ଭିକାରୀ ବଳ

‘ଭିକାରୀ ବଳ’, ଏହି ନାମଟି ଶୁଣିବା ମାତ୍ରେ, ଅସଂଖ୍ୟ ଓଡ଼ିଆଙ୍କ ମଧ୍ୟରେ ଭକ୍ତି-ଭାବନାର ଏକ ଅପୂର୍ବ ଶିହରଣ ଜାଗ୍ରତ ହୁଏ। ତାଙ୍କ କଣ୍ଠର ଭଜନ ଶୁଣିଲେ, ମନ, ପ୍ରାଣ ଓ ଆତ୍ମା ପୁଲକିତ ହୋଇଉଠେ। ଅନେକ ଦୁଃଖ, ଶୋକ, ଜଞ୍ଜାଳ, ବିଷାଦ ଓ ବିମର୍ଷ ଭାବ କିଛି କାଳ ପାଇଁ ଆପେ ଦୂରେଇଯାଏ। ସେ ଭକ୍ତି ସ˚ଗୀତର ଏକ ପରିପୂର୍ଣ୍ଣ ପରିଭାଷା। ଈଶ୍ବରଦତ୍ତ ଅମୃତ କଣ୍ଠରେ ସେ ଗାଇଯାଇଛନ୍ତି, ଶତାଧିକ ଭଜନ ଓ ଜଣାଣ। ଓଡ଼ିଶୀ, ଚମ୍ପୂ, ଗୀତଗୋବିନ୍ଦ ଆଦି ଗାୟନରେ ତାଙ୍କର ପାରଦର୍ଶିତା ଥିଲା ଅତୁଳନୀୟ। ଓଡ଼ିଆ ଭକ୍ତି ସ˚ଗୀତରେ ସେ ଅଭିନବ ଦିଗ-ଦିଗନ୍ତର ସ୍ରଷ୍ଟା।

ଏକ ସମୟରେ ଓଡ଼ିଶାର ଭକ୍ତି ସ˚ଗୀତ ମୁଖ୍ୟତଃ ମଠ, ମନ୍ଦିର, ଚଉପାଢ଼ି, ଏକୋଇଶିଆ, ସତ୍ୟନାରାୟଣ ପାଲା, ଷୋଳ ପାଲା ମଧ୍ୟରେ ସୀମିତ ହୋଇରହିଥିଲା। ଭିକାରୀ ବଳ ଏହାକୁ ପୂର୍ଣ୍ଣ ମର୍ଯ୍ୟାଦା ପ୍ରଦାନ କରି ମଞ୍ଚ କାର୍ଯ୍ୟକ୍ରମରେ ପରିଣତ କରିଥିଲେ। ବାଦ୍ୟ-ଯନ୍ତ୍ରର ଅପୂର୍ବ ଅନୁରଣନରେ ସେ ସୃଷ୍ଟି କରିଥିଲେ ଏକ ଭକ୍ତିପୂର୍ଣ୍ଣ-ଆବେଗମୟ ପରିବେଶ। ଅଗଣିତ ଶ୍ରୋତା ଓ ଦର୍ଶକଙ୍କୁ ମନ୍ତ୍ର-ମୁଗ୍‌ଧ କରିଥିଲେ। ‘କୋଠ ଭୋଗଖିଆ ମୋ ଚକା ଆଖିଆ’, ‘କାଳିଆ ସାଆନ୍ତେ ହୋ’, ‘ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ’, ‘ଉଠୁଥିବ ମହାଦୀପ ବାଜୁଥିବ ଶଙ୍ଖ’ ଆଦି ଭକ୍ତି ସ˚ଗୀତର ଝଙ୍କାର ଶ୍ରୋତାଙ୍କୁ ଅଭିଭୂତ କରିଥିଲା ଏବଂ ଏବେ ମଧ୍ୟ କରୁଛି। ଦେଶ-ବିଦେଶରେ ବିଶେଷ ଆଦୃତି ଲାଭ କରିଥିଲା ତାଙ୍କ ସ୍ବର ଓ ସ˚ଗୀତ। ଓଡ଼ିଆ ସ˚ଗୀତ ଓ ସ˚ସ୍କୃତିର ପ୍ରଚାର-ପ୍ରସାର ଦିଗରେ ତାଙ୍କ ଅବଦାନ ଅତୁଳନୀୟ।

କେନ୍ଦ୍ରାପଡ଼ା ଅନ୍ତର୍ଗତ ସୋବଳା ଗ୍ରାମରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ଭିକାରୀ ବଳ। ପିତା ଓ ମାତାଙ୍କ ନାମ ଥିଲା- ରାମଚନ୍ଦ୍ର ବଳ ଏବଂ ଗେହ୍ଲାରାଣୀ ଦେବୀ। ଗେହ୍ଲାରାଣୀ ଏକାଧିକ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ହେଁ କେହି ବଞ୍ଚି ନ ଥିଲେ। ତେଣୁ, ପ୍ରଚଳିତ ଅନ୍ଧବିଶ୍ବାସ ଅନୁଯାୟୀ ଭିକାରୀଙ୍କୁ ଭିନ୍ନ ଜାତିରେ ବିକ୍ରି କରି, ପୁଣି କିଣାଯାଇଥିଲା। ସେ ଦୀର୍ଘାୟୁ ହେବେ ବୋଲି ଏ ପରି କରାଯାଇଥିଲା। ସେ ଛୋଟ ଥିବା ବେଳେ ଉଭୟ ପିତା ଓ ମାତାଙ୍କୁ ହରାଇଥିଲେ। ତାଙ୍କ ଦାୟିତ୍ବ ବହନ କରିଥିଲେ ବଡ଼ ଭାଇ ଧନେଶ୍ବର (ରାମଚନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପୁତ୍ର; ପ୍ରଥମ ପତ୍ନୀଙ୍କ ଅକାଳ ମୃତ୍ୟୁ ପରେ ରାମଚନ୍ଦ୍ର ଦ୍ବିତୀୟ ବିବାହ କରିଥିଲେ)। ଗ୍ରାମର ଶେଷ ମୁଣ୍ତରେ ଥିଲା ଏକ ଆଖଡ଼ା ଘର। କୃଷ୍ଣଚନ୍ଦ୍ର ସାହୁ ଥିଲେ, ସେହି ଆଖଡ଼ା ଘରର ମୁଖ୍ୟ ବା ଓସ୍ତାତ। ସେ ହିଁ ଥିଲେ ଭିକାରୀ ବଳଙ୍କର ପ୍ରଥମ ଗୁରୁ। ସେଠାରେ ମୁଖ୍ୟତଃ ଦକ୍ଷିଣୀ ନୃତ୍ୟ ଶିକ୍ଷା ଦିଆଯାଉଥିଲା। ସେହି ଦଳରେ ଭିକାରୀ ବଳ ପଖାଉଜ, ତବଲା ବାଦନ ସହ ନିଜକୁ ଗାୟନରେ ନିୟୋଜିତ କରିଥିଲେ। ପରିସ୍ଥିତିରେ ପଡ଼ି ଗ୍ରାମ ଛାଡ଼ିଥିଲେ ଏବଂ କଟକକୁ କର୍ମ-ସ୍ଥଳୀ ଭାବେ ବାଛିଥିଲେ।

ଖରା, ବର୍ଷା, ଶୀତ, କାକରରେ ସାଇକଲ୍‌ରେ ଘର ଘର ବୁଲି ସ˚ଗୀତ ଶିକ୍ଷା ଦେଉଥିଲେ। ଲମ୍ବା ସମୟ ଭଡ଼ା ଘରେ ରହିବା ପରେ, ଛୋଟିଆ ଘର ଖଣ୍ତିଏ କିଣି ନାମ ରଖିଥିଲେ ‘ପ୍ରଭୁକୃପା’। କର୍ତ୍ତବ୍ୟକୁ ଆଜୀବନ ପ୍ରାଧାନ୍ୟ ଦେଇଥିଲେ। ସେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ। ଶ୍ରୀମନ୍ଦିରରେ ଚାମର ସେବାର ସୁଯୋଗ ତାଙ୍କୁ ମିଳିଥିଲା। ଏକଦା ପୁରସ୍କାର ଭାବେ ପାଇଥିବା ଏକ ଲକ୍ଷ ଟଙ୍କା ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ କରିଦେଇଥିଲେ। ସ୍ବ-ଉପାର୍ଜିତ ଅର୍ଥରେ ଚୌଦ୍ବାରରେ ଏକ ଜଗନ୍ନାଥ ମନ୍ଦିର ତୋଳାଇଥିଲେ। ଅନେକ ମଠ, ମନ୍ଦିର, ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସେ ସ˚ପୃକ୍ତ ଥିଲେ। ଜୀବନର ଅର୍ଦ୍ଧାଧିକ ସମୟ କଟିଥିଲା ବିଭିନ୍ନ ଧର୍ମାନୁଷ୍ଠାନରେ। କାର୍ତ୍ତିକ ମାସ, ତାଙ୍କର ପ୍ରିୟ ଥିଲା। ଏ ମାସ ସ˚ପର୍କରେ ଗୀତଟିଏ ଲେଖିଥିଲେ- ‘ମହା କାର୍ତ୍ତିକର ଏଇ ରାତି, ଉଜାଗରେ ରହି ଯାଉ ବିତି; ମନେ ମୋର ଆଉ ନାହିଁ ଭୀତି, ତୁଣ୍ତେ ମୁଁ ଗାଉଛି ତା’ର ଗୀତି। ଆ କା ମା’ ବୈ- ପାନ ଗୁଆ ଥୋଇ, ମୋ ଜୀବନ ନାଆ ଯାଉ ଭାସି।’ ୨୦୧୦ରେ କାର୍ତ୍ତିକ ମାସ ବଡ଼ ଏକାଦଶୀରେ ତାଙ୍କର ଜୀବନ ଦୀପ ଲିଭିଯାଇଥିଲା। ଇଂରେଜୀ ପଂଜିକାରେ ଦିନଟି ଥିଲା ୨ ନଭେମ୍ବର୍‌। ୨୫ ମେ ୧୯୨୯ରେ ସେ ଜନ୍ମ ହୋଇଥିଲେ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar