ଅନ୍ତଃପୁରରେ ଗଜପତି ଲାଙ୍ଗୁଳା ନରସିଂହ ଦେବ

ଗଜପତି ଲାଙ୍ଗୁଳା ନରସିଂହ ଦେବ ଅନ୍ତଃପୁରରେ ଏକ ଦୋଳିରେ ଦୋଳାୟମାନ । ଏଠାରେ ମଧ୍ୟ ଗଜପତି ନିଜ କୋଳରେ ଏକ ଖଡ୍ଗ ରଖିଛନ୍ତି ଯାହାକି ତାଙ୍କ ପ୍ରତି ଥିବା ଆକ୍ରମଣର ବିପଦକୁ ଦର୍ଶାଉଛି ଏବଂ ଗଜପତିଙ୍କର ଏଥିପ୍ରତି ଥିବା ସତର୍କତାମୂଳକ ପଦକ୍ଷେପ ମଧ୍ୟ ପରିଲକ୍ଷିତ ହେଉଛି ।

ଗଜପତି ଦୋଳାୟମାନ ହେଉଥିବା ଦୋଳିର ଖମ୍ବ ଦ୍ୱୟର ଅଗ ମକରାକୃତି ଏବଂ ସେ ମଧ୍ୟ ମକର କୁଣ୍ଡଳ ଧାରଣ କରିଛନ୍ତି । ଏଥିରୁ ମକର ଆକୃତିର ମଙ୍ଗଳ ସୂଚକ ପ୍ରଭାବ ଜଣା ପଡ଼ିଥାଏ । ଗଜପତି ମଧ୍ୟ ଏଠାରେ ବିବିଧ ଅଳଙ୍କାରରେ ଭୂଷିତ ଯେପରିକି କର୍ଣ୍ଣର କୁଣ୍ଡଳ, ହସ୍ତ ଏବଂ ପଦାଙ୍ଗୁଳିର ମୁଦ୍ରିକା, ପାଉଁଜି, କେୟୁର, କମରପଟି, ହାର, ମୁକୁଟ ଇତ୍ୟାଦି ।

ପରିଚାରିକା ମାନେ ଗଜପତିଙ୍କୁ ଚାମର ସେବା, ପଦ ସେବା ଓ ସୁଗନ୍ଧିତ ଲେପ ଦେବା ସହିତ ତାଙ୍କୁ ରାଜକୀୟ ଦୋଳିରେ ଝୁଲାଉଛନ୍ତି । ଦୋଳିଟି ଏକ ମକର ତୋରଣରୁ ଦୋଳାୟମାନ । ଗଜପତି ଲାଙ୍ଗୁଳା ନରସିଂହ ଦେବ ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଏଠାରେ ନିଜର ପରିଚାରିକାଙ୍କ ସହିତ ଆରାମଦାୟକ ମୁଦ୍ରାରେ ଅତିବାହିତ କରୁଛନ୍ତି ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ଏହି ସ୍ଥାପତ୍ୟଟି ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ପ୍ରଦର୍ଶିତ ।

Comments
So empty here ... leave a comment!