ମା’ ବିରଜାଙ୍କର ରଥଯାତ୍ରା

ଭାରତର ଏକ ପ୍ରମୁଖ ଶକ୍ତିପୀଠ ରୂପେ ପ୍ରସିଦ୍ଧ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଦୁର୍ଗାପୂଜା ଅବସରରେ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ । ରଥଯାତ୍ରା ନିମନ୍ତେ ବିଜୟା ରଥ ବା ସିଂହଧ୍ୱଜ ରଥ ଭାବେ ପ୍ରସିଦ୍ଧ ଏହି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ପବିତ୍ର ସୁନିଆଁଠାରୁ ମା’ ବିରଜାଙ୍କର ରଥ ନିର୍ମାଣ ପାଇଁ ବିଲ୍ବ କାଠ ଅନୁକୂଳ ହୋଇଥାଏ । ଏହି ରଥର ନିର୍ମାଣ ଶୈଳୀ ଓ ଆକୃତିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଏହା ମା’ ବିରଜାଙ୍କ ମୁଖ୍ୟ ମନ୍ଦିରର ନିର୍ମାଣଶୈଳୀକୁ ଅନୁସରଣ କରାଯାଇ ନିର୍ମିତ ହୋଇଅଛି । ଏହାର ଚକବିନ୍ୟାସ ମଧ୍ୟ ସ୍ୱତନ୍ତ୍ର । ଏହି ରଥର ଚକ ସଂଖ୍ୟା ବାର, ଉଚ୍ଚତା ୫୫ ଫୁଟ, ଦୈର୍ଘ୍ୟ ୨୧’-୩“ ଫୁଟ ଓ ପ୍ରସ୍ଥ ୧୭’-୩“ ଫୁଟ । ଏହି ରଥରେ ୮୯୮ ଖଣ୍ଡ କାଠ ବ୍ୟବହୃତ ହୋଇଥାଏ । ଏହାର ଶିଖର ପ୍ରଦେଶରେ ତିନିଗୋଟି ପିତ୍ତଳ କଳସ ରହିଥାଏ ଯାହା ଉପରେ କି ଚକ୍ର ଓ ପତାକା ଶୋଭା ପାଉଥାଏ । ଏହାର ମୁଖ୍ୟ ଖୁଣ୍ଟ ଚାରୋଟିକୁ ସୁନା ଖୁଣ୍ଟ କୁହାଯାଏ । ମା’ ଯେଉଁଠାରେ ବିଜୟ କରନ୍ତି ତାହା ଏକ ଦିବ୍ୟ ଆସ୍ଥାନ । ଏହାର ଠିକ ସମ୍ମୁଖରେ ବାହାରକୁ ରହେ ମୁଖରଥ ଓ ଚତୁର୍ମୁଖ ବ୍ରହ୍ମା ରଥର ସାରଥୀ ଭାବେ ଏହି ମୁଖ ରଥରେ ଆସନ ଗ୍ରହଣ କରନ୍ତି । ଦଶ ଦିଗରେ ଲୋକପାଳମାନେ ଓ ଚତୁଃପାର୍ଶ୍ୱରେ ନବଗ୍ରହମାନେ ସ୍ଥାନୀତ ହୋଇ ରଥର ରକ୍ଷାବିଧାନ କରନ୍ତି । ସମ୍ମୁଖରେ ସୁସଜ୍ଜିତ ଦୁଇଟି ମହାଗଜ, ଦୁଇଟି ବିରାଟକାୟ ସିଂହ ଓ ଘୋଡ଼ା ସ୍ଥାପିତ ହୋଇ ରଥର ସୌନ୍ଦର୍ଯ୍ୟ ବୃଦ୍ଧି କରାନ୍ତି । ରକ୍ତ, ପୀତ, ଈଷତ୍‌ କୃଷ୍ଣ, ନାରଙ୍ଗୀ ଓ ସବୁଜ ରଙ୍ଗର ପଞ୍ଚୁବର୍ଣ୍ଣି କପଡ଼ାରେ ନିର୍ମିତ ଆଚ୍ଛାଦନ ଦ୍ୱାରା ସମ୍ପୂର୍ଣ୍ଣ ରଥଟିକୁ ଆଚ୍ଛାଦିତ କରାଯାଇଥାଏ । ଭକ୍ତମାନେ ରଥକୁ ଟାଣିବା ନିମନ୍ତେ ଏହାର ନିମ୍ନଭାଗରେ ଶଙ୍ଖଚୂଡ଼ ଓ ସ୍ବର୍ଣ୍ଣଚୂଡ଼ ନାମକ ଦୁଇଗୋଟି ରଜ୍ଜୁ ସଂଯୋଗ କରାଯାଇଥାଏ ।

ମା’ ବିରଜାଙ୍କ ରଥ ନିର୍ମାଣ କାର୍ଯ୍ୟ ଆଶ୍ୱିନମାସ ଅମାବାସ୍ୟାରେ ଶେଷ ହୋଇଥାଏ । ଏହିଦିନ ରଥ ମଣ୍ଡପରେ ରଥାଧିବାସ ପୂଜା ଅନୁଷ୍ଠିତ ହୋଇଥାଏ । ରଥାଧିବାସ ପରଦିନ ଅର୍ଥାତ୍ ଆଶ୍ଵିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ରଥ ମଣ୍ଡପରେ ରଥପୂଜା ଅନୁଷ୍ଠିତ ହେବା ସହ ରଥରେ ମା’ ବିରଜାଙ୍କ ଚଳନ୍ତି ପ୍ରତିମା ବିଜେ କରିଥାନ୍ତି ଓ ତତ୍ପରେ ରଥଟଣା ଆରମ୍ଭ ହୋଇଥାଏ ।

ମା’ ବିରଜାଙ୍କ ରଥଯାତ୍ରା ୯ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ଦିବ୍ୟରଥରେ ବସି ମା’ ବିରଜା ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନରେ ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି । ନବମୀ ଦିନ ନିଶାର୍ଦ୍ଧରେ ପୂଜା ପରେ ବିଜୟା ରଥ ଉପରୁ ମା’ଙ୍କର ପ୍ରତିମୂର୍ତ୍ତିକୁ ରଥରୁ ଅବତରଣ କରାଯାଏ ଓ ମା’ଙ୍କର ଏକ ବିଶେଷ ଉତ୍ସବ – ‘ଲାଖବିନ୍ଧା ଉତ୍ସବ’, ଲାଖବିନ୍ଧା ପଡିଆରେ ଅନୁଷ୍ଠିତ ହୁଏ । ଏଠାରେ ଥିବା ଏକ ମଣ୍ଡପର ସିଂହାସନ ଉପରକୁ ମା’ଙ୍କର ବିଜେ ପ୍ରତିମାକୁ ନିଆଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଲାଖବିନ୍ଧା ପଡିଆକୁ ଦେବୀ ଦୁର୍ଗା ଓ ମହିଷାସୁରର ଯୁଦ୍ଧ ଭୂମି ବୋଲି ମନେ କରାଯାଏ । ତେଣୁ ଏଠାରେ ଦେବୀ ଓ ଦାନବର ଯୁଦ୍ଧ ଲୀଳା, ଏହି ଉତ୍ସବ ମାଧ୍ୟମରେ ପ୍ରତୀକାତ୍ମକ ଭାବେ ସମ୍ପାଦନ କରାଯାଇଥାଏ ଯେଉଁଥିରେ କି ପୂଜକ ସ୍ୱତନ୍ତ୍ର ଧନୁ ଓ ତୀରକୁ ପୂଜା କରି ଚାରି ଦିଗକୁ ଚାରିଥର ଶର ନିକ୍ଷେପ କରିଥାନ୍ତି । ଏହାକୁ ଲାଖବିନ୍ଧା କୁହାଯାଏ । ତତ୍ପରେ ମା’ଙ୍କର ବିଜେ ପ୍ରତିମା ଯଥା ଉପଚାର ପରେ ମନ୍ଦିରର ସିଂହାସନକୁ ପୁନଃ ବିଜେ କରନ୍ତି ।

ଭାରତବର୍ଷର କୌଣସି ଶକ୍ତିପୀଠରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳେନାହିଁ । ଏପରିକି ୯ ଦିନ ଧରି ପ୍ରତ୍ୟେହ ରଥଯାତ୍ରା ପାଳନ ପରମ୍ପରା ଭାରତବର୍ଷର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଦେଖିବାକୁ ମିଳେନାହିଁ। ଏହି ନବଦିବସୀୟ ରଥଯାତ୍ରା ଦର୍ଶନ କରି ପାପତାପରୁ ମୁକ୍ତିଲାଭ କରିବାପାଇଁ ଦେଶବିଦେଶରୁ ବହୁ ଭକ୍ତଙ୍କର ଜନସମାଗମ ବିରଜା କ୍ଷେତ୍ରରେ ହୋଇଥାଏ । ଭକ୍ତମାନେ ରଥରେ ମା’ଙ୍କର ଦର୍ଶନ ଲାଭ କରିବା ସହିତ ଭୋଗ ରାଗ କରିଥାନ୍ତି ଓ କେତେକ ନିଜ ନିଜର ମାନସିକ ଅନୁଯାୟୀ ରଥରେ ମା’ଙ୍କର ଅବସ୍ଥାନ କାଳରେ ଚଣ୍ଡୀ ପାଠ ମଧ୍ୟ କରାଇଥାନ୍ତି । ଏହିପରି ଭାବରେ ମା’ ବିରଜାଙ୍କର ରଥଯାତ୍ରା ଉତ୍ସବ ଭକ୍ତିଭାଵପୂର୍ଣ୍ଣ ପରିବେଶରେ ମହାସମାରୋହରେ ସମ୍ପୂର୍ଣ୍ଣ ହୋଇଥାଏ ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar