ଡ଼ଃ ଶ୍ରଦ୍ଧାକର ସୂପକାର

ଶ୍ରଦ୍ଧାକର ସୂପକାର ଏକାଧାରରେ ଜଣେ ଗାନ୍ଧିବାଦୀ ରାଜନେତା, ଶିକ୍ଷାବିତ୍, ସମାଜସେବୀ, ଆଇନଜୀବୀ, ସାମ୍ବାଦିକ ଏବଂ କଥାକାର ଥିଲେ । ସେ ୧୯୧୪ ମସିହା ଏପ୍ରିଲ ୮ ତାରିଖରେ ତାଙ୍କ ପିତା ଜନାର୍ଦ୍ଧନ ସୂପକାର ଓ ମାତା ତ୍ରିବେଣୀ ଦେବୀଙ୍କ ଔରସରୁ ସମ୍ବଲପୁର ଜିଲ୍ଲାର ଝାରୁଆପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଜଣେ କୃତିଛାତ୍ର ଭାବେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଗଣିତରେ ସମ୍ମାନ ସହ ସ୍ନାତକ ଏବଂ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ହିନ୍ଦୁ ଆଇନ ଉପରେ ଗବେଷଣା କରି, ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ଏବଂ ଡ଼ଃ ସୂପକାର ନାଁରେ ସମ୍ବୋଧିତ ହେବାକୁ ଲାଗିଲେ ।
ତାଙ୍କର ଶିକ୍ଷା ସମାପ୍ତ ହେବା ପରେ ସେ ପ୍ରଥମେ ଏକ ଆଇନଜୀବି ଭାବେ ସମ୍ବଲପୁର ଠାରେ ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ । କିଛି ସମୟ ଓକିଲାତି କରିବା ପରେ ସେ ରାଜନୀତି ଆଡ଼କୁ ଢଳିଥିଲେ । ୧୯୪୯ ମସିହାରେ ତାଙ୍କର ରାଜନୈତିକ ଜୀବନର ମୂଳଦୁଆ ପଡେ ଯେତେବେଳେ କି ସେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୁଅନ୍ତି । ପରବର୍ତ୍ତୀ କାଳରେ ସେ ୧୯୫୧ ମସିହାରେ ଗଣତନ୍ତ୍ର ପରିଷଦ ତରଫରୁ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭା ଏବଂ ୧୯୫୭ ମସିହାରେ ବରଗଡ଼-ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ଏବଂ ୧୯୬୫ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପୁନଶ୍ଚ ୧୯୮୫ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ସେ ଥିଲେ କଂଗ୍ରେସ ଦଳର ବିଧାୟକ । ଏହାବ୍ୟତୀତ ସେ ମଧ୍ୟ ୧୯୫୨-୫୬ ମସିହା ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ତଥା ୧୯୮୫ ମସିହାରେ ଅସ୍ଥାୟୀ ବାଚସ୍ପତି ଭାବେ ଓଡିଶା ବିଧାନସଭାରେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଡ଼ଃ ସୂପକାରଙ୍କ ବହୁମୁଖୀ ପ୍ରତିଭାର ଅନ୍ୟ ଏକ ଦିଗ ଥିଲା ସାହିତ୍ୟ । ସେ ଛାତ୍ରାବସ୍ଥାରୁ ସାହିତ୍ୟାନୁରାଗୀ ଥିଲେ ଓ ଲେଖାଲେଖି କରୁଥିଲେ । ତାଙ୍କ ଲେଖା ସେସମୟର ଅଗ୍ରଣୀ ପତ୍ରିକା ଯଥା ଶଙ୍ଖ, ଚରୁରଙ୍ଗ, ନବଯୁଗ ଆଦିରେ ନିୟମିତ ଭାବରେ ଛପା ଯାଉଥିଲା । ତାଙ୍କର ମୁଖ୍ୟ ସାହିତ୍ୟ କୃତି ଗୁଡ଼ିକ ହେଉଛି – “ଗଳ୍ପାଞ୍ଜଳି”, “ବିଷକନ୍ୟା”, “ଜୁଆର-ଭଟ୍ଟା”, “ଗୋଟିଏ କରୁଣ ରାତି”, “କସ୍ତୁରୀ ମୃଗ”, “ସୂପ”, “ସୁରେନ୍ଦ୍ର ସାଏ”, “ଆର୍ତ୍ତବନ୍ଧୁ ଆଇଜାକ୍ ସାଆନ୍ତରା”, “ଲେନିନ୍”, “ରୁଷିଆ ଭ୍ରମଣ”, “ପ୍ରେମର ଅନେକ ରଙ୍ଗ” ଇତ୍ୟାଦି । ତାଙ୍କର “ଆମେରିକା ଅନୁଭୂତି” ଭ୍ରମଣ କାହାଣୀ ଓଡିଶା ସରକାରଙ୍କ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହୋଇଛି । ସେ ମଧ୍ୟ ତାଙ୍କର ଆତ୍ମଜୀବନୀ ରଚନା କରିଯାଇଛନ୍ତି ଯାହାର ନାମ ହେଉଛି “ମଧ୍ୟମ ପୁରୁଷ” । ଓଡ଼ିଆ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ “ଓଡ଼ିଶା ସାହିତ୍ୟ ଏକାଡେମୀ” ପୁରସ୍କାର ଦ୍ୱାରା ସମ୍ମାନିତ ।
ଜଣେ ଶିକ୍ଷାବିତ ଭାବେ ମଧ୍ୟ ଡ଼ଃ ସୂପକାର ସୁନାମ ଅର୍ଜନ କରିଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟ ଏବଂ ସିଣ୍ଡିକେଟକୁ ନିର୍ବାଚିତ ହେବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିନେଟ ଏବଂ ସିଣ୍ଡିକେଟ ସଦସ୍ୟ ତଥା ଭିସିଟିଂ ପ୍ରଫେସର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ପୁରୀର ସିନେଟ ଏବଂ ସିଣ୍ଡିକେଟ ସଦସ୍ୟ ତଥା କୁଳପତି, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିର ସଦସ୍ୟ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରିଥିଲେ ।
ଜଣେ ସ୍ୱାଧୀନ ସାମ୍ବାଦିକ ଭାବେ ମଧ୍ୟ ଡ଼ଃ ସୂପକାର ଖ୍ୟାତି ଅର୍ଜନ କରିଥିଲେ । ସେ କିଛିଦିନ ପାଇଁ ଦୈନିକ “ହୀରାଖଣ୍ଡ”ର ସମ୍ପାଦନା କାର୍ଯ୍ୟ ମଧ୍ୟ ତୁଲାଇଥିଲେ ।
ନିଜର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ବୁଡିରହିଥିଲେ ମଧ୍ୟ ଡ଼ଃ ସୂପକାର ସର୍ବଦା ସମାଜର ଦୁର୍ବଳ ତଥା ଅବହେଳିତ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଚେଷ୍ଟିତ ଥିଲେ । ସେ ଆଦିବାସୀ ଓ ହରିଜନମାନଙ୍କର ଉନ୍ନୟନ ପାଇଁ ତଥା କୁଷ୍ଠ ରୋଗର ନିରାକରଣ ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାହାସହିତ ସେ ବନ୍ୟା ପ୍ରପୀଡ଼ିତ ମାନଙ୍କର ସେବା କରିଥିଲେ ଓ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିଥିଲେ । ତାଙ୍କର ରଚିତ ପୁସ୍ତକ “ହୀରାକୁଦ ବୁଡ଼ି ଅଞ୍ଚଳ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା” ବହୁତ ଲୋକପ୍ରିୟ ହୋଇଥିଲା। ଏହି ପୁସ୍ତକର ସେ ଇଂରାଜୀ ଭାଷାରେ ଅନୁବାଦ ମଧ୍ୟ କରିଥିଲେ ଯାହାର ନାମ ଥିଲା “Whose people are Hirakud” । ଅନାଥ ଶିଶୁମାନଙ୍କର ବିକାଶ ପାଇଁ ମଧ୍ୟ ଡ଼ଃ ସୂପକାର ଅନେକ କାର୍ଯ୍ୟ କରିଥିଲେ ।
ଏହି ବହୁମୁଖୀ ପ୍ରତିଭାଙ୍କ ପରଲୋକ ଘଟେ ୧୯୯୩ ମସିହା ଜାନୁଆରୀ ୫ ତାରିଖରେ । ତେବେ ସେ, ଏ ଜାତି ପ୍ରତି ତାଙ୍କର ଅବଦାନ ଓ ତାଙ୍କର ବିଭିନ୍ନ କୃତୀ ପାଇଁ ସର୍ବଦା ଚିରନମସ୍ୟ ହୋଇ ରହିଥିବେ ।

Comments
So empty here ... leave a comment!