‘ପଦ୍ମ ଶ୍ରୀ’ ଗୁରୁ ପଙ୍କଜ ଚରଣ ଦାସ

ଓଡ଼ିଶୀ ନୃତ୍ୟ ଗୁରୁ ‘ପଦ୍ମ ଶ୍ରୀ’ ପଙ୍କଜ ଚରଣ ଦାସ, ୧୭ ମାର୍ଚ‌୍‌ ୧୯୨୫ରେ ପୁରୀର ମାଟିମଣ୍ତପ ସାହିରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଧର୍ମୁ ଚରଣ ଦାସ ଅସୁରେଶ୍ବର ନିକଟବର୍ତ୍ତୀ ମଣିପୁରର ମୂଳ ବାସିନ୍ଦା। ସେ ପୁଲିସ୍‌ ବିଭାଗରେ ଚାକିରି କରୁଥିଲେ ଏବ˚ ପୁରୀ ଥିଲା, ତାଙ୍କର କର୍ମକ୍ଷେତ୍ର। ପତ୍ନୀ କ୍ଷେତ୍ରମଣି ଦେବୀ ଗର୍ଭବତୀ ଥିବା ବେଳେ, ତାଙ୍କର ପରଲୋକ ହୋଇଥିଲା। ଅର୍ଥାତ୍‌, ପିତୃଛେଉଣ୍ତ ଭାବେ ଜନ୍ମ ହୋଇଥିଲେ ପଙ୍କଜ ଚରଣ। ପତିଙ୍କ ବିୟୋଗ, କ୍ଷେତ୍ରମଣିଙ୍କୁ ଆଶ୍ରୟହୀନା କରିଥିଲା। ସେତେ ବେଳେ ତାଙ୍କୁ ସାଦରେ ନିଜ ଘରକୁ ନେଇଯାଇଥିଲେ, ବଡ଼ ଠାକୁରଙ୍କ ଦେବଦାସୀ ଫକିରୀ ମାହାରୀ (ରତ୍ନପ୍ରଭା ଦେବୀ)। ତାଙ୍କରି ଘରେ ଜନ୍ମ ହୋଇଥିଲେ ପଙ୍କଜ ଚରଣ। ମାହାରୀ ପରିବାରରେ ସେ ବଢ଼ି ବଡ଼ ହୋଇଥିଲେ ଏବ˚ ସ୍ବାଭାବିକ ଭାବେ ନୃତ୍ୟ-ଗୀତ ପ୍ରତି ଆକର୍ଷିତ ହୋଇଥିଲେ।

ରତ୍ନପ୍ରଭା ଦେବୀଙ୍କଠାରୁ ହିଁ ସେ ପ୍ରଥମେ ନୃତ୍ୟ ଶିକ୍ଷା କରିଥିଲେ। ନୃତ୍ୟ ପ୍ରତି ଅତ୍ୟାଗ୍ରହ, ତାଙ୍କୁ କଳା ଦୁନିଆରେ ପରିଚିତ କରାଇଥିଲା। ଆଦ୍ୟ କୈଶୋରରେ ସେ ମାତାଙ୍କୁ ହରାଇ ସ˚ପୂର୍ଣ୍ଣ ଅନାଥ ହୋଇଯାଇଥିଲେ। ରତ୍ନପ୍ରଭା, ତାଙ୍କ ଲାଳନ-ପାଳନଭାର ଗ୍ରହଣ କରିଥିଲେ। ଗୁଜରାଣ ମେଣ୍ଟାଇବା ପାଇଁ ପାନ ବିକିବାଠାରୁ ଆରମ୍ଭ କରି ଛୋଟମୋଟ ଚାକିରି କରିବାକୁ ବାଧ୍ୟ ହୋଇଥିଲେ। ରାସଦଳ, ର˚ଗମ˚ଚ ଆଦିରେ କାମ କରିଥିଲେ। ହେଲେ, ନୃତ୍ୟ ସାଧନା ଅଟକି ନ ଥିଲା। ଜୀବନ ସ˚ଘର୍ଷମୟ ଥିବା ସତ୍ତ୍ବେ ସେ ପାଲଟିପାରିଥିଲେ ସଫଳ ନୃତ୍ୟ ଗୁରୁ। ଶିକ୍ଷା ପ୍ରତି ତାଙ୍କର ବିଶେଷ ଆଗ୍ରହ ନ ଥିଲା। ମାଟ୍ରିକ୍‌ ପରୀକ୍ଷାରେ ବାରମ୍ବାର ଅକୃତକାର୍ଯ୍ୟ ହୋଇ ପାଠ ଛାଡ଼ିଦେଇଥିଲେ। ନୃତ୍ୟକୁ ପେସା କରିବା ପୂର୍ବରୁ ବଳଦେବ ହଜୁରୀ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଥିଏଟର‌୍‌ ଏବ˚ ଅନ୍ନପୂର୍ଣ୍ଣା ର˚ଗମ˚ଚରେ ମୁଖ୍ୟତଃ ହାସ୍ୟ-ଅଭିନେତା ଭାବେ ଅଭିନୟ କରିଥିଲେ। ଅଭିନେତା ଜୀବନରେ ଖାଦ୍ୟ ସହ ମାସିକ ବେତନ ବାବଦକୁ ମିଳୁଥିଲା ମାତ୍ର ଆଠ ଟଙ୍କା। ନୃତ୍ୟ ନିର୍ଦେଶକ ହେବା ପରେ ଦୁଇ ଟଙ୍କା ବଢ଼ିଥିଲା।

ପ୍ରାକ୍‌-ସ୍ବାଧୀନତା କାଳରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏକ ସମୟରେ ଏହା ମନ୍ଦିର ମଧ୍ୟରେ ସୀମିତ ଥିଲା। ଏହାକୁ ମନ୍ଦିର ବାହାରକୁ ଆଣି ପ୍ରସାରିତ କରିଥିଲେ ଗୁରୁ ପଙ୍କଜ ଚରଣ। ଏହାର ପୁନରୁଦ୍ଧାର କରାଇ ‘ଓଡ଼ିଶୀ ନୃତ୍ୟର ଜନକ’ ଭାବେ ପରିଚିତ ହୋଇଥିଲେ। ସେ ମାହାରୀ ଶୈଳୀର ଅନୁଗାମୀ ଥିଲେ। ତାଙ୍କର ପ୍ରତ୍ୟେକ ଅଙ୍ଗଭଙ୍ଗୀରେ ଭକ୍ତି-ରସ ପ୍ରସ୍ଫୁଟିତ ହେଉଥିଲା। ‘ପ˚ଚକନ୍ୟା’, ‘ଗ୍ଳାନିସ˚ହାର’, ‘ମାତୃବନ୍ଦନା’, ‘ବାଳଗୋପାଳାଷ୍ଟକ’ ଆଦି ତାଙ୍କର ଶ୍ରେଷ୍ଠ କୃତି। ‘ପ˚ଚକନ୍ୟା’- କୁନ୍ତୀ, ମନ୍ଦୋଦରୀ, ତାରା, ଅହଲ୍ୟା ଓ ଦ୍ରୌପଦୀଙ୍କ କାହାଣୀ। କାଳିଦାସ ଓ ଜୟଦେବଙ୍କ ଜୀବନୀକୁ ନେଇ ମଧ୍ୟ ସେ ନୃତ୍ୟ ପରିବେଷଣ କରିଥିଲେ। ୧୯୬୪ରେ ପଙ୍କଜ ଚରଣ ‘ଉତ୍କଳ ସ˚ଗୀତ ମହାବିଦ୍ୟାଳୟ’ରେ ଯୋଗଦେଇ କୋଡ଼ିଏ ବର୍ଷ ପରେ ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ। ଏଠାରେ କଟିଥିଲା ପେସାଦାର ଜୀବନର ପ୍ରାୟ ପଚିଶ ବର୍ଷ। ମାହାରୀ ନୃତ୍ୟ ଉପରେ ଉଲ୍ଲେଖନୀୟ ଗବେଷଣା କରି ଦେଶ-ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ। ଗୁରୁ କେଳୁ ଚରଣ ମହାପାତ୍ର, ଗୁରୁ ଦେବ ପ୍ରସାଦ ଦାସ, ଗୁରୁ ମାୟାଧର ରାଉତ ଆଦି ତାଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ।

୧୧ ଜୁନ୍‌ ୨୦୦୩ରେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଥିଲା। ଜୀବନ କାଳରେ ସେ ‘ପଦ୍ମ ଶ୍ରୀ’ ସମେତ ଉଭୟ ରାଜ୍ୟ ଓ କେନ୍ଦ୍ର ‘ସ˚ଗୀତ ନାଟକ ଏକାଡେମି ପୁରସ୍କାର’, ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର’, ‘କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଆଦି ଲାଭ କରିଥିଲେ। ‘ଉଡ୍ର ସ˚ସ୍କୃତି ଏକାଡେମି’ ପକ୍ଷରୁ ପ୍ରତି ବର୍ଷ ଭୁବନେଶ୍ବରରେ, ତାଙ୍କ ସ୍ମୃତିରେ ଏକ ବାର୍ଷିକ ଉତ୍ସବର ଆୟୋଜନ କରାଯାଉଛି।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar