ନନ୍ଦନକାନନର ବିରଳ ଧଳା ବାଘ ଓ କଳା ବାଘ

କଥାରେ ଅଛି – “ବାଘ ନ ଦେଖିଲେ ବିରାଡ଼ି ଦେଖ” । କିନ୍ତୁ ଆପଣ ଯଦି ଓଡ଼ିଶା ପରିଭ୍ରମଣରେ ଆସିଛନ୍ତି, ତେବେ ବାଘର ବିକଳ୍ପ ବିରାଡ଼ି ନ ଦେଖି, ସିଧା ନନ୍ଦନକାନନକୁ ଯାଇ ବାଘ ନିଶ୍ଚିତ ଭାବେ ଦେଖନ୍ତୁ । ଆଜ୍ଞା ହଁ, ଆମ ନନ୍ଦନକାନନ ବିଭିନ୍ନ ପ୍ରକାରର ବାଘ ପାଇଁ ବିଶ୍ୱପ୍ରସିଦ୍ଧ । ଏହି ନନ୍ଦନକାନନ କଥା ଭାବିଲେ ପ୍ରଥମେ ଧଳା ବାଘ କଥା ମନ ମଧ୍ୟକୁ ଆସେ ଯେଉଁଥିପାଇଁ କି ଏହା ବିଶ୍ବପ୍ରସିଦ୍ଧ । ସତେ ଯେମିତି ଏ ଶବ୍ଦ ଦ୍ବୟ ଉଭୟେ ଉଭୟର ପରିପୂରକ । ତେବେ ଧଳା ବାଘ କଣ ଓ କାହିଁକି ନନ୍ଦନକାନନ ଏଥିନିମନ୍ତେ ପ୍ରସିଦ୍ଧ, ପୁନଶ୍ଚ କଳା ବାଘ କଣ ଓ ନନ୍ଦନକାନନ ଏଥିନିମନ୍ତେ ମଧ୍ୟ କାହିଁକି ପ୍ରସିଦ୍ଧ ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ଧଳା ବାଘ ହେଉଛି ବର୍ଣ୍ଣକୋଷ ହୀନ ବାଘ ଠାରୁ ଅଲଗା, ମହାବଳ ବାଘର ଏକ ରଞ୍ଜକ ବା ବର୍ଣ୍ଣକ ଭେଦ ଯେଉଁଥିରେ ବାଘର ଶରୀର ଧଳା ରଙ୍ଗର ହୋଇଥାଏ ଓ ସେଥିରେ ପାଉଁଶିଆ, ମାଟିଆ କିମ୍ବା କଳା ରଙ୍ଗର ପଟି ପଡିଥାଏ । ଏହି ବାଘର ଚକ୍ଷୁ ସାଧାରଣତଃ ନୀଳ ରଙ୍ଗର ହୋଇଥାଏ ତଥା ନାକ ଏବଂ ପାଦ ତଳ ଗୋଲାପୀ ରଙ୍ଗର ହୋଇଥାଏ । ଏହି ବାଘ ଗୁଡିକ ପ୍ରାକୃତିକ ଭାବରେ ସାଧାରଣତଃ ମଧ୍ୟପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ବିହାର ଓ ସୁନ୍ଦରବନ ଅଞ୍ଚଳରେ ଦେଖାଦେଇଥାନ୍ତି ।

ଯଦିଓ ଏହିସବୁ ଅଞ୍ଚଳର ବଣ ଜଙ୍ଗଲମାନଙ୍କରେ ଧଳା ବାଘ ଦେଖାଯିବାଟା ଏତେ ବିରଳ ନୁହେଁ, ତେବେ କୌଣସି ପ୍ରାଣୀଉଦ୍ୟାନ ବା ଚିଡିଆଖାନାରେ ଧଳା ବାଘ ଜନ୍ମ ନେବା ଏକ ବିରଳ ଘଟଣା ଯାହାକି ଭାରତରେ ପ୍ରଥମେ ଦେଖାଯାଇଥିଲା ମଧ୍ୟପ୍ରଦେଶର ରେୱାର ଏକ ପ୍ରାଣୀଉଦ୍ୟାନରେ । ଏହି ପ୍ରାଣୀଉଦ୍ୟାନରେ ରେୱାର ମହାରାଜା ମାର୍ତ୍ତଣ୍ଡ ସିଂହ ଜଙ୍ଗଲରୁ ଧରିଥିବା ଏକ ଧଳା ବାଘ (୧୯୫୧ ମସିହାରେ ଜଙ୍ଗଲରୁ ଧରାଯାଇଥିବା ପୃଥିବୀର ଶେଷ ଧଳା ବାଘ) “ମୋହନ”ର ଔରସରୁ ଚାରିଗୋଟି ଧଳା ବାଘ ଶାବକ ଜନ୍ମ ନେଇଥିଲେ ୧୯୫୮ ମସିହା ଅକ୍ଟୋବର ମାସ ୩୦ ତାରିଖରେ । ଏହାପରେ ମୋହନ ତଥା ତାର ବଂଶଜଙ୍କ ଔରସରୁ ବିଭିନ୍ନ ପ୍ରାଣୀଉଦ୍ୟାନରେ ଧଳା ବାଘ ଶାବକ ଜନ୍ମ ନେଇଥିଲେ ଯେଉଁମାନଙ୍କ ଗୁଣସୂତ୍ର ମୋହନ ସହିତ ସମ୍ବନ୍ଧିତ ଥିଲା ।

ଘଟଣାକ୍ରମେ ୧୯୮୦ ମସିହାରେ ନନ୍ଦନକାନନର ପ୍ରାଣୀଉଦ୍ୟାନରେ ମଧ୍ୟ ତିନିଗୋଟି ଧଳା ବାଘ ଶାବକ ଜନ୍ମ ନେଇଥିଲେ । ତେବେ ନନ୍ଦନକାନନର ଏହି ଧଳା ବାଘ ଶାବକ ଗୁଡିକ ଏଥିପାଇଁ ପ୍ରସିଦ୍ଧ ଥିଲେ ଯେ, ଏଠାରେ ଦୁଇଗୋଟି ସାଧାରଣ ମହାବଳ ବାଘ (ଦୀପକ ଓ ଗଙ୍ଗା)ଙ୍କର ଔରସରୁ ଧଳା ବାଘ ଶାବକ ଗୁଡ଼ିକ ଜନ୍ମ ନେଇଥିଲେ । ଏବଂ ପରୀକ୍ଷାରୁ ଜଣାପଡିଥିଲା ଯେ ଏହି ଧଳା ବାଘ ଶାବକ ଗୁଡ଼ିକ ରେୱାର ଧଳା ବାଘ “ମୋହନ” ସହିତ କୌଣସି ପ୍ରକାରରେ ସମ୍ପର୍କିତ ନଥିଲେ, ବରଂ ଏମାନେ ଏକ ସ୍ୱତନ୍ତ୍ର ବଂଶାବଳୀର ଧଳା ବାଘ ଥିଲେ ଯାହାକୁକି କୁହାଗଲା “ଓଡ଼ିଶା ଷ୍ଟ୍ରେନ୍” । ଏହି ଧଳା ବାଘ ଶାବକମାନଙ୍କର ପରବର୍ତ୍ତୀ ସମୟରେ ନନ୍ଦନକାନନ ତଥା ଭାରତ ଏବଂ ବିଶ୍ୱର ବିଭିନ୍ନ ପ୍ରାଣୀଉଦ୍ୟାନ ମାନଙ୍କରେ ଥିବା ଅନ୍ୟାନ୍ୟ ସାଧାରଣ ମହାବଳ ବାଘ କିମ୍ବା ଧଳା ବାଘମାନଙ୍କ ସହିତ ମିଳନ କରାଯାଇଥିଲା । ଏହି ମିଳନ ପ୍ରକ୍ରିୟା ଫଳରେ ସଂଖ୍ୟାଧିକ ଧଳା ବାଘ ଜନ୍ମ ନେଇଥିଲେ ଓ ଏହାର ଫଳସ୍ୱରୂପ ନନ୍ଦନକାନନ ଧଳା ବାଘ ବଂଶାବଳୀ ପାଇଁ ପ୍ରସିଦ୍ଧ ହୋଇଉଠିଲା । ବର୍ତ୍ତମାନ ଭାରତର ସବୁଠାରୁ ଅଧିକ ସଂଖ୍ୟକ ଧଳା ବାଘ ମଧ୍ୟପ୍ରଦେଶର ରେୱା ବ୍ୟତୀତ ଆମ ଓଡ଼ିଶାର ନନ୍ଦନକାନନରେ ପରିଦର୍ଶିତ ହୁଅନ୍ତି ।

ଏତ ଗଲା ଧଳା ବାଘର କଥା । ଆସନ୍ତୁ ଏବେ ଜାଣିବା ନନ୍ଦନକାନନର କଳା ବାଘ ସମ୍ବନ୍ଧରେ । କଳା ବାଘ ବା “ମେଲାନିଷ୍ଟିକ” ବାଘ ଦେଖିବାକୁ ସାଧାରଣ ଧଳା କିମ୍ବା ମହାବଳ ବାଘ ପରି, ମାତ୍ର ତାର ଦେହରେ ଗାଢ଼ ମାଟିଆ କିମ୍ବା ଗାଢ଼ କଳା ରଙ୍ଗର ପଟି ମାତ୍ରାଧିକ ପରିମାଣରେ ଥାଏ ଯାହାକି ସାଧାରଣତଃ ଏପ୍ରକାର ବାଘଙ୍କ ଦେହରେ ଦେଖାଯାଉଥିବା ପଟି ଠାରୁ ଅଧିକ ଗାଢ଼ ରଙ୍ଗର । ଏହା ବାଘର ଶରୀରରେ ଗାଢ଼ ମାଟିଆ କିମ୍ବା ଗାଢ଼ କଳା ରଙ୍ଗର ବର୍ଣ୍ଣକୋଷର ଉପସ୍ଥିତି କାରଣରୁ ହୋଇଥାଏ ଏବଂ ନନ୍ଦନକାନନ ହେଉଛି ଭାରତର ପ୍ରଥମ ପ୍ରାଣୀଉଦ୍ୟାନ ଯେଉଁଠାରେ କି ଏପ୍ରକାର କଳା ବାଘ ଜନ୍ମ ନେଇଛନ୍ତି (ପ୍ରଥମେ ୨୦୧୪ ମସିହାରେ ଧଳା ବାଘୁଣୀ ସ୍ନେହା ଏବଂ ସାଧାରଣ ମହାବଳ ବାଘ ମନୀଷଙ୍କ ଔରସରୁ ଏବଂ ପୁନଶ୍ଚ ୨୦୧୮ ମସିହାରେ ସାଧାରଣ ମହାବଳ ପ୍ରଜାତିର ବାଘୁଣୀ ରେଣୁକା ଏବଂ ବାଘ ମନୀଷଙ୍କ ଔରସରୁ)। ତେବେ ଏପ୍ରକାରର କଳା ବାଘର ଉପସ୍ଥିତି ଓଡିଶା ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଓଡ଼ିଶାର ଶିମିଳିପାଳର ଜାତୀୟ ଅଭୟାରଣ୍ୟରେ ଏପ୍ରକାରର କଳା ବାଘଙ୍କର ଉପସ୍ଥିତିର ସଙ୍କେତ ମିଳିଥିଲା ।

ବର୍ତ୍ତମାନ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୧୫ଟି ସାଧାରଣ ମହାବଳ ବାଘ ବ୍ୟତୀତ ୯ଟି ଧଳା ବାଘ ଏବଂ ୪ଟି କଳା ବାଘ ଅଛନ୍ତି ଯେଉଁମାନଙ୍କୁ ଦେଖିବା ପାଇଁ ସମଗ୍ର ବିଶ୍ବର କୋଣ ଅନୁକୋଣରୁ ଦର୍ଶନାର୍ଥୀଙ୍କ ସୁଅ ଛୁଟିଛି ଏବଂ ଏହା ନିଶ୍ଚିତ ପକ୍ଷେ ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ନନ୍ଦନକାନନ ଭାରତର ପ୍ରଥମ ପ୍ରାଣୀଉଦ୍ୟାନ ଥିଲା ଯେଉଁଠାରେ କି ଧଳା ବାଘ ସଫାରୀ ମାଧ୍ୟମରେ ଦର୍ଶନାର୍ଥୀମାନେ ଏହି ବାଘଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲେ । ବର୍ତ୍ତମାନ ନନ୍ଦନକାନନରେ ସଂଖ୍ୟାଧିକ କଳା ବାଘ ଶାବକଙ୍କ ଜନ୍ମ ସହିତ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ବିଶ୍ୱର ପ୍ରଥମ କଳା ବାଘ ସଫାରୀର ପରିକଳ୍ପନା କରୁଛନ୍ତି । ଆପଣ ଯଦି ନିକଟ ଭବିଷ୍ୟତରେ ନନ୍ଦନକାନନ ପରିଭ୍ରମଣରେ ଯାଉଛନ୍ତି, ତେବେ ନିଶ୍ଚିତ ଭାବେ ଏହି ଧଳା ବାଘ ଓ କଳା ବାଘ ଗୁଡ଼ିକୁ ଦେଖିବାକୁ ଭୁଲିବେ ନାହିଁ କାରଣ ଏମାନଙ୍କର ଉପସ୍ଥିତି ଭାରତ କାହିଁକି, ସମଗ୍ର ବିଶ୍ୱରେ ବିରଳ ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar