ଏଇ ମାଟିର ବାରବାଟୀ (୪ର୍ଥ/ଅନ୍ତିମ ଭାଗ)
ଅସ୍ତମିତ ବାରବାଟୀ
ସବୁ କାହାଣୀର ଅନ୍ତ ଥାଏ, ତାହା ଯେତେ ଗୌରବମୟ ହେଉ ନା କାହିଁକି । ସେହି ମର୍ମରେ ବାରବାଟୀର ଦେଦୀପ୍ୟମାନ ସୂର୍ଯ୍ୟ ମଧ୍ୟ ଏକଦା ଅସ୍ତମିତ ହୁଏ । ବାରବାଟୀର ଗୌରବମୟ କାହାଣୀର ଅନ୍ତିମ ଅଙ୍କ ଆରମ୍ଭ ହୁଏ ଯେତେବେଳେ ଏହା ମରହଟ୍ଟାଙ୍କ ଅଧିନସ୍ଥ ହୁଏ ଓ ଏହି ଅନ୍ତିମ ଅଙ୍କର ଯବନିକା ସେତେବେଳେ ପଡେ, ଯେତେବେଳେ ଏହା ବ୍ରିଟିଶ କର୍ତ୍ତୃତ୍ବାଧୀନ ହୁଏ ।
୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଏକ କ୍ଷୁଦ୍ର ସଂଗ୍ରାମରେ ମରହଟ୍ଟାଙ୍କ ଠାରୁ ବାରବାଟୀ ଅଧିକାର କରିନିଅନ୍ତି । ତତ୍ପରେ ସେମାନେ ଗଡଖାଇକୁ ଶୁଖାଇ ଅଧିକାଂଶ କୁମ୍ଭୀରଙ୍କୁ ମାରିଦିଅନ୍ତି ଓ ଅବଶିଷ୍ଟ କୁମ୍ଭୀରଙ୍କୁ ମହାନଦୀରେ ଛାଡି ଦିଅନ୍ତି । ଏହାପରେ ବାରବାଟୀ ଦୁର୍ଗ କିଛି କାଳ ପାଇଁ ସେମାନଙ୍କ ଦ୍ବାରା କାର୍ଯ୍ୟରେ ବ୍ୟବହୃତ ହୁଏ । ସମୟକ୍ରମେ ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବ ଓ ତାଙ୍କର ପୁତ୍ର ଏହି ବାରବାଟୀ ଦୁର୍ଗ ମଧ୍ୟରେ ଥିବା ମନ୍ଦିର କୋଠରୀରେ ନଜରବନ୍ଦୀ ହୋଇ ରହନ୍ତି । ପରେ ୧୮୧୯ ଖ୍ରୀଷ୍ଟାବ୍ଦରେ, ସୁରଗୁଜା ରାଜାଙ୍କର ଦୁଇଜଣ ବଂଶଧରଙ୍କ ସମେତ ଚାରିଜଣ ବନ୍ଦୀଙ୍କୁ ଏଠାକୁ ସ୍ଥାନାନ୍ତରିତ କରାଯାଏ ଓ ଏହି ଐତିହ୍ୟସମ୍ପନ୍ନ ଦୁର୍ଗ ଏକ ବନ୍ଦୀଶାଳାରେ ପରିଣତ ହୁଏ । ଏହି ବନ୍ଦୀମାନଙ୍କର ମୁକ୍ତି ପରେ ଦୁର୍ଗଟି ପରିତ୍ୟକ୍ତ ଅବସ୍ଥାରେ କିଛିଦିନ ପଡିରହେ ।
କାଳକ୍ରମେ ୧୮୨୮ ମସିହାରେ ଇଂରେଜ କମିଶନର ଟମାସ ପାନେନହାମଙ୍କ ଦ୍ଵାରା ବାରବାଟୀ ଦୁର୍ଗର ପଥରମାନଙ୍କୁ କଟକ ପଥରବନ୍ଧର ମରାମତି ଓ ରାସ୍ତା ନିର୍ମାଣ ପାଇଁ ବ୍ୟବହାର କରିବା ନିମିତ୍ତ ପ୍ରେରିତ ଏକ ପ୍ରସ୍ତାବ ଉପରସ୍ଥ ହାକିମଙ୍କ ଦ୍ୱାରା ମଞ୍ଜୁର ହୁଏ ଓ ୧୮୨୯ ମସିହାରେ ଏଥିପାଇଁ ବାରବାଟୀ ଦୁର୍ଗ ଭଙ୍ଗା ଯାଏ । ଏହାପରେ ଦୁର୍ଗର କିଛି ପଥର ନଦୀର ପଥରବନ୍ଧର ମରାମତି ଓ ଏକ ବତୀଘରର ନିର୍ମାଣରେ ବ୍ୟବହୃତ ହୁଏ, କିଛି ପଥର ଦ୍ୱାରା ଫଲସ ପଏଣ୍ଟରେ ଆଲୋକ ସ୍ତମ୍ଭ ନିର୍ମିତ ହୁଏ ଓ ଅବଶିଷ୍ଟ ପଥରଗୁଡିକ କାଣ୍ଟନମେଣ୍ଟ ରୋଡ଼ ନିର୍ମାଣରେ ବ୍ୟବହୃତ ହୁଏ । ଏତଦ୍ବ୍ୟତୀତ ଅନେକ ପଥର ମଧ୍ୟ ସ୍ଥାନୀୟ କିଛି ଧନୀ ବ୍ୟକ୍ତିଙ୍କୁ ବିକ୍ରି କରାଯାଏ । ସମସ୍ତ ଦୁର୍ଗଟି ଭଙ୍ଗା ଯିବା ପରେ କେବଳ ପ୍ରବେଶ ଦ୍ୱାରଟି ମାତ୍ର ଅବଶେଷ ରୁହେ । ଯେଉଁ ଐତିହାସିକ ବାରବାଟୀ ଦିନେ ନିଜ ବୁକୁରେ ଧରିରଖିଥିଲା ଓଡ଼ିଆ ବୀରଙ୍କ ବିଜୟ ଧ୍ବଜା, ତାହା ନିଜ ଅନ୍ତିମ ସମୟରେ ମଧ୍ୟ ଏହି ମାଟି ପାଇଁ ନିଜର ପ୍ରସ୍ତର କୋଷ ମାନ ଦାନ କରି ସବୁଦିନ ପାଇଁ ସୁପ୍ତ ତଥା ଅସ୍ତମିତ ହୁଏ । କବିବର ରାଧାନାଥ ରାୟଙ୍କ ଭାଷାରେ ବାରବାଟୀର ଏହି କରୁଣ କାହାଣୀ ପ୍ରତିଫଳିତ ହୁଏ –
“ବାରବାଟୀ ଦୁର୍ଗେ ଉଡୁନାହିଁ ଧ୍ବଜା
ବାରବାଟୀ ଦୁର୍ଗେ ବାଜୁନାହିଁ ବାଜା ।
ସୁପ୍ତ ବାରବାଟୀ ମୃତ ଶୈଳ ପ୍ରାୟ
କାନ୍ଦେ ପଡି ଘୋର କଷଣେ ।।”

ପୁନଶ୍ଚ ୧୯୧୫ ମସିହାରୁ ବାରବାଟୀ ଦୁର୍ଗ ଏକ ସର୍ବଭାରତୀୟ ପ୍ରତ୍ନକୀର୍ତ୍ତି ଭାବେ ସଂରକ୍ଷିତ ରୁହେ । ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ୧୯୮୯ ମସିହାରେ ଆରମ୍ଭ ହୁଏ ଯାହାଦ୍ୱାରା ଏହା ମଧ୍ୟରେ କିଛି ପ୍ରାଚୀର, ବର୍ଗାକାର ସୌଧ, ସମତଳ ଚଟାଣ, ପଥର ସ୍ତମ୍ଭ, ଭଗ୍ନ ମୂର୍ତ୍ତି, ସ୍ଥାପତ୍ୟାଂଶ, ପତାକା ଦଣ୍ଡ, ଅନୁମେୟ ମନ୍ଦିରର ଏକ ପୀଠ ଭାଗ, ଯୁଦ୍ଧାସ୍ତ୍ର, ଶାହାଜାହାନଙ୍କ ସମୟର ରୌପ୍ୟ ମୁଦ୍ରା, ଚୀନା ପାତ୍ର, କାଚ ପାତ୍ର ଆଦି ଲୋକଲୋଚନକୁ ଆସେ ।
ତେବେ ଅପେକ୍ଷା ସେହିଦିନ ପାଇଁ, ଯେଉଁଦିନ ଏହିସବୁ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟର ପୂର୍ଣ୍ଣତା ଘଟିବ ଓ ବାରବାଟୀର ସେହି ଐତିହାସିକ ଗୌରବକୁ ଦିନେ ସର୍ବସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ଉପସ୍ଥାପନ କରାଯାଇପାରିବ ଓଡ଼ିଆ ଜାତିର କଳା, କାରିଗରୀ ତଥା ବୀରତ୍ବର ଗାଥା … ଏଇ ମାଟିର ଗାଥା … ବାରବାଟୀର ଗାଥା ।
ସହାୟକ ଉତ୍ସ :
୧) ନଗର କଟକ (ଉତ୍କଳ ପାଠକ ସଂସଦ)
୨) ନଗର କଟକ ଓ ପଞ୍ଚ କଟକ (ଉତ୍କଳ ପାଠକ ସଂସଦ)

Comments
So empty here ... leave a comment!