‘ପଦ୍ମ ଶ୍ରୀ’ ଗୁରୁ ଗଙ୍ଗାଧର ପ୍ରଧାନ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ପାରିକୂଳ ଗ୍ରାମରେ ୧୯୪୮ ଜୁଲାଇ ୧୦ରେ ଜନ୍ମ ହୋଇଥିଲେ ‘ପଦ୍ମ ଶ୍ରୀ’ ଉପାଧିପ୍ରାପ୍ତ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନ। ଶୈଶବରେ ଶାରୀରିକ ଅସୁସ୍ଥତା (କାନ୍ଦୁ ନ ଥିଲେ କି ଠିକ୍ରେ ଚଳ-ପ୍ରଚଳ ହୋଇପାରୁ ନ ଥିଲେ) ମଧ୍ୟରେ ରହୁଥିବାରୁ ପିତା ମୁରଲୀଧର ପ୍ରଧାନ ଓ ମାତା ଦ୍ୱିତୀକା ଦେବୀ ତାଙ୍କୁ ନିକଟସ୍ଥ ଡିମିରିସେଣା ଗ୍ରାମରେ ପୂଜା ପାଉଥିବା ବାଲୁଙ୍କେଶ୍ୱରଙ୍କୁ ସମର୍ପିଦେଇଥିଲେ। ପୁଅର ମଙ୍ଗଳ ପାଇଁ ସେମାନେ ଦୁଇ ଦୁଇଟି ମାନସିକ କରିଥିଲେ। ପୁତ୍ର ଆରୋଗ୍ୟ ଲାଭ କଲେ ଗୋଟିପୁଅ ନୃତ୍ୟ କରିବ ଏବଂ ପାଞ୍ଚ ବର୍ଷ ବାଲୁଙ୍କେଶ୍ବର ମନ୍ଦିରରେ ଦେବ-ସେବାରେ ନିୟୋଜିତ ହେବ। ଗଙ୍ଗାଧର ତିନି ବର୍ଷର ହୋଇଥିବା ବେଳେ ଏକ ଶଗଡ଼ ଦୁର୍ଘଟନାରେ ଗୁରୁତର ଆହତ ହୋଇଥିଲେ। ସେ ସୁସ୍ଥ ହେଲେ ପାଞ୍ଚ ବର୍ଷ ବଦଳରେ ଦଶ ବର୍ଷ ବାଲୁଙ୍କେଶ୍ବର ମନ୍ଦିରରେ ସେବା କରିବ ବୋଲି ପିତା ପୁନଃ ମାନସିକ କରିଥିଲେ। ତାହା ହିଁ ହୋଇଥିଲା। ବାଳକ ଗଙ୍ଗାଧର ପାଞ୍ଚ ବର୍ଷରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ଉକ୍ତ ମନ୍ଦିରର ଦୈନିକ ବିଧି ସହ ସଂପୃକ୍ତ ଥିଲେ। ସେ ମନ୍ଦିରର ପୂଜକମାନଙ୍କର ବୋଲହାକ କରୁଥିଲେ। ଖେତରେ କାମ କରୁଥିଲେ। ତାହା ଛଡ଼ା ପାରଂପରିକ ନୃତ୍ୟ କଳା ଶିଖୁଥିଲେ।
ଏହା ଗଙ୍ଗାଧରଙ୍କ ପାଇଁ ଥିଲା ଆଦ୍ୟ ପ୍ରେରଣା। ଗୁରୁ ବାଞ୍ଚାନିଧି ପ୍ରଧାନ, ପଣ୍ଡିତ ଚନ୍ଦ୍ରଶେଖର ପଟ୍ଟନାୟକ ଓ ଗୁରୁ ବୀରବର ସାହୁଙ୍କଠାରୁ ଗୋଟିପୁଅ ନୃତ୍ୟ ଶିକ୍ଷା କରିଥିଲେ। ପରେ ଭୁବନେଶ୍ୱରସ୍ଥିତ ‘ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ’ରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରି, ‘ନୃତ୍ୟାଚାର୍ଯ୍ୟ’ ଉପାଧି ପାଇଥିଲେ। ଅଧ୍ୟବସାୟ ବଳରେ ନିଜକୁ ଜଣେ ପ୍ରତିଭାବାନ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବରେ ପରିଚିତ କରାଇଥିଲେ। ସେ, ଗୁରୁ ପଙ୍କଜ ଚରଣ ଦାସ, ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ଦେବପ୍ରସାଦ ଦାସ, ଡ. ମିନତି ମିଶ୍ର ପ୍ରମୁଖଙ୍କଠାରୁ ଓଡ଼ିଶୀ ନୃତ୍ୟରେ ତାଲିମ ନେଇଥିଲେ। ପୋଖତ ମର୍ଦଳ ବାଦକ ଭାବେ ମଧ୍ୟ ପ୍ରସିଦ୍ଧି ଅର୍ଜିଥିଲେ। ‘ପଦ୍ମ ଶ୍ରୀ’ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡ଼ିଶୀ ନୃତ୍ୟରେ, ଗୁରୁ ଗଙ୍ଗାଧର ଥିଲେ ଜଣେ ସଫଳ ମର୍ଦଳ ସହଯୋଗୀ।
ଭୁବନେଶ୍ୱର ନୃତ୍ୟ ଏକାଡେମି, କୋଣାର୍କ ନାଟ୍ୟ ମଣ୍ଡପ, ବ୍ରହ୍ମଗିରିର ଚନ୍ଦ୍ରଶେଖର କଳାମନ୍ଦିର ଆଦି ପ୍ରତିଷ୍ଠା କରାଇ, ଓଡ଼ିଶୀ ନୃତ୍ୟର ପ୍ରଚାର-ପ୍ରସାର ପାଇଁ ଅହରହ ଉଦ୍ୟମ କରିଥିଲେ। ନେଦର୍ଲାଣ୍ଡ୍, ସ୍ପେନ୍, କୋରିଆ ଆଦି ତିରିଶରୁ ଅଧିକ ରାଷ୍ଟ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଇ ସୁପରିଚିତ ହୋଇଥିଲେ। ସେ ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୮ରେ ‘ପଦ୍ମ ଶ୍ରୀ’ ଏବଂ ୧୯୯୮ରେ ‘ସଂଗୀତ ନାଟକ ଏକାଡେମି ପୁରସ୍କାର’ ପାଇଥିଲେ। ୨୦୧୦ ଅକ୍ଟୋବର୍ ୧୦ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଥିଲା।

Comments
So empty here ... leave a comment!