ପଣ୍ଡିତ ଭୁବନେଶ୍ବର ମିଶ୍ର

ସ˚ଗୀତଜ୍ଞ ପଣ୍ତିତ ଭୁବନେଶ୍ବର ମିଶ୍ରଙ୍କର ଜୀବନ ଥିଲା ସ˚ଗୀତମୟ। ସ˚ଗୀତକୁ ସେ ଯେତିକି ପ୍ରାଧାନ୍ୟ ଦେଇଥିଲେ, ଜୀବନର ଅନ୍ୟ କୌଣସି ଦିଗକୁ କେବେ ସେତିକି ଗୁରୁତ୍ବ ଦେଇ ନ ଥିଲେ। ଏକଦା ସେ କହିଥିଲେ- ‘ମୋ’ର ଦୁଇଟି ଶତ୍ରୁ। ଗୋଟିଏ ବେସୁରା ଓ ଅନ୍ୟଟି ବେତାଳ।’ ଏଥିରୁ ସ୍ପଷ୍ଟ ବୁଝିହୁଏ ଯେ, ତାଙ୍କ ପାଇଁ ଦୁନିଆ କେବଳ ସ˚ଗୀତ ହିଁ ଥିଲା।

ଦେଖିବାକୁ ଯେମିତି, କଥା ସେମିତି ଥିଲା। ସୌମ୍ୟକାନ୍ତ ଚେହେରା; ମିଷ୍ଟଭାଷୀ ବ୍ୟକ୍ତିତ୍ବ ଥିଲେ ସେ। ସ୍ନେହଭରା ଓ ଉପଦେଶାତ୍ମକ ଶିକ୍ଷା, ତାଙ୍କୁ ଯଥାର୍ଥ ପଣ୍ତିତ ବା ଗୁରୁରେ ପରିଣତ କରିଥିଲା। କେବେ ରାଗୁ ନ ଥିଲେ। ସେ ଏ ଭଳି ଜଣେ ଗୁରୁ ଥିଲେ, ଯାହାଙ୍କ ପାଣ୍ତିତ୍ୟ ଓ ବ୍ୟକ୍ତିତ୍ବ ଆଗରେ ଶିଷ୍ୟ-ଶିଷ୍ୟା ତଥା ଅନ୍ୟମାନଙ୍କର ମଥା ଆପେ ନଇଁଯାଉଥିଲା। ଓଡ଼ିଶାର ସ˚ଗୀତ ଜଗତ୍‌କୁ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶୀ, ସୁଗମ ସ˚ଗୀତ, ଚଳଚ୍ଚିତ୍ର ସ˚ଗୀତ, ସବୁଥିରେ ପ୍ରବେଶ କରିଥିଲେ ଏବ˚ ନିଜର ଯାଦୁ ଦେଖାଇଥିଲେ।

ଅଳ୍ପ କହୁଥିଲେ ଏବ˚ ଅଧିକ ମଉନ ରହୁଥିଲେ ବୋଲି ବାପା ନାମ ଦେଇଥିଲେ ‘ମୁନି’। ତାଙ୍କର ଜନ୍ମଗତ ସ୍ବଭାବ ସହ ନାମଟିର ମଧୁର ତାଳ-ମେଳ ଥିଲା। ସେ ଥିଲେ ସ୍ବରର ଯାଦୁକର। ପଣ୍ତିତ ଭୁବନେଶ୍ବରଙ୍କ ଦ୍ବାରା ସୃଷ୍ଟ, ଶ୍ରୀଜୟଦେବଙ୍କ ଅମର କୃତି ‘ଗୀତଗୋବିନ୍ଦ’ର ସ୍ବରଗୁଡ଼ିକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବିଶ୍ବ ପ୍ରସିଦ୍ଧ ହୋଇଛି। ସେହି ଗୀତଗୁଡ଼ିକ କେବଳ ଗାୟନରେ ମଧ୍ୟ ଶ୍ରୋତାଙ୍କ ହୃଦୟଗ୍ରାହୀ ହୋଇଛି। ଓଡ଼ିଶୀ ନୃତ୍ୟକୁ ତାଙ୍କର ଅବଦାନ ଅବିସ୍ମରଣୀୟ। ସ˚ଗୀତ ବିନା ନୃତ୍ୟ କଳ୍ପନା କରାଯାଇ ନ ପାରେ। ନୃତ୍ୟର ମୂଳାଧାର ସ˚ଗୀତ ଏବ˚ ଏହାର କର୍ଣ୍ଣଧାର ପଣ୍ତିତ ଭୁବନେଶ୍ବର। ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଏବ˚ ଓଡ଼ିଶୀ ଶୈଳୀରେ ସେ ଥିଲେ ଦକ୍ଷ। ତାଙ୍କର ସ˚ଯୋଜନାସମୂହ ଅନନ୍ୟ-ଅସାଧାରଣ। ତାଙ୍କର ବେହେଲା ବାଦନ ବିଶ୍ବ ପ୍ରସିଦ୍ଧ। ତାଙ୍କ ହାତରେ ବେହେଲା କେବଳ ବାଜୁ ନ ଥିଲା; ସତେ ଯେପରି ଗାଉଥିଲା! ଗାୟକୀ ଅଙ୍ଗର ସ୍ବତନ୍ତ୍ରତା, ରାଗର ଶୁଦ୍ଧତା ଓ ବାଦନ ଶୈଳୀର ମଧୁରତା, ତାଙ୍କ ବାଦନକୁ ପ୍ରାଣବନ୍ତ ଓ ରସପୂର୍ଣ୍ଣ କରିଥିଲା। ସ˚ଗୀତ ଚର୍ଚ୍ଚା କରୁଥିବା ବେଳେ ବ୍ୟକ୍ତିଗତ ଜୀବନର ସମସ୍ତ ଦୁଃଖ-କଷ୍ଟ ସେ ଭୁଲିଯାଉଥିଲେ। ତାଙ୍କର ନିଷ୍ଠାପରତା, ଅମାୟିକ ଭାବ, ସାଧୁତା, ବିଦ୍ୟା ପ୍ରତି ଆନୁଗତ୍ୟ ଏବ˚ ସର୍ବୋପରି ତାଙ୍କର ସୃଷ୍ଟିସମୂହ, ସ˚ଗୀତ ଦୁନିଆରେ ତାଙ୍କୁ ଚିରକାଳ ଅମର କରିରଖିବ।

୧୯୨୭ ଜୁଲାଇ ୧୫ରେ ପାରଳାଖେମୁଣ୍ତି ଅନ୍ତର୍ଗତ ମାମୁଘର ଗ୍ରାମରେ ସେ ଜନ୍ମ ହୋଇଥିଲେ। ନିଜ ଗ୍ରାମ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପଙ୍କୋଳ। ପିତା ଓ ମାତାଙ୍କ ନାମ ଯଥାକ୍ରମେ ଅନନ୍ତ ମିଶ୍ର ଏବ˚ ଚମ୍ପାବତୀ ଦେବୀ। ପିତା ଆନ୍ଧ୍ର ପ୍ରଦେଶର କାକୀନାଡ଼ାରେ ଏକ ଜର୍ମାନ୍‌ ଜାହାଜ କ˚ପାନିରେ କାମ କରୁଥିଲେ। ତେଣୁ, ଭୁବନେଶ୍ବରଙ୍କ ବାଲ୍ୟ ଜୀବନ ସେଠାରେ କଟିଥିଲା। ଶିକ୍ଷା ପ୍ରତି ତାଙ୍କର ବିଶେଷ ଆଗ୍ରହ ନ ଥିବା ଦେଖି, ପିତା ବିଜୟନଗରମରେ ଥିବା ‘ମହାରାଜା ସ˚ଗୀତ ମହାବିଦ୍ୟାଳୟ’ରେ ତାଙ୍କ ନାମ ଲେଖାଇଦେଇଥିଲେ। ସେଠାରେ ସେ ବେହେଲା ବାଦନ ଶିକ୍ଷା କରି ଡିପ୍ଲୋମା ଲାଭ କରିଥିଲେ। ତାହା ପରେ କଟକ ଆସି ‘ଆକାଶବାଣୀ’ରେ ଯୋଗଦେଇଥିଲେ। ପ୍ରଥମେ ଥିଲେ ସ୍ବୀକୃତିପ୍ରାପ୍ତ ବେହେଲା ବାଦକ, ତାହା ପରେ ସହକାରୀ ସ˚ଗୀତ ପ୍ରଯୋଜକ ଏବ˚ ୧୯୭୩ରେ ସ˚ଗୀତ ପ୍ରଯୋଜକ (ଅଲ୍‌ ଇଣ୍ତିଆ ରେଡିଓ, ବମ୍ବେ) ପଦକୁ ଉନ୍ନୀତ ହୋଇଥିଲେ।

କିଛି ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ ସ˚ଗୀତ ନିର୍ଦେଶନା ଦେଇଥିବା ଜଣାଯାଏ; ଯଥା- ‘ଭାଇ ଭାଇ’, ‘ମାଆ’, ‘ପରିଣାମ’, ‘ଅନୁରାଗ’, ‘ମାଟିର ମଣିଷ’। ଏକଦା ସ˚ଗୀତ ନିର୍ଦେଶକ ଭାବେ ସେ ‘ଶ୍ରୀକୁମାର’ ଛଦ୍ମନାମ ବ୍ୟବହାର କରୁଥିଲେ। ୧୯୯୩ ମେ ୭ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar