ଏଇ ମାଟିର ବାରବାଟୀ (୩ୟ ଭାଗ)

ବାରବାଟୀର ରୂପରେଖ
ଭାରତୀୟଙ୍କର ନିର୍ମାଣ ଶୈଳୀ ଓ ସ୍ଥାପତ୍ୟ କଳା ସମ୍ବନ୍ଧରେ ‘Bishop Heber’ ମତବ୍ୟକ୍ତ କରି କହିଛନ୍ତି ଯେ –
“the Indians built like Titans and finished like jewellers.”
ତେଣୁ ଯଦି ଆମେ ଉପରୋକ୍ତ ମନ୍ତବ୍ୟକୁ ଦୃଷ୍ଟିରେ ରଖିବା, ତେବେ ହୃଦୟଙ୍ଗମ କରିବା ଯେ – କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଜଗନ୍ନାଥ ମନ୍ଦିର ପରି ବିଶାଳ ଅଥଚ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟର ନିର୍ମାତା ଓଡ଼ିଶାର ତତ୍କାଳୀନ ମହାରାଜାମାନେ କେବେହେଲେ ବାରବାଟୀ ଗ୍ରାମରେ ଏକ ସାଧାରଣ ପ୍ରତୀୟମାନ ହେଉଥିବା ଦୁର୍ଗ ନିର୍ମାଣ କରିନଥିବେ ଯାହାକି ଉତ୍କଳର ସ୍ୱାଭିମାନର ପ୍ରତୀକ ଥିଲା ।
୧୪୫୫ ଖ୍ରୀଷ୍ଟାବ୍ଦର ଏକ ପ୍ରାଚୀନ ଅଭିଲେଖରେ ଗଜପତି କପିଳେନ୍ଦ୍ର ଦେବଙ୍କର ରାଜଧାନୀ ବାରବାଟୀକୁ ଇନ୍ଦ୍ରଙ୍କର ଅମରାବତୀ ସହିତ ତୁଳନା କରାଯାଇଛି –
“କଟକା ନାମ ପୁରିଯସ୍ୟ ରାଜଧାନୀ ବିରାଜତେ
ମହାନଦୀ ପରସରେ ଶତ୍ରେସ୍ୟେ ବା ଅମରାବତୀ ।।”
ଐତିହାସିକ ବାରବାଟୀ ଦୁର୍ଗ ଗଙ୍ଗବଂଶୀୟ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ଵାରା ନିର୍ମିତ ହେବା ପରଠାରୁ ଉତ୍କଳର ବିଭିନ୍ନ ମହାରାଜାମାନଙ୍କ ଦ୍ୱାରା ଏହାର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଏକ କ୍ରମିକ ଧାରାରେ ଅବ୍ୟାହତ ରହିଥିଲା । ଏବଂ ଏହି ଧାରାରେ ବାରବାଟୀ ଦୁର୍ଗର ରୂପରେଖ ଓ ଶୋଭା ତାହାର ଚରମ ଉତ୍କର୍ଷତାକୁ ସ୍ପର୍ଶ କରିଥିଲା ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ସମୟରେ ଯାହାର ଉଲ୍ଲେଖ ଆବୁଲଫଜଲଙ୍କ ସ୍ୱପ୍ରଣୀତ ‘ଆଇନ-ଇ-ଆକବରୀ’ରେ ପ୍ରତିଫଳିତ ହୁଏ । ଏଥିରେ ବର୍ଣ୍ଣିତ ଅଛି ଯେ –
“ଏହି ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବଙ୍କ ଦ୍ୱାରା ନିର୍ମିତ ଏକ ନବତଳ ପ୍ରାସାଦ ରହିଛି । ଏହାର ପ୍ରଥମ ତଳ ହାତୀ ତଥା ଅନ୍ୟାନ୍ୟ ପାଳିତ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ଦ୍ଵିତୀୟ ତଳ ଗୁଳିଗୋଳା ଓ ଅନ୍ୟାନ୍ୟ ଯୁଦ୍ଧୋପକରଣ ଦ୍ୱାରା ସଜ୍ଜିତ ଥିବା ସହିତ ଦୁର୍ଗରକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କର ନିବାସ ଥିଲା । ତୃତୀୟ ତଳ ଦ୍ୱାରୀ ଓ ଅନ୍ୟାନ୍ୟ ଆଜ୍ଞାବାହକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସମୟରେ ଚତୁର୍ଥ ତଳ ନାନା ପ୍ରକାର କୌଶଳୀ କାରିଗରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପଞ୍ଚମ ତଳରେ ରନ୍ଧନଶାଳା ଥିଲା । ଷଷ୍ଠ ତଳ ବିଭିନ୍ନ ଭଦ୍ରବ୍ୟକ୍ତି ଓ ଆଗନ୍ତୁକ ମାନଙ୍କ ସହିତ ଦେଖାସାକ୍ଷାତ, କଥୋପକଥନ ତଥା ରାଜଦରବାର ରୂପେ ବ୍ୟବହୃତ ହେଉଥିଲା । ସପ୍ତମ ତଳଟି ରାଜାଙ୍କର ପାରିବାରିକ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିବା ସମୟରେ ଅଷ୍ଟମ ତଳଟି ଅନ୍ତଃପୁରର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ନବମ ତଳଟି ରାଜାଙ୍କର ଶୟନାଗାର ଥିଲା ।”
ତେବେ ବାରବାଟୀର ଏହି ନବତଳ ପ୍ରାସାଦର ଅସ୍ତିତ୍ବ ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଛି ଯାହାକୁ ଦୂରକରିବା ନିମିତ୍ତ ଆଜି ଆମ ପାଖରେ ବାରବାଟୀର କିଛି ଭଗ୍ନାବଶେଷ ମାତ୍ର ରହିଛି ଯାହାକି ଏ ଦିଗରେ ସନ୍ଦେହ ମୋଚନ କରିବା ନିମନ୍ତେ ଯଥେଷ୍ଟ ନୁହେଁ । ଏହି ଭଗ୍ନାବଶେଷ ମାନଙ୍କ ମଧ୍ୟରେ ରହିଛି ବୃହତ ସ୍ତୁପ, ସୁନ୍ଦର କ୍ଲୋରାଇଟ ପଥର ନିର୍ମିତ ପ୍ରକାଣ୍ଡ ଆଲୋକ ଧାରଣ ସ୍ତମ୍ଭ ତଥା ମାଙ୍କଡ଼ା ପଥର ନିର୍ମିତ ୩୦ ରୁ ଉର୍ଦ୍ଧ୍ବ ବର୍ଗାକାର ସ୍ତମ୍ଭ (ପ୍ରତ୍ୟେକ ପ୍ରାୟ ୭ ମିଟର ଉଚ୍ଚତା ବିଶିଷ୍ଟ) । ତେବେ ଏହି ଭଗ୍ନାବଶେଷ ଗୁଡିକ ଏକ ଭବ୍ୟ ଓ ବିଶାଳ ନିର୍ମାଣର ଏକ ଅଂଶବିଶେଷ ବୋଲି ପ୍ରଖ୍ୟାତ ଐତିହାସିକ ଆନଡ୍ର୍ୟୁ ଷ୍ଟର୍ଲିଂ କହିଛନ୍ତି ।
ସ୍ଥାପତ୍ୟ ଇତିହାସ ପ୍ରବୀଣ ଜେମ୍ସ ଫର୍ଗୁସନ ମଧ୍ୟ ବାରବାଟୀର ଏହି ନବତଳ ପ୍ରାସାଦର ଅସ୍ତିତ୍ବ ସମ୍ପର୍କରେ ସକାରାତ୍ମକ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ – ବାରବାଟୀର ସମସାମୟିକ ଜୟପୁର ଏବଂ ବିଜାପୁରର ସପ୍ତତଳ ପ୍ରାସାଦ ଓ ଫତେହପୁର ସିକ୍ରି ଠାରେ ଆକବରଙ୍କର ପଞ୍ଚତଳ ପ୍ରାସାଦର ଅସ୍ତିତ୍ବ ଏହାର ସୂଚନା ଦିଏ ଯେ ବାରବାଟୀରେ ଏକ ନବତଳ ପ୍ରାସାଦର ଅସ୍ତିତ୍ବ ନିଶ୍ଚୟ ଥିଲା । ନଚେତ ଓଡ଼ିଶା ସହିତ ସୁପରିଚିତ ଥିବା ଆକବରଙ୍କର ସାମ୍ରାଜ୍ୟର ଏକ ପ୍ରକାର ଅଂଶବିଶେଷ ଓଡ଼ିଶାର ଏହି ବାରବାଟୀ ଦୁର୍ଗ ସମ୍ପର୍କରେ ଏପରି ବର୍ଣ୍ଣନା ଆବୁଲଫଜଲ କେବେହେଲେ କରି ନଥାନ୍ତେ ।
ପୁନଶ୍ଚ ମୁକୁନ୍ଦଦେବଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ବାରବାଟୀ ସମ୍ପର୍କରେ ନିଜର ପତ୍ରରେ ବର୍ଣ୍ଣନା କରିଥିବା ‘ବୃଟନ’ଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ “So large in extent and so magnificent in structure.” ଆବୁଲଫଜଲଙ୍କ ବର୍ଣ୍ଣିତ ବାରବାଟୀର ନବତଳ ପ୍ରାସାଦ ସଦୃଶ କୌଣସି ଏକ ବିଶାଳ ସୌଧର ଉପସ୍ଥିତି ସମ୍ପର୍କୀୟ ମତକୁ ଦୃଢ଼ ସମର୍ଥନ କରେ । ଏପରିକି ୧୭୬୬ ଖ୍ରୀଷ୍ଟାବ୍ଦରେ ୟୁରୋପୀୟ ପର୍ଯ୍ୟଟକ ଥୋମାସ ମଟ୍ ଙ୍କ ଦ୍ଵାରା “ବାରବାଟୀ ଦୁର୍ଗ Windsor Castle ପରି” ଦେଖାଯାଉଥିବାର ଉଲ୍ଲିଖିତ ।
ସମ୍ପ୍ରତି ଦୁର୍ଗର ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ଅବ୍ୟାହତ ରହିଛି ଓ ଭବିଷ୍ୟତରେ ଦୁର୍ଗର ପୂର୍ଣ୍ଣାଙ୍ଗ ଖନନ ପରେ ହିଁ ଦୁର୍ଗ ସମ୍ବନ୍ଧରେ ସବିଶେଷ ବିବରଣୀ ଉପଲବ୍ଧ ହେବ । ତେବେ ଏତିକି ଦୃଢ଼ନିଶ୍ଚିତ ହୋଇ କହିହେବ ଯେ “ବାରବାଟୀ ଦୁର୍ଗ ଅତୀତରେ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ହୋଇ ରହିଥିଲା ଓ ଭବିଷ୍ୟତରେ ମଧ୍ୟ ଓଡ଼ିଶାର ଉତ୍ତରପିଢିଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହୋଇ ସଦାସର୍ବଦା ରହିବ ।”
ସହାୟକ ଉତ୍ସ :
୧) ନଗର କଟକ (ଉତ୍କଳ ପାଠକ ସଂସଦ)
୨) ନଗର କଟକ ଓ ପଞ୍ଚ କଟକ (ଉତ୍କଳ ପାଠକ ସଂସଦ)

Comments
So empty here ... leave a comment!