ଲୁପ୍ତପ୍ରାୟ ବୋର୍ଣ୍ଣିଓ ହାତୀ ଓ ଉତ୍କଳୀୟ ନୌବାଣିଜ୍ୟ

ବୋର୍ଣ୍ଣିଓ ହାତୀ ବା ବୋର୍ଣ୍ଣିଓ ପିଗମି ହାତୀ (Elephas maximus borneensis) ହେଉଛି ଏସୀୟ ହାତୀ (Elephas maximus) ର ଏକ ଉପ-ପ୍ରଜାତି ଯାହାକି ଉତ୍ତର-ପୂର୍ବ ବୋର୍ଣ୍ଣିଓ, ଇଣ୍ଡୋନେସିଆ ତଥା ମାଲେସିଆରେ ଦେଖିବାକୁ ମିଳିଥାଏ । ଏହି ହାତୀ ପ୍ରଜାତିଟି (ନିମ୍ନ ପାର୍ଶ୍ବସ୍ଥ ଚିତ୍ରରେ ଦର୍ଶିତ) ହେଉଛି ଏସିଆର କ୍ଷୁଦ୍ରତମ ତଥା ଲୁପ୍ତପ୍ରାୟ ହାତୀ ପ୍ରଜାତି । ବର୍ତ୍ତମାନ ଏମାନଙ୍କର ସଂଖ୍ୟା ପ୍ରାୟ ୧୫୦୦ ମଧ୍ୟରେ ସୀମିତ ।

ତେବେ ଏହି ହାତୀ ପ୍ରଜାତିଟି ବୋର୍ଣ୍ଣିଓକୁ କିପରି ଆସିଲା ସେ ସମ୍ୱନ୍ଧରେ ମୁଖ୍ୟତଃ ଦୁଇଟି ମତ ରହିଛି । ଗୋଟିଏ ମତ ହେଲା – ଏହି ବୋର୍ଣ୍ଣିଓ ହାତୀ ପ୍ରଜାତିଟି ବୋର୍ଣ୍ଣିଓ ର ସ୍ଥାନୀୟ ପ୍ରଜାତି ଯାହାକି ଜୈବ ବିବର୍ତ୍ତନ ପ୍ରକ୍ରିୟାର କୌଣସି ଏକ ପର୍ଯ୍ୟାୟରେ ଏସିଆର ମୂଳ ହାତୀ ପ୍ରଜାତି ଠାରୁ ଅଲଗା ହୋଇ ଏକ ଉପ-ପ୍ରଜାତି ରୂପେ ଦେଖା ଦେଇଥିଲା । ଏହି ମତଟି ବୈଜ୍ଞାନିକ ତଥ୍ୟ ତଥା ଡି.ଏନ.ଏ ବିଶ୍ଳେଷଣ ବିବରଣୀ ଉପରେ ଆଧାରିତ ।

ଅନ୍ୟ ମତଟି ହେଲା – ୧୩୯୫ ଖ୍ରୀଷ୍ଟାବ୍ଦରେ ଜାଭା ର ରାଜା କିଛି ବୋର୍ଣ୍ଣିଓ ହାତୀଙ୍କୁ ଉପହାର ଭାବେ ସୁଲୁ ର ସୁଲତାନଙ୍କୁ ପ୍ରଦାନ କରିଥିଲେ । ସୁଲୁ ର ସୁଲତାନ ଯେକି ସେତେବେଳେ ବୋର୍ଣ୍ଣିଓ ଅଞ୍ଚଳର ଶାସକ ଥିଲେ, କୌଣସି କାରଣବଶତଃ ଏହି ହାତୀଙ୍କୁ ପରବର୍ତ୍ତୀ କାଳରେ ବୋର୍ଣ୍ଣିଓ ର ଜଙ୍ଗଲ ମଧ୍ୟରେ ମୁକ୍ତ ଭାବେ ଛାଡ଼ି ଦେଇଥିଲେ ଏବଂ ବର୍ତ୍ତମାନ ଦେଖାଯାଉଥିବା ବିରଳ ବୋର୍ଣ୍ଣିଓ ହାତୀ ସବୁ ଉପରୋକ୍ତ ହାତୀଙ୍କର ବଂଶଧର ।

ତେବେ ଉପରୋକ୍ତ ମତ ଦୁଇଟି ମଧ୍ୟରୁ କେଉଁଟି ଠିକ ତାହା ଆଜିର ଆଲୋଚ୍ୟ ବିଷୟ ନୁହେଁ । ଆଲୋଚ୍ୟ ବିଷୟ ହେଉଛି – ଏହି ବୋର୍ଣ୍ଣିଓ ହାତୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଏକ ସ୍ଥାପତ୍ୟରେ ସ୍ଥାନ ପାଇବା । ଉର୍ଦ୍ଧ୍ବ ପାର୍ଶ୍ୱସ୍ଥ ସଂଲଗ୍ନ ଚିତ୍ରଟିରେ ଆପଣମାନେ ଦୁଇଟି ନୌକାର ସ୍ଥାପତ୍ୟ ଦେଖିବାକୁ ପାଇବେ । ବାମ ପାର୍ଶ୍ୱସ୍ଥ ନୌକାରେ ପ୍ରଥମେ ଏକ ହାତୀ ଶାବକ ରହିଛି (ମାଟିଆ ରଙ୍ଗର ଚତୁର୍ଭୁଜ ମଧ୍ୟରେ ସ୍ଥାନିତ) ଏବଂ ତା’ ନିକଟରେ ଏକ ଉତ୍କଳୀୟ ସାଧବ ପୁଅଟିଏ ଆରାମଦାୟକ ଭଙ୍ଗୀରେ ବିଶ୍ରାମ ନେଉଥିବାର ଦୃଶ୍ୟ ଖୋଦିତ ଅଛି । ଦକ୍ଷିଣ ପାର୍ଶ୍ୱସ୍ଥ ନୌକାର କେବଳ କିଛି ଅଂଶ ଦୃଶ୍ୟମାନ ହେଉଛି ଯେଉଁଥିରେ ଏକ ପ୍ରାପ୍ତବୟସ୍କ ଦନ୍ତା ହାତୀଟିଏ ଦେଖାଯାଉଛି (ଅନ୍ୟ ଏକ ମାଟିଆ ରଙ୍ଗର ଚତୁର୍ଭୁଜ ମଧ୍ୟରେ ସ୍ଥାନିତ)।

ଏହି ହାତୀ ଦୁଇଟି ସମ୍ଭବତଃ ବୋର୍ଣ୍ଣିଓ ହାତୀ ହୋଇଥାଇପାରନ୍ତି କାରଣ ପ୍ରାଚୀନ ଉତ୍କଳୀୟ ସାଧବ ପୁଅମାନେ ସେତେବେଳେ ନୌବାଣିଜ୍ୟ ନିମନ୍ତେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପ ମାନଙ୍କୁ ଯାଉଥିଲେ ଏବଂ ସେତେବେଳେ ଉପହାର ଭାବେ ଏହି ବୋର୍ଣ୍ଣିଓ ହାତୀମାନଙ୍କୁ ଏହିସବୁ ଦ୍ୱୀପର ରାଜା ମାନେ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରୁଥିଲେ । ଯେହେତୁ ସ୍ଥାପତ୍ୟରେ ଦର୍ଶିତ ପ୍ରାଚୀନ ଉତ୍କଳୀୟ ସାଧବ ପୁଅ ଜଣକ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀୟମାନ ହେଉଛନ୍ତି, ତେଣୁ ସେ ଏହି ବୋର୍ଣ୍ଣିଓ ହାତୀ (ଶାବକ ତଥା ପ୍ରାପ୍ତବୟସ୍କ ଦନ୍ତା ହାତୀ) ଗୁଡ଼ିକୁ ସେଠାକାର ରାଜାଙ୍କ ଠାରୁ ଉପହାର ଆକାରରେ ପାଇଥାଇପାରନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପହାର ଆକାରରେ ପ୍ରାପ୍ତ ଏହି ସବୁ ହାତୀମାନଙ୍କୁ ସେତେବେଳେ ନୌକା ଦ୍ଵାରା ନିଆଯାଉଥିଲା । ପୁନଶ୍ଚ ଯେହେତୁ ନୌକା ଦ୍ଵାରା ବୃହଦାକାୟ ଏସୀୟ ହାତୀମାନଙ୍କୁ ନେବା ସମ୍ଭବପର ନୁହେଁ, ତେଣୁ ସଂଲଗ୍ନ ଚିତ୍ରରେ ଦର୍ଶିତ ଏହି ହାତୀ ଦୁଇଟି ସମ୍ଭବତଃ କ୍ଷୁଦ୍ରକାୟ ବୋର୍ଣ୍ଣିଓ ହାତୀ ପ୍ରଜାତିର ।

ବୋର୍ଣ୍ଣିଓ ହାତୀ ସମ୍ବନ୍ଧିତ ଏହି ସ୍ଥାପତ୍ୟଟି ଭୁବନେଶ୍ୱରରୁ ପ୍ରାପ୍ତ ଏବଂ ଏହାର ଆନୁମାନିକ ସମୟ ହେଉଛି ୧୧ଶ ଶତାବ୍ଦୀ । ତେବେ ଯାହାହେଉ ଏହି ସ୍ଥାପତ୍ୟଟି ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟର ଉତ୍କର୍ଷତାର ବାର୍ତ୍ତା ବହନ କରେ ଏବଂ ବିରଳ ବୋର୍ଣ୍ଣିଓ ହାତୀ ପ୍ରଜାତି ସମ୍ୱନ୍ଧରେ ମନ ମଧ୍ୟରେ ସ୍ଵତଃ ଏକ ଅନୁସନ୍ଧିତ୍ସା ଜାଗ୍ରତ କରେ ।

ଜୟ ଜଗନ୍ନାଥ !

© ଡ଼ାକ୍ତର କୁମାର ଅରୋଜ୍ୟୋତି

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar