ବିଶ୍ବନାଥ ଦାସ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତୃବୃନ୍ଦଙ୍କ ମଧ୍ୟରେ ଜଣେ ଥିଲେ ଗଞ୍ଜାମର ବିଶ୍ବନାଥ ଦାସ। ଉତ୍କଳ ପ୍ରଦେଶ ଗଠନ ପରେ ସେ ଏହାର ଦ୍ବିତୀୟ ପ୍ରଧାନ ମନ୍ତ୍ରୀ ତଥା ପରବର୍ତ୍ତୀ କାଳରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ବିଶ୍ବନାଥ ଥିଲେ ଉଚ୍ଚଶିକ୍ଷିତ। ଚାହିଁଥିଲେ, ସରକାରୀ ଚାକିରି କରିପାରିଥାଆନ୍ତେ। ତେବେ, ସ୍ବାଧୀନଚେତା ଥିବାରୁ ବ୍ରହ୍ମପୁରରେ ଓକିଲ ଭାବେ ଆରମ୍ଭ କରିଥିଲେ କର୍ମମୟ ଜୀବନ। ସେ ନିଜ ସମୟର ସୁପ୍ରସିଦ୍ଧ ଓଡ଼ିଆ ରାଜନୈତିକ ବ୍ୟକ୍ତିତ୍ବ। ଉତ୍କଳ ପ୍ରଦେଶ ଗଠନରୁ ଆରମ୍ଭ କରି ଦେଶର ସ୍ବାଧୀନତା ସ˚ଗ୍ରାମ ପର୍ଯ୍ୟନ୍ତ ସର୍ବତ୍ର ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ୧୯୩୭-୩୯ ମଧ୍ୟରେ ସେ ଓଡ଼ିଶାର ପ୍ରଧାନ ମନ୍ତ୍ରୀ ଆସନରେ ବସିଥିଲେ। ଏହି ସମୟରେ ସେ ବ୍ରିଟିସ୍‌ ସରକାରଙ୍କ ଅନ୍ୟାୟ-ଅନୀତି ବିରୋଧରେ ସ୍ବରୋତ୍ତଳନ କରି ଓଡ଼ିଶାବାସୀଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ସେ ଥିଲେ ଦକ୍ଷ ପ୍ରଶାସକ। ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିଲେ।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ନିର୍ବାଚନରେ ମୁଖ୍ୟତଃ କ˚ଗ୍ରେସ୍‌ ଓ ରାଜା-ଜମିଦାର ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କ˚ଗ୍ରେସ୍‌ ପକ୍ଷେ ନିର୍ବାଚନ ଜିଣିବାର ସ˚ଭାବନା ବହୁତ କମ୍‌ ଥିଲା। ତେବେ, ନୀଳକଣ୍ଠ ଦାସ, ନବକୃଷ୍ଣ ଚୌଧୁରୀ, ବିଚିତ୍ରାନନ୍ଦ ଦାସ, ଗୋଦାବରୀଶ ମିଶ୍ର, ବିଶ୍ବନାଥ ଦାସ ଆଦିଙ୍କ ପ୍ରଚାର ବଳରେ ମୋଟ ଷାଠିଏଟି ଆସନରୁ କ˚ଗ୍ରେସ୍‌ ଛତିଶଟିରେ ଜୟଯୁକ୍ତ ହୋଇଥିଲା। ନିର୍ବାଚନ ପରେ ସର୍ବସମ୍ମତିକ୍ରମେ ଦଳର ନେତା ନିର୍ବାଚିତ ହୋଇଥିଲେ ବିଶ୍ବନାଥ ଦାସ। ତେବେ, ସେ ମନ୍ତ୍ରିମଣ୍ତଳ ଗଢ଼ିପାରି ନ ଥିଲେ। କାରଣ, ଗଭର୍ନର‌୍‌ ମନ୍ତ୍ରିମଣ୍ତଳର ପରାମର୍ଶ ଗ୍ରହଣ କରିବେ ଏବ˚ ଶାସନରେ ହସ୍ତକ୍ଷେପ କରିବେନାହିଁ ବୋଲି, ସେ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ; ତାହା ପୁଣି ମନ୍ତ୍ରିମଣ୍ତଳର ଗଠନ ପୂର୍ବରୁ। ଗଭର୍ନର‌୍‌ ହବାକ୍‌ ଲିଖିତ ପ୍ରତିଶ୍ରୁତି ଦେବାକୁ ମନାକରିବାରୁ ବିଶ୍ବନାଥଙ୍କ ନେତୃତ୍ବରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ସରକାର ଗଠିତ ହୋଇପାରି ନ ଥିଲା। ସୁଯୋଗ ପାଇ ପାରଳାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ˚ଖ୍ୟାଗରିଷ୍ଠତା ବିନା ମନ୍ତ୍ରିମଣ୍ତଳ ଗଠନ କରିଥିଲେ। ତାହାକୁ ଅସାମ୍ବିଧାନିକ ଦର୍ଶାଇଥିଲେ ବିଶ୍ବନାଥ। ଗଜପତି ସରକାର ଅଧିକ ଦିନ ତିଷ୍ଠିପାରି ନ ଥିଲା। କ˚ଗ୍ରେସ୍‌ର ବିରୋଧ ଓ ଅସହଯୋଗ ଯୋଗୁଁ ସେ ଇସ୍ତଫା ଦେଇଥିଲେ। ତାହା ପରେ ୧୯୩୭ ଜୁଲାଇ ୧୯ରେ ବିଶ୍ବନାଥ ବନିଥିଲେ ଓଡ଼ିଶାର ଦ୍ବିତୀୟ ପ୍ରଧାନ ମନ୍ତ୍ରୀ।

ସ୍ବାଧୀନତା ପରେ ସେ କିଛି କାଳ ସକ୍ରିୟ ରାଜନୀତିରୁ ଦୂରେଇରହିଥିଲେ। ସ୍ବାଧୀନତା ପ୍ରାପ୍ତି ପରେ ବିଶ୍ବନାଥ ଶାସନ କ୍ଷମତାରେ ରହିପାରି ନ ଥିଲେ ହେଁ ଜନସେବାରୁ ଦୂରେଇଯାଇ ନ ଥିଲେ। ୧୯୬୨ରେ ସେ ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେ ଦ୍ବିତୀୟ ଓଡ଼ିଆ ରାଜ୍ୟପାଳ। ୧୯୭୧ ନିର୍ବାଚନରେ ରାଜ୍ୟ ବିଧାନସଭାରେ କୌଣସି ଦଳକୁ ସ˚ଖ୍ୟାଗରିଷ୍ଠତା ନ ମିଳିବାରୁ ଏକ ମିଳିତ ମନ୍ତ୍ରିମଣ୍ତଳ ଗଠିତ ହୋଇଥିଲା। ଜଣେ ନିର୍ଦଳୀୟ ବ୍ୟକ୍ତିଙ୍କ ନେତୃତ୍ବରେ ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ, ସ୍ବତନ୍ତ୍ର ଦଳର ମହାରାଜା ପ୍ରତାପ କେଶରୀ ଦେଓ। ସେତେ ବେଳେ ବିଶ୍ବନାଥ ଥିଲେ ଜଣେ ବର୍ଷୀୟାନ୍‌ ନିର୍ବିବାଦୀୟ ରାଜନେତା। ମିଳିତ ମନ୍ତ୍ରିମଣ୍ତଳର ନେତୃତ୍ବ ନେବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା। ସ୍ବତନ୍ତ୍ର ଦଳ, ଉତ୍କଳ କ˚ଗ୍ରେସ୍‌ ଓ ଝାରଖଣ୍ତ ଦଳର ନିର୍ବାଚିତ ପ୍ରତିନିଧିମାନେ ବିଶ୍ବନାଥଙ୍କୁ ନେତା ନିର୍ବାଚିତ କରିଥିଲେ। ଏପ୍ରିଲ୍‌ ୩ରେ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ନିର୍ବାଚନ ନ ଲଢ଼ି ସୁଦ୍ଧା ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଛଅ ମାସ ମଧ୍ୟରେ ସେ ବିଧାନସଭାକୁ ନିର୍ବାଚିତ ହେବା କଥା। ତାଙ୍କୁ ପରାଜିତ କରିବା ପାଇଁ କ˚ଗ୍ରେସ୍‌ ଦଳ ପକ୍ଷରୁ ପ୍ରଚଣ୍ତ ଉଦ୍ୟମ ସତ୍ତ୍ବେ ସେ ଜିତିଥିଲେ। ଅନେକ ତାଙ୍କ ନେତୃତ୍ବକୁ ସହିପାରି ନ ଥିଲେ। ତାଙ୍କୁ ଶାନ୍ତିରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବାକୁ ଦିଆଯାଇ ନ ଥିଲା। ଏକ ନିର୍ଦିଷ୍ଟ ଖବରକାଗଜ ତାଙ୍କ ବିରୋଧରେ ଲାଗିଥିଲା। ବିଧାନସଭା ଭିତରେ, ବିରୋଧୀମାନେ ତାଙ୍କୁ ଗାଳିଗୁଲଜ ସହ ଶାରୀରିକ ଆକ୍ରମଣ କରିଥିଲେ। ବେନାମୀ ଚିଠିରେ ହତ୍ୟା ଧମକ ଦିଆଯାଇଥିଲା। ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିର୍ବାଚିତ ବିଧାୟକମାନଙ୍କର ଏ ଭଳି ଅଶାଳୀନ ବ୍ୟବହାର, ସେତେ ବେଳେ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା।

ବିଜୁ ପଟ୍ଟନାୟକ ରାଜନଗର ଉପ-ନିର୍ବାଚନରେ ବିଜୟୀ ହେବା ପରେ ପରିସ୍ଥିତି ଆହୁରି ବିଗିଡ଼ିଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଉସକାଇଥିଲେ ତତ୍‌କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ। ବରିଷ୍ଠ କ˚ଗ୍ରେସ୍‌ ନେତା ଡ. ହରେକୃଷ୍ଣ ମହତାବ, ତାଙ୍କୁ ନିଜର ରାଜନୈତିକ ଶତ୍ରୁ ବିବେଚନା କରି ଗୋଟି ଚଳାଉଥିଲେ। ମିଳିତ ମନ୍ତ୍ରିମଣ୍ତଳର କାର୍ଯ୍ୟରେ ବାରମ୍ବାର ହସ୍ତକ୍ଷେପ ହେବାରୁ ଶେଷରେ ୧୪ ଜୁନ୍‌ ୧୯୭୨ରେ ସେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପାଇଁ ମୁଖ୍ୟତଃ ବିଜୁ ପଟ୍ଟନାୟକଙ୍କୁ ଦାୟୀ କରାଯାଏ। ତେବେ, ବିଶ୍ବନାଥଙ୍କ ଇସ୍ତଫା ପରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଆସନରେ ବସିପାରି ନ ଥିଲେ। ମୁଖ୍ୟ ମନ୍ତ୍ରୀ ହୋଇଥିଲେ ନନ୍ଦିନୀ ଶତପଥୀ।

ବ୍ୟକ୍ତିଗତ ଜୀବନରେ ବିଶ୍ବନାଥ ଥିଲେ ସ୍ବଦେଶୀ ମନୋଭାବ ଥିବା ଧୋତି-କୁରୁତାର ସରଳ ମଣିଷ। ଆଚାର-ବ୍ୟବହାର, ପୋଷାକ-ପରିଚ୍ଛଦ, ଖାଦ୍ୟ-ପେୟ ସବୁଥିରେ ଖାଣ୍ଟି ସ୍ବଦେଶୀ। ପ୍ରଧାନ ମନ୍ତ୍ରୀ ଥିବା ବେଳେ ସେ ଭୋଜି-ଭାତରେ ଏପରିକି ଗୋରା ସାହେବମାନଙ୍କୁ ମଧ୍ୟ ତଳେ ବସାଇ କଦଳୀ ପତ୍ରରେ ଖାଇବାକୁ ଦେଉଥିଲେ। ରାଜ୍ୟପାଳ ଥିବା ବେଳେ ଗଙ୍ଗାରେ ସାଧାରଣ ଲୋକଙ୍କ ସହ ସ୍ନାନ କରୁଥିଲେ। ୧୮୮୯ ମାର୍ଚ‌୍‌ ୮ରେ ପୋଲସରା ନିକଟବର୍ତ୍ତୀ ବେଲଗାଁରେ ସେ ଜନ୍ମ ହୋଇଥିଲେ। ରାଭେନ୍‌ସାରୁ ସ୍ନାତକ ଏବ˚ କଲକାତା ବିଶ୍ବବିଦ୍ୟାଳୟରୁ ଆଇନରେ ଡିଗ୍ରି ଲାଭକରିଥିଲେ। ୧୯୬୬ରେ ‘ସର୍ଭାଣ୍ଟ୍‌ସ ଅଫ୍‌ ଦ ପିଉପଲ୍‌ ସୋସାଇଟି’ର ସଭାପତି ହୋଇଥିଲେ। କଟକସ୍ଥିତ କାଜୀ ବଜାରରେ ସେ ବାସକରୁଥିଲେ ଏବ˚ ଏହିଠାରେ ହିଁ ୨ ଜୁନ୍‌ ୧୯୮୪ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar