ସଂଗୀତ ନିର୍ଦେଶକ ଉପେନ୍ଦ୍ର କୁମାର

‘ମାଣିକ’, ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’, ‘ସମର୍ପଣ’, ‘ପିପାସା’, ‘କୁଳଚନ୍ଦ୍ରମା’, ‘ଏ ନୁହେଁ କାହାଣୀ’, ‘ମନ ଆକାଶ’, ‘ଧରିତ୍ରୀ’, ‘ଅଲିଭା ଦାଗ’, ‘ପରିବାର’, ‘ପଳାତକ’, ‘ପୁନର୍ମିଳନ’ ଓ ‘ପତି ପତ୍ନୀ’ ଆଦି ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦେଶନା ଦେଇଥିଲେ, ଓଡ଼ିଶାରେ ଜନ୍ମିତ ଜଣେ ଅଣ-ଓଡ଼ିଆ ସଂଗୀତ ନିର୍ଦେଶକ- ଉପେନ୍ଦ୍ର କୁମାର। ୧୮ ଜୁଲାଇ ୧୯୪୧ରେ ସେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡିରେ ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଲକ୍ଷ୍ମଣ ସ୍ବାମୀ ଥିଲେ ଜଣେ ଜ୍ୟୋତିଷୀ। ଉପେନ୍ଦ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପାଠ ଛାଡ଼ିଦେଇଥିଲେ। ସଂଗୀତ ପ୍ରତି ଆକର୍ଷଣ ଥିଲା ଏହାର ମୁଖ୍ୟ କାରଣ। ମାମୁ ଆପ୍ପା ରାଓଙ୍କ ସହାୟତାରେ ତାଙ୍କର ସଂଗୀତ ଶିକ୍ଷା ଆରମ୍ଭ ହୋଇଥିଲା। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ, ପାଶ୍ଚାତ୍ୟ ଶାସ୍ତ୍ରୀୟ ବାଦ୍ୟ ଓ ଭାରତୀୟ ବାଦ୍ୟ (ମୁଖ୍ୟତଃ ବୀଣା, ବେହେଲା, ସୀତାର ଆଦି) ଯନ୍ତ୍ର ବାଦନରେ ଆବଶ୍ୟକୀୟ ତାଲିମ ନେବା ସହ ସେ ସଂଗୀତରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ।
ଉପେନ୍ଦ୍ରଙ୍କ ପେସାଦାର ଜୀବନର ମୁଖ୍ୟ ଭାଗ ଚେନ୍ନଈରେ କଟିଥିଲା। ୧୯୬୬ରେ କନ୍ନଡ଼ ଫିଲ୍ମ ଦୁନିଆର ସୁପର୍-ଷ୍ଟାର୍ ରାଜକୁମାର ଅଭିନୀତ କନ୍ନଡ଼ ଚଳଚ୍ଚିତ୍ର ‘କାଥାରୀବୀରା’ ମାଧ୍ୟମରେ ତାଙ୍କର ପେସାଦାର ସଂଗୀତଜ୍ଞ ଜୀବନ ଆରମ୍ଭ ହୋଇଥିଲା। ରାଜକୁମାରଙ୍କ ସହ ତାଙ୍କର ଅନ୍ତରଙ୍ଗ ସଂପର୍କ ଥିଲା। ସେ କନ୍ନଡ଼, ତମିଳ, ମଲୟାଲମ, ତେଲୁଗୁ ଏବଂ ଓଡ଼ିଆ ଭାଷାର ୨୧୦ଟି ଚଳଚ୍ଚିତ୍ର ପାଇଁ ସଂଗୀତ ନିର୍ଦେଶନା ଦେଇଥିଲେ। ‘କାଫୀ’ ରାଗ ତାଙ୍କର ଅତି ପ୍ରିୟ ଥିଲା। ଶ୍ରୀରାଘବେନ୍ଦ୍ର ସ୍ବାମୀ ଓ ଶ୍ରୀହନୁମାନ୍ଙ୍କୁ ସମର୍ପିତ ଗୁଡ଼ିଏ ଭକ୍ତି ସଂଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ। ସେ ମୋଟ ତିନି ଥର କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ସଂଗୀତ ପୁରସ୍କାର ପାଇଥିଲେ।
‘ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି’, ‘ଇନ୍ଦ୍ରଧନୁର ସପ୍ତ ରଙ୍ଗ’, ‘ପୀରତି ତୋର ଦୂରୁ ଜୁହାର’, ‘ସପନର ପଥେ ପଥେ’, ‘ସମୀର ସୁରେ ଗାଇ’, ‘ସ୍ୱର୍ଗାଦପୀ ଗରିୟସୀ’ ଆଦି ତାଙ୍କ ନିର୍ଦେଶନାରେ ପ୍ରସ୍ତୁତ କିଛି ପ୍ରସିଦ୍ଧ ଚଳଚ୍ଚିତ୍ର ସଂଗୀତ। ଉଲ୍ଲେଖଯୋଗ୍ୟ ଯେ, ୧୯୯୨ରେ ଉପେନ୍ଦ୍ର ‘ଜୀବନ ଚୈତ୍ର’ ନାମକ କନ୍ନଡ଼ ଫିଲ୍ମର ସଂଗୀତ ନିର୍ଦେଶନା ଦେଇଥିଲେ। ଏଥିରେ ରାଜକୁମାର ଅଭିନୟ କରିବା ସହ ଏକ ଗୀତ ଗାଇଥିଲେ। ଗାୟନ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ଫିଲ୍ମଟି ସାମାଜିକ ବାର୍ତ୍ତା ଭିତ୍ତିକ ଥିଲା। ‘ସୁରାପାନ ଶରୀର ପାଇଁ କ୍ଷତିକାରକ’ ବାର୍ତ୍ତାର ପ୍ରସାର ଥିଲା ଫିଲ୍ମର ଉଦ୍ଦେଶ୍ୟ। ଆଉ ବିଡ଼ମ୍ବନାର ବିଷୟ ଏହିକିଯେ, ଏହାର ସଂଗୀତ ନିର୍ଦେଶନା ଦେଇଥିବା ଉପେନ୍ଦ୍ର, ଅତ୍ୟଧିକ ସୁରାପାନ ଯୋଗୁଁ କାମଳ ରୋଗରେ ପୀଡ଼ିତ ହୋଇ ୨୪ ଜାନୁଆରି ୨୦୦୨ରେ ବେଙ୍ଗଲୁରୁରେ ମୃତ୍ୟୁବରଣ କରିଥିଲେ।

Comments
So empty here ... leave a comment!