ଦଶମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ‘ପଞ୍ଜ୍ ପ୍ୟାରେ’ ମଧ୍ୟରୁ ଅନ୍ୟତମ – ଶ୍ରୀକ୍ଷେତ୍ର ପୁରୀର ଭାଇ ହିମ୍ମତ ସିଂହ

ସେଦିନ ଥିଲା ୧୬୯୯ ମସିହା ଏପ୍ରିଲ ମାସ ୧୩ ତାରିଖ ବୈଶାଖୀର ତିଥି । ପଞ୍ଜାବର ଆନନ୍ଦପୁର ଠାରେ ଦଶମ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ଡ଼ାକରାରେ ସନାତନ ଧର୍ମର ରକ୍ଷା ନିମନ୍ତେ ଖାଲସା ପନ୍ଥର ସ୍ଥାପନା ନିମିତ୍ତ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥାଏ । ଗୁରୁ ଗୋବିନ୍ଦ ସିଂହ ହାତରେ ଉନ୍ମୁକ୍ତ ଖଡ୍ଗଟିଏ ଧାରଣ କରି ହଠାତ୍ ଏକ ଘୋଷଣା କଲେ ଯେ ମା ଭଗବତୀଙ୍କ ପ୍ରିତ୍ୟାର୍ଥେ ତାଙ୍କର ଏକ ବଳି ଦରକାର । ସହସା ଏକ ଯୁବକ ଆଗେଇ ଆସିଲେ । ଗୁରୁ ଗୋବିନ୍ଦ ସିଂହ ତାଙ୍କୁ ସମୀପରେ ଥିବା ଏକ ତମ୍ବୁ ମଧ୍ୟକୁ ନେଇଗଲେ ଓ ପରବର୍ତ୍ତୀ ସମୟରେ ତମ୍ବୁ ବାହାରକୁ ଆସିବା ବେଳକୁ ଦେଖାଗଲା ତାଙ୍କ ସହିତ ସେ ଯୁବକ ନାହାନ୍ତି, କିନ୍ତୁ ତାଙ୍କ ଖଡ୍ଗରେ ରକ୍ତର ଧାର !
ପୁନଶ୍ଚ ଗୁରୁ ଗୋବିନ୍ଦ ସିଂହ ଘୋଷଣା କଲେ ଯେ ତାଙ୍କର ଆଉ ଏକ ବଳି ଦରକାର । ପୁଣି ଆଉ ଏକ ଯୁବକ ଆଗେଇ ଆସିଲେ ଓ ଗୁରୁ ଗୋବିନ୍ଦ ସିଂହ ତାଙ୍କୁ ମଧ୍ୟ ତମ୍ବୁ ମଧ୍ୟକୁ ନେଇଗଲେ । ପୁନଶ୍ଚ ସେ ବାହାରକୁ ଆସିବା ବେଳକୁ ଦେଖାଗଲା ଯେ ତାଙ୍କ ସହିତ ସେ ଯୁବକ ନାହାନ୍ତି, କିନ୍ତୁ ତାଙ୍କ ଖଡ୍ଗରେ ପୁନଶ୍ଚ ରକ୍ତର ଧାର ! ଏହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ତିନିଜଣ ଯୁବକ ମଧ୍ୟ ତାଙ୍କ ଘୋଷଣାରେ ଆଗେଇ ଆସିଲେ ଓ ତମ୍ବୁ ମଧ୍ୟକୁ ଗଲେ, କିନ୍ତୁ ତମ୍ବୁ ବାହାରକୁ ଆଉ ଆସିଲେ ନାହିଁ । ଗୁରୁ ଗୋବିନ୍ଦ ସିଂହଙ୍କ ଖଡ୍ଗରେ ପୁନଶ୍ଚ ପୂର୍ବପରି ରକ୍ତର ଧାର ଦେଖା ଯାଉଥିଲା ।
ଏହି ପାଞ୍ଚ ଜଣଙ୍କ ପ୍ରୟାସ ପରେ ଗୁରୁ ଗୋବିନ୍ଦ ସିଂହ ଯେତେବେଳେ ପୁନର୍ବାର ବଳି ନିମିତ୍ତ ଘୋଷଣା କଲେ, ଭୟରେ ଆଉ କେହି ଆଗକୁ ଆସିବା ନିମିତ୍ତ ଆଗଭର ହେଲେ ନାହିଁ । ଏହାପରେ ଗୁରୁ ଗୋବିନ୍ଦ ସିଂହ ପୁନର୍ବାର ତମ୍ବୁ ମଧ୍ୟକୁ ଯାଇ ବାହାରକୁ ଆସିଲେ । ଆଶ୍ଚର୍ଯ୍ୟ ! ତାଙ୍କ ସହିତ ପୂର୍ବରୁ ସମ୍ଭବତଃ ତାଙ୍କ ଦ୍ଵାରା ବଳି ଦିଆଯାଇଥିବା ସେହି ପାଞ୍ଚ ଜଣ ଯୁବକ ଜୀବିତ ଅବସ୍ଥାରେ ଉପସ୍ଥିତ ଥିଲେ ! ଗୁରୁ ଗୋବିନ୍ଦ ସିଂହ ଏହି ପାଞ୍ଚ ଜଣଙ୍କୁ ‘ପଞ୍ଜ୍ ପ୍ୟାରେ’ ଅଥବା ‘ପାଞ୍ଚ ପ୍ରିୟ’ ଭାବରେ ସମ୍ବୋଧନ କଲେ ଓ ଏହି ପାଞ୍ଚ ଜଣ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ଵାରା ଅନୁମୋଦିତ ଖାଲସା ପନ୍ଥର ପ୍ରଥମ ପାଞ୍ଚ ଜଣ ଶିଷ୍ୟ ହେଲେ ଯେଉଁମାନଙ୍କୁ ଶିଖ ଧର୍ମର ଅନୁଗାମୀ ମାନେ ବିଶେଷ ମାନ୍ୟତା ଓ ସମ୍ମାନ ପ୍ରଦର୍ଶନ କରିଥାନ୍ତି ।
ତେବେ ଏହି ପ୍ରସଙ୍ଗରେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଗୁରୁ ଗୋବିନ୍ଦ ସିଂହଙ୍କ ‘ପଞ୍ଜ୍ ପ୍ୟାରେ’ ଙ୍କ ମଧ୍ୟରୁ ତୃତୀୟ ତଥା ଅନ୍ୟତମ ବିଶେଷ ଖାଲସା ଶିଷ୍ୟ ଥିଲେ ଆମ ଶ୍ରୀକ୍ଷେତ୍ର, ପୁରୀର ଭାଇ ହିମ୍ମତ ସିଂହ । ତାଙ୍କ ସମ୍ଵନ୍ଧରେ ବିଶେଷ ବିବରଣୀ ମିଳେ ନାହିଁ । ତେବେ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ଵାରା ହିମ୍ମତ ସିଂହ ନାମରେ ନାମିତ ହେବା ପୂର୍ବରୁ ତାଙ୍କ ନାମ ସମ୍ଭବତଃ ଥିଲା ହେମନ୍ତ/ହିମ୍ମତ ରାୟ । କେତେକଙ୍କ ମତରେ ସେ କୁମ୍ଭାର ପରିବାରର ଥିଲେ, ଓ ଆଉ କେତେକ କୁହନ୍ତି ତାଙ୍କର ଶ୍ରୀମନ୍ଦିରରେ ଜଳ ଯୋଗାଇବା ସେବା ଥିଲା । ତାଙ୍କର ବାସସ୍ଥାନ ବିଷୟରେ ଅନୁମାନ କରାଯାଏ ଯେ ସେ ସମ୍ଭବତଃ ବାଲି ସାହି ଅଞ୍ଚଳରେ ବାସ କରୁଥିଲେ, କାରଣ ଏହି ଅଞ୍ଚଳରେ ଗୁରୁ ନାନକଙ୍କ ସମୟରେ ତାଙ୍କ ଦ୍ଵାରା ଅନେକ ଅନୁପ୍ରାଣୀତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ପରବର୍ତ୍ତୀ କାଳରେ ଗୁରୁ ଗୋବିନ୍ଦ ସିଂହଙ୍କ ଡ଼ାକରାରେ ଉକ୍ତ ସମାବେଶରେ ଏକତ୍ରିତ ହୋଇଥିଲେ ।
ତେବେ ଭାଇ ହିମ୍ମତ ସିଂହ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ନିଜର ଜନ୍ମସ୍ଥାନ ପୁରୀକୁ ଫେରି ପାରି ନଥିଲେ । ୧୭୦୪ ମସିହା ଡ଼ିସେମ୍ବର ମାସ ୨୧,୨୨ ଓ ୨୩ ତାରିଖରେ ପଞ୍ଜାବର ଚମକୌର୍ ଠାରେ ଗୁରୁ ଗୋବିନ୍ଦ ସିଂହଙ୍କ ସମେତ ୪୨ ଜଣ ଖାଲସା ଯୋଦ୍ଧା ଓ ଶତ ସହସ୍ରାଧିକ ମୋଗଲ୍ ସେନାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଯୁଦ୍ଧରେ ଅସାଧାରଣ ବୀରତ୍ୱର ପରିଚୟ ଦେଇ ସେ ବୀରଗତିକୁ ପ୍ରାପ୍ତ ହୁଅନ୍ତି । ଏହି ଐତିହାସିକ ଯୁଦ୍ଧରେ ଗୁରୁ ଗୋବିନ୍ଦ ସିଂହଙ୍କ ସମେତ କେବଳ ୬ ଜଣ ଖାଲସା ଜୀବିତ ରୁହନ୍ତି ଓ ଅନ୍ୟ ପକ୍ଷରେ ମୋଗଲ୍ ସେନାର ପ୍ରାୟ ସମସ୍ତ ଯୋଦ୍ଧା ମୃତ୍ୟୁ ବରଣ କରନ୍ତି । ଯୁଦ୍ଧରେ ଗୁରୁ ଗୋବିନ୍ଦ ସିଂହଙ୍କ ଖାଲସା ସେନା ବିଜୟୀ ହୁଅନ୍ତି । ଏହି ବିଜୟରୁ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରସିଦ୍ଧ ବାଣୀ ପ୍ରତିଫଳିତ ହୁଏ –
“ସୱା ଲାଖ ସେ ଏକ ଲଡାଉଁ, ତଭି ଗୁରୁ ଗୋବିନ୍ଦ ସିଂହ ନାମ କହଲାଉଁ ।”
ଶ୍ରୀକ୍ଷେତ୍ର, ପୁରୀ ନିବାସୀ ଭାଇ ହିମ୍ମତ ସିଂହଙ୍କ ଭଳି ବୀର ଖାଲସା ସୈନ୍ୟଙ୍କ ପ୍ରତିରୋଧ ଶକ୍ତି କାରଣରୁ ମୋଗଲ୍ ମାନଙ୍କର ଭାରତରେ ନିରଙ୍କୁଶ ଶାସନ ତଥା କ୍ଷମତା ଦଖଲ ଇଚ୍ଛା ଓ ବଳପୂର୍ବକ ଧର୍ମାନ୍ତରୀକରଣ ଚେଷ୍ଟାରେ ଅଙ୍କୁଶ ଲାଗେ ଓ ଏ ଦିଗରେ ସଦା ସର୍ବଦା ଚିର ସ୍ମରଣୀୟ ହୋଇ ରହନ୍ତି ଭାଇ ହିମ୍ମତ ସିଂହଙ୍କ ସମେତ ଗୁରୁ ଗୋବିନ୍ଦ ସିଂହଙ୍କ ‘ପଞ୍ଜ୍ ପ୍ୟାରେ’ ।
[ଭାଇ ହିମ୍ମତ ସିଂହଙ୍କ ଚିତ୍ର କୃତ୍ରିମ ବୁଦ୍ଧିମତ୍ତା ଦ୍ଵାରା ସୃଷ୍ଟ ।]

Comments
So empty here ... leave a comment!