ଶ୍ରୀକ୍ଷେତ୍ରରେ ସାହିଯାତ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ବହୁଳ ଭାବରେ ଦେଖିବାକୁ ମିଳିଥାଏ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ‘ସାହି ଯାତ’ ପରମ୍ପରା । ଏହି ଯାତ୍ରା ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ଠାରୁ ବୈଶାଖ ମାସ କୃଷ୍ଣପକ୍ଷ ଦ୍ଵିତୀୟା ପର୍ଯ୍ୟନ୍ତ ପାଳିତ ହୁଏ ଯେଉଁଥିରେ କି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିବିଧ ଲୀଳା ପାରମ୍ପରିକ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ଏବଂ ଲୋକବାଦ୍ୟ ମାଧ୍ୟମରେ ସମ୍ପାଦିତ ହୁଏ । ଏହି ଯାତ୍ରା ରାମ ଜନ୍ମ ଠାରୁ ଆରମ୍ଭ ହୋଇ ରାମାଭିଷେକ ଉତ୍ସବରେ ସମାପ୍ତ ହୁଏ ।

ସାହିଯାତର ପ୍ରମୁଖ ଲୀଳା ଗୁଡିକ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଥାଏ, ଯଥା – ଯଜ୍ଞ ରକ୍ଷା, ଶିବ ଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟା ମୃଗ ଲୀଳା, ଲଙ୍କା ପୋଡି, ରାବଣ ବଧ, ରାମାଭିଷେକ ଇତ୍ୟାଦି । ଏହି ସମୟରେ ଜଗନ୍ନାଥ ବଲ୍ଲଭ ମଠକୁ ‘ନନ୍ଦୀ ଗ୍ରାମ’ ରୂପେ ବିବେଚନା କରାଯାଏ ।

ସାହିଯାତରେ ଯେଉଁ ସବୁ ଲୋକପ୍ରିୟ ପୌରାଣିକ ଚରିତ୍ର ଗୁଡିକ ଅଂଶଗ୍ରହଣ କରିଥାନ୍ତି ସେମାନେ ହେଲେ – ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ, ପର୍ଶୁରାମ, ରାବଣ, ମାରିଚ, ଅଙ୍ଗଦ, ସୁଗ୍ରୀବ, ଶୁର୍ପଣଖା, ଖର, ଦୂଷଣ, ତ୍ରିଶିରା, ପଞ୍ଚଶିରା, ସପ୍ତଶିରା, ନବଶିରା, ସମ୍ପାତି ଇତ୍ୟାଦି । ଏମାନେ କେତେକ ପାରମ୍ପରିକ ବଚନିକା ମାଧ୍ୟମରେ ଲୀଳା ମାନ ପରିବେଷଣ କରିଥାନ୍ତି ଯେପରିକି ପର୍ଶୁରାମ-ରାମ ବଚନିକା, ମାୟାମୃଗ ବଚନିକା, ରାମ-ଲକ୍ଷ୍ମଣ ବଚନିକା, ହନୁମାନ-ରାବଣ ବଚନିକା, ରାବଣ-ଅଙ୍ଗଦ ବଚନିକା, ରାମ-ରାବଣ ବଚନିକା ଇତ୍ୟାଦି ।

ସାହିଯାତରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହିର ଯୁବକ ମାନେ ଅଂଶଗ୍ରହଣ କରିଥାନ୍ତି ଯେପରିକି – କାଳିକାଦେବୀ ସାହି, ମାଟିମଣ୍ଡପ ସାହି, ହରଚଣ୍ଡୀ ସାହି, ମାର୍କଣ୍ଡେଶ୍ଵର ସାହି, ବାସେଳୀ ସାହି, କୁଣ୍ଢାଇବେଣ୍ଟ ସାହି, ଦୋଳମଣ୍ଡପ ସାହି, ବାଲି ସାହି, ଗୌଡ଼ବାଡ଼ ସାହି ଇତ୍ୟାଦି ।

ତେବେ ସାହିଯାତର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ନାଗା ନୃତ୍ୟ । ସାହିର ଯୁବକ ମାନେ ବିଶେଷ କରି ରାବଣ ଓ ନାଗା ବେଶରେ ସଜ୍ଜିତ ହୋଇ ନୃତ୍ୟ ପ୍ରଦର୍ଶନ କରିବାକୁ ଭଲ ପାଆନ୍ତି, କାରଣ ଏହି ବେଶ ଦୁଇଟି ବୀରତ୍ବର ପ୍ରତୀକ ଅଟେ । ଏଥିପାଇଁ ଯୁବକ ମାନଙ୍କୁ ଅତ୍ୟନ୍ତ ଓଜନିଆ ତାଟି ଧାରଣ କରିବାକୁ ପଡିଥାଏ ଯେଉଁଥିପାଇଁ କି ସେମାନେ ଶୁଦ୍ଧପୂତ ଭାବରେ ରହି ନିଷ୍ଠାର ସହିତ ଗୁରୁଙ୍କ ଠାରୁ ଏ ସମ୍ବନ୍ଧୀୟ ନୃତ୍ୟ ଶିକ୍ଷା ଲାଭ କରିଥାନ୍ତି ।

ସାହିଯାତର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ମେଢ଼ନୃତ୍ୟ ଯେଉଁଥିରେ କି ବିଭିନ୍ନ ପ୍ରକାରର ଦେବାଦେବୀଙ୍କର ମେଢ଼ ଯୁବକ ମାନେ ବନ୍ଧାଇଥାନ୍ତି । ଏଥିପାଇଁ ସେମାନେ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବା ସହିତ ସାତ୍ଵିକ ଖାଦ୍ୟ ଗ୍ରହଣ କରି ପ୍ରତିଦିନ ଜାଗାଘରେ ମହଣେ ଓଜନର ଭାର ବହନ କରି ବାଦ୍ୟର ତାଳ ଲୟରେ ନୃତ୍ୟ ଅଭ୍ୟାସ କରିଥାନ୍ତି ।

ସାହିଯାତର ଅନ୍ୟ ଏକ ଆକର୍ଷଣ ହେଉଛି ପ୍ରାଚୀନ ସମରକଳା ପ୍ରଦର୍ଶନ । ଏହାକୁ ପୁରୀ ଭାଷାରେ ‘ସନ୍ଧୁଆସି’ କୁହାଯାଏ । ଏଥିରେ ବନାଟି ଚାଳନା, ଢାଲ ସୁପାରି, ପଟ୍ଟା ଖେଳ, ବାଙ୍କ ଖେଳ ବା ଛଡ଼ି ଖେଳ ଇତ୍ୟାଦି ପ୍ରଦର୍ଶନ କରାଯାଇଥାଏ ।

ତେବେ ସାହିଯାତର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଯେ ଏଠାରେ ରାବଣ ପୋଡିର ପରମ୍ପରା ନାହିଁ । ଏଠାରେ ପ୍ରଭୁ ଶ୍ରୀରାମଙ୍କ ଭଳି ରାବଣକୁ ମଧ୍ୟ ମର୍ଯ୍ୟାଦା ଦିଆଯାଏ । ଏହି ଯାତ୍ରା ଶେଷରେ ରାବଣ ଶ୍ରୀରାମଙ୍କୁ ଉପଦେଶ ଦିଅନ୍ତି ଯେ – “ଜନକଲ୍ୟାଣ କର୍ମ ସତକର୍ମ କାଲିକୁ ରଖିବ ନାହିଁ, ଅସତକର୍ମ ଆଜି କରିବ ନାହିଁ ।”

ସାହିଯାତର ସାଙ୍ଗିତିକ ମୂଲ୍ୟବୋଧ ଅତ୍ୟନ୍ତ ଉଚ୍ଚକୋଟୀର ।ଏଥିରେ ନୃତ୍ୟ, ଗୀତ, ବାଦ୍ୟ ଓ ବୀରତ୍ବର ଯେପରି ସମ୍ମିଶ୍ରଣ ଘଟିଛି ତାହା ସମଗ୍ର ଭାରତବର୍ଷରେ ବିରଳ । ଏହି ମହାନ ଯାତ୍ରା କାଳକାଳକୁ ଏହାର ଉତ୍ତମ ବିରତ୍ବ, ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ବାର୍ତ୍ତା ପରିବେଷଣ କରିଚାଲିଥାଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଦପଦ୍ମରେ ପ୍ରାର୍ଥନା ।

ଜୟ ଜଗନ୍ନାଥ !

ସହଯୋଗୀ ପୁସ୍ତକ:
ପୁରୀର ସାହିଯାତ୍ରା (ଡକ୍ତର ସୁରେନ୍ଦ୍ର କୁମାର ମିଶ୍ର)

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar