ମହାପାତ୍ର ନୀଳମଣି ସାହୁ

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତ୍‌ର ଅନ୍ୟତମ ପ୍ରଭାବଶାଳୀ ସ୍ରଷ୍ଟା ମହାପାତ୍ର ନୀଳମଣି ସାହୁ। ସେ ଏକଧାରରେ ଔପନ୍ୟାସିକ, ଗାଳ୍ପିକ ଓ ପ୍ରାବନ୍ଧିକ। ସମାଲୋଚନା, ରମ୍ୟ ରଚନା, ଶିଶୁ ସାହିତ୍ୟ, କବିତା, ଅନୁବାଦ, ଆଧ୍ୟାତ୍ମିକ ରଚନା ଓ ସ˚ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ଶକ୍ତିଶାଳୀ ଉପସ୍ଥିତି ସ୍ପଷ୍ଟ ଅନୁଭବ କରାଯାଏ। ତାଙ୍କ ଗଳ୍ପର ଭାଷା ଚିତ୍ରମୟ, ବର୍ଣ୍ଣମୟ ଓ ମନନଧର୍ମୀ। ତାଙ୍କ ଗଳ୍ପଗୁଡ଼ିକର କଥାବସ୍ତୁର ବ୍ୟାପକତା ଦେଖିଲେ, ବିସ୍ମିତ ହେବାକୁ ହୁଏ। ସେ ବାସ୍ତବବାଦୀ ସାହିତ୍ୟିକ। ତାଙ୍କ ନିଜ ଭାଷାରେ- ‘ମୋର ବିଶ୍ବାସ, ମୁଁ ମୋ ଜୀବନରେ ଯାହା କିଛି ଲେଖେ- କିଛି ମିଛ ଲେଖେନାହିଁ। ମୋ ମନରୁ ଗୋଟେ କିଛି ଫାନ୍ଦିକରି ଲେଖେନାହିଁ। ଜଗତ୍‌ରେ ଯାହା ଘଟେ, ତାହା ମୁଁ ନିଜେ ଅନୁଭବ ନ କରି ଲେଖେନାହିଁ। ଆଉ ମଧ୍ୟ ଆମର ଏ ଜଗତ୍‌ରେ ଯାହା କିଛି ଘଟିବା ଉଚିତ ବୋଲି ମୁଁ ମନେକରେ, ତାହା ବି ମୁଁ ନିଜେ ମୋ ଜୀବନରେ ପ୍ରଥମେ ପ୍ରୟୋଗ ନ କରି ଲେଖେନାହିଁ। ମୁଁ ମୋ ଜୀବନରେ ଅନେକ ମିଛ କଥା ପାଟିରେ କହିଛି। କିନ୍ତୁ, ଗୋଟିଏ ହେଲେ ବି ମିଛ ଶବ୍ଦ ମୋ ଲେଖନୀରୁ ବାହାରିନାହିଁ।’

ମହାପାତ୍ର ନୀଳମଣି ଲେଖୁଥିଲେ, ଓଡ଼ିଆ ଭାଷାଭାଷୀଙ୍କ ପାଇଁ। ନିଜ ଲେଖାଗୁଡ଼ିକର ହିନ୍ଦୀ ବା ଇ˚ରେଜୀ ଅନୁବାଦ ପାଇଁ ତାଙ୍କର ଆଗ୍ରହ ନ ଥିଲା। କେବଳ ଓଡ଼ିଆ ପାଠକ-ପାଠିକାଙ୍କର ଅଭିମତ ଶୁଣିବା ଲାଗି ସେ ସର୍ବଦା ବ୍ୟଗ୍ର ଥିଲେ। ସେ ସମାଜ ସଚେତନ ଲେଖକ। ସତ୍ୟ ପଛରେ ଧାଇଁଲା ବେଳେ ସେ ଦାର୍ଶନିକ ଓ ଯୋଗୀ। ଶିବ ବା ମଙ୍ଗଳ ପଛରେ ଧାଇଁଲା ବେଳେ ସେ କର୍ମୀ। ସୁନ୍ଦର ପଛରେ ଧାଇଁଲା ବେଳେ ପ୍ରେମୀ ଏବ˚ ମହତ୍‌ ପଛରେ ଧାଇଁଲା ବେଳେ ଭକ୍ତ। ତାଙ୍କ ରଚନାରେ ମିଳେ ଜ୍ଞାନ, କର୍ମ, ପ୍ରେମ ଓ ଭକ୍ତିର ଉପାଦାନ ଏବ˚ ସେଥି ଲାଗି ପ୍ରେରଣା।

୧୯୮୧ରେ ‘ଆକାଶ ପାତାଳ’ ପାଇଁ ସେ ଲାଭ କରିଥିଲେ ‘ଓଡ଼ିଶା ସାହିତ୍ୟ ଏକାଡେମି’ ପୁରସ୍କାର ଏବ˚ ୧୯୮୪ରେ ‘ଅଭିଶପ୍ତ ଗନ୍ଧର୍ବ’ ପାଇଁ ‘କେନ୍ଦ୍ର ସାହିତ୍ୟ ଏକାଡେମି’ ପୁରସ୍କାର। ୧୯୬୫-୧୯୬୯ ‘ଝଙ୍କାର’ ପତ୍ରିକାର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ଅଧ୍ୟାପନା ଥିଲା ତାଙ୍କର ବୃତ୍ତି। ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି ୧୯୮୪ରେ ବିଜେପି (ସାନ୍ଧ୍ୟ ମହାବିଦ୍ୟାଳୟ)ରୁ ଉପାଧ୍ୟକ୍ଷ ଭାବେ ଅବସର ନେଇଥିଲେ। ‘ଧରା ଓ ଧାରା’, ‘ତାମସୀ ରାଧା’, ‘ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ’, ‘ସୁମିତ୍ରାର ହସ’, ‘ଆମେ ଓଡ଼ିଆ’, ‘ଯାଆ ନିଶା ସର୍ବଭୂତେଷୁ’ ଆଦି ତାଙ୍କର ଶ୍ରେଷ୍ଠ କୃତି ତାଲିକା ଅନ୍ତର୍ଭୁକ୍ତ। ୧୯୨୬ ଡିସେମ୍ବର‌୍‌ ୨୨ରେ ନିଆଳିରେ ସେ ଜନ୍ମ ହୋଇଥିଲେ। ୨୦୧୬ ଜୁନ୍‌ ୨୫ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar