ଶ୍ରୀ ଲିଙ୍ଗରାଜଙ୍କର ରଥଯାତ୍ରା

ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଗୁଡିକ ମଧ୍ୟରୁ ଭୁବନେଶ୍ୱରରେ ଅଧିଷ୍ଠିତ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା ଅନ୍ୟତମ । ଏହି ପାଞ୍ଚଦିନ ବ୍ୟାପୀ ପାଳିତ ହେଉଥିବା ରଥଯାତ୍ରା ଉତ୍ସବ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହୋଇଥାଏ ଏବଂ ଏହି ଯାତ୍ରା ସମୟରେ ପ୍ରଭୁ ଲିଙ୍ଗରାଜ, ବିଜୟ ପଡିଆ ନିକଟସ୍ଥ ରାମେଶ୍ୱର ମନ୍ଦିରକୁ ଗମନ କରିଥାନ୍ତି । ଅନେକ ଐତିହାସିକମାନଙ୍କ ମତରେ ଏହି ରଥଯାତ୍ରାର ସମ୍ବନ୍ଧ ବୌଦ୍ଧ କିମ୍ବା ଜୈନ ଧର୍ମ ସହିତ ରହିଛି । କେତେକ କହନ୍ତି ଯେ ଏହି ରଥଯାତ୍ରା ସମ୍ରାଟ ଅଶୋକଙ୍କର କଳିଙ୍ଗ ବିଜୟର ସ୍ମୃତି ବହନ କରେ । ଏହାର ଉଦାହରଣ ସ୍ୱରୂପ ରାମେଶ୍ୱର ମନ୍ଦିର ନିକଟରେ ରହିଛି ବିଜୟ ପଡିଆ, ଅଶୋକ ତୀର୍ଥ ବା ଅଶୋକ ଝର ତଥା ଏହାର ଅନତିଦୂରରେ ପରିଦୃଷ୍ଟ ହେଉଥିବା ଭାସ୍କରେଶ୍ବର ମନ୍ଦିରରେ ସ୍ଥିତ ଅଶୋକ ସ୍ତମ୍ଭର ଅବଶେଷାଂଶ । ଆଉ କେତେକ ଐତିହାସିକମାନେ କୁହନ୍ତି ଯେ ପ୍ରଭୁ ଲିଙ୍ଗରାଜଙ୍କର ଏହି ରଥଯାତ୍ରା ଉତ୍ସବ ମୂଳତଃ ସମ୍ରାଟ ଖାରବେଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପବିତ୍ର ଜିନାସନ ମୂର୍ତ୍ତିର କଳିଙ୍ଗ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଜୈନ ରଥଯାତ୍ରା ଉତ୍ସବର ହିନ୍ଦୁମାନଙ୍କ ଦ୍ୱାରା ପରିବର୍ତ୍ତିତ ସ୍ୱରୂପ । ତେବେ ଏହା କଣ ମୂଳତଃ ବୌଦ୍ଧ କିମ୍ବା ଜୈନ ସ୍ମୃତିର ନିଦର୍ଶନ ନା ଏଥିରେ କିଛି ହିନ୍ଦୁ ଧର୍ମର ସ୍ମୃତି ମଧ୍ୟ ନିହିତ ଅଛି, ଆସନ୍ତୁ ସେ ସମ୍ବନ୍ଧରେ ଆଲୋଚନା କରିବା ।

ଭବିଷ୍ୟ ପୁରାଣରେ ବିଭିନ୍ନ ଦେବାଦେବୀଙ୍କର ରଥଯାତ୍ରା ପାଳନ ସମ୍ପର୍କରେ ନିର୍ଦ୍ଦିଷ୍ଟ ତିଥି ମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା ରହିଛି ଏବଂ ସେହି ବର୍ଣ୍ଣନା ଅନୁଯାୟୀ ଭଗବାନ ଶିବଙ୍କର ରଥଯାତ୍ରା ଉତ୍ସବ ଅଷ୍ଟମୀ କିମ୍ବା ଚତୁର୍ଦ୍ଦଶୀ ତିଥିରେ କରିବାର ଉଲ୍ଲେଖ ରହିଛି । ଏବଂ ଯେହେତୁ ଚତୁର୍ଦ୍ଦଶୀ ତିଥିରେ ଶିବଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ମହାଶିବରାତ୍ରି ପାଳିତ ହୋଇଥାଏ, ତେଣୁ ତାଙ୍କର ରଥଯାତ୍ରା ଉତ୍ସବକୁ ପାଳନ କରିବା ନିମିତ୍ତ ଅଷ୍ଟମୀ ତିଥିକୁ ଚୟନ କରିବା ଯଥାର୍ଥ ମନେ ହୁଏ । ଏବଂ ଯେହେତୁ ଶ୍ରୀଲିଙ୍ଗରାଜ ହେଉଛନ୍ତି ପୁରାଣ ପ୍ରସିଦ୍ଧ ଦେବତା, ତେଣୁ ତାଙ୍କର ରଥଯାତ୍ରା ଉତ୍ସବ ମଧ୍ୟ ପୌରାଣିକ ତଥ୍ୟ ଅନୁଯାୟୀ ପାଳିତ ହେବା ସମୀଚିନ ମନେହୁଏ ଏବଂ ଏହାର ବୌଦ୍ଧ କିମ୍ବା ଜୈନ ଧର୍ମ ସମ୍ପର୍କିତ ଦିଗ ଗୁଡ଼ିକର ସତ୍ୟତା କେବଳ ଏକ ଐତିହାସିକ ଅନୁମାନ ଛଡା ଅନ୍ୟ କିଛି ନୁହେଁ ବୋଲି ଦୃଢତାର ସହିତ କୁହାଯାଇପାରେ । ଏବେ ଆମେ ତ ଜାଣିଲେ ଯେ ଶ୍ରୀଲିଙ୍ଗରାଜଙ୍କର ରଥଯାତ୍ରା ଅଷ୍ଟମୀ ତିଥିରେ କାହିଁକି ପାଳିତ ହୁଏ, ତେବେ ଏହା ଅଶୋକାଷ୍ଟମୀ ତିଥିରେ କାହିଁକି ପାଳିତ ହୁଏ, ଆସନ୍ତୁ ସେ ସମ୍ପର୍କରେ ଅବଗତ ହେବା ।

ଏକାମ୍ର ପୁରାଣର ବର୍ଣ୍ଣନା ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏକଦା ଏକାମ୍ର କ୍ଷେତ୍ର ବା ବର୍ତ୍ତମାନର ଭୁବନେଶ୍ୱର ଅଞ୍ଚଳରେ ଶିବ ଉପାସନା କରିଥିଲେ । ସେ ଏଠାରେ ଭଗବାନ ଶିବଙ୍କର ପରାମର୍ଶ କ୍ରମେ ନିଜ ନାମରେ ଏବଂ ନିଜର ତିନି ଭ୍ରାତାଙ୍କ ନାମରେ ଚାରିଗୋଟି ଲିଙ୍ଗ – ରାମେଶ୍ୱର, ଲକ୍ଷ୍ମଣେଶ୍ବର, ଭରତେଶ୍ୱର ଓ ଶତ୍ରୁଘ୍ନେଶ୍ବର ସ୍ଥାପନ କରିଥିଲେ । ଏବଂ କିମ୍ବଦନ୍ତୀ ଅନୁସାରେ ଚୈତ୍ର ମାସ ଅଶୋକାଷ୍ଟମୀ ତିଥିରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇଥିଲା ଓ ଏହି ପ୍ରତିଷ୍ଠା ଉତ୍ସବରେ ଭଗବାନ ଶିବ ସ୍ୱୟଂ ମା ଭୁବନେଶ୍ବରୀଙ୍କ ସହିତ ରଥାରୂଢ ହୋଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଇଥିଲେ । ତେଣୁ ଏହାର ସ୍ମାରକୀ ସ୍ବରୂପ ଅଶୋକାଷ୍ଟମୀ ତିଥିରେ ଏକାମ୍ର କ୍ଷେତ୍ରରେ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ ଓ ଏହି ଉତ୍ସବରେ ପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ଗମନ କରନ୍ତି । ଏହି ରଥଯାତ୍ରା ସମ୍ପର୍କରେ ମଧ୍ୟ ବିଶଦ ଭାବରେ ‘କପିଳ ସଂହିତା’, ‘ସ୍ୱର୍ଣ୍ଣାଦ୍ରି ମହୋଦୟ’ ଓ ‘ଏକାମ୍ର ଚନ୍ଦ୍ରିକା’ ଆଦି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । ତେଣୁ ଏଥିରୁ ସୁସ୍ପଷ୍ଟ ଯେ ଏହା ହିନ୍ଦୁମାନଙ୍କର ଏକ ମୌଳିକ ପର୍ବ ।

ପ୍ରଭୁ ଲିଙ୍ଗରାଜଙ୍କର ରଥ ନିର୍ମାଣ ସମୟରେ ପ୍ରଥମେ ଉତ୍ତମ ମହାରଣା ଶିଳ୍ପୀ ବା ବିଶ୍ଵକର୍ମାମାନଙ୍କୁ ଫୁଲ ଓ ନୂତନ ବସ୍ତ୍ର ପ୍ରଦାନ କରାଯାଇ ରଥ ନିର୍ମାଣ ନିମିତ୍ତ ଆମନ୍ତ୍ରଣ କରାଯାଇଥାଏ । ଏହି ରଥର ନିର୍ମାଣ କାର୍ଯ୍ୟ ସରସ୍ୱତୀ ପୂଜା ବା ଶ୍ରୀପଞ୍ଚମୀ ଠାରୁ ଆରମ୍ଭ ହୋଇଥାଏ । ଏହି ରଥର ଉଚ୍ଚତା ୩୫ ଫୁଟ ଏବଂ ପ୍ରସ୍ଥ ପ୍ରାୟ ୨୦ ଫୁଟ । ଏହା ଚାରି ଚକ୍ର ବିଶିଷ୍ଟ ତଥା ଏହି ଚକ୍ର ମାନଙ୍କର ବ୍ୟାସ ୯ ଫୁଟ । ଏହି ରଥରେ ଚାରୋଟି ଅଶ୍ୱ, ଏକ ଦିବ୍ୟ ସିଂହାସନ, ସ୍ୱର୍ଣ୍ଣ କଳଶ, ଷୋଡ଼ଶ କରମଣ୍ଡଳ, ଏକୋଇଶଟି ଛାୟା, ଚାରୋଟି ତୋରଣ ଓ ଧ୍ୱଜକୁ ତ୍ରିଶୂଳ ଶୋଭିତ କରାଯାଇ ବିଧିପୂର୍ବକ ରଥକୁ ଅଶୋକାଷ୍ଟମୀର ପୁର୍ବ ଦିନ ପ୍ରତିଷ୍ଠା କରାଯାଏ ।

ପ୍ରତିଷ୍ଠା ପରେ ଅଶୋକାଷ୍ଟମୀ ଦିନ ଏହି ରଥରେ ଶ୍ରୀଲିଙ୍ଗରାଜଙ୍କ ପ୍ରତିନିଧି ଚନ୍ଦ୍ରଶେଖର, ରୁକ୍ମିଣୀ ଓ ବାସୁଦେବଙ୍କୁ ମନ୍ଦିର ମଧ୍ୟରୁ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଅଣାଯାଇ ଘଣ୍ଟଘଣ୍ଟା ମାର୍ଦ୍ଦଳ ଆଲଟ ଚାମର ମଧ୍ୟରେ ରଥରେ ବିଜେ କରାଯାଏ । ରୁକ୍ମିଣୀ ହେଉଛନ୍ତି ଶିବଙ୍କର ମହାଶକ୍ତି ଓ ରଥର ଅଧିଷ୍ଠାତ୍ରୀ ଦେବୀ । ତାଙ୍କର ନାମ ଅନୁସାରେ ଏହି ରଥର ନାମ ମଧ୍ୟ ରୁକ୍ମିଣୀ/ରୁକ୍ମଣା ରଥ ବା ରୁକୁଣା ରଥ ତଥା ଯାତ୍ରାର ନାମ ରୁକୁଣା ରଥଯାତ୍ରା ହୋଇଥିବାର ଅନୁମାନ କରାଯାଏ । ତେବେ ଅନେକଙ୍କ ମତରେ ମଧ୍ୟ ଏହି ରଥର ନାମ ଦେବଦଳନ ଯେଉଁଥିରେ କି ଚନ୍ଦ୍ରଶେଖର ଲିଙ୍ଗରାଜଙ୍କ ପ୍ରତିନିଧି ରୂପେ, ଜୟଦୁର୍ଗା ଭୁବନେଶ୍ଵରୀଙ୍କ ପ୍ରତିନିଧି ରୂପେ (ଯାହାଙ୍କୁ ରୁକୁଣା କୁହାଯାଉଛି) ଓ ଦୋଳ ଗୋବିନ୍ଦ ଅନନ୍ତ ବାସୁଦେବଙ୍କ ପ୍ରତିନିଧି ରୂପେ ପ୍ରତିନିଧିତ୍ବ କରନ୍ତି । ମଝିରେ ଗୋପାଳୁଣି (ଜୟଦୁର୍ଗା) ବିଜେ ହୁଅନ୍ତି, ଗୋପାଳୁଣିଙ୍କ ଦକ୍ଷିଣ ପଟେ ଚନ୍ଦ୍ରଶେଖର ଓ ବାମ ପଟେ ବାସୁଦେବ ବିଜେ ହୁଅନ୍ତି । ସ୍ୱର୍ଣ୍ଣାଦ୍ରି ମହୋଦୟ ହିସାବରେ ମଧ୍ୟ ଏହା ସମ୍ପୁର୍ଣ୍ଣ ଭାବେ ଶିବ ପାର୍ବତୀଙ୍କ ଯାତ୍ରା ।

ଏହି ରଥରେ ଅଧିଷ୍ଠିତ ତିନି ମୂର୍ତ୍ତି ମଧ୍ୟ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରତୀକାତ୍ମକ ତଥା ସମନ୍ୱୟାତ୍ମକ ସ୍ୱରୂପକୁ ଦର୍ଶାଇଥାନ୍ତି । ଚାଳକ ବୃଷଭ ଓ ସାରଥୀ ବ୍ରହ୍ମା ଥିବା ଏହି ରଥକୁ ତତ୍ପଶ୍ଚାତ ହଜାର ହଜାର ଭକ୍ତଙ୍କ ଦ୍ୱାରା ଟଣାଯାଇଥାଏ । ରଥଟଣା ମଝିରେ ଅଶୁରିଆ କିଆରୀ ନିକଟରେ ମୁଆଁ ଭୋଗ ଲାଗିହୁଏ ଓ ରଥ ରାମେଶ୍ୱର ମନ୍ଦିର ନିକଟରେ ଅଟକିଥାଏ । ସେଠାରେ ଦିଅଁମାନେ ଚାରିଦିନ ଅବସ୍ଥାନ କରିବା ସମୟରେ ବିଧିପୂର୍ବକ ରୀତିନୀତି ପାଳିତ ହୁଏ ଓ ପଞ୍ଚମ ଦିନ ପୁଣି ସେମାନେ ରଥାରୂଢ ହୁଅନ୍ତି ଲିଙ୍ଗରାଜ ମନ୍ଦିରକୁ ବାହୁଡ଼ିବା ପାଇଁ ।

ଅନ୍ୟାନ୍ୟ ରଥଯାତ୍ରା ପରି ରୁକୁଣା ରଥଯାତ୍ରାରେ ବାହୁଡା ଯାତ୍ରା ନିମିତ୍ତ ରଥକୁ ବୁଲାଯାଏ ନାହିଁ । କେବଳ ରଥର ସମ୍ମୁଖ ଦ୍ୱାର ବନ୍ଦ କରାଯାଇ ରଥ ଉପରେ ପ୍ରତିଷ୍ଠିତ ସିଂହାସନଟିକୁ ପଛକୁ ଘୁରାଇ ଦେବା ଫଳରେ ତାହା ସମ୍ମୁଖ ପାର୍ଶ୍ୱ ରୂପେ ପରିଦୃଷ୍ଟ ହୁଏ ଏବଂ ଏହି ନୂତନ ଭାବେ ଉନ୍ମୁକ୍ତ ଭାଗଟିରେ ଦଉଡି ଲଗାଯାଇ ବାହୁଡ଼ା ଯାତ୍ରା ନିମିତ୍ତ ରଥ ଟଣା ଆରମ୍ଭ ହୋଇଥାଏ । ସେଥିପାଇଁ କଥାରେ ଅଛି – “ରୁକୁଣା ରଥ ଅଣ ଲେଉଟା ।” ପ୍ରଭୁ ଲିଙ୍ଗରାଜଙ୍କର ନିଜ ମନ୍ଦିରକୁ ବାହୁଡା ବା ସ୍ଵର୍ଣ୍ଣାଦ୍ରୀ ବିଜେ ସମୟରେ ରଥଯାତ୍ରାରେ ପାର୍ବତୀଙ୍କୁ ନନେଇ ଲକ୍ଷ୍ମୀ (ରୁକ୍ମିଣୀ)ଙ୍କୁ ନିଜ ସହିତ ନେଇଥିବା ହେତୁ ଶ୍ରୀଲିଙ୍ଗରାଜ ଏବଂ ମାତା ପାର୍ବତୀଙ୍କ ମଧ୍ୟରେ କଳି ବା ବଚନିକା ହୁଏ ଯାହାକି ପୁରୀର ବାହୁଡା ଯାତ୍ରାରେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀ ନାରାୟଣ କଳିର ଅନୁରୂପ । ଏହା ଠାକୁର ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସେବାୟତମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ ।

ଏହି ରୁକୁଣା ରଥଯାତ୍ରା ବା ଅଶୋକାଷ୍ଟମୀ ଯାତ୍ରା ଅତ୍ୟନ୍ତ ପବିତ୍ର ତଥା ମନୋମୁଗ୍ଧକର । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତମାନେ ଅତ୍ୟନ୍ତ ନିଷ୍ଠାର ସହିତ ଏହି ଉତ୍ସବରେ ଭାଗ ନେଇଥାନ୍ତି ଓ ପ୍ରଭୁଙ୍କର କୃପା ଲାଭ କରିଥାନ୍ତି । ସେଥିପାଇଁ ‘ଏକାମ୍ର ଚନ୍ଦ୍ରିକା’ରେ ଯଥାର୍ଥରେ କୁହାଯାଇଛି ଯେ –
“ଏକାମ୍ରେ ଚୈତ୍ରମାସେ ଯଃ ପଶ୍ୟେଦ୍ରଥ ଗତଂ ହରମ୍ ।
ବ୍ରହ୍ମହତ୍ୟାଦି ପାପାନି କ୍ଷୟିତ୍ୱା ମୋକ୍ଷମାପ୍ନୁୟାତ୍ ।।
ଉବାଚ ରାଘବଂ ଶମ୍ଭୁ ଚୈତ୍ରଶୁକ୍ଳାଷ୍ଟମୀ ଦିନେ ।
ଯା ସ୍ୟେ ଗିରିଜୟା ସାର୍ଦ୍ଧଂ ତବଲିଙ୍ଗସ୍ୟ ସନ୍ନିଧି ।।
ରଥସ୍ଥଂ ତତ୍ରମାଂ ଦୃଷ୍ଟ୍ୱା ବ୍ରହ୍ମହତ୍ୟାଦି ପାତକୈ ।
ମୁଚ୍ୟତେ ଯତ୍ର ସନ୍ଦେହ ସ୍ତୁପି ଚାଣ୍ଡାଳ ଯୋନିଜଃ ।।”

ଜୟ ଶ୍ରୀଲିଙ୍ଗରାଜ ! ଜୟ ଶିବ ଶଙ୍କର !

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar