ଶ୍ରୀମନ୍ଦିରସ୍ଥ ଈଶାନେଶ୍ବର ଦେବଙ୍କର ରଥଯାତ୍ରା ବା ଶୈବ ଗୁଣ୍ଡିଚା
ଶ୍ରୀକ୍ଷେତ୍ରର ଲୋକପ୍ରିୟ ଚତୁର୍ବିଧ ଗୁଣ୍ଡିଚା ଯାତ୍ରା ମଧ୍ୟରେ ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ଐଶାନ୍ୟ କୋଣରେ ଅବସ୍ଥିତ ଐଶାନେଶ୍ବର ବା ଈଶାନେଶ୍ବର ମହାଦେବଙ୍କର ରଥଯାତ୍ରା ଅନ୍ୟତମ ଯାହାକି ଶୈବ ଗୁଣ୍ଡିଚା ନାମରେ ଖ୍ୟାତ । ଅନ୍ୟ ତିନୋଟି ଗୁଣ୍ଡିଚା ଯାତ୍ରା ଗୁଡିକ ହେଲା – ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା, ମା ବିମଳାଙ୍କ ରଥଯାତ୍ରା ବା ଶାକ୍ତ ଗୁଣ୍ଡିଚା (ଦେବୀ ଗୁଣ୍ଡିଚା) ଓ ସୂର୍ଯ୍ୟଦେବଙ୍କ ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା ।
ଜନଶ୍ରୁତି ଅନୁସାରେ ଈଶାନେଶ୍ବର ମହାଦେବ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ଗୁରୁ । ଏହାଙ୍କର ରଥଯାତ୍ରା ଉତ୍ସବ ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ ଯେଉଁଦିନ କି ଏକାମ୍ର କ୍ଷେତ୍ର ବା ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପାଳିତ ହୋଇଥାଏ । ଏହି ରଥଯାତ୍ରା ଉତ୍ସବରେ ଈଶାନେଶ୍ବର ମହାଦେବଙ୍କର ପ୍ରତିନିଧି ଭାବେ ଶ୍ରୀମନ୍ଦିରର ଭଣ୍ଡାର ଘରର ରକ୍ଷକ ଶ୍ରୀଲୋକନାଥ ମହାପ୍ରଭୁ ଅଂଶଗ୍ରହଣ କରିଥାନ୍ତି ଓ ଶ୍ରୀଜଗନ୍ନାଥଙ୍କ ସେବା ନିଯୋଗ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ଉଦ୍ୟମ ଦ୍ୱାରା ଏହି ଯାତ୍ରା ପରିଚାଳିତ ହୋଇଥାଏ ।
ଉକ୍ତ ଶୁଭ ତିଥିରେ ପୂର୍ବାହ୍ନରେ ଶ୍ରୀମନ୍ଦିରର ଭଣ୍ଡାର ଘରୁ ଶ୍ରୀଲୋକନାଥଙ୍କ ଉତ୍ସବ ମୂର୍ତ୍ତିଙ୍କୁ ମହାଜନ ସେବକମାନେ ହସ୍ତ ଦ୍ୱାରା ଜଗମୋହନ ବାଟ ଦେଇ ଝୁଲଣ ମଣ୍ଡପ ତଳେ ରଖାଯାଇଥିବା ପାଲିଙ୍କିରେ ବିଜେ କରାନ୍ତି । ତତ୍ପଶ୍ଚାତ ଉକ୍ତ ପାଲିଙ୍କିକୁ ଘଣ୍ଟ, ଛତା, କାହାଳି ଆଦି ସହିତ ବିମାନବଡୁ ସେବକମାନେ କାନ୍ଧରେ ବହନକରି ଉତ୍ତର ଦ୍ୱାର ଭିତର ବେଢ଼ାରେ ଥିବା ଈଶାନେଶ୍ବର ମନ୍ଦିର ନିକଟକୁ ଯାଇଥାନ୍ତି । ସେଠାରେ ପୂର୍ବରୁ ପାଳିଆ ଖୁଣ୍ଟିଆ ଖଣ୍ଡେ ଅମୁଣିଆ ମାଳ ହାତରେ ଧରି ଉପସ୍ଥିତ ଥାଆନ୍ତି ଓ ତାଙ୍କ ସହିତ ଗରାବଡୁ ସେବକ ମଧ୍ୟ ସେଠାରେ ଉପସ୍ଥିତ ରହିଥାନ୍ତି । ତତ୍ପଶ୍ଚାତ ପାଲିଙ୍କିରୁ ମହାଜନ ସେବକମାନେ ଶ୍ରୀଲୋକନାଥଙ୍କୁ ଈଶାନେଶ୍ବରଙ୍କ ମନ୍ଦିର ଭିତରେ ବିଜେ କରାନ୍ତି ଓ ଭିତରଚ୍ଛ ମହାପାତ୍ର ଖୁଣ୍ଟିଆଙ୍କ ଠାରୁ ଉକ୍ତ ମାଳ ନେଇ ଈଶାନେଶ୍ବରଙ୍କୁ ଲାଗି କରି ଶ୍ରୀଲୋକନାଥଙ୍କୁ ତାହା ପ୍ରଦାନ କରିଥାନ୍ତି । ଏହି ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀଈଶାନେଶ୍ବରଙ୍କ ରଥଯାତ୍ରା ବା ଶୈବ ଗୁଣ୍ଡିଚା ଯାତ୍ରାର ପ୍ରାରମ୍ଭ ହୋଇଥାଏ ।
ଆଜ୍ଞାମାଳ ପ୍ରାପ୍ତ ଶ୍ରୀଲୋକନାଥ ପାଲିଙ୍କିରେ ଉପବେଶନପୂର୍ବକ ସିଂହଦ୍ଵାର ବାଟଦେଇ ମେଘନାଦ ପ୍ରାଚୀର ବାହାରକୁ ଆସି ବଡଦାଣ୍ଡ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ଆଗରୁ ଏହି ଯାତ୍ରା ନିମିତ୍ତ ରଥ ବ୍ୟବହୃତ ହେଉଥିଲା, ମାତ୍ର ଏବେ ସେହି କାର୍ଯ୍ୟ ପାଲିଙ୍କି ଦ୍ୱାରା ସମ୍ପାଦିତ ହେଉଅଛି । ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବିଜେ କରିଥିବା ଶ୍ରୀଲୋକନାଥଙ୍କର ମହାସ୍ନାନ, ବେଶ ଆଦି ନୀତିର ସମାପ୍ତି ପରେ ଭୋଗ, ବନ୍ଦାପନା, ଆଳତି ଏବଂ ଅଶୋକ କଢ଼ି ମଣୋହି ପ୍ରଭୃତି ନୀତି ହୋଇଥାଏ । ଏହି ନୀତି ଗୁଡିକର ସମାପନ ପଶ୍ଚାତ ଶ୍ରୀଲୋକନାଥ ବାହୁଡା ଯାତ୍ରାରେ ପୁନଃ ଶ୍ରୀମନ୍ଦିରସ୍ଥ ଭଣ୍ଡାର ଘରକୁ ବିଜେ କରିଥାନ୍ତି ।
ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ଏହି ଶୈବ ଗୁଣ୍ଡିଚା ଯାତ୍ରା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା କିମ୍ବା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଭଳି ଏତେ ପ୍ରସିଦ୍ଧ ନହେଲେ ମଧ୍ୟ ଇତିହାସ ଓ ପରମ୍ପରା ଦୃଷ୍ଟିରୁ ଏହାର ବିଶେଷ ମହତ୍ତ୍ୱ ରହିଅଛି । ଅତି ପ୍ରାଚୀନ କାଳରୁ ପାଳିତ ହୋଇଆସୁଥିବା ଏହି ନିଆରା ରଥଯାତ୍ରା ପରମ୍ପରାକୁ ବଜାୟ ରଖିଆସିଥିବା କାରଣ ଯୋଗୁଁ ଉଭୟ ସେବକ ସମ୍ପ୍ରଦାୟ ଓ ଶ୍ରୀଜଗନ୍ନାଥ ପ୍ରଶାସନ ଧନ୍ୟବାଦର ପାତ୍ର ।
ଜୟ ଶ୍ରୀ ଈଶାନେଶ୍ବର ମହାଦେବ ! ଜୟ ଜଗନ୍ନାଥ !

Comments
So empty here ... leave a comment!