ମଣିମାଳା ଦେବୀ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ ଅଭିନୟ ଦୁନିଆରେ ସକ୍ରିୟ ଥିଲେ ମଣିମାଳା ଦେବୀ। ୧୯ ଜୁନ୍‌ ୧୯୩୧ରେ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ବାଲିବିଶି (ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ) ଗ୍ରାମରେ ସେ ଜନ୍ମ ହୋଇଥିଲେ। ଆଦ୍ୟ ଶୈଶବରେ ଉଭୟ ପିତା ଓ ମାତାଙ୍କୁ ହରାଇ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ଜୀବନ-ଜୀବିକା ପାଇଁ ଅଭିନୟକୁ ପେସା କରିଥିଲେ।

୧୯୪୫ରେ, ଅଭିନେତ୍ରୀ ରାଧାରାଣୀ ଦେବୀଙ୍କ ତତ୍ତ୍ବାବଧାନରେ, ‘ଅନ୍ନପୂର୍ଣ୍ଣା ରଂଗମଂଚ’ରୁ ମଣିମାଳାଙ୍କର ‌ଅଭିନେତ୍ରୀ ଜୀବନ ଆରମ୍ଭ ହୋଇଥିଲା। ୧୯୬୦ରେ ‘ଶ୍ରୀ‌ ଲୋକନାଥ’ ଚଳଚ୍ଚିତ୍ରରେ ଅଭିନୟ ସହ ଅଭିନେତ୍ରୀ ଜୀବନକୁ ଏକ ନୂଆ ମୋଡ଼ ମିଳିଥିଲା। ‘ଚଣ୍ଡାଳୁଣୀ’, ‘ଜାନକୀ’, ‘ଚଷା ଝିଅ’, ‘କଳା ପାହାଡ଼’, ‘ମୁକ୍ତି କୋଣାର୍କ’, ‘ଶ୍ରୀ ଜୟଦେବ’ ଆଦି ମଣିମାଳା ଅଭିନୀତି ଲୋକପ୍ରିୟ ମଞ୍ଚ ନାଟକ ଏବଂ ‘ଲକ୍ଷ୍ମୀ’, ‘ଜୀବନ ସାଥୀ’, ‘ଅଭିନେତ୍ରୀ’, ‘ମଲା ଜହ୍ନ’, ‘କା’, ‘ଭାଇ ଭାଉଜ’, ‘ମାୟା ମିରିଗ’, ‘କିଏ କାହାର’, ‘ନୀରବ ଝଡ଼’, ‘କ୍ଳାନ୍ତ ଅପରାହ୍‌ଣ’, ‘ନିଷିଦ୍ଧ ସ୍ବପ୍ନ’, ‘ଅନ୍ଧ ଦିଗନ୍ତ’ ଆଦି ଲୋକପ୍ରିୟ ଚଳଚ୍ଚିତ୍ର।

ସୁଦୀର୍ଘ ଅଭିନେତ୍ରୀ ଜୀବନରେ ସେ ଶହେରୁ ଅଧିକ ନାଟକ ଏବଂ ପ୍ରାୟ ତିରିଶଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସାମୁଏଲ୍‌ ସାହୁ (ବାବି)ଙ୍କ ସହ ତାଙ୍କର ଯୋଡ଼ି ଏକ ସମୟରେ ଲୋକପ୍ରିୟତାର ଶୀର୍ଷରେ ଥିଲା। ତାଙ୍କ ଗୁରୁ ଥିଲେ ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକ, ‘ସଂଗୀତ ସୁଧାକର’ ବାଳକୃଷ୍ଣ ଦାଶ, କେଳୁଚରଣ ମହାପାତ୍ର ଏବଂ ଧୀରେନ ଦାସ। ସେ କଥକ ଏବଂ ଓଡ଼ିଶୀ ନୃତ୍ୟରେ ପ୍ରବୀଣା ଥିଲେ। ୨୦୦୦ରେ ମଣିମାଳାଙ୍କୁ ‘ଜୟଦେବ ପୁରସ୍କାର’ ମିଳିଥିଲା। ୧୬ ଜୁନ୍‌ ୨୦୧୬ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar