‘ଦାରୁଦେବତା’ର ସ୍ରଷ୍ଟା: ଡ. ବେଣୀମାଧବ ପାଢ଼ୀ

ଏକ ସମୟରେ ‘ବଡ଼ ଠାକୁର’ ଶ୍ରୀଜଗନ୍ନାଥ ବୌଦ୍ଧ, ଜୈନ, ବୈଷ୍ଣବ ତଥା ଶାକ୍ତ ଭାବେ ଅଭିହିତ ହେଉଥିଲେ। ୧୯୬୦ରେ ଏକ ଗବେଷଣାତ୍ମକ ସ˚ଦର୍ଭ ମାଧ୍ୟମରେ ତାଙ୍କୁ ଶବର ଦେବତା ବୋଲି ପ୍ରମାଣ କରିଥିଲେ ଜଣେ ଓଡ଼ିଆ ଗବେଷକ। ଅବିଳମ୍ବେ ତାଙ୍କ ଗବେଷଣାକୁ ନେଇ ବୁଦ୍ଧିଜୀବୀ ମହଲରେ ବିତର୍କ ଆରମ୍ଭ ହୋଇଥିଲା। ଏହାର ଫଳାଫଳ ଶେଷରେ ଗବେଷକଙ୍କ ସପକ୍ଷରେ ଯାଇଥିଲା। ତାଙ୍କ ଅକାଟ୍ୟ ଯୁକ୍ତି ଶ୍ରୀଜଗନ୍ନାଥଙ୍କୁ ‘ଶବର ଦେବତା’ ପ୍ରମାଣିତ କରିଥିଲା। ଉକ୍ତ ସ˚ଦର୍ଭର ନାମ ‘ଦାରୁଦେବତା’ ଏବ˚ ଗବେଷକ ହେଉଛନ୍ତି ଡକ୍‌ଟର‌୍‌ ବେଣୀମାଧବ ପାଢ଼ୀ। ପଣ୍ତିତ ନୀଳକଣ୍ଠ ଦାସ ଥିଲେ, ତାଙ୍କର ପଥ-ପ୍ରଦର୍ଶକ। ଓଡ଼ିଆ ସାହିତ୍ୟ, ଭାଷା ଓ ସ˚ସ୍କୃତି ପ୍ରସଙ୍ଗରେ ଯେଉଁ ଗବେଷକମାନଙ୍କ ନାମ ଚିରସ୍ମରଣୀୟ, ସେମାନଙ୍କ ମଧ୍ୟରେ ବେଣୀମାଧବ ଅନ୍ୟତମ। ସେ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ବତନ୍ତ୍ରତା ଭାଷାତତ୍ତ୍ବ ଦୃଷ୍ଟିକୋଣରୁ ପ୍ରମାଣିତ କରିଛନ୍ତି। ଏ ସମ୍ବନ୍ଧରେ ତାଙ୍କ ଦ୍ବାରା ରଚିତ ଏକ ପ୍ରସିଦ୍ଧ ପୁସ୍ତକ ହେଉଛି ‘ଉଡ଼୍ରଜା ପ୍ରାକୃତ’।

ତାଙ୍କ ପିତା ଥିଲେ ପୁରୋହିତ। ଶିକ୍ଷା ଜୀବନ କଟିଥିଲା ପାରଳାଖେମୁଣ୍ତିରେ। ସେ କାଳରେ ପାରଳାଖେମୁଣ୍ତିର ଶିକ୍ଷାନୁଷ୍ଠାନଗୁଡ଼ିକ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଥିଲା। ବେଣୀମାଧବ ଓଡ଼ିଆ ତଥା ସ˚ସ୍କୃତ ଭାଷା-ସାହିତ୍ୟ ଅଧ୍ୟୟନ କରି ପ୍ରଥମେ ‘ଭାଷା ପ୍ରବୀଣ’ ଏବ˚ ତାହା ପରେ ‘ସାହିତ୍ୟ ପ୍ରବୀଣ’ ଉପାଧି ପାଇଥିଲେ। ପରେ ସେ ଘରୋଇ ଭାବେ କାଶୀ ବିଶ୍ବବିଦ୍ୟାଳୟରୁ ସ˚ସ୍କୃତରେ ଓ ଉତ୍କଳ ବିଶ୍ବବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୩୯ରେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ପାରଳାଖେମୁଣ୍ତି ସ˚ସ୍କୃତ ମହାବିଦ୍ୟାଳୟ, ରାଭେନ୍‌ସା କଲେଜ୍‌, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ସିଟି କଲେଜ୍‌ ଆଦିରେ ସେ ଅଧ୍ୟାପନା କରିଥିବା ଜଣାଯାଏ। ଚିର-ନମସ୍ୟ ବେଣୀମାଧବ ୧୯୧୯ ଜୁନ୍‌ ୧୬ରେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ଜନ୍ମ ହୋଇଥିଲେ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar