କୋଣାର୍କ ସୂର୍ଯ୍ୟ ମନ୍ଦିର, ଦଶାବତାର ଓ ବୁଦ୍ଧ

 

ଅବଶିଷ୍ଟ ଭାରତ ପରି ଉତ୍କଳୀୟ ଶିଳ୍ପକଳାରେ ମଧ୍ୟ ଦଶାବତାର ମୂର୍ତ୍ତିର ପରିକଳ୍ପନା କରାଯାଇଛି । ଏହି ଦଶାବତାର ମୂର୍ତ୍ତି ୧୨ଶ ଶତାବ୍ଦୀରେ ରଚିତ ଶ୍ରୀଜୟଦେବଙ୍କ ଶ୍ରୀଗୀତଗୋବିନ୍ଦର ବର୍ଣ୍ଣନା ସହିତ ସାମ୍ୟତା ରଖେ ଯାହା ନିମ୍ନରେ ପ୍ରଦତ୍ତ । ଯଥା –

ମୀନ (ମତ୍ସ୍ୟ), କଚ୍ଛପ (କୂର୍ମ), ସୂକର (ବରାହ), ନରହରି (ନରସିଂହ), ବାମନ, ଭୃଗୁପତି (ପରଶୁରାମ), ରାମ, ହଳଧର (ବଳରାମ), ବୁଦ୍ଧ ଏବଂ କଳ୍କୀ ।।

ତେବେ ସମ୍ଭବତଃ ୧୨ଶ ଶତାବ୍ଦୀ ପୂର୍ବରୁ ମଧ୍ୟ ଉତ୍କଳୀୟ ମନ୍ଦିର ଗାତ୍ରରେ ଦଶାବତାର ମୂର୍ତ୍ତିର ପରିକଳ୍ପନା କରାଯାଇଥିଲା । ଯେପରିକି ଶ୍ରୀମନ୍ଦିରର ମୁକ୍ତି ମଣ୍ଡପ ନିକଟସ୍ଥ ଆଦି ନୃସିଂହ ମନ୍ଦିର । ଏହା ଶ୍ରୀମନ୍ଦିର (୧୨ଶ ଶତାବ୍ଦୀରେ ନିର୍ମିତ) ଠାରୁ ମଧ୍ୟ ପୁରାତନ ବୋଲି ଜନମାନସରେ ବିଶ୍ଵାସ ରହିଛି । [ଏହାର (ଆଦି ନୃସିଂହ ମନ୍ଦିର) ଶିଳ୍ପକଳା ଓ ସ୍ଥାପତ୍ୟ ଅନେକଟା ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ମନ୍ଦିର ସହିତ ମେଳ ଖାଏ ଯାହାକି ୧୧ଶ ଶତାବ୍ଦୀରେ ନିର୍ମିତ ।] ଏହି ମନ୍ଦିର ଗାତ୍ରରେ ଦଶାବତାର ମୂର୍ତ୍ତି ସବୁ ଖୋଦିତ ଯାହା ପ୍ରମାଣ କରେ କି ଶ୍ରୀଜୟଦେବଙ୍କ ଶ୍ରୀଗୀତଗୋବିନ୍ଦର ରଚନା ପୂର୍ବରୁ ମଧ୍ୟ ଉତ୍କଳୀୟ ଜନମାନସରେ ଦଶାବତାରର ପରିକଳ୍ପନା ରହିଥିଲା ।

ଗଙ୍ଗ ବଂଶ ଦ୍ଵାରା ନିର୍ମିତ ଶ୍ରୀମନ୍ଦିରର ବିମାନରେ ମଧ୍ୟ ଏହି ଦଶାବତାରର ମୂର୍ତ୍ତି ଦେଖିବାକୁ ମିଳିଥାଏ ଯାହାକି ପରବର୍ତ୍ତୀ ସମୟରେ ୧୩ଶ ଶତାବ୍ଦୀରେ ଗଙ୍ଗ ବଂଶ ଦ୍ଵାରା ନିର୍ମିତ ନିଆଳି ମାଧବ ମନ୍ଦିର ଗାତ୍ରରେ ମଧ୍ୟ ପ୍ରତିଫଳିତ ହୁଏ । ତେଣୁ ୧୧ଶ ଶତାବ୍ଦୀ କିମ୍ବା ତା ପୂର୍ବରୁ ଉତ୍କଳୀୟ ଶିଳ୍ପକଳାରେ ପ୍ରଚଳିତ ଏହି ଦଶାବତାର ମୂର୍ତ୍ତିର ପରିକଳ୍ପନା ଅନ୍ତତଃ ୧୩ଶ ଶତାବ୍ଦୀରେ ନିର୍ମିତ ମନ୍ଦିର ମାନଙ୍କରେ ରହିଥିବାର କଳ୍ପନା କରାଯାଇପାରେ ।

ଏ ପ୍ରସଙ୍ଗରେ ମନରେ ଏକ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ ଉତ୍କଳୀୟ ଶିଳ୍ପକଳାର ଅନନ୍ୟ କୃତୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାହାକି ୧୩ଶ ଶତାବ୍ଦୀରେ ନିର୍ମିତ, ସେଠାରେ ମଧ୍ୟ ଏହି ଦଶାବତାର ମୂର୍ତ୍ତିର ପରିକଳ୍ପନା ରହିଛି କି ?

ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ସାଧାରଣତଃ ମନ୍ଦିରର ବିମାନରେ ଏହି ଦଶାବତାର ମୂର୍ତ୍ତି ସବୁ ରହିଥାଏ, ମାତ୍ର ଦୁର୍ଭାଗ୍ୟବଶତଃ କୋଣାର୍କ ସୂର୍ଯ୍ୟ ମନ୍ଦିରର ବିମାନ ଯେହେତୁ ସମ୍ପୂର୍ଣ୍ଣ ରୂପେ ଭଗ୍ନ, ତେଣୁ ଏହା କଳନା କରିବା କଷ୍ଟକର ଯେ ସେଠି ଏହି ଦଶାବତାର ମୂର୍ତ୍ତି ରହିଥିଲା କି ନାହିଁ ।

ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ଚକ୍ରରେ ଦଶାବତାର ମୂର୍ତ୍ତିର ପରିକଳ୍ପନା ମନରେ ଏକ ବିଶ୍ଵାସ ଜନ୍ମାଏ ଯେ ହୁଏତ ଏହି ମନ୍ଦିରର ଗାତ୍ରରେ ମଧ୍ୟ ଏକଦା ଦଶାବତାର ମୂର୍ତ୍ତି ସବୁ ଶୋଭା ପାଉଥିଲା ।

ସଂଲଗ୍ନ ଚିତ୍ର ଅନୁଯାୟୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏହି ଚକ୍ରର ୮ ଗୋଟି ଅର ରେ ୮ ଗୋଟି ଅବତାର ଖୋଦିତ, ଯଥା – ମୀନ (ମତ୍ସ୍ୟ), କଚ୍ଛପ (କୂର୍ମ), ସୂକର (ବରାହ), ନରହରି (ନରସିଂହ), ବାମନ, ଭୃଗୁପତି (ପରଶୁରାମ), ରାମ (ଏଠାରେ ଭଗ୍ନ) ଓ ହଳଧର (ବଳରାମ) । ଏହି ଚକ୍ରର ମଧ୍ୟ ଭାଗରେ (ଅଖ ଅଗରେ) କଳ୍କୀ ଅବତାର ଖୋଦିତ । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଏଠାରେ ବୁଦ୍ଧ ଅବତାର ର ଅଭାବ । ସମ୍ଭବତଃ ବୁଦ୍ଧ ଅବତାରକୁ ଏଠାରେ ଧର୍ମଚକ୍ର ସଦୃଶ କୋଣାର୍କ ଚକ୍ର ପ୍ରତିନିଧିତ୍ଵ କରେ ଯାହାକି ସାଙ୍କେତିକ ମାତ୍ର । ଏହି ବୁଦ୍ଧ ଅବତାର ର ପ୍ରାଧାନ୍ୟର ଅଭାବକୁ ମଧ୍ୟ ବୁଝିହୁଏ ସେତେବେଳେ, ଯେତେବେଳେ ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ ମଣ୍ଡପ ସମ୍ମୁଖରେ ଥିବା ବୃହଦାକାୟ ଗଜସିଂହ ମୂର୍ତ୍ତି ଦ୍ୱୟକୁ ଦେଖୁ । ଜନମାନସରେ ବିଶ୍ବାସ ରହିଛି ଯେ ଏହି ସିଂହ ଦ୍ୱୟ ସନାତନ ଧର୍ମକୁ ପ୍ରତିନିଧିତ୍ଵ କରନ୍ତି ଯେଉଁମାନେ କି ବୌଦ୍ଧ ଧର୍ମକୁ ପ୍ରତିନିଧିତ୍ଵ କରୁଥିବା ଗଜମୂର୍ତ୍ତି ଉପରେ ଆରୁଢ଼ ଯାହାକି ସନାତନ ଧର୍ମର ବୌଦ୍ଧ ଧର୍ମ ଉପରେ ଶ୍ରେଷ୍ଠତାର ପ୍ରତିଫଳନ ।

ତେବେ ମୂଳ କୋଣାର୍କ ସୂର୍ଯ୍ୟ ମନ୍ଦିରର ବିମାନରେ ଦଶାବତାର ମୂର୍ତ୍ତି ମଧ୍ୟରେ ବୁଦ୍ଧ ମୂର୍ତ୍ତି ଥିଲା କି ନାହିଁ, ତାହା ଠଉରାଇବା କଷ୍ଟକର । ମାତ୍ର ଗଙ୍ଗ ବଂଶ ଦ୍ଵାରା ନିର୍ମିତ ଶ୍ରୀମନ୍ଦିର ଓ ନିଆଳି ମାଧବ ମନ୍ଦିରର ବିମାନରେ ବୁଦ୍ଧ ମୂର୍ତ୍ତିର ଉପସ୍ଥିତି ମନରେ ଏକ କ୍ଷୀଣ ଧାରଣା ସୃଷ୍ଟି କରେ କି ଏକଦା ହୁଏତ କୋଣାର୍କ ସୂର୍ଯ୍ୟ ମନ୍ଦିର ଗାତ୍ରରେ ମଧ୍ୟ ବୁଦ୍ଧ ମୂର୍ତ୍ତିଟିଏ ରହିଥିଲା । ତେବେ ଏହା ସବୁଦିନ ପାଇଁ ଏକ ଅସମାହିତ ପ୍ରଶ୍ନବାଚୀ …

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar