ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ

ଓଡ଼ିଆ ସ˚ଗୀତ ଦୁନିଆରେ ଗୁରୁକୃଷ୍ଣ ଗୋସ୍ବାମୀ ଏକ ସୁପରିଚିତ ନାମ। ଜଣେ ସଫଳ ଗୀତିକାର ଭାବେ ସେ ଜଣାଶୁଣା। ତାଙ୍କ ନାମ ଶୁଣିବା କ୍ଷଣି ମନେପଡ଼େ ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମ ସ˚ଗୀତ- ‘ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ..’(ଗପ ହେଲେ ବି ସତ), ‘ଫୁଲେଇ ରାଣୀ ସଜ ଫୁଲ..’(କିଏ କାହାର), ‘ଏ ବନର ଛାଇ..’(ଗପ ହେଲେ ବି ସତ), ‘ତୁମକୁ ପାରୁନି ତ ଭୁଲି..’(ଅରୁନ୍ଧତୀ), ‘ମୁଁ ଖୋଜିବୁଲେ ଯାରେ..’(ଅଗ୍ନି ପରୀକ୍ଷା), ‘ଅନ୍ତରେ କାନ୍ଦେ ବାହାରେ ହସେ..’(ସୂର୍ଯ୍ୟମୁଖୀ) ଆଦି।

ପିଲାଦିନରୁ ସେ ଥିଲେ ସାହିତ୍ୟ ଅନୁରାଗୀ। ସ˚ଗୀତ ପ୍ରତି ଆସକ୍ତି ମଧ୍ୟ ଥିଲା। ତେବେ, କବି ହେବା, ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିବା ଭାବନା ନ ଥିଲା। ସବୁ କିଛି ହଠାତ୍‌ ଘଟିଯାଇଥିଲା। ୧୯୫୨ରେ କଲେଜ୍‌ରେ ପଢ଼ୁଥିବା ବେଳେ ଶାନ୍ତନୁ ମହାପାତ୍ରଙ୍କ ପ୍ରେରଣାରେ ଲେଖିଥିଲେ ପ୍ରଥମ ଗୀତ- ‘କଥା ଗୀତି ଧରମା..’। ଗୀତଟିର ସଫଳତା ତାଙ୍କୁ ପରିଣତ କରିଥିଲା ଗୀତିକାରରେ। ୧୯୫୮ରେ ‘ମାଆ’ ଚଳଚ୍ଚିତ୍ର ପାଇଁ ଦୁଇଟି ଗୀତ ଲେଖି ଓଡ଼ିଆ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ଗୁରୁକୃଷ୍ଣ। ଗୀତ ଦୁଇଟି ବାବଦକୁ ନା ସେ ପାରିଶ୍ରମିକ ଦାବି କରିଥିଲେ ନା କିଛି ପାଇଥିଲେ। ‘ନୂଆବୋଉ’ ଚଳଚ୍ଚିତ୍ର ଲାଗି ଦୁଇଟି ଗୀତ ଲେଖି ସେ ପାଇଥିଲେ ପଚାଶ ଟଙ୍କା- ଗୀତରୁ ପ୍ରଥମ ରୋଜଗାର। ତାଙ୍କ ସମୟରେ ଗୀତ ଲେଖି ପଇସା ଉପାର୍ଜନ କରିବା ମନୋବୃତ୍ତି କାହାର ନ ଥିଲା। ଗୀତିକାରମାନେ ଉତ୍ସର୍ଜିତ ମନୋଭାବ ନେଇ ରଚନା କରୁଥିଲେ।

୧୯୬୭ରେ ପ୍ରକାଶିତ ହୋଇଥିଲା ଗୁରୁକୃଷ୍ଣଙ୍କର ପ୍ରଥମ ଗୀତି କବିତା ସ˚କଳନ- ‘ଏ ମନ ଚୋରାପଥେ’। କବିଙ୍କ ନିଜ ଭାଷାରେ- ‘ଗୀତି କବିତା ହେଉଛି, ଜୀବନର କାବ୍ୟିକ ଆଲେଖ୍ୟ। ଏ ଆଲେଖ୍ୟ ସ୍ପଷ୍ଟ ପ୍ରତୀୟମାନ ହେବା ଉଚିତ। କୁତ୍ସିତ ରୁଚିର ରଙ୍ଗ ଏଥିରେ ଲାଗିବା ଉଚିତ ନୁହେଁ। ଉଚ୍ଚାଙ୍ଗ ଭାବନା ଓ ସରଳ ଭାଷାକୁ ଆଧାର କରି ଗୀତ ରଚନା କରାଯିବା ଉଚିତ। ଏଥିରୁ ବିଚ୍ୟୁତ ହେଲେ ଉଭୟ ସମାଜ ଓ କବିର କ୍ଷତି ହେବ।’ ୧୬୦୦ରୁ ଅଧିକ ଆଧୁନିକ, ପଲ୍ଲୀ ଗୀତ, ଭଜନ ଆଦି ଲେଖିଥିବା ଗୁରୁକୃଷ୍ଣ ୨୦୦୦ରେ ପାଇଥିଲେ ‘ଓଡ଼ିଶା ସ˚ଗୀତ ନାଟକ ଏକାଡେମି’ ପୁରସ୍କାର।

୧୯୩୪ ନଭେମ୍ବର‌୍‌ ୭ରେ ବାରିପଦାର ନୂଆଗାଁରେ ତାଙ୍କର ଜନ୍ମ ହୋଇଥିଲା। ମାମୁଘରେ ସେ ବଢ଼ିଥିଲେ। ଅଜା ଥିଲେ ସ˚ଗୀତପ୍ରେମୀ। ଅଜାଙ୍କ ମାଧ୍ୟମରେ ସ˚ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ପ୍ରଥମେ ଗାୟକ ହେବା ପାଇଁ ତାଲିମ ନେଇଥିଲେ। ତେବେ, ପରେ ପାଲଟିଥିଲେ ଗୀତିକାର। ୧୯୫୬-୮୬ କଟକ ‘ଆକାଶବାଣୀ’ର ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ସକ୍ରିୟ ଥିଲେ। ପତ୍ନୀ ଆରତି ଗୋସ୍ବାମୀ ସୁପରିଚିତ ଗାୟିକା। ସ˚ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସହ ସେ ସବୁଠାରୁ ଅଧିକ କାମ କରିଥିଲେ। ଦୁହିଁଙ୍କ ଯୋଡ଼ି ବେଶ୍‌ ନାମ କମାଇଥିଲା। ଚିହ୍ନ-ଜଣାଙ୍କ ମଧ୍ୟରେ ସେ ‘ବୁନୁଦା’ ଭାବେ ପ୍ରସିଦ୍ଧ ଥିଲେ। ୬ ମେ ୨୦୧୮ରେ କଟକ ସହର ତୁଳସୀପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar