‘ପଦ୍ମ ଶ୍ରୀ’ ସତ୍ୟନାରାୟଣ ରାଜଗୁରୁ

ଯେଉଁମାନଙ୍କ ପାଇଁ ପାରଳାଖେମୁଣ୍ତି ମାଟି ଗର୍ବିତ, ସେମାନଙ୍କ ମଧ୍ୟରେ ‘ପଦ୍ମ ଶ୍ରୀ’ ଡକ୍‌ଟର‌୍‌ ସତ୍ୟନାରାୟଣ ରାଜଗୁରୁ ଅନ୍ୟତମ। ସେ ଥିଲେ ଏକଧାରରେ ଶିକ୍ଷକ, ଐତିହାସିକ, ଗବେଷକ, ପ୍ରତ୍ନତତ୍ତ୍ବ ବିଶାରଦ, ସାହିତ୍ୟିକ ଓ ବ୍ୟବସାୟୀ। ଜଣେ ଶିକ୍ଷକ-ଗବେଷକ, ବ୍ୟବସାୟ କରିଥିବା କଥା ପଢ଼ିଲେ, ବିସ୍ମୟ ସୃଷ୍ଟି ହୋଇପାରେ। ହଁ, ଜୀବନର ଏକ ସମୟରେ ସେ ଧାନ-ଚାଉଳ ବ୍ୟବସାୟ ସହ ସଂପୃକ୍ତ ଥିଲେ। ଏ ସ˚ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପ୍ରସିଦ୍ଧ ଆତ୍ମଚରିତ ‘ମୋ ଜୀବନ ସ˚ଗ୍ରାମ’ ପାଠ କରାଯାଇପାରେ। ଏହି ନିଷ୍କପଟ, ସଚ୍ଚୋଟ, ଅହମିକା-ଭ୍ରାନ୍ତିିବିହୀନ ଆତ୍ମଚରିତ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ।

ତାଙ୍କ ପୂର୍ବପୁରୁଷମାନେ ପାରଳାଖେମୁଣ୍ତିର ପ୍ରସିଦ୍ଧ ଗଙ୍ଗ ବ˚ଶୀୟ ଗଜପତି ରାଜାମାନଙ୍କର ‘ରାଜଗୁରୁ’ ଥିଲେ। ସତ୍ୟନାରାୟଣ ମହାପ୍ରଭୁଙ୍କ ଆରାଧନା କରି ପିତା-ମାତା ତାଙ୍କୁ ପାଇଥିବାରୁ ନାମ ହୋଇଥିଲା ‘ସତ୍ୟନାରାୟଣ’। ୧୯୦୩ ସେପ୍‌ଟେମ୍ବର୍‌ ୯ରେ ସେ ଜନ୍ମ ହୋଇଥିଲେ। ଆଦ୍ୟ ଶୈଶବରେ ମାତାଙ୍କୁ ହରାଇଥିଲେ। ମାତ୍ର ସାତ ଦିନର ହୋଇଥିବା ବେଳେ ମାତାଙ୍କ ପରଲୋକ ହୋଇଥିଲା। ଫଳ ସ୍ବରୂପ ଜନ୍ମ ଜନିତ ଆନନ୍ଦ-ଉତ୍ସବ ସୃଷ୍ଟି କରିଥିଲା ଏକ ନିରାନନ୍ଦ ବାତାବରଣ। ତେବେ, ଘରର ମହିଳାମାନେ ସଦ୍ୟ ମାତାଙ୍କୁ ହରାଇଥିବା ଶିଶୁର ଯତ୍ନ ନେବାରେ ଅବହେଳା କରି ନ ଥିଲେ। ତାଙ୍କର ଦାୟିତ୍ବ ନେଇଥିଲେ ଜେଜେମାଆ ଓ ବିମଳା ନାମା ବିଧବା ପିଉସୀ ନାନୀ। ଶୈଶବ ନିରାପଦରେ ଅତିବାହିତ ହୋଇଥିଲା। ପରିବାରର ଏକମାତ୍ର ସନ୍ତାନ ହୋଇଥିବାରୁ ଅତି ସ୍ନେହ-ଶ୍ରଦ୍ଧା ମଧ୍ୟରେ ଲାଳିତପାଳିତ ହୋଇଥିଲେ।

ପିଲାଦିନେ ଗୃହ-ପଣ୍ତିତଙ୍କ ମାଧ୍ୟମରେ ସ˚ସ୍କୃତ ଓ କର୍ମକାଣ୍ତ ଶିକ୍ଷା କରିଥିଲେ। ଘରୋଇ ଭାବେ ପଢ଼ା-ପଢ଼ି କରି ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ‘ଇଣ୍ତୋଲୋଜି’ରେ ଡିଗ୍ରି ଲାଭ କରିଥିଲେ ପଦ୍ମଶ୍ରୀ ରାଜଗୁରୁ। ଇତିହାସ ଗବେଷଣା ପୂର୍ବରୁ ସେ ସ˚ଗୀତ ଓ ନାଟକ ଆଦି ଲେଖିଥିଲେ। ‘ଖାରବେଳ’, ‘କଳିଙ୍ଗ ବିଜୟ’, ‘କର୍ଣ୍ଣାଟ କୁମାରୀ ଜନନୀ ଉତ୍କଳ’, ‘ମନୋରମା’, ‘ରାଧାଭିଷେକ’ ଆଦି ତାଙ୍କର ଆଦ୍ୟ କୃତି। କିଛି କାଳ ‘ଉତ୍କଳ ହିତୈଷିଣୀ’ ପତ୍ରିକାର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ୧୯୨୬ରେ ତାଙ୍କର ଅଭିଲେଖ-ଶିଳାଲେଖ ଗବେଷକ ଜୀବନ ଆରମ୍ଭ ହୋଇଥିଲା। ୧୯୫୦ରେ ଭୁବନେଶ୍ବରସ୍ଥିତ ରାଜ୍ୟ ସ˚ଗ୍ରହାଳୟରେ ପ୍ରଥମେ କ୍ୟୁରେଟର‌୍‌ ଭାବେ ଏବ˚ ପରେ ଏପିଗ୍ରାଫିଷ୍ଟ୍ ଭାବେ ଯୋଗଦେଇଥିଲେ। ୧୯୭୦ରେ ଅବସର ନେଇଥିଲେ। ‘ପଦ୍ମ ଶ୍ରୀ’ ରାଜଗୁରୁ କହୁଥିଲେ, କି˚ବଦନ୍ତି ଆଧାରରେ ଲିଖିତ ଇତିହାସ, ଗ୍ରହଣୀୟ ନୁହେଁ। ଇତିହାସ ସତ୍ୟ ଓ ତଥ୍ୟମୂଳକ ହେବା ଆବଶ୍ୟକ। ୧୯୯୭ ଜୁନ୍‌ ୧୨ରେ ଏହି ମହାନ୍‌ ଗବେଷକଙ୍କ ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar