ସେ ସମୟର ଉତ୍କଳ (ସ୍କନ୍ଦ ପୁରାଣ ବର୍ଣ୍ଣିତ)
ମନ୍ଦିର ମାଳିନୀ, କୀର୍ତ୍ତି ବିମଣ୍ଡିତ, ପୂତ-ପବିତ୍ର ଏହି ଓଡ଼ିଶା ଭୂମି । ଅତି ପ୍ରାଚୀନ କାଳରୁ ଏହାର ବୈଶିଷ୍ଟ୍ୟର ବର୍ଣ୍ଣନା ବିବିଧ ଗ୍ରନ୍ଥ ପୁରାଣ ଆଦିରେ ଦେଖିବାକୁ ମିଳିଥାଏ । ଏହି ପ୍ରଦେଶ ପ୍ରାଚୀନ କାଳରେ ଓଡ୍ର, ଉତ୍କଳ ତଥା କଳିଙ୍ଗ ଆଦି ନାମରେ ବିଖ୍ୟାତ ଥିଲା । ତେବେ ପରିସୀମା ଓ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଏ ସମସ୍ତ ଦେଶ ଏକ ଥିଲା ନା ଭିନ୍ନ ଭିନ୍ନ ତାହା ନେଇ ବିଭିନ୍ନ ମତବାଦ ଦେଖିବାକୁ ମିଳିଥାଏ । ଏ ପ୍ରସଙ୍ଗରେ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବର୍ଣ୍ଣିତ ଉତ୍କଳ ଦେଶର ବର୍ଣ୍ଣନା କିଛି ମାତ୍ରାରେ ସେ ସମୟର ଉତ୍କଳ ପ୍ରଦେଶ ସମ୍ବନ୍ଧରେ ଆଲୋକପାତ କରିଥାଏ । ଆସନ୍ତୁ ଏବେ ଜାଣିବା କିପରି ଥିଲା ସେ ସମୟର ବା ପୁରାଣ ବର୍ଣ୍ଣିତ ଉତ୍କଳ ।
ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ, ଦକ୍ଷିଣ ସମୁଦ୍ର ତଟରେ ଋଷିକୂଲ୍ୟା ନଦୀର ମୁହାଣ ଠାରୁ ଆରମ୍ଭ କରି ସ୍ୱର୍ଣ୍ଣରେଖା ଓ ମହାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ ଭୂମି ଉତ୍କଳ ନାମରେ ବିଖ୍ୟାତ ଥିଲା । ଏହି ପବିତ୍ର ଓ ପରମ ପାବନ ଦେଶ ଅନେକ ଉତ୍ତମ କ୍ଷେତ୍ର, ତୀର୍ଥ ଓ ଦେବ ମନ୍ଦିରରେ ପରିପୂର୍ଣ୍ଣ ଥିଲା । ତେବେ ଏହି ଦେଶର ନାଗରିକ ମାନେ କିପରି ଥିଲେ, ଆସନ୍ତୁ ଏବେ ଜାଣିବା ।
ଏହି ଉତ୍କଳ ଦେଶରେ ବସବାସ କରୁଥିବା ନାଗରିକ ମାନେ ଆଦର୍ଶ ସଦାଚର ପାଳନରେ ବ୍ରତୀ ଥିଲେ । ଏହି ଦେଶକୁ ଅଠର ଗୋଟି ବିଦ୍ୟାର ନିଧି ରୂପେ ଗଣନା କରାଯାଏ । ଏହି ଦେଶରେ ଭଗବାନ ନାରାୟଣଙ୍କ ଆଜ୍ଞାରେ ଗୃହେ ଗୃହେ ଲକ୍ଷ୍ମୀ ବାସ କରିଥାନ୍ତି । ଏହି ଦେଶର ନିବାସୀ ଲଜ୍ଜାଶୀଳ, ବିନୟୀ, ଚିନ୍ତା ଓ ରୋଗରହିତ, ପିତୃ-ମାତୃ ସେବକ, ସତ୍ୟବାଦୀ, ଆସ୍ତିକ ତଥା ଵିଷ୍ଣୁ ଭକ୍ତ ହୋଇଥାନ୍ତି । ଏ ଦେଶର ପ୍ରତ୍ୟେକ ନାଗରିକ ପରୋପକାରୀ ହୋଇଥାନ୍ତି । ଏଠାରେ ଲୋଭୀ, ଦୁଷ୍ଟ ତଥା ଶଠ ମନୁଷ୍ୟଙ୍କ ଅଭାବ ପରିଲକ୍ଷିତ ହୁଏ । ଏହି ଦେଶର ନାଗରିକ ମାନେ ଦୀର୍ଘଜୀବୀ ହୋଇଥାନ୍ତି । ଏ ଦେଶର ସ୍ତ୍ରୀ ମାନେ ପତିବ୍ରତା, ସୁଶୀଳା, ଧର୍ମପରାୟଣା, ଲଜ୍ଜା ଓ ସଦାଚାରରେ ବିଭୂଷିତ, ରୂପବତୀ, ସର୍ଵ ଆଭୂଷଣରେ ଅଳଙ୍କୃତ ତଥା କୁଳ, ଶୀଳ ଓ ବୟ ଅନୁସାରେ ଆଚାର ବିଚାରର ପାଳନକାରୀ ହୋଇଥାନ୍ତି ।
ଏ ଦେଶର ବ୍ରାହ୍ମଣ ମାନେ ଉତ୍ତମ ଆଚାର ଓ ସ୍ୱାଧ୍ୟାୟ ସମ୍ପନ୍ନ ହେବା ସହିତ ସଦା ଯଜ୍ଞ କର୍ମରେ ସଂଲଗ୍ନ ରହିଥାନ୍ତି । ସୃଷ୍ଟିର ଆଦିରେ ଯଜ୍ଞ ଓ ବେଦ ଅଧ୍ୟୟନର ପ୍ରବୃତ୍ତି ସର୍ବଦା ଏହି ଉତ୍କଳ ଦେଶରୁ ହିଁ ଆରମ୍ଭ ହୋଇଥାଏ, ତେଣୁ ଏଠାକାର ନିବାସୀ ବ୍ରାହ୍ମଣ ବେଦ ଶାସ୍ତ୍ରର ପ୍ରବର୍ତ୍ତକ ଅଟନ୍ତି ।
ଉତ୍କଳ ଦେଶର କ୍ଷତ୍ରିୟ ମାନେ ମଧ୍ୟ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ କେବେହେଲେ ହେଳା କରନ୍ତି ନାହିଁ । ସେମାନେ ସମସ୍ତେ ପ୍ରଜାମାନଙ୍କର ରକ୍ଷା କରିବା ବ୍ରତରେ ସର୍ବଦା ଦୀକ୍ଷିତ । ସେମାନେ ଦାନ ଦେବାରେ ଉଦାରତା ପ୍ରଦର୍ଶନ କରନ୍ତି ଓ ସମସ୍ତ ଶାସ୍ତ୍ର ଜ୍ଞାନରେ ନିପୁଣ ଅଟନ୍ତି । ସେମାନେ ସର୍ବଦା ଅଧିକ ଦକ୍ଷିଣା ଆବଶ୍ୟକ କରୁଥିବା ଯଜ୍ଞାଦି ଅନୁଷ୍ଠାନ ମାନ କରିଥାନ୍ତି । ସେମାନଙ୍କର ଯଜ୍ଞବେଦୀ ଗୁଡିକ ସଦା ପ୍ରଜ୍ବଳିତ ରହିଥାଏ ଓ ସେଠାରେ ସର୍ବଦା ସୁବର୍ଣ୍ଣଭୂଷିତ ଯୂପ ଶୋଭା ପାଉଥାଏ । ସେମାନଙ୍କର ଗୃହକୁ ଆସୁଥିବା ଅତିଥିମାନଙ୍କୁ ସେମାନେ ସର୍ବଦା ସେମାନଙ୍କର କାମନା ଠାରୁ ଅଧିକ ବସ୍ତୁ ମାନ ଅର୍ପଣ କରି ସନ୍ତୁଷ୍ଟ କରିଥାନ୍ତି ।
ଉତ୍କଳ ଦେଶର ବୈଶ୍ୟ ମାନେ ମଧ୍ୟ କୃଷି, ବାଣିଜ୍ୟ ଓ ଗୋରକ୍ଷା ବୃତ୍ତିରେ ସର୍ବଦା ନିଜକୁ ନିୟୋଜିତ କରିଥାନ୍ତି । ସେମାନେ ନିଜର ଭକ୍ତି ଓ ଧନ ଦ୍ଵାରା ଦେବତା, ଗୁରୁ ଓ ବ୍ରାହ୍ମଣ ମାନଙ୍କୁ ତୃପ୍ତ କରିଥାନ୍ତି । ସେମାନଙ୍କ ମଧ୍ୟରୁ କୌଣସି ଏକ ବ୍ୟକ୍ତିଙ୍କ ଗୃହକୁ ଆସିଥିବା ଯାଚକଙ୍କୁ ଅନ୍ୟ କୌଣସି ଗୃହକୁ ଯିବାର ଆବଶ୍ୟକତା ପଡ଼େ ନାହିଁ, କାରଣ ସେହି ଏକମାତ୍ର ଗୃହରୁ ହିଁ ତାଙ୍କର ଆବଶ୍ୟକତାର ପୂର୍ତ୍ତି ହୋଇଥାଏ ।
ଉତ୍କଳ ଦେଶର ଶୁଦ୍ର ମାନେ ମଧ୍ୟ ସଙ୍ଗୀତ, କାବ୍ୟ, କଳା ଓ ଶିଳ୍ପ ଆଦିରେ କୁଶଳତା ଅର୍ଜନ କରିବା ସହିତ ପ୍ରିୟବାଦୀ ହୋଇଥାନ୍ତି । ସେମାନେ ଧାର୍ମିକ ତଥା ସ୍ନାନ-ଦାନାଦି କାର୍ଯ୍ୟରେ ସଦା ତତ୍ପର ରହିଥାନ୍ତି । ସେମାନେ ନିଜର ମନ, ବାଣୀ, କ୍ରିୟା ତଥା ଧନ ଦ୍ୱାରା ଦ୍ଵିଜଙ୍କର ସେବାରେ ତତ୍ପର ରହିଥାନ୍ତି ।
ଉତ୍କଳ ଦେଶର ବର୍ଣ୍ଣସଙ୍କର ଜାତିର ଲୋକମାନେ ମଧ୍ୟ ନିଜ ନିଜ ଧର୍ମରେ ନିୟୋଜିତ ଥାଆନ୍ତି । ଏଠାରେ ୠତୁ ଗୁଡିକ କେବେହେଲେ ବିପରୀତ ଭାବକୁ ଧାରଣ କରି ନ ଥାନ୍ତି । ଏଠାରେ ମେଘ ଅସମୟରେ ବୃଷ୍ଟି କରି ନଥାଏ । କୃଷି କ୍ଷେତ୍ରକୁ ହାନି ହୋଇ ନଥାଏ । ବାତ୍ୟା ଜନିତ କଷ୍ଟ ହୋଇ ନଥାଏ ତଥା ପ୍ରଜାମାନଙ୍କୁ କେବେହେଲେ କ୍ଷୁଧାର ତାଡନା ସହିବାକୁ ପଡି ନଥାଏ । ଏଠାରେ କେବେହେଲେ ଅକାଳ ଅଥବା ମହାମାରୀର ପ୍ରକୋପ ଦେଖିବାକୁ ମିଳି ନଥାଏ । ଏହି ରାଜ୍ୟର କେବେହେଲେ ନାଶ ହୋଇ ନଥାଏ ତଥା ପୃଥିବୀ ପୃଷ୍ଠରେ ଦେଖିବାକୁ ମିଳୁଥିବା କୌଣସି ବସ୍ତୁ ମଧ୍ୟ ଏଠାରେ ଅଲଭ୍ୟ ହୁଏନାହିଁ । ଏହି ଦେଶ ହିଁ ସମସ୍ତ ଦେଶ ମଧ୍ୟରେ ଶ୍ରେଷ୍ଠ ଉତ୍କଳ ଅଟେ ।
ଏହିପରି ଭାବରେ ସ୍କନ୍ଦ ପୁରାଣରେ ଉତ୍କଳ ଦେଶର ବୈଶିଷ୍ଟ୍ୟ ସମ୍ବନ୍ଧରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ତେବେ ଆଜିର ଓଡ଼ିଶା ଓ ସେତେବେଳର ଉତ୍କଳ ମଧ୍ୟରେ ଯଦିଓ ଅନେକ ପ୍ରଭେଦ ରହିଛି (ଯୁଗର ପ୍ରଭାବ ଅନୁଯାୟୀ ତାହା ରହିବା ସ୍ୱାଭାବିକ), ଆମେ ଯଦି ନୈତିକ, ବୌଦ୍ଧିକ, ସାମାଜିକ ଓ ରାଜନୈତିକ ସ୍ତରରେ ଆମର ଉନ୍ନତି ଦିଗରେ ସାମୁହିକ ଉଦ୍ୟମ ଆରମ୍ଭ କରିବା, ସେ ଦିନ ଦୂର ନୁହେଁ ଯେତେବେଳେ କି ଆମର ଓଡ଼ିଶା ସେତେବେଳର ଉତ୍କଳ ଦେଶ ପରି ପୁନଃ ସମସ୍ତ ପ୍ରଦେଶ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ଗୌରବମୟ ହୋଇପାରିବ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।
ବନ୍ଦେ ଉତ୍କଳ ଜନନୀ !

Comments
So empty here ... leave a comment!