ବାରିଷ୍ଟର ମଧୁସୂଦନ ଦାସ

“ପାଠ ପଢ଼ିବି,
କାଳିଆ ଘୋଡ଼ାରେ ଚଢ଼ିବି,
ମଧୁବାବୁ ସଙ୍ଗେ ଲଢ଼ିବି ।”

ଉପରୋକ୍ତ ଢଗଟିକୁ ଏକ ସମୟରେ ପିଲାମାନେ ଉଚ୍ଚାରଣ କରୁଥିଲେ, ଜୀବନରେ ମଧୁବାବୁ ବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପରି ଯୋଗ୍ୟ ହେବା ପାଇଁ । ତେବେ ତାଙ୍କ ସହିତ ଲଢ଼ିବା ପାଇଁ ସେହି ପିଲାମାନେ କେଉଁ ଦିଗରୁ ଯୋଗ୍ୟ ହେବାକୁ ଇଛା ପ୍ରକାଶ କରୁଥିଲେ ? ମଧୁବାବୁ କଣ ଏକ ଯୋଦ୍ଧା ଥିଲେ ? ନାଁ, ମଧୁବାବୁ କୁସ୍ତି କସରତ କରୁଥିବା ଯୋଦ୍ଧା ନ ଥିଲେ, ସେ ଥିଲେ କୋର୍ଟ କଚେରୀରେ ସତ୍ୟ ସ୍ୱାଭୀମାନ ପାଇଁ ମକଦ୍ଦମା ଲଢ଼ୁଥିବା ଆଇନଜ୍ଞ ଯୋଦ୍ଧା ଯେକି ପ୍ରତିଦ୍ୱନ୍ଦୀ ଓକିଲଙ୍କୁ ନିଜର ବଳିଷ୍ଠ ଯୁକ୍ତି ଦ୍ୱାରା ପରାସ୍ତ କରିପାରୁଥିଲେ । ପରବର୍ତ୍ତୀ ସମୟରେ ସେ ନିଜର ଖ୍ୟାତି କୁଶଳତା ଯୋଗୁଁ “ମଧୁ ବାରିଷ୍ଟର” ନାମରେ ବିଖ୍ୟାତ ହେଲେ । ତେବେ ମଧୁବାବୁଙ୍କ ଓକିଲାତି ଜୀବନ କିପରି ଆରମ୍ଭ ହୋଇଥିଲା, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ଏକ ଘଟଣାକ୍ରମେ କଲିକତାରୁ ନିଜର ଆଇନ ଜୀବନର ପରିସମାପ୍ତି ଘଟାଇ ମଧୁବାବୁ କଟକରେ ନିଜର ଓକିଲାତି ଜୀବନ ପ୍ରାରମ୍ଭ କରିଥିଲେ । ସେ ସମୟରେ କଟକର ଅଧିକାଂଶ ପ୍ରତିଷ୍ଠିତ ଆଇନଜୀବୀ ମାନେ ଥିଲେ ଓଡ଼ିଶା ବାହାରର ଲୋକ, ତେଣୁ ସେମାନେ ତରୁଣ ମଧୁବାବୁଙ୍କୁ ନାନା ପ୍ରକାର ବ୍ୟଙ୍ଗ ବିଦ୍ରୁପ କରୁଥିଲେ । ଏପରିକି ସେମାନେ ମଧୁବାବୁଙ୍କୁ ବାର୍ ଲାଇବ୍ରେରୀରେ ବସିବାକୁ ସ୍ଥାନ ଦେଇ ନଥିଲେ । ମାତ୍ର ଏସବୁ ସତ୍ତ୍ଵେ ସେ ହତୋତ୍ସାହିତ ହୋଇ ନ ଥିଲେ । ସେ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ ନିଜର ପ୍ରଥମ ମକଦ୍ଦମା ପାଇଁ । ଅଳ୍ପ କିଛି କାଳ ପରେ ଏକ ଦୁସ୍ଥ ଚାଷୀର ମକଦ୍ଦମା ତାଙ୍କ ହାତକୁ ଆସିଲା । ମାତ୍ର କଟକର ସମସ୍ତ ବିଖ୍ୟାତ ଓକିଲ ମାନେ ବାଦୀ ପୁରୀର ମହନ୍ତ ମହାରାଜଙ୍କ ପକ୍ଷରେ ଲଢ଼ିଲେ । ଶେଷରେ କିନ୍ତୁ ମଧୁବାବୁ ଏହି ମକଦ୍ଦମାରେ ଜୟଲାଭ କରିଥିଲେ ଓ ତାଙ୍କ ନାମ ବିଖ୍ୟାତ ହୋଇଯିବାରୁ ପରବର୍ତ୍ତୀ କାଳରେ ଶହ ଶହ ସଂଖ୍ୟାରେ ମକଦ୍ଦମା ମାନ ତାଙ୍କ ପାଖକୁ ଆସିଲା ଓ ଏକ ବିଖ୍ୟାତ ଆଇନଜ୍ଞ ଭାବରେ ସେ ନିଜକୁ ସୁପ୍ରତିଷ୍ଠିତ କରିପାରିଥିଲେ ।

ପରେ ସେ ମଧ୍ୟ ପାଟଣା ହାଇକୋର୍ଟର ଆଡଭୋକେଟ ହୋଇଥିଲେ ଏବଂ କଟକର ରେଭେନ୍ସା କଲେଜର ଆଇନ ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ଆଇନ ଜୀବନର ଶ୍ରେଷ୍ଠ ଘଟଣା ଗୁଡ଼ିକ ମଧ୍ୟରୁ ଥିଲା ଖଣ୍ଡପଡା ରାଜାଙ୍କ ମକଦ୍ଦମା, ପୁରୀର ମହାରାଣୀ ସୁର୍ଯ୍ୟମଣି ପାଟ ମହାଦେଈ ବନାମ ବ୍ରିଟିଶ ସରକାରଙ୍କ ମଧ୍ୟରେ ମକଦ୍ଦମା, କେନ୍ଦୁଝର ରାଜା ଧନୁର୍ଜୟ ଭଞ୍ଜ ବନାମ ବ୍ରିଟିଶ ସରକାରଙ୍କ ମଧ୍ୟରେ ମକଦ୍ଦମା ଇତ୍ୟାଦି । ତାଙ୍କର ବିଚକ୍ଷଣତା, ପ୍ରତ୍ୟୁତ୍ପନ୍ନମତିତା, ପ୍ରଚଣ୍ଡ ଧୀଶକ୍ତି ଓ ହାସ୍ୟରସ ଉଦ୍ରେକ କରିପାରିବାର ଶକ୍ତି ତାଙ୍କୁ ଓକିଲାତି ପେଶାରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଥିଲା ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar