ସାର‌୍‌ ବାସୁଦେବ ସୁଢ଼ଳଦେବ

୧୮୦୩ରେ ଇ˚ରେଜମାନେ ଓଡ଼ିଶା ଦଖଲ କଲା ପରେ ଅନେକ ଗଡ଼ଜାତ ରାଜ୍ୟକୁ ଚୁକ୍ତି ବଳରେ କରଦ ରାଜ୍ୟ ବା ଦେଶୀୟ ରାଜ୍ୟ ବା ପ୍ରିନ୍‌ସଲି ଷ୍ଟେଟ୍‌ରେ ପରିଣତ କରିଥିଲେ। ଅଧିକା˚ଶ ଦେଶୀୟ ରାଜ୍ୟର ରାଜାମାନେ ପ୍ରଜା-ପ୍ରପୀଡ଼ିକ ଥିଲେ। ତେବେ, ଅଳ୍ପ କେତେ ଜଣ ପ୍ରଜାବତ୍ସଳ ମଧ୍ୟ ଥିଲେ ଏବ˚ ଅନେକ ଲୋକହିତକର କାର୍ଯ୍ୟ କରିଯାଇଥିଲେ। କେବଳ ନିଜ ରାଜ୍ୟ ନୁହେଁ ସମଗ୍ର ଓଡ଼ିଶାର ମଙ୍ଗଳ ପାଇଁ କାର୍ଯ୍ୟ କରିଥିବା ଏଭଳି ଦେଶପ୍ରେମୀ ରାଜାଙ୍କ ମଧ୍ୟରେ ବାମଣ୍ତା ରାଜା ସାର‌୍‌ ବାସୁଦେବ ସୁଢ଼ଳଦେବ ଅନ୍ୟତମ। ସେ ଥିଲେ ପ୍ରଜାହିତୈଷୀ ସାଙ୍ଗକୁ ସାହିତ୍ୟ-ପ୍ରିୟ। ସେ ବାମଣ୍ଢାକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିଥିଲେ।

ସୁଢ଼ଳଦେବ ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକ ଥିଲେ। ଓଡ଼ିଆ ସାହିତ୍ୟର ପ୍ରଚାର-ପ୍ରସାର ପାଇଁ ଦେବଗଡ଼ରେ ‘ଜଗନ୍ନାଥବଲ୍ଲଭ’ ନାମକ ଛାପାଖାନା ବସାଇଥିଲେ। ‘ସମ୍ବଲପୁର ହିତୈଷିଣୀ’ ନାମକ ସାପ୍ତାହିକ ପତ୍ରିକା ବାହାରକରିଥିଲେ। ଏହି ପତ୍ରିକା ସୁଦୂର କଟକ, ବାଲେଶ୍ବର, ପୁରୀ, ଗଞ୍ଜାମ ଓ ରାୟପୁରରେ ସୁଦ୍ଧା ପାଠକପ୍ରିୟତା ହାସଲ କରିଥିଲା। ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ, ବିଶ୍ବନାଥ କର ପ୍ରମୁଖ ଏହି ପତ୍ରିକା ପାଇଁ ଲେଖାଲେଖି କରୁଥିଲେ। ତାଙ୍କ ଶାସନ କାଳରେ ବାମଣ୍ତା ପାଲଟିଥିଲା ସାହିତ୍ୟିକଙ୍କ କ୍ରୀଡ଼ାଙ୍ଗନ ଏବ˚ ଲୋକମୁଖରେ ‘ବୁଧହ˚ସ କେଳିସର’। ସୁଢ଼ଳଦେବ ଗୁଣଗ୍ରାହୀ ପଣ୍ତିତ ଥିଲେ। ରାଧାନାଥଙ୍କୁ ସେ ହିଁ ନିଜ ଦରବାରରେ ‘କବିବର’ ଉପାଧିରେ ଭୂଷିତ କରିଥିଲେ। ସେ ନିଜେ ଥିଲେ କବି। ‘ଚିତ୍ରୋତ୍ପଳା’, ‘ବୀରବାମା’, ‘କିସ୍କିନ୍ଧ୍ୟା’ ଆଦି ତାଙ୍କ ଦ୍ବାରା ରଚିତ ପ୍ରସିଦ୍ଧ କାବ୍ୟ। ତାଙ୍କ ସାହିତ୍ୟ-ପ୍ରୀତି ଲକ୍ଷ୍ୟ କରି ‘ବ୍ୟାସକବି’ ଫକୀରମୋହନ ଲେଖିଥିଲେ- ‘‘ହେ ସୁଢ଼ଳ ମହାରାଜ କରେଁ ନମସ୍କାର, ହିତୈଷଣୀ ତୁମ୍ଭ ଯଶଃ କରୁଛି ପ୍ରଚାର। ବାମଣ୍ତା ରାଜ୍ୟରେ କରୁଅଛ ରାଜପଣ, ମାତ୍ର ଜ୍ଞାନରାଜ୍ୟେ ଅଟ ନୃପତି ଆପଣ। ହେ ରାଜନ ମାତୃଭାଷା ଉନ୍ନତି କାରଣେ, ଉତ୍ସାହିତ କରୁଅଛ ଗ୍ରନ୍ଥକର୍ତ୍ତା ଗଣେ।’’ ‘କବିବର’ ଲେଖିଥିଲେ- ‘‘ତୁମ୍ଭ ଶୁଭ ଆବିର୍ଭାବ ହୋଇଛି ଉତ୍କଳେ, ଦେବଦୁର୍ଗ ଦେବ! ଏବେ ତୀର୍ଥ ସାରସ୍ବତ, ବୁଧହ˚ସ କେଳିସରଃ, ଅବିଦ୍ୟା ଉଷରେ।’’

୧୮୫୦ ମେ ୧୬ରେ ସେ ଜନ୍ମ ହୋଇଥିଲେ। ତାଙ୍କ ବଡ଼ବାପା ବ୍ରଜ ସୁନ୍ଦର ତ୍ରିଭୁବନ ଦେବ ନିଃସନ୍ତାନ ଥିବାରୁ, ସୁଢ଼ଳଦେବଙ୍କୁ ପୋଷ୍ୟ କରିଥିଲେ। ଅଠର ବର୍ଷ ବୟସରେ ବାମଣ୍ଡାର ସତେଇଶତମ ଶାସକ ଭାବେ ସେ ସିଂହାସନ ଆରୋହଣ କରିଥିଲେ। ରାଜ-ପରିବାରରେ ଜନ୍ମ ହୋଇଥିଲେ ହେଁ ତାଙ୍କର ପ୍ରାଥମିକ ଶିକ୍ଷା ଚାଟଶାଳିରେ ହୋଇଥିଲା। ସେ ମେଧାବୀ ଥିଲେ। ପଣ୍ଡିତ ଆନନ୍ଦ ବ୍ରହ୍ମାଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ। ପଣ୍ଡିତ ଭୁବନେଶ୍ବର ବଡ଼ପଣ୍ଡା ଓ ପଣ୍ଡିତ ପୁରୁଷୋତ୍ତମଙ୍କଠାରୁ ବେଦ, ଉପନିଷଦ୍‌, କାବ୍ୟ, ନାଟ୍ୟ ଆଦି ଶିକ୍ଷା କରିଥିଲେ। ସିଂହାସନ ଆରୋହଣ ପୂର୍ବରୁ ସେ ସଂସ୍କୃତିବନ୍ତ ଓ ସୁରୁଚି ସଂପନ୍ନ ହୋଇସାରିଥିଲେ। ଆଜୀବନ ଏହି ଦୁଇ ଗୁଣ ତାଙ୍କ ସହ ଥିଲା। ସୁଢ଼ଳଦେବ ରାଜ୍ୟର ଶାସନ ଭାର ଗ୍ରହଣ କଲା ବେଳେ ଆର୍ଥିକ ଅବସ୍ଥା ଭଲ ନ ଥିଲା। ଜମି-ଜମା ରାଜସ୍ବ ବାବଦକୁ ବାର୍ଷିକ ମାତ୍ର ଅଠର ହଜାର ଟଙ୍କା ମିଳୁଥିଲା। ତେଣୁ, ରାଜ୍ୟରେ ଚାଷ-ବାସର ଉନ୍ନତି ପାଇଁ ସେ ପଦକ୍ଷେପ ନେଇଥିଲେ। କିଛି ଜମି ପ୍ରଜାଙ୍କ ନାମରେ କରି, ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଫଳରେ କୃଷିର ବିକାଶ ହୋଇଥିଲା ଏବଂ କ୍ରମଶଃ ରାଜସ୍ବ ବଢ଼ିଥିଲା। ଜଙ୍ଗଲ ଜାତ ଦ୍ରବ୍ୟରୁ ଅଧିକ ଆୟ ପାଇଁ ମଧ୍ୟ ସେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଥିଲେ। ନାନା ସଂସ୍କାର ଦ୍ବାରା ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିଥି‌େଲ।

ତାଙ୍କ ସମୟରେ ବାମଣ୍ଡାରେ ମାତ୍ର ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିଲା। ସେ ଅଠେଇଶଟି ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୧୮୮୨ରେ ରାଜଧାନୀ ଦେବଗଡ଼ରେ ଉଚ୍ଚ ବିଦ୍ୟାଳୟ ଆରମ୍ଭ କରିଥିଲେ। ବଙ୍ଗ ପ୍ରଦେଶର ବିଶିଷ୍ଟ ଶିକ୍ଷାବିତ୍‌ ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ଓ ଆଶୁତୋଷ ମୁଖାର୍ଜୀଙ୍କଠାରୁ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ନେଉଥିଲେ। ୧୮୯୪-୧୯୦୦ ମଧ୍ୟରେ ବ୍ରିଟିସ୍‌ ସରକାର ସହଯୋଗରେ ବାମଣ୍ଡାରେ ଡାକ ସେବା ଓ ଟେଲିଫୋନ୍‌ ସେବା ଆରମ୍ଭ କରିଥିଲେ। କାଠ କଳ ବସାଇଥିଲେ। ‌ନଦୀ ପଥରେ ବାଣିଜ୍ୟ ପାଇଁ ବ୍ୟବସ୍ଥା କରିଥ‌ିଲେ। ନୂଆ ସଡ଼କ ପଥ ନିର୍ମାଣ କରିଥିଲେ। ରାଜ୍ୟରେ ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ନିଷିଦ୍ଧ କରିଥିଲେ। ସୁଢ଼ଳଦେବ ରାଜା ହୋଇଥିଲେ ହେଁ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ। ଭ୍ରମଣ ବେଳେ ଛତ୍ର-ଚାମରଧାରୀ, ଅଙ୍ଗରକ୍ଷୀ ନେଉ ନ ଥିଲେ। ତାଙ୍କ ରାଜସଭା ଆଡ଼ମ୍ବରଶୂନ୍ୟ ଥିଲା। ସେ ନିଶା-ସେବନ ବିରୋଧୀ ଥିଲେ। ସାମାଜିକ-ଅର୍ଥନୀତିକ-ପ୍ରଶାସନିକ କ୍ଷେତ୍ର‌େର ଉଲ୍ଲେଖନୀୟ ସଂସ୍କାର ଓ ବିକାଶ ପାଇଁ ୬ ମାର୍ଚ‌୍ ୧୮୯୫ରେ ବ୍ରିଟିସ୍‌ ସରକାର, ତାଙ୍କୁ ‘ସାର୍‌’ ଉପାଧିରେ ସମ୍ମାନିତ କରିଥିଲେ। ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନରେ ସଭାପତିତ୍ବ କରିବା ପାଇଁ ‘ଉତ୍କଳ ଗୌରବ’ ମଧୁସୂଦନ ତାଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ, ଏହା ଅନୁଷ୍ଠିତ ହେବା ପୂର୍ବରୁ ୧୯୦୩ ନଭେମ୍ବର୍‌ ୧୯ରେ ଏହି ପ୍ରଜାବତ୍ସଳ ସଂସ୍କୃତିପ୍ରେମୀ ରାଜାଙ୍କର ଦେହାନ୍ତ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar