ଏଇ ମାଟିର ବାରବାଟୀ (୨ୟ ଭାଗ)
ଉତ୍କଳର ଜୟଯାତ୍ରା ଓ ବାରବାଟୀ
ଐତିହାସିକ ବାରବାଟୀ ଦୁର୍ଗ ଉତ୍କଳର ମହାରାଜାମାନଙ୍କର ରାଜତ୍ୱ କାଳରେ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ରୂପେ ସଗର୍ବେ ଦଣ୍ଡାୟମାନ ଥିଲା । ଏହି ଦୁର୍ଗରୁ ହିଁ ମହାରାଜାମାନଙ୍କ ନେତୃତ୍ୱରେ ତତ୍କାଳୀନ ଉତ୍କଳର ବିବିଧ ଜୟଯାତ୍ରା ଗୁଡିକର ଶୁଭାରମ୍ଭ ହୋଇଥିଲା । ଯେତେବେଳେ ଦେଶର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଲାଗିରହୁଥିଲା, ସେତେବେଳେ ବୀର ଓଡ଼ିଆ ପାଇକମାନେ ଏହି ବାରବାଟୀକୁ ଦେଖି ନିଜର ଗତିପଥ ତଥା ରଣନୀତି ମାନ ପ୍ରସ୍ତୁତ କରୁଥିଲେ । ତେଣୁ ଏହି ଦୁର୍ଗର ଜୟଗାନରେ ଉତ୍କଳମଣି ଗୋପବନ୍ଧୁ ଏକଦା ବର୍ଣ୍ଣନା କରିଥିଲେ –
“ଶୁଭ୍ର ଶୈଳ ସମ ବିଶାଳ ସଉଧ ।
ଶିର ଟେକି ଦିନେ ଭେଦିଣ ବଉଦ ।।
ଗମ୍ଭୀର ଗରବେ ହୋଇଥିଲା ଠିଆ ।
ଦେଖି ଯାହା ଥରୁଥିଲା ଶତ୍ରୁ ହିଆ ।।”
[ଅବକାଶ ଚିନ୍ତା – ପୃ: ୪୬]

ଓଡ଼ିଶାରେ ଗଙ୍ଗବଂଶୀୟ ଶାସନର ମୂଳଦୁଆ ପଡେ ୧୧୩୨ ଖ୍ରୀଷ୍ଟାବ୍ଦରେ, ଯେତେବେଳେ କି ରାଜା ଚୋଡଗଙ୍ଗଦେବ କଟକର ସୋମବଂଶୀୟ ରାଜା ସୁବର୍ଣ୍ଣ କେଶରୀଙ୍କୁ ପରାସ୍ତ କରି କଳିଙ୍ଗ ନଗରରେ ଥିବା ତାଙ୍କର ରାଜଧାନୀକୁ କଟକର ସାରଙ୍ଗଗଡକୁ ଉଠାଇ ଆଣନ୍ତି । ଗଙ୍ଗବଂଶୀୟ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ମଧ୍ୟ ତାଙ୍କର ରାଜଧାନୀ ଥାଏ ଏହି ସାରଙ୍ଗଗଡ଼ । ତେବେ ସେ ଉତ୍ତର ଦିଗରୁ ଆଫଗାନ ଶତ୍ରୁଙ୍କ ଆକ୍ରମଣର ଆଶଙ୍କା କରି ତାଙ୍କର ରାଜତ୍ବର ୧୫ ଅଙ୍କରେ (ସମ୍ଭବତଃ ୧୨୦୦ ଖ୍ରୀଷ୍ଟାବ୍ଦରେ) ଅଧିକ ସୁରକ୍ଷିତ ଓ ନିରାପଦ ବାରବାଟୀ ଗ୍ରାମରେ ସୁଦୃଢ ବାରବାଟୀ ଦୁର୍ଗ ନିର୍ମାଣ କରନ୍ତି ଓ ଏହି ବାରବାଟୀରୁ ହିଁ ଉତ୍କଳର ଗୌରବମୟ ଜୟଯାତ୍ରାର ପ୍ରାରମ୍ଭ ହୁଏ ।
ତୃତୀୟ ଅନଙ୍ଗଭୀମଦେବଙ୍କ ଏହି ପରିକଳ୍ପନା ସଫଳ ହୁଏ ଯେତେବେଳେ ସେ ମହାନଦୀ ପଟରୁ ବଙ୍ଗର ଶାସକ ଗିଆସୁଦ୍ଦିନଙ୍କ ଆକ୍ରମଣକୁ ଏହି ବାରବାଟୀ ଦୁର୍ଗରୁ ସଫଳତାର ସହିତ ପ୍ରତିରୋଧ କରନ୍ତି ଏବଂ ତାଙ୍କର ସେନାଙ୍କୁ ବଙ୍ଗ ପର୍ଯ୍ୟନ୍ତ ତଡ଼ି ଦିଅନ୍ତି । ପରବର୍ତ୍ତୀ ସମୟରେ ତୃତୀୟ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ହୁଏ ଏବଂ ଏହାର ସଫଳ ରଣନୀତି ପ୍ରସ୍ତୁତ ହୁଏ ଏହି ଐତିହାସିକ ବାରବାଟୀ ଦୁର୍ଗରେ ।
ତୃତୀୟ ଅନଙ୍ଗଭୀମଦେବଙ୍କ ପରେ ଉତ୍କଳର ଶାସନ ଭାର ଯାଏ ରାଜା ୧ମ ନରସିଂହ ଦେବ ବା ଲାଙ୍ଗୁଳା ନରସିଂହ ଦେବଙ୍କ ହସ୍ତକୁ (୧୨୩୭ ରୁ ୧୨୮୨ ଖ୍ରୀଷ୍ଟାବ୍ଦ)। ସେ ମଧ୍ୟ ବାରବାଟୀ ଦୁର୍ଗର ଏହି ଜୟଯାତ୍ରାକୁ ଅବ୍ୟାହତ ରଖନ୍ତି । ଯେତେବେଳେ ଦାକ୍ଷିଣାତ୍ୟର ବାହାମଣୀ ରାଜ୍ୟର ସୁଲତାନ ହୁମାୟୁନ ଶାହାଙ୍କ ଦ୍ୱାରା ପ୍ରପୀଡ଼ିତ ହୋଇ ତେଲଙ୍ଗାର ହିନ୍ଦୁ ରାଜା ଉତ୍କଳର ମହାରାଜାଙ୍କ ଆଶ୍ରୟ ଭିକ୍ଷା କରନ୍ତି, ସେତେବେଳେ ରାଜା ନରସିଂହ ଦେବ ବାରବାଟୀ ଦୁର୍ଗରୁ ସେନା ସହିତ ଦାକ୍ଷିଣାତ୍ୟ ଯାତ୍ରା କରି ହୁମାୟୁନ ଶାହାଙ୍କ ସୈନ୍ୟଙ୍କୁ ବିଧ୍ୱସ୍ତ କରି ଉକ୍ତ ହିନ୍ଦୁ ରାଜାଙ୍କର ନିର୍ଭୟରେ ରାଜତ୍ୱ କରିବାର ମାର୍ଗ ପ୍ରଶସ୍ତ କରନ୍ତି । ପରବର୍ତ୍ତୀ ସମୟରେ ରାଜା ନରସିଂହ ଦେବ, ବାହାମଣୀର ସୁଲତାନ ହୁମାୟୁନ ଶାହାଙ୍କ ପୁତ୍ର ନିଜାମ ଶାହାଙ୍କ ବିରୁଦ୍ଧରେ ମଧ୍ୟ ସୈନ୍ୟ ପ୍ରେରଣ କରନ୍ତି ଓ ସ୍ୱୟଂ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେଇ ଦାକ୍ଷିଣାତ୍ୟର କୋଲା ରାଜ୍ୟ ପର୍ଯ୍ୟନ୍ତ ଜୟଯାତ୍ରା କରନ୍ତି । ସେ ମଧ୍ୟ ଗୌଡ଼ ରାଜ୍ୟ ଜୟ କରି ‘ଗୌଡେଶ୍ବର’ ଉପାଧିରେ ଭୂଷିତ ହୁଅନ୍ତି ।
ରାଜା ନରସିଂହ ଦେବଙ୍କ ପରେ କାଳକ୍ରମେ ଉତ୍କଳର ଶାସନ ଭାର ଯାଏ ମହାରାଜା କପିଳେନ୍ଦ୍ର ଦେବଙ୍କ ହସ୍ତକୁ । ସେ ମଧ୍ୟ ଏହି ବାରବାଟୀରୁ ତାଙ୍କର ବିଜୟ ଧ୍ବଜା ଉଡାନ୍ତି ଓ ଦାକ୍ଷିଣାତ୍ୟର ରାଜମହେନ୍ଦ୍ରୀ ତଥା କୋଣ୍ଡାପିଲୀର ମଧ୍ୟବର୍ତ୍ତୀ ଦେଶର ରାଜା ମଙ୍ଗଳ ରାୟଙ୍କୁ ବିପକ୍ଷ ଶତ୍ରୁଙ୍କ ଠାରୁ ସହାୟତା କରିବା ନିମନ୍ତେ ୧୪୭୦ ଖ୍ରୀଷ୍ଟାବ୍ଦରେ ବାରବାଟୀରୁ ସେଠାକୁ ସୈନ୍ୟଙ୍କୁ ପ୍ରେରଣ କରି ବିଜୟ ଧ୍ବଜାକୁ ସେତୁବନ୍ଧ ଯାଏ ଉଡ଼ାନ୍ତି । ସେତୁବନ୍ଧ ବିଜୟରୁ ଫେରିବା ସମୟରେ କୃଷ୍ଣା ନଦୀ କୂଳରେ ତାଙ୍କର ପ୍ରୟାଣ ଘଟେ ।
ମହାରାଜା କପିଳେନ୍ଦ୍ର ଦେବଙ୍କ ଅନ୍ତେ ଉତ୍କଳର ଶାସନ ଭାର ଯାଏ ମହାରାଜା ପୁରୁଷୋତ୍ତମ ଦେବଙ୍କ ହସ୍ତକୁ (୧୪୭୯ ରୁ ୧୫୦୪ ଖ୍ରୀଷ୍ଟାବ୍ଦ)। ତାଙ୍କର ରାଜତ୍ୱ କାଳରେ ଉତ୍କଳର ସ୍ୱାଭିମାନର ରକ୍ଷା ପାଇଁ ଐତିହାସିକ କାଞ୍ଚି ବିଜୟ ଅଭିଯାନ ଏହି ବାରବାଟୀରୁ ଆରମ୍ଭ ହୁଏ ଓ ପୁରୁଷୋତ୍ତମ ଦେବ କାଞ୍ଚି କାବେରୀ ଜୟ କରି କାଞ୍ଚି ଜେମା ପଦ୍ମାବତୀଙ୍କ ସହ ସେଠାରୁ ସାକ୍ଷୀଗୋପାଳ ଓ ଗଣେଶଙ୍କ ମୂର୍ତ୍ତି ଦ୍ବୟ ନେଇ ପ୍ରତ୍ୟାବର୍ତ୍ତନ କରନ୍ତି । କଥିତ ଅଛି ଯେ କାଞ୍ଚି ରାଜାଙ୍କୁ ଅପମାନ ଦେବାକୁ ଯାଇ ସେ କାଞ୍ଚିରୁ ଆନୀତ ଗଣେଶଙ୍କ ମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପଶ୍ଚାତ ଭାଗରେ ରଖି ସାକ୍ଷୀଗୋପାଳଙ୍କ ମୂର୍ତ୍ତିଙ୍କୁ ଐତିହାସିକ ବାରବାଟୀ ଦୁର୍ଗ ମଧ୍ୟରେ ରଖନ୍ତି (ଶ୍ରୀଚୈତନ୍ୟ ଚରିତାମୃତରେ ବର୍ଣ୍ଣିତ) ଯାହାକି ପରବର୍ତ୍ତୀ କାଳରେ ସତ୍ୟବାଦୀ ଠାରେ ସ୍ଥାପିତ ହୁଏ । ଏହି କାଞ୍ଚି ଅଭିଯାନ ସମୟରେ ପୁରୁଷୋତ୍ତମ ଦେବଙ୍କ ସେନାପତିତ୍ୱରେ ସେତୁବନ୍ଧ ଠାରେ ଏକ କଟକ ସ୍ଥାପିତ ହୁଏ ଏବଂ ଗଙ୍ଗାଠାରୁ ସେତୁବନ୍ଧ ପର୍ଯ୍ୟନ୍ତ ସମସ୍ତ ଭୂଭାଗ ଉପରେ ଉତ୍କଳର ରାଜାମାନେ କ୍ରମାନ୍ବୟରେ ରାଜତ୍ୱ କରନ୍ତି । ବାରବାଟୀ ସେତେବେଳେ ସେ ସମସ୍ତ ଭୂଖଣ୍ଡର ରାଜଧାନୀ ରୂପେ ସଗର୍ବେ ଦଣ୍ଡାୟମାନ ହୁଏ ।
ପୁରୁଷୋତ୍ତମ ଦେବଙ୍କ ଅନ୍ତେ ପ୍ରବଳ ପ୍ରତାପୀ ରାଜା ପ୍ରତାପରୁଦ୍ର ଦେବ ଉତ୍କଳର ଶାସକ ହୁଅନ୍ତି ଏବଂ ତାଙ୍କର ରାଜଧାନୀ ମଧ୍ୟ ହୁଏ ଏହି ଐତିହାସିକ ବାରବାଟୀ । ଏକଦା ପ୍ରତାପରୁଦ୍ର ଦାକ୍ଷିଣାତ୍ୟରେ ଦେଶଜୟରେ ବ୍ୟାପୃତ ଥିବା ସମୟରେ ଇସମାଇଲ ଗାଜ଼ୀ ନାମକ ବଙ୍ଗ ଦେଶର ଜନୈକ ସେନାଧ୍ୟକ୍ଷ ଏହାର ସୁଯୋଗ ନେଇ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରନ୍ତି । ସେ କଟକର ବାରବାଟୀ ଦୁର୍ଗ ଅଧିକାର କରିବା ସହିତ ପୁରୀ ପର୍ଯ୍ୟନ୍ତ ମାଡ଼ି ଯାଇ ରାଜ୍ୟ ଲୁଣ୍ଠନ କରିବାରେ ଲାଗି ପଡ଼ନ୍ତି । ମାତ୍ର ପ୍ରତାପରୁଦ୍ର ସୁଦୂର ଦାକ୍ଷିଣାତ୍ୟର କୃଷ୍ଣା ନଦୀ କୂଳରେ ଏହାର ଖବର ପାଇ ସ୍ବଦେଶ ପ୍ରତ୍ୟାଗମନ କରି, ସୈନ୍ୟ ସଂଗ୍ରହ କରିବା ପରେ ଇସମାଇଲ ଗାଜ଼ୀକୁ ଆକ୍ରମଣ କରନ୍ତେ ଗାଜ଼ୀ ପରାସ୍ତ ହୋଇ ପଳାୟନ କରନ୍ତି ।
ପ୍ରତାପରୁଦ୍ରଙ୍କ ଅନ୍ତେ ପରବର୍ତ୍ତୀ କାଳରେ ବାରବାଟୀ ଦୁର୍ଗର ପ୍ରଭୁତ ଉନ୍ନତି ସାଧିତ ହୁଏ ଉତ୍କଳର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ରାଜତ୍ୱ କାଳରେ । ମୁକୁନ୍ଦଦେବ ଏହି ଦୁର୍ଗ ମଧ୍ୟରେ ଏକ ସୁରମ୍ୟ ଓ ସୁବିଶାଳ ନବତଳ ପ୍ରାସାଦ ନିର୍ମାଣ କରି ତହିଁରେ ବାସ କରୁଥିବାର ବର୍ଣ୍ଣନା ଆବୁଲ ଫଜଲଙ୍କ ରଚିତ ‘ଆଇନ-ଇ-ଆକବରୀ’ ଗ୍ରନ୍ଥରେ ଦେଖିବାକୁ ମିଳେ । ମୁକୁନ୍ଦଦେବଙ୍କ ସମୟରେ ଦିଲ୍ଲୀ ସିଂହାସନରେ ରାଜତ୍ୱ କରୁଥିବା ଆକବର ମଧ୍ୟ ଓଡ଼ିଆଙ୍କ ବିରତ୍ବ ଓ ପରାକ୍ରମ ବଳରେ ସେମାନଙ୍କୁ ଆକ୍ରମଣ ନକରି ସେମାନଙ୍କ ସହିତ ସଖ୍ୟ ସ୍ଥାପନ କରନ୍ତି । ଏକଦା ଆକବର, ବଙ୍ଗର ନବାଵ ସୁଲେମାନଙ୍କ ଦମନାର୍ଥେ ମୁକୁନ୍ଦଦେବଙ୍କ ସାହାଯ୍ୟ ଲୋଡନ୍ତି ଓ ମୁକୁନ୍ଦଦେବ ବଙ୍ଗ ବିଜୟାର୍ଥେ ଅଭିଯାନରେ ବାହାରନ୍ତି । ମାତ୍ର ଏହି ସମୟରେ କଳାପାହାଡ଼ର ଆକ୍ରମଣ ଓ ରାମଚନ୍ଦ୍ର ଭଞ୍ଜ ନାମକ ଏକ ସାମନ୍ତ ରାଜାଙ୍କର ବିଶ୍ଵାସଘାତକତା କାରଣରୁ ଉତ୍କଳର ଅପୁରଣୀୟ କ୍ଷତି ସାଧିତ ହୁଏ । ରାମଚନ୍ଦ୍ର ଭଞ୍ଜ ମୁକୁନ୍ଦଦେବଙ୍କ ଅନୁପସ୍ଥିତିରେ ମୁକୁନ୍ଦଦେବ ଯେତେବେଳେ ବଙ୍ଗର ନବାବଙ୍କ ସହିତ ଯୁଦ୍ଧରତ, ନିଜକୁ ଓଡ଼ିଶାର ରାଜା ବୋଲି ଘୋଷଣା କରନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ମୁକୁନ୍ଦଦେବ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରି ତାଙ୍କ ସହିତ ସାରଙ୍ଗଗଡ଼ ଠାରେ ସଂଘଟିତ ଯୁଦ୍ଧରେ ନିହତ ହୁଅନ୍ତି । କଳାପାହାଡ଼, ଓଡ଼ିଶାର ଦେବାଦେବୀ ଓ ଦେବସ୍ଥଳୀ ମାନଙ୍କର ଅଶେଷ କ୍ଷତି ସାଧନ କରେ, ମାତ୍ର ମୁକୁନ୍ଦଦେବଙ୍କ ରାଣୀଙ୍କ ଠାରୁ ବହୁ ଧନରତ୍ନ ପାଇ ବାରବାଟୀ ଦୁର୍ଗର ବିଶେଷ କିଛି କ୍ଷତି କରେନାହିଁ । ଏହା ଲୋକସ୍ମୃତିରେ ଆଜି ମଧ୍ୟ ଉଜ୍ଜୀବିତ –
“ଅଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼,
ପିଇଲା ମହାନଦୀ ପାଣି;
ସୁବର୍ଣ୍ଣ ଥାଳିରେ ହୀରା ପରଶିଲେ
ମୁକୁନ୍ଦ ଦେବଙ୍କ ରାଣୀ ।”
ମୁକୁନ୍ଦଦେବଙ୍କ ଅନ୍ତେ ଓଡ଼ିଶା ମୁସଲମାନ ଶାସକଙ୍କ ଅଧିନସ୍ଥ ହୁଏ ଓ ଧୀରେ ଧୀରେ ବାରବାଟୀର ସୂର୍ଯ୍ୟ ଅସ୍ତମିତ ହେବାକୁ ଲାଗେ । କିନ୍ତୁ ଆଜି ମଧ୍ୟ ଉତ୍କଳର ଗଜପତିଙ୍କ ଉପାଧିରେ ରାଜଧାନୀ ବାରବାଟୀରୁ ସେମାନେ ଆରମ୍ଭ କରିଥିବା ଜୟଯାତ୍ରାର ସ୍ବର୍ଣ୍ଣିମ ଗାଥା ପ୍ରତିଫଳିତ ହୁଏ । ଆଜି ମଧ୍ୟ ପ୍ରତ୍ୟେକ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଚୁନରା ସେବକ ଗଜପତିଙ୍କୁ ସୁରକ୍ଷା ଦେବା ପାଇଁ ମହାପ୍ରଭୁଙ୍କୁ ନିବେଦନ କରି ଶ୍ରୀମନ୍ଦିର ଚୂଡ଼ାରେ ଡାକ ଦେଇଥାନ୍ତି –
“ବିରଶ୍ରୀ ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ଅନିକରଣେ ରାଉତରାୟ ଦୁଃସହ ଦୁଃଶାସନ ଅତୁଳବଳ ପରାକ୍ରମୀ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧିବୀରବର ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କୁ ଶଙ୍ଖେ ପୁରାଇ ଚକ୍ର ଆଢୁଆଳ କରି ରଖିବା ହେଉ ହେ ମହାପ୍ରଭୁ ! ସଂସାର ସୁଖୀ ରଖ ହେ ମଣିମା !”
ସହାୟକ ଉତ୍ସ :
୧) ନଗର କଟକ (ଉତ୍କଳ ପାଠକ ସଂସଦ)
୨) ନଗର କଟକ ଓ ପଞ୍ଚ କଟକ (ଉତ୍କଳ ପାଠକ ସଂସଦ)

Comments
So empty here ... leave a comment!