ଏଇ ମାଟିର ବାରବାଟୀ (୧ମ ଭାଗ)
ବାରବାଟୀ ଦୁର୍ଗର ନିର୍ମାଣ
ଉତ୍କଳର ଗୌରବମୟ ଇତିହାସର ମୂକସାକ୍ଷୀ ଐତିହାସିକ ବାରବାଟୀ ଦୁର୍ଗର ଇତିହାସ ତଥା ଅମର ଗାଥାକୁ ଆକଳନ କରିବା ନିମିତ୍ତ ସ୍ମୃତିକୁ ପୁନଃ ରୋମନ୍ଥନ କରିବାକୁ ହୁଏ । ତେବେ ଏହାର ବର୍ଣ୍ଣନା ବିନା ଏଇ ମାଟିର ଗୌରବର ଗାଥା ସତେ ଯେପରି ଅସମ୍ପୂର୍ଣ୍ଣ । ସେଥିପାଇଁ ତ କବିବର ରାଧାନାଥ ରାୟଙ୍କ ଭାଷାରେ –
“ବାରବାଟୀ ଯହିଁ ମନସ୍ମୃତି ପୋତେ
ବହିଯାଏ ପ୍ରତିଲୋମେ କାଳସ୍ରୋତେ ।
କାଳେ କାଳେ କେତେ ଦେଖି ଯେ ଆସିଲା
ନଶ୍ୱର ନଗର ଗାରିମାର ଲୀଳା !”
ତେବେ କିଏ ଏହି ଐତିହାସିକ ବାରବାଟୀ ଦୁର୍ଗର ନିର୍ମାତା ଏବଂ କେଉଁ କାରଣରୁ ଏହାର ନିର୍ମାଣର ଆବଶ୍ୟକତା ପଡିଥିଲା, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ଐତିହାସିକ ମାନଙ୍କ ମତରେ ୧୧୩୨ ଖ୍ରୀଷ୍ଟାବ୍ଦରେ ଗଙ୍ଗ ବଂଶୀୟ ରାଜା ଚୋଡଗଙ୍ଗ ଦେବ କଟକର ସୋମ ବଂଶୀୟ ରାଜା ସୁବର୍ଣ୍ଣ କେଶରୀଙ୍କୁ ପରାସ୍ତ କରି କଳିଙ୍ଗ ନଗରରେ ଥିବା ତାଙ୍କ ରାଜଧାନୀକୁ କଟକର ସାରଙ୍ଗ ଗଡ଼କୁ ଉଠାଇ ଆଣିଥିଲେ । ଏହାର ପରବର୍ତ୍ତୀ କାଳରେ ଗଙ୍ଗ ବଂଶୀୟ ରାଜା ତୃତୀୟ ଅନଙ୍ଗଭୀମ ଦେବ (୧୨୧୧ ରୁ ୧୨୩୮ ଖ୍ରୀଷ୍ଟାବ୍ଦ) ଉତ୍ତର ଦିଗରୁ ଆଫଗାନ ଶତ୍ରୁଙ୍କ ଆକ୍ରମଣର ଆଶଙ୍କା କରି ଅଧିକ ସୁରକ୍ଷିତ ଓ ନିରାପଦ ବାରବାଟୀ ଗ୍ରାମରେ ସୁଦୃଢ଼ ଦୁର୍ଗ ନିର୍ମାଣର ଆବଶ୍ୟକତା ଅନୁଭବ କରି ତାଙ୍କର ରାଜତ୍ବ ସମୟରେ ବାରବାଟୀ ଦୁର୍ଗକୁ ନିର୍ମାଣ କରିଥିଲେ । କିମ୍ବଦନ୍ତୀ ରହିଛି ଯେ ତୃତୀୟ ଅନଙ୍ଗଭୀମ ଦେବ ତାଙ୍କର ରାଜତ୍ବର ଦ୍ୱାଦଶ ବର୍ଷରେ ବାରବାଟୀରେ, ନୂତନ ମୁଦ୍ରା ଓ ମୋହରରେ ନିଜ ଉପାଧି ‘ବୀର ଶ୍ରୀ ଗଜପତି ଗୌଡେଶ୍ୱର ….’ ଖୋଦିତ କରିଥିଲେ ।
ଗଜପତି ତୃତୀୟ ଅନଙ୍ଗ ଭୀମଦେବଙ୍କ ଏହି ରାଜଧାନୀ ପରିବର୍ତ୍ତନ ପ୍ରସଙ୍ଗ ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲିଖିତ ଅଛି । ଯଥା –
“ଏ ଦୂତୀ ଅନଙ୍ଗଭୀମଦେବ ହୋଇଲେ । ଏ ରଜା ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି । ଏମନ୍ତରେ ଏକ ଦିନରେ ରଯାଏ ବିଜେକରି ଆସି ମହାନଦୀ ପାରହୋଇ ଏ ନଦୀରୁ ଦକ୍ଷିଣ ତୀରେ ଦେଖିଲେ କୋଦଣ୍ଡା ଦଣ୍ଡପାଟର ବାରବାଟୀ ଗ୍ରାମରେ ବିଶ୍ୱେଶ୍ୱର ଦେବଙ୍କର ସନିଧେ ଶାମଳା ପକ୍ଷୀକି (ଛଞ୍ଚାଣକୁ) ବଗ ମାଡି ବସିଛି । ଏହା ଦେଖି ରଜାଏ ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭ ଯୋଗ ଦିନରେ ଏ ବାରବାଟୀ ଗ୍ରାମରେ ଶୁଭ ଦେଇ ନଅର ତୋଳାଇ କଟକ କରି ଏ କଟକ ନାମ ବାରଣାସୀ କଟକ ବୋଲି ନାମ ଦେଇ ନଗର ଚଉଦ୍ୱାର କଟକ ଛାଡି ଆସି କଟକ କରି ରହିଲେ ।”
୧୨୩୦ ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ନାଗରୀ ତାମ୍ରଫଳକ ‘ଅଭିନବ ବାରଣାସୀ କଟକ’ରୁ ହିଁ ପ୍ରଦାନ କରାଯାଇଥିଲା । କିମ୍ବଦନ୍ତୀ ଅନୁସାରେ ଓଡ଼ିଶାର ଶାସନ କାଳକ୍ରମେ କପିଳେନ୍ଦ୍ର ଦେବଙ୍କ ହାତକୁ ଯାଇଥିଲା ଯେ କି ସୂର୍ଯ୍ୟ ବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବଙ୍କର ଶିଳାଲେଖରୁ ‘ବାରଣାସୀ କଟକ’ ସମ୍ପର୍କରେ ସୂଚନା ମିଳେ । କ୍ରମେ କ୍ରମେ ଏହି ରାଜଧାନୀର ନାମ ‘ବାରଣାସୀ କଟକ’ରୁ କେବଳ ‘କଟକ’ରେ ପର୍ଯ୍ୟବସିତ ହେଲା । ଏହି ବାରବାଟୀ ଦୁର୍ଗର ସମ୍ପ୍ରସାରଣ ପରବର୍ତ୍ତୀ କାଳରେ ଉତ୍କଳର ଗଜପତି ମାନଙ୍କ ଦ୍ୱାରା କରାଯାଇଥିଲା ।
ବାରବାଟୀ ଦୁର୍ଗର ବର୍ଣ୍ଣନା ଓ ଆକୃତି ସମ୍ବନ୍ଧରେ ବୃଟନ୍ (୧୬୩୩), ଟି. ମଟ୍ (୧୭୬୬), ଲେକି (୧୭୯୦), ହାର୍କୋଟ୍ (୧୮୦୩), ଷ୍ଟାର୍ଲିଙ୍ଗ୍ (୧୮୨୨ ପୂର୍ବରୁ), କିଟୋ (୧୮୩୬) ଆଦି ଉଲ୍ଲେଖ କରିଛନ୍ତି । ସେମାନଙ୍କ ବର୍ଣ୍ଣନା ଅନୁସାରେ –
“୨୧୫୦ ଫୁଟ ଲମ୍ବ ଓ ୧୮୦୦ ଫୁଟ ଓସାର ବିଶିଷ୍ଟ ଏକ ଆୟତ କ୍ଷେତ୍ର ଉପରେ ଦୁର୍ଗଟି ପରିବ୍ୟାପ୍ତ ଥିଲା । ବର୍ଗାକାର ନିମ୍ନାଭିମୁଖୀ ଗମ୍ବୁଜ ଦ୍ୱାରା ଏହି ଦୁର୍ଗର ପ୍ରାଚୀର ରକ୍ଷା କରାଯାଉଥିଲା । ତିନି କୋଣରେ ତିନୋଟି ଛୋଟ ଗମ୍ବୁଜ ଏବଂ ଉତ୍ତର-ପୂର୍ବ କୋଣରେ ଗୋଟିଏ ଗମ୍ବୁଜ ଥିଲା ଯାହାକୁ ୧୭୫୦ ଖ୍ରୀଷ୍ଟାବ୍ଦରେ ଯୋଗ କରାଯାଇଥିଲା । ଦୁର୍ଗର ମଧ୍ୟଭାଗରେ ଥିବା ଗୋଟିଏ ଗୋଲାକୃତ ମୀନାରରେ ଏକ ପତାକା ସ୍ତମ୍ଭ ଶୋଭା ପାଉଥିଲା । ଗମ୍ବୁଜ ମାନଙ୍କରେ କମାଣ ରଖିବା ପାଇଁ ସ୍ଥାନ ଥିଲା ।
ଦୁର୍ଗରେ ଦୁଇଟି ପଥର କାନ୍ଥ ଥିଲା ଯାହାକୁକି ବାଲିଆ ପଥର ଓ ପଥୁରିଆ ମାଟିରେ ନିର୍ମାଣ କରାଯାଇଥିଲା । କାନ୍ଥଗୁଡିକର ମୋଟେଇ ଥିଲା ୧୮ ଇଞ୍ଚ ଏବଂ ସେମାନଙ୍କ ମଧ୍ୟରେ ବ୍ୟବଧାନ ଥିଲା ଠିକ ୨ ଫୁଟ । ଦୁର୍ଗର ପ୍ରଧାନ ପ୍ରବେଶ ପଥ ପଛରେ ଆଉ ଦୁଇଟି ପ୍ରବେଶ ପଥ ଥିଲା ଏବଂ ତାହା ମଧ୍ୟ ଦେଇ ଗୋଟିଏ ସରୁ ଅଙ୍କାବଙ୍କା ରାସ୍ତା ଯାଇଥିଲା । ମୁଖ୍ୟ ପ୍ରବେଶ ପଥର ଦୁଇ ପାର୍ଶ୍ଵରେ ଦୁଇଟି ଉଚ୍ଚ ଗମ୍ବୁଜ ଥିଲା ।
ଦୁର୍ଗର ଚତୁଃପାର୍ଶ୍ଵରେ ଥିବା ଗଡଖାଇ ପଥର ଦ୍ୱାରା ବନ୍ଧାଯାଇଥିଲା । ଏହାର ଓସାର ୨୦ ୟାଡ୍ ଏବଂ ଗଭୀରତା ୭ ଫୁଟ ଥିଲା । କୁମ୍ଭୀର ମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ଓସାରିଆ ଓ ଗଭୀର ଗଡଖାଇ ଦୁର୍ଗରକ୍ଷାର ପ୍ରଧାନ ଅବଲମ୍ବନ ଥିଲା । ସେତୁର ସାହାଯ୍ୟ ନନେଇ ଦୁର୍ଗମଧ୍ୟକୁ ପ୍ରବେଶ କରିବା ଅସମ୍ଭବ ଥିଲା ।”
ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଭୀମ ଦେବଙ୍କ ଶାସନ କାଳରେ ନିର୍ମିତ ହେବା ପରଠାରୁ ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜ ମାନଙ୍କ ଅଧିନସ୍ଥ ହୋଇ ଅସ୍ତମିତ ହେବା ପର୍ଯ୍ୟନ୍ତ ଏହି ବାରବାଟୀ ଦୁର୍ଗ ଅନେକ ଉତ୍ଥାନ ପତନ ଦେଇ ଗତି କରିଛି ଓ ଓଡ଼ିଶା ଇତିହାସର ମୁଖ୍ୟ ମୂକସାକ୍ଷୀ ରୂପେ ଆଜି ମଧ୍ୟ ଏହାର ଭଗ୍ନାବଶେଷ ବିଦ୍ୟମାନ ।
ସହାୟକ ଉତ୍ସ :
୧) ନଗର କଟକ (ଉତ୍କଳ ପାଠକ ସଂସଦ)
୨) ନଗର କଟକ ଓ ପଞ୍ଚ କଟକ (ଉତ୍କଳ ପାଠକ ସଂସଦ)

Comments
So empty here ... leave a comment!