ପ୍ରତିମା ହୋଇପାରେ ଯେ କି ସପ୍ତାଶ୍ୱ୍ ଦ୍ଵାରା ଚାଳିତ ଏକ ରଥାକୃତି ମନ୍ଦିରରେ ବିରାଜମାନ କରି ଗୋଟିଏ ହସ୍ତରେ ପଦ୍ମ ଧାରଣ କରିଛନ୍ତି, ଅନ୍ୟ ହସ୍ତରେ କାଳ୍ପନିକ ଭାବେ ସପ୍ତାଶ୍ୱର ଲଗାମ ଧରିଛନ୍ତି ତଥା ଲଳିତାସନ ମୁଦ୍ରାରେ ରହିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହା ମୂଳତଃ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ବିଗ୍ରହ କି ?
ଉତ୍ତରରେ ଏତିକି କୁହାଯାଇ ପାରିବ ଯେ ଆମେ ଯଦି ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟ ସ୍ଥିତ ସୂର୍ଯ୍ୟ ମୂର୍ତ୍ତି ତଥା ଶ୍ରୀ ମନ୍ଦିରର ସୂର୍ଯ୍ୟ ମନ୍ଦିରର ଗର୍ଭ ଗୃହ ସ୍ଥିତ ଭଗ୍ନ ମୂର୍ତ୍ତିର ଆଧାର ଶିଳାକୁ ଅନୁଧ୍ୟାନ କରି ମାପ କରିବା ଏବଂ ଏହି ମାପ ସହିତ କୋଣାର୍କର ରତ୍ନ ସିଂହାସନରେ ମୁଖ୍ୟ ବିଗ୍ରହଙ୍କର ବିସ୍ଥାପିତ ଚିହ୍ନକୁ ତୁଳନା କରି ମେଳ କରିବା, ତେବେ ଯାଇ ପ୍ରମାଣିତ ହେବ ଯେ କେଉଁ ମୂର୍ତ୍ତିଟି ମୁଖ୍ୟ ବିଗ୍ରହ ହେବାକୁ ଯୋଗ୍ୟ । ଏବଂ ଯଦି ଉଭୟଟିରେ ଅମେଳ ରହେ, ତେବେ ଏହି ଆଲେଖ୍ୟର ଦ୍ଵିତୀୟ ବିନ୍ଦୁଟି ହିଁ ଠିକ୍, ତାହା ହେଲା –
ମୁଖ୍ୟ ବିଗ୍ରହ କଳାପାହାଡ଼ ଓ ଅନ୍ୟ ବିଧର୍ମୀଙ୍କ ଆକ୍ରମଣରେ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ, ଏଣୁ ସେ ଅନୁପଲବ୍ଧ । ଏବଂ ତାଙ୍କର ରୂପରେଖ ମୁଖ୍ୟ ମନ୍ଦିରର ପାର୍ଶ୍ଵ ଦେବତାଙ୍କ ସଦୃଶ ଦଣ୍ଡାୟମାନ ରୂପ ହୋଇପାରେ ଅଥବା କୋଣାର୍କ ମନ୍ଦିର ନିର୍ମାଣ ସମ୍ପର୍କିତ ବାୟା ଚକଡା଼ ପୋଥି ବର୍ଣ୍ଣିତ ପୀଠାସୀନ ମହାଭାସ୍କରଙ୍କ ରୂପ ହୋଇପାରେ, କିଏ କହିବ ?
[ମଧ୍ୟରେ ସ୍ଥିତ ଚିତ୍ର ସୌଜନ୍ୟ Prashant Sahu , ନିମ୍ନରେ ସଂଲଗ୍ନ ଚିତ୍ର ସୌଜନ୍ୟ Shree Jagannatha Facebook Page]

Comments
So empty here ... leave a comment!