ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ – ରାଧା ଗୋବିନ୍ଦ ପଟ୍ଟନାୟକ
ଓଡ଼ିଶାର ସଙ୍ଗୀତ ଜଗତର ଆକାଶରେ ଅନେକ ଉଜ୍ଜ୍ବଳ ତାରକା ଉଦ୍ଭାସିତ ହୋଇଛନ୍ତି । ତନ୍ମଧ୍ୟରୁ ଅନ୍ୟତମ ହେଉଛନ୍ତି ସ୍ବର୍ଗତ ରାଧା ଗୋବିନ୍ଦ ପଟ୍ଟନାୟକ ଯିଏ କି ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର ‘ଯାଦୁଇ ରତନ’ ନିମିତ୍ତ ଏକ ଯୁଗଳ ଗୀତ ସେ ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟିକା ଗୀତା ଦତ୍ତଙ୍କ ସହିତ ରେକର୍ଡ଼ କରିଥିଲେ । ଚଳଚ୍ଚିତ୍ରଟି ୧୯୪୭ ମସିହାରେ ରିଲିଜ୍ ହୋଇଥିଲା ଯାହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଚିତ୍ରଗୁପ୍ତ । ଏହି ଚଳଚ୍ଚିତ୍ରରେ ତାଙ୍କର ଜନପ୍ରିୟ ଦ୍ବୈତ ଗୀତଟି ଥିଲା – ମେରା ନହ୍ନା ସା ଦିଲ ପିୟା ଲୁଟ ଲିୟା ରେ ।
ବମ୍ବେରେ ଏକ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଚିତ୍ରଗୁପ୍ତ ଓ ସି. ରାମଚନ୍ଦ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତଥା ଦୁଇଟି ହିନ୍ଦୀ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ । ଉକ୍ତ ଗୀତ ସବୁ ସଫଳତା ଲାଭ କରିଥିବା ସତ୍ତ୍ଵେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ବମ୍ବେରେ ଗାଇବା ପାଇଁ ସୁଯୋଗ ମିଳି ନ ଥିଲା । ତେଣୁ ସେ ଓଡ଼ିଶା ଫେରି ଆସିଥିଲେ ଓ ବିଜୁ ପଟ୍ଟନାୟକଙ୍କ କମ୍ପାନୀ କଳିଙ୍ଗ ଟ୍ୟୁବ୍ସରେ କର୍ମଚାରୀ ରୂପେ ଯୋଗ ଦେଇଥିଲେ । ତେବେ ଜଣେ ରେଡ଼ିଓ କଣ୍ଠଶିଳ୍ପୀ ଭାବେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଶ୍ରୋତାମାନେ ଅନେକ ସଂଖ୍ୟାରେ ତାଙ୍କର ଗୀତକୁ ଅନୁରୋଧ କରି ଶୁଣୁଥିଲେ । ଆକାଶବାଣୀ କଟକ କେନ୍ଦ୍ରରୁ ଭୁବନେଶ୍ୱର ମିଶ୍ର, ବାଳକୃଷ୍ଣ ଦାଶ, ଶାନ୍ତନୁ ମହାପାତ୍ର ଓ ଅକ୍ଷୟ ମହାନ୍ତି ଆଦି ପ୍ରଖ୍ୟାତ ସଙ୍ଗୀତଜ୍ଞଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତାଙ୍କର ଅନେକ ଏକକ ଓ ଦ୍ବୈତ ଓଡ଼ିଆ ଗୀତ ପ୍ରସାରିତ ହୋଇଥିଲା ଯାହା ମଧ୍ୟରେ ଥିଲା ଆଧୁନିକ ଗୀତ, ଭଜନ ଓ ଗୀତ୍ ସମୂହ । ଗୀତିନାଟ୍ୟରେ ମଧ୍ୟ ସେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ ।
ଆଶ୍ଚର୍ଯ୍ୟର କଥା ଥିଲା ତାଙ୍କର କୌଣସି ସଙ୍ଗୀତ ଗୁରୁ ନଥିଲେ । ଗୀତ ଶୁଣି ଶୁଣି ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ନିଜସ୍ବ ପ୍ରତିଭା ବଳରେ ଭଲ ଗୀତ ଗାଇ ପାରୁଥିଲେ । ତାଙ୍କର ଆଉ ଏକ ବିଶେଷତ୍ଵ ଥିଲା, କୌଣସି ନୂତନ ଭାବେ ସଂଯୋଜିତ ଗୀତକୁ ଗାଇବା ପୂର୍ବରୁ ସେ ପ୍ରଥମେ ହ୍ବିଶିଲ୍ ବଜାଇ ସ୍ବର ଉଠାଉଥିଲେ ଓ ସେହି ସ୍ଵରରେ ଖୁବ୍ ସୁନ୍ଦର ଭାବେ ଗୀତଟି ଗାଇ ପାରୁଥିଲେ । ଏପରିକି ଶାସ୍ତ୍ରୀୟ ରାଗ ଉପରେ ପର୍ଯ୍ୟବସିତ ଗୀତ ସବୁକୁ ମଧ୍ୟ ସେ ଅକ୍ଳେଶରେ ଗାଇ ପାରୁଥିଲେ ।
ତାଙ୍କର ପ୍ରସିଦ୍ଧ ଗୀତଗୁଡ଼ିକ ଥିଲା – ସ୍ୱପ୍ନର ବଗିଚାରେ ଫୁଲଟିଏ ହୋଇ, ତୁମରି ଆଦେଶେ ସୁଖ ଦୁଃଖ ଆସେ, ସେ ପୁଣ୍ୟ ଭୂମି ଭାରତ, ଫୁଲକୁ ସାଜିବି କୁହ କେଉଁ ଫୁଲ ଦେଇ, କ୍ଳାନ୍ତ ଏ ଆଖି ଅନ୍ଧାରେ ଖୋଜେ, ମଳୟଚାରି ଗୋ, ବହୁ ଦୂରେ ମୋର ପ୍ରିୟାର ପଣତ ଛାଇ, ଜୀବନେ ସପନ ଯେତେ ସବୁ ସତ ହୁଏନା, ରାତିର ମୂଲକେ ଯେବେ ଶିଶିର ପଡ଼ଇ ଝରି ଇତ୍ୟାଦି ।
ସ୍ବର୍ଗତ ପଟ୍ଟନାୟକ ୧୯୩୦ ମସିହାରେ କଟକ ସହରର କାଳୀ ଗଳିରେ ଏକ ସମ୍ଭ୍ରାନ୍ତ ବଂଶରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଭଲ ଟେନିସ ଖେଳାଳି ମଧ୍ୟ ଥିଲେ ଓ ଜଣେ ସ୍ପଷ୍ଟବାଦୀ, ନମ୍ର, ଭଦ୍ର, ବିନୟୀ, ମେଳାପି ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ତାଙ୍କର ପ୍ରିୟ ଗାୟକ ଥିଲେ କେ. ଏଲ୍. ସାଇଗଲ୍ ଯାହାଙ୍କ ରେକର୍ଡ଼କୁ ସେ ଶୁଣିବାକୁ ଭଲ ପାଉଥିଲେ । ୧୯୯୪ ମସିହା ଜାନୁଆରୀ ୩ ତାରିଖରେ ତାଙ୍କର ଦେହାବସାନ ହୋଇଥିଲା । ତାଙ୍କର ପତ୍ନୀ, ଦୁଇ ପୁତ୍ର ଓ ଗୋଟିଏ କନ୍ୟାକୁ ନେଇ ପରିବାର ଥିଲା ଯାହାକୁ ସେ ସଙ୍ଗୀତ ସାଧନାର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ କେବେ ହେଲେ ଅବହେଳା କରି ନଥଲେ ।
ସ୍ବର୍ଗତ ରାଧା ଗୋବିନ୍ଦ ପଟ୍ଟନାୟକ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମ ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ଭାବେ, ଏକ ସଫଳ ବେତାର ଶିଳ୍ପୀ ଭାବେ ତଥା ଏକ ପ୍ରତିଭାବାନ କଣ୍ଠଶିଳ୍ପୀ ଭାବେ ଓଡ଼ିଶାର ସଙ୍ଗୀତ ଜଗତ ପ୍ରତି ତାଙ୍କର ଆଜୀବନ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ।
ଉତ୍ସ : ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିବା ‘ସ୍ବର ନିର୍ଝର’ କାର୍ଯ୍ୟକ୍ରମ

Comments
So empty here ... leave a comment!