ନବକଳେବରରେ ପାଳିତ ନ୍ୟାସଦାରୁଙ୍କର ଗୋପନୀୟ ରଥଯାତ୍ରା
ପୂଣ୍ୟଭୂମି, ଦେବଭୂମି ଉତ୍କଳ ପ୍ରଦେଶରେ ପାଳିତ ହେଉଥିବା ବିବିଧ ରଥଯାତ୍ରା ଗୁଡିକ ମଧ୍ୟରେ ସବୁଠାରୁ ରହସ୍ୟମୟ ତଥା ଗୋପନୀୟ ରଥଯାତ୍ରା ହେଉଛି ନବକଳେବର ସମୟରେ ଶ୍ରୀମନ୍ଦିରର ଭିତର ବେଢ଼ାରେ ଅନୁଷ୍ଠିତ ହେଉଥିବା ନ୍ୟାସଦାରୁଙ୍କର ରଥଯାତ୍ରା । ଏହି ରଥଯାତ୍ରା ବିଧି ମହାପ୍ରଭୁଙ୍କର ନବକଳେବର ସମୟରେ ପାଳିତ ହେଉଥିବା ନୀତି ଗୁଡିକର ଏକ ଅଂଶ, ଯେଉଁଥିରେକି ମହାପ୍ରଭୁଙ୍କର କିଛି ନିର୍ଦ୍ଦିଷ୍ଟ ସେବକଗଣ ହିଁ ଅଂଶଗ୍ରହଣ କରିଥାନ୍ତି ଏବଂ ସାଧାରଣ ଜନତାଙ୍କ ଅଗୋଚରରେ ଏହି ନୀତି ଅତି ଗୋପନୀୟ ଭାବରେ ଅନୁଷ୍ଠିତ ହୋଇଥାଏ । ଏହି ନ୍ୟାସଦାରୁଙ୍କର ମନୋନୟନ, ପ୍ରତିଷ୍ଠା ଓ ରଥ ପରିକ୍ରମା ଆଦି ଅତି ଗୋପନୀୟ ଭାବରେ ସମ୍ପାଦିତ ହୋଇଥାଏ ତଥା ଏହି ଦାରୁ ନବକଳେବରରେ ସମ୍ପାଦିତ ହେଉଥିବା ବିଧିଗୁଡ଼ିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚିତ ହେବ । ଏହି ନ୍ୟାସଦାରୁଙ୍କର ରଥଯାତ୍ରା ହେଉଛି ଏକମାତ୍ର ରଥଯାତ୍ରା ଯାହାକି ରାତ୍ରୀର ବିଳମ୍ବିତ ପ୍ରହରରେ ଅନୁଷ୍ଠିତ ହେବାର ବିଧି ରହିଛି ।
ଏହି ନ୍ୟାସଦାରୁଙ୍କର ରଥ ନିର୍ମାଣର ଶୁଭାରମ୍ଭ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ହୋଇଥାଏ ଏବଂ ଏହି ରଥ ନିର୍ମାଣ ନିମିତ୍ତ ପ୍ରାୟ ୧୫ ଦିନ ସମୟ ଲାଗିଥାଏ । ଏହି କାର୍ଯ୍ୟରେ ଦୁଇଜଣ ଅଭିଜ୍ଞ ମହାରଣା ସେବକ ତଥା ତାଙ୍କର ଦୁଇଜଣ ସହାୟକ ମହାରଣା ସେବକ ନିୟୋଜିତ ହୋଇଥାନ୍ତି । ଏହି ନ୍ୟାସଦାରୁଙ୍କର ରଥର ଉଚ୍ଚତା ପ୍ରାୟ ୧୦ ଫୁଟ ହୋଇଥାଏ ତଥା ଏଥିରେ ଚାରିଗୋଟି ଚକ ସଂଯୁକ୍ତ ହୋଇଥାଏ । ରଥର ଚକା ଗୁଡିକ ଫାଶୀ କାଠରେ ନିର୍ମିତ ହେଉଥିବା ସମୟରେ ରଥର ଅନ୍ୟାନ୍ୟ ଅଂଶ ଗୁଡିକ ଅସନ, ଧଉରା ଆଦି କାଠରେ ନିର୍ମିତ ହୋଇଥାଏ । ଏହି ରଥର ନିର୍ମାଣରେ ଶାସ୍ତ୍ରୀୟ ପରମ୍ପରାକୁ ଅନୁସରଣ କରାଯାଇ ଚାରିଗୋଟି ନାହାକା ଉପରେ ରଥ ନିର୍ମିତ ହେବା ସହିତ ରଥରେ କଳସ, ଧ୍ୱଜ, ଓଲଟ ଶୁଆ ଏବଂ ଚାରିଗୋଟି ଅଶ୍ୱ ଆଦି ମଧ୍ୟ ସଂଯୋଜିତ ହୋଇଥାଏ । ଏତଦ୍ବ୍ୟତୀତ ଏହି ରଥରେ ରଥ ମଣ୍ଡଣୀ କନା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସଦୃଶ ହେବା ସହିତ ଏଥିରେ ଚାରୋଟି ଲେଖାଏଁ ପତଳ ଘଣ୍ଟି ଓ ଚାମର ସଂଯୁକ୍ତ ହୋଇଥାଏ । ଏହି ନ୍ୟାସଦାରୁଙ୍କର ରଥ ନିର୍ମାଣର ପରିସମାପ୍ତି ପରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ବା ଦେବଜାନ ମାର୍ଗ ଦେଇ ନ୍ୟାସଦାରୁଙ୍କର ରଥଟିକୁ ନେଇ ଭିତର ଗୁମୁଟ ପାଖରେ ଥିବା ପାତାଳେଶ୍ୱରଙ୍କ ମନ୍ଦିର ନିକଟରେ ରଖାଯାଇଥାଏ ।
ଏହା ପୂର୍ବରୁ ଏହି ରଥରେ ବିଜେ ହେବାକୁ ଥିବା ନ୍ୟାସଦାରୁ ପ୍ରସ୍ତୁତ ହୋଇ ରହିଥାନ୍ତି । ନବକଳେବର ଯାତ୍ରା ନିମିତ୍ତ ମନୋନୀତ ବିଶ୍ୱାବସୁ ଓ ବିଦ୍ୟାପତି ସେବକ ଏହି ନ୍ୟାସଦାରୁଙ୍କୁ ସ୍ନାନ କରାଇ କୋଇଲି ବୈକୁଣ୍ଠ ଅନ୍ତଃବର୍ତ୍ତୀ ନ୍ୟାସଦାରୁ ମଣ୍ଡପରେ ଏକ ଖଟ ଉପରେ ବିଜେ କରାଇଥାନ୍ତି । ପ୍ରାୟ ନବଦିନ ବ୍ୟାପୀ ବିବିଧ ବିଧିବିଧାନ ମଧ୍ୟରେ ଏହି ନ୍ୟାସଦାରୁଙ୍କର ସ୍ନାନ, ଅଭିଷେକ, ପ୍ରତିଷ୍ଠା, ନ୍ୟାସ ଆଦି କର୍ମ ସମାପିତ ହୋଇଥାଏ । ପ୍ରତିଷ୍ଠା ବିଧିର ନିୟମାନୁସାରେ ଦେବତାଙ୍କର ପ୍ରତିଷ୍ଠା ପରେ ତାଙ୍କର ନଗର ଭ୍ରମଣ ବିଧେୟ । ତେଣୁ ଏହି କାରଣରୁ ନ୍ୟାସଦାରୁଙ୍କର ରଥଯାତ୍ରା କରାଯାଇଥାଏ ।
ନ୍ୟାସଦାରୁଙ୍କର ପ୍ରତିଷ୍ଠା ପରେ ମଳ ମାସ ଯୁକ୍ତ ଆଷାଢ଼ କୃଷ୍ଣପକ୍ଷ ଦଶମୀ ତିଥି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିର ଶୋଧ କରାଯାଇ ବିଦ୍ୟୁତ ଆଲୋକ ନିର୍ବାପିତ କରିଦିଆଯାଏ । ଏହାପରେ ବିଶ୍ୱାବସୁ ଓ ବିଦ୍ୟାପତି ସେବକ ମଶାଲ (ଦିହୁଡ଼ି) ଆଲୋକରେ ରଥର ସିଂହାସନରେ ରଖାଯାଇଥିବା ଶେଯ ଓ ପୃଷ୍ଠ ଭାଗରେ ସଂଲଗ୍ନ ଏକ ମାଣ୍ଡିରେ ଏହି ନ୍ୟାସଦାରୁଙ୍କୁ ନେଇ ରୁନ୍ଧିଥାନ୍ତି । ଏହାପରେ କେବଳ ଦଇତାପତି ଓ ପତିମହାପାତ୍ର ସେବକ ଏହି ରଥାରୂଢ ନ୍ୟାସଦାରୁଙ୍କର ରଥକୁ ଚାମର, ଆଲଟ, ତ୍ରାସ ଆଦି ସହ ଘଣ୍ଟ ବଜାଇ, ରଥରେ ସ୍ୱତନ୍ତ୍ର ଭାବେ ୨୨ ହାତ ଲମ୍ବ ବିଶିଷ୍ଟ ଦୁଇଗୋଟି ବାସୁଙ୍ଗା ପାଟରେ ନିର୍ମିତ ଦଉଡ଼ିକୁ ସଂଯୋଗ କରି ଏହି ରଥକୁ ଭିତର ବେଢ଼ାରେ (କୂର୍ମ ବେଢ଼ା) ସାତ ଥର ପ୍ରଦକ୍ଷିଣ କରାଇଥାନ୍ତି ।
ଏହି ରଥର ପରିକ୍ରମା ସମୟରେ ଯାତ୍ରା ସହିତ ସମ୍ପୃକ୍ତ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ସେଠାରେ ଉପସ୍ଥିତ ରହିବା ନିମିତ୍ତ ଅନୁମତି ଦିଆଯାଇ ନଥାଏ । ଅତି ଗୋପନରେ ଅନୁଷ୍ଠିତ ଏହି ନ୍ୟାସଦାରୁଙ୍କର ରଥଯାତ୍ରାର ପରିସମାପ୍ତି ପରେ ନ୍ୟାସଦାରୁଙ୍କୁ ବିଦ୍ୟାପତି ସେବକ ବିଶ୍ୱାବସୁଙ୍କୁ ପ୍ରଦାନ କରନ୍ତି ଓ ବିଶ୍ୱାବସୁ ପରିଶେଷରେ ଏହି ପ୍ରତିଷ୍ଠିତ ନ୍ୟାସଦାରୁଙ୍କୁ ନେଇ ନିର୍ମାଣ ମଣ୍ଡପରେ ଥିବା ବିଶ୍ଵକର୍ମା ସେବକଙ୍କୁ ହସ୍ତାନ୍ତର କରିଥାନ୍ତି । ତତ୍ପରେ ଏହି ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ଓ ମାଧବଙ୍କ ନିମିତ୍ତ ପାଞ୍ଚ ଗୋଟି ବ୍ରହ୍ମ କବାଟି (ପେଟିକା) ପ୍ରସ୍ତୁତ ହୋଇଥାଏ ଯାହାକି ଘଟ ପରିବର୍ତ୍ତନ ସମୟରେ ମୁଖ୍ୟ ଦୃଶ୍ୟପଟକୁ ଆସିଥାଏ ।
ଦିବସରେ ହେଉ ଅଥବା ରାତ୍ରରେ, ଗୋପନରେ ହେଉ ଅଥବା ଭକ୍ତଜନଙ୍କର ଉପସ୍ଥିତିରେ, ରଥଯାତ୍ରା ବିଧି ଜଗତର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଉତ୍କଳର ପୁଣ୍ୟଭୂମିରେ ଅତି ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଥିବା ବିବିଧ ରଥଯାତ୍ରା ଗୁଡିକ ଏହିପରି ଭାବରେ ଭକ୍ତଜନଙ୍କର ତଥା ସମଗ୍ର ଜଗତର ମଙ୍ଗଳ ସାଧନ କରୁଥାଉ, ଏତିକି ସେହି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
ସଂସାର ସୁଖୀ ହେଉ! ଜଗତର କଲ୍ୟାଣ ହେଉ! ଜୟ ଜଗନ୍ନାଥ!
ସହାୟକ ଉତ୍ସ:
୧) ଶ୍ରୀଜଗନ୍ନାଥ ଜ୍ଞାନକୋଷ (ଡଃ ଭାସ୍କର ମିଶ୍ର)
୨) ଶ୍ରୀକ୍ଷେତ୍ର : ଶ୍ରୀଜଗନ୍ନାଥ (ଦ୍ଵିତୀୟ ସ୍ତବକ, ଶ୍ରୀ ପଙ୍କଜ ସାହୁ)
୩) ଶ୍ରୀମନ୍ଦିର (ରଥଯାତ୍ରା ବିଶେଷାଙ୍କ, ୨୦୧୪, ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ଡଃ ନରେଶ ଚନ୍ଦ୍ର ଦାଶ)

Comments
So empty here ... leave a comment!