ମାଇକେଲ ଜାକସନ ଓ ଓଡ଼ିଶୀ ନୃତ୍ୟ

୧୯୯୧ ମସିହାର ଘଟଣା। ବିଶ୍ୱ ପ୍ରସିଦ୍ଧ ପପ୍ ଗାୟକ ମାଇକେଲ ଜାକସନ ତାଙ୍କର ଏକ ମ୍ୟୁଜିକ ଭିଡ଼ିଓ (ବ୍ଲାକ୍ ଅର୍ ହ୍ଵାଇଟ୍)ର ଶୂଟିଙ୍ଗ ପାଇଁ ଆଧୁନିକ ଏବଂ ପ୍ରାଦେଶିକ/ସାମ୍ପ୍ରଦାୟିକ ନୃତ୍ୟଶିଳ୍ପୀ ମାନଙ୍କର ଏକ ଅଡିସନ୍ ନେଉଥାନ୍ତି। ଅଡିସନ୍ ଦେଉଥିବା ପ୍ରାୟ ୩୦୦୦ ରୁ ଅଧିକ ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରୁ ଅନ୍ୟତମା ଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଯମୁନା ସାଙ୍ଗରାଶିଭମ୍ (Yamuna Sangarasivam) । ଯମୁନା ସେତେବେଳେ ଥିଲେ ଲସ ଆଞ୍ଜେଲିସର ୟୁନିଭର୍ସିଟି ଅଫ କାଲିଫୋର୍ନିଆରେ ଡ୍ୟାନ୍ସ ଏଥନୋଲୋଜିର ସ୍ନାତକୋତ୍ତର ଛାତ୍ରୀ। ଯେତେବେଳେ ତାଙ୍କୁ ଖବର ମିଳିଲା ଯେ ସେ ଅଡିସନ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେ ଖୁସିରେ ଆତ୍ମହରା ହୋଇଉଠିଲେ। କାରଣ ମାଇକେଲ ଜାକସନଙ୍କ ସହ କାମ କରିବାର ସୁଯୋଗ ଜୀବନରେ କ୍ଵଚିତ ଆସିଥାଏ। ପରେ ଯଦିଓ ସେ ସେହି ମ୍ୟୁଜିକ ଭିଡ଼ିଓରେ ମାଇକେଲ ଜାକସନଙ୍କ ସହିତ ମାତ୍ର ୨୦ ସେକେଣ୍ଡ ପାଇଁ ନାଚିଥିଲେ, ମାତ୍ର ଏହା ତାଙ୍କୁ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଆଣିଦେଇଥିଲା ଓ ଓଡ଼ିଶୀ ନୃତ୍ୟ ପାଇଁ ଏହା ଥିଲା ଏକ ଅବିସ୍ମରଣୀୟ ମୁହୂର୍ତ୍ତ।
ଯମୁନା ମୂଳତଃ ଶ୍ରୀଲଙ୍କାର ନାଗରିକ। ସେ ଏକଦା ୯ ମାସର ଏକ ରିସର୍ଚ୍ଚ ପ୍ରୋଜେକ୍ଟରେ ଭାରତକୁ ଆସିଥିବା ସମୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କର ପାଠପଢା ଶେଷକରି ଆଂଥ୍ରୋପୋଲୋଜି ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ନ୍ୟୁୟର୍କର ନାଜାରେଥ୍ କଲେଜରେ ଆଂଥ୍ରୋପୋଲୋଜି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତା। ଏବେ ମଧ୍ୟ ଯମୁନା ବିଭିନ୍ନ ଶିକ୍ଷାଗତ ସମ୍ମେଳନରେ ଯୋଗଦାନ କରୁଥିବା ସମୟରେ ସେହି ମ୍ୟୁଜିକ ଭିଡ଼ିଓର ବିଶ୍ଳେଷଣ କରିଥାନ୍ତି ଏବଂ ତାହାର ସାଂସ୍କୃତିକ ବିବିଧତା ତଥା ଐକ୍ୟତା ଉପରେ ଥିବା ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥାନ୍ତି।
ବିଶ୍ବରେ ଏତେ ସଂଖ୍ୟକ ପ୍ରାଦେଶିକ ନୃତ୍ୟ ଶୈଳୀ ଥିବା ସମୟରେ ମାଇକେଲ ଜାକସନ ଓଡ଼ିଶୀ ନୃତ୍ୟକୁ ତାଙ୍କର ମ୍ୟୁଜିକ ଭିଡ଼ିଓ ପାଇଁ ଚୟନ କରିଥିବା ଘଟଣା ନିଶ୍ଚିତ ପକ୍ଷେ ଆମ ପାଇଁ ଏକ ଗର୍ଵର ବିଷୟ ହୋଇ ରହିଥିବ ତଥା ଏହା ଓଡ଼ିଶୀ ନୃତ୍ୟର ତାତ୍କାଳିକ ତଥା ସାର୍ବଜନୀନ ଆକର୍ଷଣର ଦିଗକୁ ମଧ୍ୟ ସଦାସର୍ବଦା ସୁଚାଉଥିବ।

Comments
So empty here ... leave a comment!