ଶ୍ରୀମନ୍ଦିରସ୍ଥ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ଚୈତ୍ର ଗୁଣ୍ଡିଚା

ଅର୍କକ୍ଷେତ୍ର କୋଣାର୍କରେ ଅନୁଷ୍ଠିତ ହେଉଥିବା ସୂର୍ଯ୍ୟଦେବଙ୍କର ରଥଯାତ୍ରା ଉତ୍ସବ ପରି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ସୂର୍ଯ୍ୟଦେବଙ୍କର ରଥଯାତ୍ରା ଉତ୍ସବ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧିରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ରଥଯାତ୍ରାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ଅଣାଯାଇଥିବା ସୂର୍ଯ୍ୟଦେବଙ୍କର ଧାତବ ଉତ୍ସବ ପ୍ରତିମାଦ୍ବୟ – ‘ଉତ୍ତରାୟଣ’ ଓ ‘ଦକ୍ଷିଣାୟଣ’ ସୂର୍ଯ୍ୟ ଅଂଶଗ୍ରହଣ କରିଥାନ୍ତି । ତେବେ କୋଣାର୍କରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ଉତ୍ସବଟି ପୌଷମାସ ଶୁକ୍ଳପକ୍ଷ ଦଶମୀ ତିଥି ବା ଶାମ୍ବ ଦଶମୀ ତିଥିରେ ଅନୁଷ୍ଠିତ ହେଉଥିବା ସମୟରେ ଶ୍ରୀକ୍ଷେତ୍ରରେ ଏହି ରଥଯାତ୍ରା ଉତ୍ସବଟି ଚୈତ୍ରମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ । ସେଥିପାଇଁ ଏହି ରଥଯାତ୍ରା ଉତ୍ସବଟିକୁ ଜନମାନସରେ ‘ଚୈତ୍ର ଗୁଣ୍ଡିଚା’ ବୋଲି କୁହାଯାଇଥାଏ ।

ପ୍ରୋକ୍ତ ପୁଣ୍ୟ ତିଥିଟିରେ ‘ବଡୁ ମହାପାତ୍ର’ ସେବକ ପ୍ରତ୍ୟୁଷରୁ ରାଜନବରକୁ ତାଟ ନେଇ ଯାଇଥାନ୍ତି । ମଧ୍ୟାହ୍ନରେ ଖଇ କୋରା ଭୋଗ ବଢ଼ିବା ପରେ ସୂର୍ଯ୍ୟଦେବ ବିରଞ୍ଚିନାରାୟଣଙ୍କର ମଣି ବିଗ୍ରହଙ୍କ ଠାରୁ ଆଜ୍ଞାମାଳ ପାଇ, ତାଙ୍କର ଉତ୍ସବ/ଚଳନ୍ତି ପ୍ରତିମାଦ୍ବୟ ସୂର୍ଯ୍ୟଦେବଙ୍କର ନାଟମନ୍ଦିରର ଦକ୍ଷିଣଦ୍ୱାର ଦେଇ ବାହାରକୁ ଆସି ଦ୍ୱାଦଶ ଚକ୍ର ବିଶିଷ୍ଟ ଏକ ସ୍ୱତନ୍ତ୍ର ରଥ ଉପରେ ବିଜେ କରନ୍ତି । ଏହି ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ବାଡ଼ର ଶ୍ଵେତ ଛତ୍ର, ଶ୍ଵେତ ଚାମର, ଶୁକ୍ଳ ପାତ୍ର, ରୂପା ଝରି, ଘଣ୍ଟି, ଶଙ୍ଖ ବଇଠି, ମହାସ୍ନାନ ଦର୍ପଣ ଓ ସ୍ୱର୍ଣ୍ଣ ଆଲଟ ଚାମର ଆଦି ବ୍ୟବହୃତ ହୋଇଥାଏ ।

ଏହି ରଥଯାତ୍ରାରେ ସୂର୍ଯ୍ୟଦେବଙ୍କର ରଥ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥାଏ ଯେଉଁଥିରେ କି ରଥକୁ ପ୍ରଥମେ ସୂର୍ଯ୍ୟମନ୍ଦିରର ଦକ୍ଷିଣଦ୍ୱାରରୁ ପୂର୍ବାଭିମୁଖୀ କରି ଟାଣି ଟାଣି ଶ୍ରୀଜଗନ୍ନାଥଙ୍କ ସାତପାହାଚ ନିକଟସ୍ଥ କୀର୍ତ୍ତନ ଚକଡ଼ା ପର୍ଯ୍ୟନ୍ତ ନେବାପରେ ସେଠାରୁ ରଥକୁ ପ୍ରତ୍ୟାବର୍ତ୍ତନ କରାଯାଇ ପୁନଃ ସୂର୍ଯ୍ୟଦେବଙ୍କର ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥାଏ । ତତ୍ପଶ୍ଚାତ ଉତ୍ସବ ପ୍ରତିମାଦ୍ୱୟଙ୍କୁ ପୂର୍ବଦ୍ୱାର ଦେଇ ହାତରେ ବିଜେ କରାଇ ସିଂହାସନରେ ଅବସ୍ଥାପିତ କରାଯାଏ । ଏହାପରେ ପଞ୍ଚାମୃତ ମହାସ୍ନାନ, ଚନ୍ଦନ ଲାଗି, ବେଶ, ଭୋଗ ଲାଗି, ବିଡ଼ିଆ ସମର୍ପଣ, ବନ୍ଦାପନା ଓ କର୍ପୂର ଆଳତି ଆଦି ନୀତିମାନ ଅନୁଷ୍ଠିତ ହୋଇଥାଏ । ଶେଷରେ ରାଜନୀତି ସରିଲେ ଉତ୍ସବ ପ୍ରତିମାଦ୍ବୟ ବାହୁଡା ଯାତ୍ରା ପାଇଁ ପୁନଶ୍ଚ ବିରଞ୍ଚିନାରାୟଣଙ୍କର ମଣି ବିଗ୍ରହଙ୍କ ଠାରୁ ଆଜ୍ଞାମାଳ ପାଇ ରାତ୍ରିର ଦ୍ଵିତୀୟ ପ୍ରହରରେ ପୂର୍ବଦ୍ୱାର ଦେଇ ବିଜେ ହୋଇ ରଥରେ ଆରୋହଣ କରି ପଶ୍ଚିମାଭିମୁଖୀ ହୋଇ ମହାଲକ୍ଷ୍ମୀଙ୍କ ମନ୍ଦିର ସମ୍ମୁଖସ୍ଥ ପାଟ ଅଗଣାରେ ସରସ୍ୱତୀଙ୍କର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ପୁନଶ୍ଚ ସ୍ୱମନ୍ଦିରକୁ ଦକ୍ଷିଣଦ୍ୱାର ଦେଇ ହାତରେ ବିଜେ ହୋଇ ସିଂହାସନରେ ଅବସ୍ଥାପିତ ହୋଇଥାନ୍ତି । ଏହାପରେ ଦୈନନ୍ଦିନ ନୀତି ସମାହିତ ହେବା ସହିତ ସୂର୍ଯ୍ୟଦେବଙ୍କର ରଥଯାତ୍ରାର ପରିସମାପ୍ତି ଘଟେ ।

ସୂର୍ଯ୍ୟଦେବଙ୍କର ଏହି ରଥଯାତ୍ରା ଉତ୍ସବ, ଉତ୍କଳରେ ରଥଯାତ୍ରାର ବିବିଧତାକୁ ଦର୍ଶାଇଥାଏ ଏବଂ ଏହି ଉତ୍ସବରେ ଶ୍ରୀମନ୍ଦିରର ବିବିଧ ବର୍ଗର ସେବକ ଯେପରିକି ଘଟୁଆରୀ, ପାଳିଆ ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ, ହଡ଼ପ ନାୟକ, ଘଣ୍ଟୁଆ, କାହାଳିଆ, ବଜନ୍ତରି, ରାଜଗୁରୁ, ପ୍ରଧାନୀ, ଲେଙ୍କା, ଚର୍ଚେଇତ, ଦେଉଳକରଣ, ତଢ଼ଉକରଣ, ମୁଦୁଲି, ବିମାନବଡୁ ଆଦିଙ୍କ ଆନୁଷଙ୍ଗିକ ସେବା ସହିତ ଭକ୍ତଗଣଙ୍କର ଭାବାବେଗପୂର୍ଣ୍ଣ ଯୋଗଦାନ ଏହି ‘ଚୈତ୍ର ଗୁଣ୍ଡିଚା’ ଉତ୍ସବକୁ ଏକ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରିଥାଏ ।

Comments

So empty here ... leave a comment!

Leave a Reply

Your email address will not be published. Required fields are marked *

Sidebar