ନିତ୍ୟାନନ୍ଦ କାନୁନ୍‌ଗୋ

ସ୍ବାଧୀନତା ସ˚ଗ୍ରାମୀ ନିତ୍ୟାନନ୍ଦ କାନୁନ୍‌ଗୋ ସ୍ବାଧୀନତା ପରବର୍ତ୍ତୀ କାଳରେ ରାଜନୀତିରେ ସକ୍ରିୟ ରହି କେନ୍ଦ୍ର ମନ୍ତ୍ରୀ ତଥା ବିହାର ଓ ଗୁଜରାତର ରାଜ୍ୟପାଳ ହୋଇପାରିଥିଲେ। ସେ ବିହାରର ରାଜ୍ୟପାଳ ଥିବା ବେଳେ ଜାପାନର ବୌଦ୍ଧ ଗୁରୁ ଫୁଜି, ଭାରତ ଭ୍ରମଣରେ ଆସି ବିହାରରେ କିଛି କାଳ ରହିଥିଲେ। ସେହି ସମୟରେ ନିତ୍ୟାନନ୍ଦଙ୍କ ସହ ତାଙ୍କର ଔପଚାରିକ ସାକ୍ଷାତ୍‌ ହୋଇଥିଲା। ଉକ୍ତ ସାକ୍ଷାତ୍‌ ଅବସରରେ ଓଡ଼ିଶାର ମହାନ୍‌ ଅତୀତ, ଧାର୍ମିକ-ସା˚ସ୍କୃତିକ-ସାମାଜିକ ପର˚ପରା, କଳିଙ୍ଗ ଯୁଦ୍ଧ, ସମ୍ରାଟ୍‌ ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ ଆଦି ବିଷୟରେ ସେ, ଫୁଜିଙ୍କୁ ସମ୍ୟକ୍‌ ଧାରଣା ଦେଇଥିଲେ। ତାଙ୍କ ଅନୁରୋଧରେ ଫୁଜି, ତାଙ୍କ ସହ ଓଡ଼ିଶା ଆସି, ଧଉଳି ପାହାଡ଼ ପରିଦର୍ଶନ କରିଥିଲେ। ସେତେ ବେଳେ ଧଉଳି ଥିଲା ଏକ ଅଗମ୍ୟ ସ୍ଥାନ। ଫୁଜିଙ୍କ ସହାୟତାରେ ଏଠାରେ ‘ଶାନ୍ତି ସ୍ତୂପ’ ସ୍ଥାପିତ ହେବା ପରେ, ଏହାର ମହତ୍ତ୍ବ ବଢ଼ିଥିଲା।

ନିତ୍ୟାନନ୍ଦ ୧୯୦୦ ମେ ୪ରେ କଟକରେ ଜନ୍ମ ହୋଇଥିଲେ। ତାଙ୍କ ଛାତ୍ର ଜୀବନର ବହୁଳା˚ଶ କଟକରେ କଟିଥିଲା। ରାଭେନ୍‌ସା ମହାବିଦ୍ୟାଳୟରୁ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ସେ କଲକାତାରେ ଆଇନ ପଢ଼ିଥିଲେ। କଟକ ଫେରିବା ପରେ ନେତାଜୀ ସୁଭାଷ ବୋଷଙ୍କ ପିତା ଜାନକୀନାଥ ବୋଷଙ୍କ ଅଧୀନରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ତେବେ, ସ୍ବାଧୀନତା ସ˚ଗ୍ରାମରେ ଭାଗନେଇ ଉକ୍ତ ବ୍ୟବସାୟ ଛାଡ଼ିଥିଲେ। ପ୍ରାକ୍‌-ସ୍ବାଧୀନତା କାଳରେ ହିଁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା।

ସେ ‘ଭାରତୀୟ ଜାତୀୟ କଂଗ୍ରେସ୍‌’ର ସଦସ୍ୟ ଥିଲେ। ୧୯୩୭-୩୯ ବିଶ୍ବନାଥ ଦାସଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିମଣ୍ଡଳରେ ରାଜସ୍ବ ଓ ପୂର୍ତ୍ତ ମନ୍ତ୍ରୀ ଥିଲେ। ଦ୍ବିତୀୟ ଥର ପାଇଁ ୧୯୪୬-୫୨ ଗୃହ, ଆଇନ, ଶିଳ୍ପ ଓ କୃଷି ମନ୍ତ୍ରୀ ଥିଲେ। ୧୯୫୨ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ କେନ୍ଦ୍ରରେ ବାଣିଜ୍ୟ ଓ ଶିଳ୍ପ ବିଭାଗୀୟ ଉପ-ମନ୍ତ୍ରୀ ହୋଇଥିଲେ। ସେ କେନ୍ଦ୍ରରେ ଶିଳ୍ପ ମନ୍ତ୍ରୀ ଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ନିର୍ମିତ ହୋଇଥିଲା।

୧୯୫୭ରେ ଦ୍ବିତୀୟ ଥର ଲୋକସଭାକୁ ନିର୍ବାଚିତ ହେବା ସହ ବାଣିଜ୍ୟ ମନ୍ତ୍ରୀ ହୋଇଥିଲେ। ୧୯୬୨ରେ କଟକ ଲୋକସଭା ଆସନରୁ ବିଜୟୀ ହୋଇ ତୃତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ନିଜର ଲମ୍ବା ମନ୍ତ୍ରିତ୍ବ କାଳରେ ସେ ମୁଖ୍ୟତଃ ଶିଳ୍ପ ଓ ବାଣିଜ୍ୟ ବିଭାଗର ଦାୟିତ୍ବ ତୁଲାଇଥିଲେ। ଥରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଥିଲେ। ଶେଷରେ ୧୯୬୫-୬୭ ଗୁଜରାତର ଏବଂ ୧୯୬୭-୭୧ ବିହାରର ରାଜ୍ୟପାଳ ଦାୟିତ୍ବ ତୁଲାଇଥିଲେ। ୨ ଅଗଷ୍ଟ୍‌ ୧୯୮୮ରେ ତାଙ୍କର ପରଲୋକ ହୋଇଥିଲା।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar