ଭାନୁମତୀ ଦେବୀ

୨୦୧୩ ଜାନୁଆରି ୪ ତାରିଖରେ ପୁରୀ ରେଡ୍ କ୍ରସ୍ ରୋଡ୍ସ୍ଥିତ ବାସଭବନରେ ମଞ୍ଚ ଓ ଚଳଚ୍ଚିତ୍ର ଦୁନିଆକୁ ସବୁ ଦିନ ପାଇଁ ବିଦାୟ ଦେଇ ଆର ପାରିକୁ ଚାଲିଯାଇଥିଲେ ସୁପ୍ରସିଦ୍ଧ ଓଡ଼ିଆ ଅଭିନେତ୍ରୀ ଭାନୁମତୀ ଦେବୀ। ସେତେ ବେଳେ ତାଙ୍କ ବୟସ ଅଠସ୍ତରି ହୋଇଥିଲା। ୧୫ ମେ ୧୯୩୪ରେ ତତ୍କାଳୀନ ବ୍ରିଟିସ୍ ଶାସନାଧୀନ ବର୍ମାରେ ସେ ଜନ୍ମ ହୋଇଥିଲେ। ପିତାଙ୍କ ନାମ ଥିଲା ସାରଥି ପଟ୍ଟନାୟକ ଓ ମାତାଙ୍କ ନାମ ପାଟ୍ଟଦେଈ। ଦ୍ବିତୀୟ ବିଶ୍ବ ଯୁଦ୍ଧ କାଳରେ ତାଙ୍କ ପିତା ସପରିବାର ବର୍ମା ଛାଡ଼ି ପୈତୃକ ବାସସ୍ଥାନ ଗଞ୍ଜାମର ଆସିକାକୁ ଚାଲିଆସିଥିଲେ।
୧୯୪୨ରେ ମାତ୍ର ସାତ ବର୍ଷର ହୋଇଥିବା ବେଳେ ଭାନୁମତୀଙ୍କ ଅଭିନେତ୍ରୀ ଜୀବନ ମଞ୍ଚରେ ଆରମ୍ଭ ହୋଇଥିଲା। ଅଭିନୟକୁ ନେଇ ସାହି-ପଡ଼ିଶା ଟାହି-ଟାପରା କରିବାରୁ ପରେ କଟକ ଆସିଥିଲେ। ସେ ଶାସ୍ତ୍ରୀୟ ନୃତ୍ୟ ଓ ସ˚ଗୀତରେ ତାଲିମ ନେଇଥିଲେ। ତାଙ୍କ ଗୁରୁ ଥିଲେ ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ତା। ପ୍ରାୟ ଚାଳିଶ ବର୍ଷ ସେ ‘ଅନ୍ନପୂର୍ଣ୍ଣା ର˚ଗମଞ୍ଚ’ ସହ ସ˚ପୃକ୍ତ ଥିଲେ। ଶତାଧିକ ନାଟକରେ ଅଭିନୟ କରିଥିଲେ। ‘ଲକ୍ଷେ ହୀରା’, ‘ନ ପାହୁ ରାତି ନ ମରୁ ପତି’ ଆଦି ତାଙ୍କ ଅଭିନୟ ପ୍ରତିଭାର ଅଲିଭା ସ୍ବାକ୍ଷର ବହନ କରୁଛି।
୧୯୫୪ରେ ‘ଆମରି ଗାଁ ଝିଅ’ ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲେ। ୧୯୬୦-୭୦ ମଧ୍ୟରେ ସେ ଚଳଚ୍ଚିତ୍ର ଜଗତ୍ରେ ବିଶେଷ ଭାବେ ସକ୍ରିୟ ଥିଲେ। ୧୯୬୬ରେ ମୃଣାଳ ସେନଙ୍କ ନିର୍ଦେଶନାରେ ମୁକ୍ତିଲାଭ କରିଥିଲା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ଆଧାରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’। ଫିଲ୍ମଟି ଜାତୀୟ ପୁରସ୍କାର ଲାଭ କରିଥିଲା। ସେଥିରେ ‘ବରଜୁ’ ଭୂମିକାରେ ଅଭିନୟ କରିଥିଲେ ଶରତ ପୂଜାରୀ ଏବ˚ ‘ଛକଡ଼ି’ ଭୂମିକାରେ ପ୍ରଶାନ୍ତ ନନ୍ଦ। ‘ବରଜୁ’ର ପତ୍ନୀ ‘ହାରାବୋଉ’ ଭୂମିକାରେ ଅଭିନୟ କରି ଭାନୁମତୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ। ସେ ପ୍ରାୟ ଛତିଶଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତନ୍ମଧ୍ୟରୁ କେତୋଟି ହେଲା- ‘କିଏ କାହାର’, ‘ଧରିତ୍ରୀ’, ‘ଅଦିନ ମେଘ’, ‘ମନ ଆକାଶ’, ‘ତପସ୍ୟା’, ‘ମୁକ୍ତି’, ‘ସମୟ’, ‘ମମତା’ ଓ ‘ଦେବଯାନୀ’। ୧୯୮୬ରେ ମୁକ୍ତିଲାଭ କରିଥିବା ‘ଜୟଦେବ’ ଭାନୁମତୀଙ୍କର ଶେଷ ଫିଲ୍ମ। ୧୯୮୫ରେ ସେ ପାଇଥିଲେ ‘ସ˚ଗୀତ ନାଟକ ଏକାଡେମି ପୁରସ୍କାର’ ଏବ˚ ୨୦୦୫ରେ ‘ଜୟଦେବ ପୁରସ୍କାର’।
ଭାନୁମତୀ ଦେବୀ ପ୍ରଥମ ପିଢ଼ିର ପ୍ରତିଷ୍ଠିତ କଳାକାର ହୋଇଥିଲେ ହେଁ ଜୀବନର ଶେଷ କାଳରେ ଗଭୀର ଆର୍ଥିକ ଦୁରବସ୍ଥା ଭୋଗକରିଥିଲେ। ସରକାରୀ ସହାୟତା କେବେ ହେଲେ ଠିକ୍ ସମୟରେ ମିଳୁ ନ ଥିଲା। ଯାହା ବି ମିଳୁଥିଲା ସେଥିରେ ଚଳିବା ସ˚ଭବ ହେଉ ନ ଥିଲା। ଦେହାନ୍ତର କିଛି ଦିନ ପୂର୍ବରୁ ଏକ ବିଶେଷ ସାକ୍ଷାତ୍କାର ଅବସରରେ ସେ କହିଥିଲେ- ଓଡ଼ିଆ କଳାକାର ହେବା ଏକ ଦୁର୍ଦଶା। ଏଠାରେ ଜନ୍ମ ହୋଇ କ୍ବଚିତ୍ କେହି କଳାକାର ଭଲରେ ଜୀବନ ବିତାଇଥିବେ। ଅଧିକା˚ଶ ଓଡ଼ିଆ କଳାକାର ଅବହେଳିତ। ତାଙ୍କ ଉକ୍ତିରେ ଯେ ସତ୍ୟତା ନିହିତ ଥିଲା, ଏହାକୁ ବୋଧହୁଏ କେହି ଅସ୍ବୀକାର କରିପାରିବେନାହିଁ।

Comments
So empty here ... leave a comment!