ଡଃ. ଦୀନନାଥ ପାଠୀ

ଡଃ. ଦୀନନାଥ ପାଠୀ ଆମ ସମୟର ଅନ୍ୟତମ ପ୍ରସିଦ୍ଧ ଚିତ୍ରଶିଳ୍ପୀ, ସାହିତ୍ୟିକ ଓ ଗବେଷକ। ନୃତ୍ୟ, କଳା ଓ ଇତିହାସର ଗବେଷକ ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କର ଚିତ୍ର ଓ ସାହିତ୍ୟର ଆଧାର ମୁଖ୍ୟତଃ ସାମାଜିକ ଓ ଐତିହାସିକ। ତାଙ୍କ ସାହିତ୍ୟ ବାସ୍ତବବାଦୀ ବର୍ଣ୍ଣନା ଓ ମନସ୍ତାତ୍ତ୍ବିକ ବି‌ଶ୍ଳେଷଣରେ ପରିପୁଷ୍ଟ।

୧୯୪୨ ମେ ୯ ତାରିଖରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ସେ ଜନ୍ମ ହୋଇଥିଲେ। ପିତା ଥିଲେ ରାଜବୈଦ୍ୟ ପରିବାରର ଶ୍ୟାମସୁନ୍ଦର ପାଠୀ ଓ ମାତା କମଳାଦେବୀ। ନାଟକର ପରଦା ଅଙ୍କନରୁ ଆରମ୍ଭ ହୋଇଥିଲା ତାଙ୍କର ଚିତ୍ରଶିଳ୍ପୀ ଜୀବନ। ବଡ ଭାଇ ଲୋକନାଥ ଥିଲେ ମୁଖ୍ୟ ପ୍ରେରଣାଦାତା ତଥା ପ୍ରଥମ ଗୁରୁ। ଲୋକନାଥ ମଧ୍ୟ ଥିଲେ ଶିଳ୍ପୀ। ତାଙ୍କ ଦ୍ବାରା ପରିଚାଳିତ ‘ଶିଳ୍ପ କଳା ମନ୍ଦିର’ରୁ ଦୀନନାଥ ଚିତ୍ରାଙ୍କନ ଶିକ୍ଷା କରିଥିଲେ। ଦୀନନାଥ ପରେ ‘ଖଲ୍ଲିକୋଟ କଲେଜ୍‌ ଅଫ୍‌ ଆର୍ଟ‌୍ ଆଣ୍ଡ୍‌ କ୍ରାଫ୍‌ଟ’ ଚିତ୍ରକଳାରେ ବିଧିବଦ୍ଧ ତାଲିମ ନେଇଥିଲେ। ଚିତ୍ରକଳା ଏବଂ କଳା ଇତିହାସରେ ‘ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ’ରୁ ପିଏଚ୍‌ଡି ହାସଲ କରିଥିଲେ। କର୍ମମୟ ଜୀବନ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଭାବେ ଆରମ୍ଭ (୧୯୬୭) ହୋଇଥିଲା। ୧୯୭୨ରେ ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର୍‌ ଭାବେ ଯୋଗଦେଇଥିଲେ। ‘ବିଭୂତି କାନୁନ୍‌ଗୋ ଆର୍ଟ‌୍ ଆଣ୍ଡ୍‌ କ୍ରାଫ୍‌ଟ କଲେଜ୍‌’ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ। ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି, ନୂଆ ଦିଲ୍ଲୀସ୍ଥିତ କେନ୍ଦ୍ର ଲଳିତ କଳା ଏକାଡେମିର ସଚିବ ଏବଂ ବନାରସରେ ଥିବା ‘ଏଲିସ୍‌ ବୋନର୍‌ ଇନ୍‌ସଟିଚ୍ୟୁଟ୍‌’ର ନିର୍ଦେଶକ ଭାବେ କିଛି କାଳ କାର୍ଯ୍ୟ କରିଥିଲେ। ଦେଶ-ବିଦେଶରେ ଅନୁଷ୍ଠିତ ବିଭିନ୍ନ ଚାରୁକଳା ପ୍ରଦର୍ଶନୀରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇଥିଲା। ସେ ଓଡ଼ିଶାର କଳାକୁ ଦେଶ-ବିଦେଶରେ ପରିଚିତ କରାଇବାରେ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜୀବନ କାଳରେ ପ୍ରାୟ ୬୦୦ ଚିତ୍ର ଆଙ୍କିଥିଲେ।

ଓଡ଼ିଆ ଏବଂ ଇଂରେଜୀ ଭାଷାରେ ସେ ପଚାଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ‘ଅଂଗରାଗ’ ନାମକ ଇଂରେଜୀ ପତ୍ରିକା କିଛି କାଳ ଦୀନନାଥଙ୍କ ସଂପାଦନାରେ ପ୍ରକାଶିତ ହୋଇଥିଲା। ‘ଫସଲ ଅମଳର ଗୀତ’, ‘ପ୍ରେମୀ ଯୁଗଳ’, ‘ପକ୍ଷୀର ମୃତ୍ୟୁ’, ‘ଶ୍ରୀରାଧା’, ‘ନୀଳକନ୍ୟା’, ‘ଅଭିସାରିକା’, ‘ବ୍ୟାଘ୍ର ଓ ପଦ୍ମବନ’, ‘ପଦ୍ମ ପୁଷ୍କରିଣୀ’, ‘ପଦ୍ମବନ ଓ ମୃଗଯୁଥ’ ଆଦି ତାଙ୍କର ପ୍ରସିଦ୍ଧ ଛବି। ତାଙ୍କ ଦ୍ବାରା ରଚିତ କିଛି ପ୍ରସିଦ୍ଧ ଉପନ୍ୟାସ ଓ ଗଳ୍ପ ସଂକଳନ- ‘ସାୟୋନାରା’, ‘ଗଙ୍ଗାବତରଣ’, ‘ପୁନର୍ନବା’, ‘ଶ୍ଳୋକଛନ୍ଦ’, ‘ଭବଘୁରା ଭବନାଥ’, ‘ସୁନାମାଛ’। ‘ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ’ ତାଙ୍କର ‘ଓଡ଼ିଶା ସାହିତ୍ୟ ଏକାଡେମି’ ପୁରସ୍କାପ୍ରାପ୍ତ ଆତ୍ମଚରିତ। ୨୦୧୬ ଅଗଷ୍ଟ୍‌ ୨୯ରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar